କଟକ:ରାଜ୍ୟରେ ସିରିଜ ହାତୀ ମୃତ୍ୟୁ ଚିନ୍ତାର କାରଣ ହୋଇଥିବା ବେଳେ ଏଥିରେ ଉଦବେଗ ପ୍ରକାଶ କରିଛନ୍ତି ହାଇକୋର୍ଟ । ନିଜଆଡୁ ଏକ ଜନସ୍ବାର୍ଥ ମାମଲା ଦାଏର କରି ହାଇକୋର୍ଟ ଏହି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ସ୍ପଷ୍ଟୀକରଣ ଚାହିଁଛନ୍ତି । 2020 ମସିହା ପରଠାରୁ ରାଜ୍ୟରେ ମୋଟ କେତେ ହାତୀ ପ୍ରାଣ ହରାଇଛନ୍ତି ଓ ଏହାକୁ ପ୍ରତିହତ କରିବା ପାଇଁ ରାଜ୍ୟ ସରକାର କ’ଣ ସବୁ ପଦକ୍ଷେପ ଗ୍ରହଣ କରିଛନ୍ତି, ତାହା ଜଣାଇବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ତେବେ ଆସନ୍ତା ମଙ୍ଗଳବାର ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ କରାଯାଇଛି । ଶୁଣାଣି ପୂର୍ବରୁ ରାଜ୍ୟ ସରକାର ଷ୍ଟାଟସ ରିପୋର୍ଟ ଦାଖଲ କରିବେ ।
- ସମ୍ବଲପୁର ୩ ହାତୀ ମୃତ୍ୟୁ ପରେ ହାଇକୋର୍ଟଙ୍କ ଉଦବେଗ
ରାଜ୍ୟର ବିଭିନ୍ନ ସଂରକ୍ଷିତ ଜଙ୍ଗଲରେ କ୍ରମାଗତ ହାତୀ ମୃତ୍ୟୁ ଘଟଣା ସାମ୍ନାକୁ ଆସିବାରେ ଲାଗିଛି । ଦୁଇଦିନ ତଳେ ସମ୍ବଲପୁର ନାକଟିଦେଉଳ ରେଞ୍ଜରେ ବିଦ୍ୟୁତ ଆଘାତରେ ୩ ହାତୀ ପ୍ରାଣ ହରାଇଥିଲେ । ଯାହାକୁ ନେଇ ପରିବେଶବିତ ଓ ପ୍ରକୃତିପ୍ରେମୀଙ୍କ ମଧ୍ୟରେ ବନ ବିଭାଗର ଦାୟିତ୍ବହୀନ କାର୍ଯ୍ୟଶୈଳୀକୁ ନେଇ ଅସନ୍ତୋଷ ଦେଖିବାକୁ ମିଳିଥିଲା । ଯାହାକୁ ନେଇ କୋର୍ଟ ନିଜଆଡୁ ହସ୍ତକ୍ଷେପ କରିବା ସହ ଏକ ଜନସ୍ବାର୍ଥ ମାମଲା ଦାଏର କରିଥିଲେ ।
- ପୂର୍ବରୁ ଜଏଣ୍ଟ ଟାକ୍ସଫୋର୍ସ ଗଠନ କରିଥିଲେ ହାଇକୋର୍ଟ:-
ପୂର୍ବରୁ ମଧ୍ୟ ହାତୀ ମୃତ୍ୟୁକୁ ନେଇ ହାଇକୋର୍ଟ ଉଦବେଗ ପ୍ରକାଶ କରିଛନ୍ତି । ଏହାକୁ ରୋକିବା ପାଇଁ କୋର୍ଟ ଗୁରୁତ୍ବପୂର୍ଣ୍ଣ ନିର୍ଦ୍ଦେଶ ମଧ୍ୟ ଦେଇଥିଲେ । ହାତୀଙ୍କ ସୁରକ୍ଷା ପ୍ରସଙ୍ଗରେ ଗଠିତ ଜଏଣ୍ଟ ଟାକ୍ସଫୋର୍ସ ସହ ଆବେଦନାକାରୀଙ୍କ ଓକିଲମାନଙ୍କୁ ନେଇ ଏକ ମିଳିତ ବୈଠକ କରିବାକୁ କୋର୍ଟ ଉକ୍ତ ନିର୍ଦ୍ଦେଶନାମାରେ କହିଥିଲେ । ହାଇକୋର୍ଟ ପୁରୁଣା ବିଲଡିଂ କନଫରେନ୍ସ ହଲରେ ଏହି ବୈଠକ ଅନୁଷ୍ଠିତ ହେବ ବୋଲି କୋର୍ଟଙ୍କ ନିର୍ଦ୍ଦେଶ ରହିଥିଲା । ଜଏଣ୍ଟ ଟାକ୍ସଫୋର୍ସର ସମସ୍ତ ସଦସ୍ୟଙ୍କ ସହ ମାମଲାଗୁଡିକରେ ନିୟୋଜିତ ଓକିଲମାନେ ଉପସ୍ଥିତ ରହିବେ । ହାତୀ ମୃତ୍ୟୁ ରୋକିବା ଦିଗରେ ଜଏଣ୍ଟ ଟାକ୍ସଫୋର୍ସ କ’ଣ ପଦକ୍ଷେପ ନେଇଛି ଏବଂ ଆଉ କ’ଣ ନୂଆ କାର୍ଯ୍ୟପନ୍ଥା ଗ୍ରହଣ କରାଗଲେ ହାତୀମୃତ୍ୟୁ ରୋକା ଯାଇପାରିବ ସେ ବିଷୟରେ ବୈଠକରେ ବିସ୍ତୃତ ଭାବେ ଆଲୋଚନା କରିବାକୁ କୋର୍ଟ ନିର୍ଦ୍ଦେଶରେ ସ୍ପଷ୍ଟ କରିଥିଲେ ।
ବଦଳୁଛି ହାତୀ କରିଡ଼ର, ହାତୀଙ୍କ ଚଲାପଥରେ ବାଧକ ସାଜୁଛି ଅନେକ ସମସ୍ୟା - World Elephant Day ଏହା ମଧ୍ୟ ପଢନ୍ତୁ:- ବିଦ୍ୟୁତ ନେଲା ୩ ହାତୀଙ୍କ ଜୀବନ, ଶକ୍ତ କାର୍ଯ୍ୟାନୁଷ୍ଠାନ ହେବ କହିଲେ ଉପମୁଖ୍ୟମନ୍ତ୍ରୀ |
- ବିଜୁଳି ବିଭାଗ ସହ ଆଲୋଚନା କରିବାକୁ ପରାମର୍ଶ ଦେଇଥିଲେ କୋର୍ଟ
କେବଳ ସେତିକି ନୁହେଁ, ବିଦ୍ୟୁତ ଆଘାତଜନିତ ହାତୀ ମୃତ୍ୟୁକୁ କିପରି ରୋକା ଯାଇପାରିବ, ସେନେଇ ‘TPCODL’ ଓ ‘JTF’ ଅଧ୍ୟକ୍ଷଙ୍କୁ ନେଇ ବୈଠକ କରିବା ପାଇଁ କୋର୍ଟଙ୍କ ଉକ୍ତ ନିର୍ଦ୍ଦେଶନାମାରେ ଉଲ୍ଲେଖ ଥିଲା । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଗତ ବର୍ଷ ଦୁଇ ମାସ ମଧ୍ୟରେ ହାତୀ-ମଣିଷ ସଂଘର୍ଷରେ ୧୮ଟି ହାତୀ ଓ ୨୦ ସାଧାରଣ ଲୋକଙ୍କ ମୃତ୍ୟୁ ହୋଇଥିବା ନେଇ ଯୁଗ୍ମ ଟାକ୍ସଫୋର୍ସ କୋର୍ଟଙ୍କୁ ଅବଗତ କରିଥିଲା । ତେବେ ବିଦ୍ୟୁତଜନିତ ହାତୀ ମୃତ୍ୟୁ ରୋକିବା ପାଇଁ ‘ୟୁନିଫର୍ମ ପ୍ଲାନ୍ ଅଫ ଆକ୍ସନ’ ପ୍ରସ୍ତୁତ କରିବା ପାଇଁ ହାଇକୋର୍ଟ ପୂର୍ବରୁ ନିର୍ଦ୍ଦେଶ ଦେଇଥିଲେ ।