ଓଡିଶା

odisha

ହାଇକୋର୍ଟଙ୍କ ଛାଟରେ ସମାଧନ ହେଉଛି ସହରର ସମସ୍ୟା, ଏଣିକି ଠକିଲେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ - Orissa High Court

By ETV Bharat Odisha Team

Published : Sep 1, 2024, 10:31 PM IST

Orissa High Court: କଟକ ସହରର ପ୍ରତିଟି ସମସ୍ୟାକୁ ଗୁରୁତ୍ବର ସହ ନେଇ ସମସ୍ୟା ଗୁଡ଼ିକର ତୁରନ୍ତ ସମାଧାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଓଡିଶା ହାଇକୋର୍ଟ । ଅଧିକ ପଢ଼ନ୍ତୁ

Orissa High Court
Orissa High Court (ETV Bharat Odisha)

କଟକ:ସହରର ସମସ୍ୟାକୁ ଅତି ଗୁରୁତ୍ୱର ସହ ନେଇଛନ୍ତି ଓଡିଶା ହାଇକୋର୍ଟ । ମାମଲାର ଯେ କେବଳ ଶୁଣାଣି କରୁଛନ୍ତି ତାହା ନୁହେଁ ବରଂ ସମସ୍ୟା ଗୁଡିକର ଯେପରି ତ୍ୱରିତ ସମାଧାନ ହେବ ସେନେଇ ମଧ୍ୟ କଡା ନିର୍ଦ୍ଦେଶ ଦେଉଛନ୍ତି କୋର୍ଟ । ଫଳରେ ସହରର ଅନେକ ସମସ୍ୟା ଗୁଡିକ ବହୁ ସହଜରେ ସମାଧାନ ହୋଇପାରୁଛି । ସେ ଜବର ଦଖଲ ହେଉ, ଡେଙ୍ଗୁ ପ୍ରସଙ୍ଗ ହେଉ ଅବା ଯେକୌଣସି ସହର ଜନିତ ସମସ୍ୟା ହେଉ । କହିବାକୁ ଗଲେ କୋର୍ଟଙ୍କ ଛାଟ ଫଳରେ ସହରର ଅନେକ ଗୁରୁତ୍ୱପୂର୍ଣ୍ଣ ସମସ୍ୟାଗୁଡିକ ବହୁ ଶୀଘ୍ର ସମାଧାନ ହେଉଛି ।

ଡେଙ୍ଗୁ ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ କୋର୍ଟଙ୍କ ନିର୍ଦ୍ଦେଶ:

ଡେଙ୍ଗୁ ପ୍ରସଙ୍ଗକୁ ଅତି ଗୁରୁତ୍ୱର ସହ ନେଇଛନ୍ତି ଓଡିଶା ହାଇକୋର୍ଟ । ପ୍ରତ୍ୟକ ଦିନ ଡେଙ୍ଗୁ ଆକ୍ରାନ୍ତଙ୍କ ସମ୍ପର୍କରେ ଗଣମାଧ୍ୟମରେ ଯେଉଁ ତଥ୍ୟ ପ୍ରକାଶ ପାଉଛି ଉକ୍ତ ରିପୋର୍ଟକୁ ଅତି ଗୁରୁତ୍ବ ସହ ନେଉଛନ୍ତି କୋର୍ଟ । ଗତବର୍ଷ ୬୬୭ଟି ଡେଙ୍ଗୁ ଆକ୍ରାନ୍ତ ନେଇ ରିପୋର୍ଟ ହୋଇଥିଲା । ଡେଙ୍ଗୁ ସଚେତନତା ପାଇଁ ସିଏମ୍‌ସି ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଡେଙ୍ଗୁ ଆକ୍ରାନ୍ତ ଚିହ୍ନଟ ହେବା ମାତ୍ରେ ପ୍ରଭାବିତ ଅଞ୍ଚଳରୁ ନମୁନା ସଂଗ୍ରହ କରି ତୁରନ୍ତ ଲା‌ବୋରେଟୋରୀକୁ ପଠାଇବାକୁ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହ ଡେଙ୍ଗୁ ଆକ୍ରାନ୍ତଙ୍କୁ ତୁରନ୍ତ ଚିକିତ୍ସା ପ୍ରଦାନ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଅନେକ ସ୍ଥାନରେ ବର୍ଷା ପାଣି ଜମି ରହିଛି ଓ ବୁଦା ସୃଷ୍ଟି ହୋଇଛି ବୋଲି ଶୁଣାଣି ବେଳେ କୋର୍ଟଙ୍କୁ ଅବଗତ କରାଯାଇଥିଲା । ତେବେ ବୁସ୍‌ କଟିଂ ଓ ମଶାବଂଶ ନିପାତ ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ସିଏମ୍‌ସିକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ଜବରଦଖଲ ପ୍ରସଙ୍ଗକୁ ଗୁରୁତ୍ୱର ସହ ନେଇଛନ୍ତି କୋର୍ଟ:

