କଟକ: କର୍କଟ ରୋଗୀଙ୍କ ଚିକିତ୍ସା ପାଇଁ କେବେ ସୁଦ୍ଧା ପେଟ୍ ସିଟି ସ୍କାନ ବ୍ୟବସ୍ଥା କରାଯିବ ସେନେଇ ରାଜ୍ୟ ସରକାରଙ୍କୁ ରିପୋର୍ଟ ତଲବ କରିଛନ୍ତି ଓଡ଼ିଶା ହାଇକୋର୍ଟ । ବିଶେଷକରି ଝାରସୁଗୁଡ଼ା ସହିତ ଅନ୍ୟ ୪ଟି ସହରରେ କେବେ ସୁଦ୍ଧା ଏହି ବ୍ୟବସ୍ଥା କରାଯିବ ସେନେଇ ଜବାବ ତଲବ କରିଛନ୍ତି । ରାଜ୍ୟର ବିଭିନ୍ନ ସରକାରୀ ଡାକ୍ତରଖାନାରେ ପେଟ୍ ସିଟି ସ୍କାନ ସ୍ଥାପନ ସମ୍ପର୍କିତ ଜନସ୍ୱାର୍ଥ ମାମଲାକୁ ଗୁରୁତ୍ୱର ସହ ନେଇଛନ୍ତି କୋର୍ଟ । ହାଇକୋର୍ଟଙ୍କ ହସ୍ତକ୍ଷେପ ପରେ କଟକ ସ୍ଥିତ ଆଚାର୍ଯ୍ୟ ହରିହର କର୍କଟ ଚିକିତ୍ସା କେନ୍ଦ୍ର(ଏଏଚଆରସି)ରେ ପେଟ୍ ସିଟି ସ୍କାନ ସୁବିଧା ଉପଲବ୍ଧ ହୋଇଥିଲା । ତେବେ ଭୁବନେଶ୍ୱର,ବାଲେଶ୍ୱର, ବ୍ରହ୍ମପୁର ଓ ଝାରସୁଗୁଡାରେ ଏହି ସୁବିଧା ଉପଲବ୍ଧ ଦିଗରେ ରାଜ୍ୟ ସରକାର ସାନି ସମୀକ୍ଷା କରିବାକୁ ହାଇକୋର୍ଟ ପୂର୍ବରୁ ନିର୍ଦ୍ଦେଶ ଦେଇଥିଲେ ସୁଦ୍ଧା ଏହାକୁ କାର୍ଯ୍ୟକାରୀ କରାଯାଇ ନାହିଁ ।
ଝାରସୁଗୁଡା ସମେତ ଅନ୍ୟ ସହରଗୁଡିକରେ କେବେ ସୁଦ୍ଧା ପେଟ୍ ସିଟି ସ୍କାନ ସୁବିଧା ଉପଲବ୍ଧ ହୋଇପାରିବ ତାହାକୁ ସତ୍ୟପାଠ ଜରିଆରେ ଜଣାଇବାକୁ ହାଇକୋର୍ଟ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ବିଦ୍ୟୁତ ରଂଜନ ଷଡଙ୍ଗୀ ଓ ଜଷ୍ଟିସ ଏମ.ଏସ.ରମଣଙ୍କୁ ନେଇ ଗଠିତ ଖଣ୍ଡପୀଠ ଅନିତା ବୁଦ୍ଧିଆଙ୍କ ଜନସ୍ବାର୍ଥ ମାମଲାର ଶୁଣାଣି କରି ଏହି ନିର୍ଦ୍ଦେଶ ଦେଇଛନ୍ତି ।
ଏହା ମଧ୍ୟ ପଢନ୍ତୁ:ଆସନ୍ତା ସୋମବାର ପର୍ଯ୍ୟନ୍ତ ବାଲି ଉଠାଣ ଉପରେ ରୋକ ଲଗାଇଲେ ହାଇକୋର୍ଟ