କଟକ:ଜାମିନ ପାଇଁ କୋର୍ଟ ଅନେକ ସର୍ତ୍ତ ରଖିବା କଥା ଆପଣମାନେ ଜାଣିଥିବେ ଓ ଶୁଣିଥିବେ । କିନ୍ତୁ ଜଣେ ଅଭିଯୁକ୍ତକୁ ଜାମିନ ପ୍ରଦାନ ପାଇଁ ଏକ ଭିନ୍ନ ସର୍ତ୍ତ ରଖିଛନ୍ତି କୋର୍ଟ । ଅଭିଯୁକ୍ତକୁ ଜାମିନରେ ବୃକ୍ଷ ରୋପଣ ପାଇଁ ସର୍ତ୍ତ ରଖିଛନ୍ତି ହାଇକୋର୍ଟ । ଆଉ ସର୍ତ୍ତରେ ୨୦୦ଟି ବୃକ୍ଷ ରୋପଣ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ତେବେ ଏଭଳି ସର୍ତ୍ତ ଯଦିଓ ପ୍ରଥମ ଥର ନୁହେଁ କନ୍ତୁ ଦୀର୍ଘ ଦିନ ପରେ ଏପରି କଥା ଆପଣମାନେ ଶୁଣୁଛନ୍ତି । ଯାହାକି ଆଲୋଚନାର ବିଷୟ ପାଲଟିଛି । କାରଣ ଦିନକୁ ଦିନ ଗଛ କାଟିବା ଦ୍ୱାରା ପରିବେଶରେ ଅନେକ ସମସ୍ୟା ଉପୁଜୁଥିବାରୁ ଏଭଳି ସମସ୍ୟା ଦୂର କରିବା ପାଇଁ ହାଇକୋର୍ଟଙ୍କ ଏପରି ନିର୍ଦ୍ଦେଶ ସମାଜକୁ ଏକ ଭଲ ବାର୍ତ୍ତା ଦେବ ।
ସୂଚନା ଅନୁସାରେ, କଳାହାଣ୍ଡି ଜିଲ୍ଲା କୋକସରା ଥାନାରେ ଦାୟର ଏକ ନାବାଳିକା ଆତ୍ମହତ୍ୟା ମାମଲାର ଅଭିଯୁକ୍ତ କାର୍ତ୍ତିକ ମାଝୀ ଓରଫ ବଦ୍ରୀନାଥକୁ ୨୦୦ଟି ବୃକ୍ଷ ରୋପଣ ସର୍ତ୍ତରେ ଜାମିନ ପ୍ରଦାନ କରିଛନ୍ତି ହାଇକୋର୍ଟ । ଅଭିଯୁକ୍ତର ନିଜ ଗାଁ ଅମ୍ପାନୀ ଥାନା ଅନ୍ତର୍ଗତ ରେଇଁଗୁଡା ଗାଁ ଆଖପାଖରେ ଆମ୍ବ ଏବଂ ତେନ୍ତୁଳି ଗଛ ଲଗାଇବାକୁ କୋର୍ଟ ସର୍ତ୍ତରେ ସ୍ପଷ୍ଟ କରିଛନ୍ତି । ଆସନ୍ତା ବର୍ଷା ଋତୁ ଆରମ୍ଭରେ କାର୍ତ୍ତିକ ଏହି ବୃକ୍ଷରୋପଣ କରିବା ସହ ଗଛ ଗୁଡିକର ଯତ୍ନ ନେବେ । ଏଥିପାଇଁ ଜିଲ୍ଲା ନର୍ସରୀ ସହଯୋଗର ହାତ ବଢ଼ାଇବାକୁ କୋର୍ଟ କହିଛନ୍ତି । କାର୍ତ୍ତିକ ବୃକ୍ଷରୋପଣ କରୁଛନ୍ତି ନା ନାହିଁ ସେନେଇ ଅମ୍ପାନୀ ଥାନା ତଦାରଖ କରିବ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏହି ସର୍ତ୍ତ ସହ ଅନ୍ୟାନ୍ୟ ସର୍ତ୍ତ ଆଧାରରେ କୋର୍ଟ କାର୍ତ୍ତିକଙ୍କୁ ଜାମିନ ପ୍ରଦାନ କରିଛନ୍ତି ।
ଏହା ମଧ୍ୟ ପଢ଼ନ୍ତୁ..ORHDC ଘୋଟାଲା ମାମଲା: ସୁପ୍ରିମକୋର୍ଟରୁ ମୋକିମଙ୍କୁ ଜାମିନ, ନିର୍ବାଚନ ଲଢିବା ନେଇ ଏମିତି କହିଲେ ଆଇନଜୀବୀ - MOHAMMED MOQUIM