ଲିଙ୍କରୋଡ୍‌ରୁ ବାଦାମବାଡ଼ି ମଧ୍ୟରେ ଜବରଦଖଲ ଉଚ୍ଛେଦ କରାଯାଇଥିବା ନେଇ ସିଏମ୍‌ସି ପକ୍ଷରୁ ହାଇକୋର୍ଟରେ ତଥ୍ୟ ଉପସ୍ଥାପନ କରାଯାଇଛି । ବାଦାମବାଡ଼ି ଶଙ୍କରପୁର ପୂଜା ମଣ୍ଡପ ପାଖ, ପାଲାମଣ୍ଡପ ତାରିଣୀ ମନ୍ଦିର, ପୁରୁଣା ଏଲ୍‌ଆଇସି କଲୋନିକୁ ସଂଯୋଗ କରୁଥିବା ରାସ୍ତା କଡ଼ରେ ଥିବା ତ୍ରିନାଥ ମନ୍ଦିର ନିକଟରୁ ଜବରଦଖଲ ଉଚ୍ଛେଦ କରାଯାଇଛି । ଏଥିସହିତ ବିଭିନ୍ନ ସ୍ଥାନରେ ଜମି ରହିଥିବା ଅଳିଆ ଆବର୍ଜନା ମଧ୍ୟ ଉଠାଇ ଦିଆଯାଇଛି ବୋଲି ହାଇକୋର୍ଟରେ ସହର ସମସ୍ୟା ସଂପର୍କିତ ମାମଲା ଶୁଣାଣି ସମୟରେ ସିଏମ୍‌ସି ଡେପୁଟି କମିସନର୍‌ ଅବଗତ କରିଛନ୍ତି । ଭରଚୁଆଲରେ ଉପସ୍ଥିତ ରହି କୋର୍ଟଙ୍କୁ ଅବଗତ କରିଛନ୍ତି ସିଏମସି ଡେପୁଟି କମିଶନର । ତେବେ ସିଏମ୍‌ସି ଡେପୁଟି କମିସନର୍‌ଙ୍କ ପଦକ୍ଷେପକୁ ହାଇକୋର୍ଟ ପ୍ରଶଂସା ମଧ୍ୟ କରିଛନ୍ତି । କେବଳ ସେତିକି ନୁହେଁ ବରଂ ଓଏମ୍‌ପି ଛକରୁ ନୂଆବଜାର ମଧ୍ୟରେ ରାସ୍ତା ଓ ନାଳ ଉପରୁ ଜବରଦଖଲ ଉଚ୍ଛେଦ କରାଯାଇଛି ବୋଲି ସିଏମ୍‌ସି ତରଫରୁ ଦର୍ଶାଯାଇଥିଲା । ପୁନର୍ବାର ଯେପରି ସେଠାରେ ଜବରଦଖଲ ଗଢି ନ ଉଠେ, ସେଥିପାଇଁ ସ୍ଥାନୀୟ ଆଇଆଇସି ପଦକ୍ଷେପ ଗ୍ରହଣ କରିବେ ବୋଲି କୋର୍ଟ କହିଛନ୍ତି । ଏନେଇ ସ୍ଥାନୀୟ ଥାନା ଆଇଆଇସି ସତ୍ୟପାଠ ଦାଖଲ କରିବେ ବୋଲି ନିର୍ଦ୍ଦେଶ ଦେଇଛନ୍ତି ।


