କଟକ/ଭୁବନେଶ୍ବର:ଧର୍ମମାସକାର୍ତ୍ତିକରେ କନ୍ଦାଇଲାଣି ପିଆଜ । ବଜାରରେ ପିଆଜ, ରସୁଣ ଦର ଆକାଶ ଛୁଆଁ । ଏବେ ପଞ୍ଚୁକ ଚାଲିଥିବା ବେଳେ ୫ ଦିନ ଗାଁଠୁ ସହର ଅଧିକାଂଶ ଘରେ ନିରାମିଷ ଭୋଜନ କିନ୍ତୁ ଏହା ସତ୍ତ୍ବେ ପିଆଜ ଓ ରସୁଣ ଆକାଶ ଛୁଆଁ ଦର ରହିଛି । ପିଆଜ ଓ ରସୁଣ ଗତ କିଛି ଦିନ ଧରି ଯେଉଁ ଭଳି ଉଚ୍ଚା ରହିଛି, ତାହା ଖାଉଟି ପକେଟକୁ ବାଧୁଛି । କଟକର ଛତ୍ର ବଜାରରେ ପିଆଜ କେଜି ପ୍ରତି ୬୦ରୁ ୬୫ ଟଙ୍କାରେ ଖୁଚୁରାରେ ବିକ୍ରି ହେଉଛି । ସବୁଠୁ ଚିନ୍ତାଜନକ ସ୍ଥିତି ରସୁଣ ଦରକୁ ନେଇ ରହିଛି । ଯେମିତି ଦର ଖସିବାର ନାଁ ଧରୁନି । ଯାହାକୁ ନେଇ ଏବେ ଚିନ୍ତାରେ ଖାଉଟି ।
ଖସୁନି ରସୁଣ ଦର:
ରସୁଣ ଦର ପାଖାପାଖ ୬ ମାସରୁ ଅଧିକ ସମୟ ଧରି ଖସିବାର ନାଁ ଧରୁନାହିଁ । ରସୁଣ କିଲୋପ୍ରତି ଦର ଖୁଚୁରା ବଜାରରେ ୩୬୦ରୁ ୪୦୦ ଟଙ୍କା ଭିତରେ ରହୁଛି । ଏହାକୁ ନେଇ ଗ୍ରାହକ ଚିନ୍ତାରେ ଅଛନ୍ତି । ସେପଟେ ବ୍ୟବସାୟୀ କହିଛନ୍ତି ଏବେ କେବଳ ଆନ୍ଧ୍ର ପିଆଜ ବଜାରରେ ଉପଲବ୍ଧ ଥିବାରୁ ଦର ଉଚ୍ଚା ରହିଛି । କେବଳ ପିଆଜ ରସୁଣ ନୁହେଁ । ପରିବା ଦର ମଧ୍ୟ ଉଚ୍ଚା ରହୁଛି । ଯାହାର ପ୍ରଭାବ ହାଣ୍ଡିଶାଳରେ ପଡୁଛି ।
ପିଆଜ ପାଇଁ ଆନ୍ଧ୍ର ଓ ନାସିକ ଉପରେ ଭରସା:
ପନିପରିବାକୁ ଛାଡି ଆଳୁ, ପିଆଜ, ରସୁଣକୁ ବାହାର ରାଜ୍ୟରୁ କିଣାଯାଇଥାଏ । ମୁଖ୍ୟତଃ ପିଆଜ ପାଇଁ ଆନ୍ଧ୍ର ଓ ନାସିକ ଉପରେ ନିର୍ଭର କରିଥାଏ ଓଡ଼ିଶା l ଛତ୍ରବଜାରକୁ ଏହି ଦୁଇଟି ଅଞ୍ଚଳକୁ ପିଆଜ ଆସିଥାଏ । ଚଳିତବର୍ଷ ନାସିକରେ ବର୍ଷା ଅଧିକ ହୋଇଥିବାରୁ ସେଠାରେ ପିଆଜ ଦର ଉଚ୍ଚା ରହିଛି ।
ଆନ୍ଧ୍ରରୁ ଆସୁଥିବା ପିଆଜ ଦର କେଉଁଠି କେତେ ?
- ଛତ୍ରବଜାରକୁ ଆନ୍ଧ୍ରରୁ ଆସୁଥିବା ପିଆଜ ଗୋଦାମରେ 55 ଟଙ୍କା
- ଛତ୍ରବଜାରରେ 60 ଟଙ୍କା
- କଟକର ବିଭିନ୍ନ ଅଞ୍ଚଳରେ 70 ଟଙ୍କାରେ ବିକ୍ରି ହେଉଛି
ନାସିକରୁ ଆସୁଥିବା ପିଆଜ ଦର କେଉଁଠି କେତେ ?
- ନାସିକରୁ ଆସୁଥିବା ପିଆଜ ଗୋଦାମରେ 60ଟଙ୍କା
- ଛତ୍ରବଜାରରେ 70ଟଙ୍କା
- କଟକ ସହରରେ 75ରୁ 80 ଟଙ୍କାରେ ବିକ୍ରି ହେଉଛି
କଣ କହୁଛନ୍ତି ଗ୍ରାହକ ?
ସଞ୍ଜୟ ଦେବତା ନାମକ ଜଣେ ଗ୍ରାହକ କହିଛନ୍ତି, ‘ପିଆଜି କିଣିବାକୁ ଡର ଲାଗୁଛି । ଖାଇବା ତ ଦୂରର କଥା । କାର୍ତ୍ତିକ ମାସରେ ପିଆଜ ଦର 30ରୁ 40 ଟଙ୍କା ରୁହେ । ଏବେ କିନ୍ତୁ 60ରୁ 70ଟଙ୍କା ରହୁଛି । ଆମେ ଶୁଣିକି ପଳଉଛୁ । ଅଢେଇଶ(250ଗ୍ରାମ), ଅଧକେଜିରେ କାମ ଚଳଉଛୁ । କାର୍ତ୍ତିକ ମାସରେ 60 ହେଲାଣି ଦର କାର୍ତ୍ତିକ ପରେ ତ 100 ହେବ ଦର ।’