ସାହିର ପୂଜା ମଣ୍ଡପ ଭାଙ୍ଗି ଦିଆଯିବା ପ୍ରସଙ୍ଗ ଏମିତି ନିର୍ଦ୍ଦେଶ ଦେଲେ କୋର୍ଟ :

ବାଦାମବାଡ଼ି ଶଙ୍କରପୁର ପୂଜା ମଣ୍ଡପର ପ୍ରମୁଖ ଅଂଶ ଜବରଦଖଲ ଉଚ୍ଛେଦ ବେଳେ ଭାଙ୍ଗି ଦିଆଯାଇଛି । ତେବେ ଦୁର୍ଗାପୂଜା ପାଳନ ପାଇଁ ପୂଜା କମିଟିକୁ ଉକ୍ତ ଅଞ୍ଚଳରେ ଏକ ଜମି ଆବଣ୍ଟନ କରିବାକୁ କୋର୍ଟରେ ପ୍ରାର୍ଥନା କରାଯାଇଥିଲା । ଏନେଇ ପୂଜା କମିଟି ତରଫରୁ ଏକ ଅନ୍ତରୀଣ ଆବେଦନ ଦାୟର କରାଯାଇଥିଲା । ଏହି ମାମଲାର ଶୁଣାଣି କରି କୋର୍ଟ କହିଛନ୍ତି ଯେ, ଯଦି ଜମି ଆବଣ୍ଟନ ପ୍ରସଙ୍ଗରେ କୌଣସି ଦରଖାସ୍ତ ଦାଖଲ ହୁଏ, ତେବେ କର୍ତ୍ତୃପକ୍ଷ ତା ଉପରେ ଆଇନ ଅନୁସାରେ ବିଚାର କରିବେ । ଏଥିସହିତ ଏହି ପ୍ରସଙ୍ଗର ଅନ୍ତରୀଣ ଆବେଦନର ଶୁଣାଣିରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି କୋର୍ଟ ।

ତାଳଦଣ୍ଡା କେନାଲ ପାର୍ଶ୍ଵରେ ବୃକ୍ଷରୋପଣ କାର୍ଯ୍ୟକ୍ରମକୁ ଲାଗିବ କେତେ ଦିନ :

ଯୋବ୍ରା ଠାରୁ ତାଳଦଣ୍ଡା କେନାଲ୍‌ ପାର୍ଶ୍ବରେ ବୃକ୍ଷରୋପଣ କରାଯାଉଛି । କେଉଁ ଏଜେନ୍ସି ଏହି କାର୍ଯ୍ୟ କରୁଛି ଓ ତାଳଦଣ୍ଡା କେନାଲର କେଉଁ ଅଞ୍ଚଳ ପର୍ଯ୍ୟନ୍ତ ଏପରି ବୃକ୍ଷରୋପଣ କରାଯିବ ସେ ନେଇ ସିଏମସି ପରବର୍ତ୍ତୀ ଶୁଣାଣି ସମୟରେ ଅବଗତ କରିବ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏଭଳି ବୃକ୍ଷରୋପଣ କାର୍ଯ୍ୟକ୍ରମ ସଂପୂର୍ଣ୍ଣ ହେବାକୁ କେତେ ଦିନ ଲାଗିବ ସେ ନେଇ ମଧ୍ୟ ଜଣାଇବାକୁ ହାଇକୋର୍ଟ କହିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...9 ମାସ ପରେ ନିଲାମ ହେବ MV ଦେବୀ ଜାହାଜ। ହାଇକୋର୍ଟ ଙ୍କ ନିର୍ଦ୍ଦେଶ ପରେ ପ୍ରକ୍ରିୟା ଆରମ୍ଭ। - MV DEVI SHIP

କୃଷକ ବଜାରରେ ଖୁବଶୀଘ୍ର ଡ୍ରେନ କାର୍ଯ୍ୟ ଆରମ୍ଭ ନେଇ କୋର୍ଟଙ୍କୁ ଅବଗତ:

କୃଷକ ବଜାର‌ରେ ସଫେଇ ପାଇଁ ବ୍ୟପକ ପଦକ୍ଷେପ ଗ୍ରହଣ କରାଯାଉଥିବା ଦର୍ଶାଇ ନିୟନ୍ତ୍ରିତ ବଜାର କମିଟି ପକ୍ଷରୁ ସତ୍ୟପାଠ ମାଧ୍ୟମରେ ଅବଗତ କରାଯାଇଥିଲା । ସିଏମ୍‌ସି ଡ୍ରେନ୍ ନିର୍ମାଣ କରୁ ନ ଥିବାରୁ ଜଳବନ୍ଦୀ ସମସ୍ୟା କୃଷକ ବଜାରରେ ଲାଗି ରହିଛି । ଅଳିଆ ଅବର୍ଜନା ଜମା କରି ରଖିବା ପାଇଁ କୃଷକ ବଜାରର ନିର୍ଦ୍ଦିଷ୍ଟ ସ୍ଥାନ ଚିହ୍ନଟ କରାଯାଇଛି । ସବୁଦିନ ଏହି ସ୍ଥାନରୁ ସିଏମ୍‌ସି ଅଳିଆ ଉଠାଇବା କଥା । କିନ୍ତୁ ସିଏମ୍‌ସି ପକ୍ଷରୁ ନିୟମିତ ଅଳିଆ ଅବର୍ଜନା ଉଠାଯାଉ ନାହିଁ ବୋଲି ଆର୍‌ଏମ୍‌ସି ତରଫରୁ ଦର୍ଶାଯାଇଥିଲା । ଆସନ୍ତା ଦୁଇ ଦିନ ଭିତରେ ସିଏମ୍‌ସି ଯୁଗ୍ମ କମିସନର୍‌ କୃଷକ ବଜାର ଯାଇ ଅଳିଆ ଉଠିବା ପ୍ରସଙ୍ଗ ଅନୁଧ୍ୟାନ କରିବେ । ପ୍ରତିଦିନ ଅଳିଆ ଉଠାଇବା ପାଇଁ ପଦକ୍ଷେପ ନିଆଯିବ ବୋଲି ଯୁଗ୍ମ କମିସନର କହିଥିଲେ । କୃଷକ ବଜାରରେ ମଧ୍ୟ ଶୀଘ୍ର ଡ୍ରେନ୍‌ ନିର୍ମାଣ କାର୍ଯ୍ୟ କରାଯିବ ‌ବୋଲି ସିଏମ୍‌ସି ତରଫରୁ ଦର୍ଶାଯାଇଥିଲା । କୃଷକ ବଜାର ଭିତରେ ଦେଇ ଯାଇଥିବା ରାସ୍ତା ଅବସ୍ଥା ଭଲ ନାହିଁ ବୋଲି ଶୁଣାଣି ବେଳେ ଅଭିଯୋଗ ହୋଇଥିଲା । ତୁରନ୍ତ କୃଷକବଜାର ମଧ୍ୟ ଦେଇ ଯାଇଥିବା ରାସ୍ତାର ମରାମତି କାର୍ଯ୍ୟ କରିବାକୁ ସିଏମ୍‌ସିକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ଇଟିଭି ଭାରତ, କଟକ

ABOUT THE AUTHOR

...view details