ମାଲକାନଗିରି:ବିବାହ ଭୋଜି ଖାଇ ଜଣେ ମୃତ, 30ରୁ ଊର୍ଦ୍ଧ୍ବ ଅସୁସ୍ଥ । ଦୁଇଟି ଗାଁର ୩୦ରୁ ଊର୍ଦ୍ଧ୍ବ ଅସୁସ୍ଥ ହୋଇଥିବାବେଳେ ଜଣେ ଶିଶୁର ମୃତ୍ୟୁ ହୋଇଛି । ଗୁରୁତରଙ୍କ ମଧ୍ୟରୁ ଗୋଟିଏ ପରିବାରର ୪ ଜଣ ରହିଛନ୍ତି । ମାଲକାନଗିରି ଜିଲ୍ଲା ମାଥିଲି ବ୍ଳକ ବନ୍ଧଗୁଡା ଏବଂ ନୂଆଗୁଡ଼ାରେ ଏଭଳି ଦୁଃଖଦ ଘଟଣା ଘଟିଛି ।
ସୂଚନା ଅନୁଯାୟୀ, ବନ୍ଧଗୁଡ଼ା ଗ୍ରାମରେ ଜଣେ ବ୍ୟକ୍ତିଙ୍କ ଘରେ ବିବାହ ଭୋଜିର ଆୟୋଜନ ହୋଇଥିଲା । ଚାଉଳମେନ୍ଦି ପଞ୍ଚାୟତର ବନ୍ଧଗୁଡ଼ା, ନୂଆଗୁଡା ସହ ଆଖପାଖ ଅଞ୍ଚଳର ଲୋକେ ଭୋଜି ଖାଇଥିଲେ । ଗତକାଲି (ବୁଧବାର) ଭୋଜି ଖାଇଥିବା ନୂଆଗୁଡ଼ା ଗ୍ରାମର କିଛି ଶିଶୁ ପ୍ରଥମେ ଅସୁସ୍ଥ ହୋଇଥିବା ଜଣାପଡ଼ିଥିଲା । ସେମାନଙ୍କ ସ୍ବାସ୍ଥ୍ୟବସ୍ଥା ବିଗିଡିବାରୁ ମାଥିଲି ଉପଖଣ୍ଡ ଚିକିତ୍ସାଳୟକୁ ଅଣାଯାଇଥିଲା । ପରେ ପରେ ପର୍ଯ୍ୟାୟକ୍ରମେ ଗୁରୁତରଙ୍କ ସଂଖ୍ୟା ବଢିବାକୁ ଲାଗିଥିଲା । ଏପରିକି ଜଣେ ୮ ବର୍ଷର ଶିଶୁର ମୃତ୍ୟୁ ହୋଇଥିଲା ।
ଖବରପାଇ ମାଥିଲିରୁ ଏକ ଡାକ୍ତରୀଦଳ ନୂଆଗୁଡ଼ା ଗାଁରେ ପହଞ୍ଚି ଚିକିତ୍ସା ଆରମ୍ଭ କରିଥିଲେ । ସ୍ବାସ୍ଥ୍ୟାବସ୍ଥା ବିଗିଡିବାରୁ ୪ ଜଣଙ୍କୁ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା । ଧନ ନାଲିଙ୍କ ଚାରି ଶିଶୁମାନେ ହେଲେ ରାଧିକା ନାଲି, ମମତା ନାଲି, ଅଜୟ ନାଲି ଏବଂ ମାଗିକା ନାଲି । ଏମାନେ ଗୁରୁତର ହେବାରୁ ପ୍ରଥମେ ମାଥିଲି ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସମସ୍ତଙ୍କ ଅବସ୍ଥା ଆହୁରି ସଙ୍କଟାପନ୍ନ ହେବାରୁ ମାଲକାନଗିରି ମେଡିକାଲକୁ ସ୍ଥାନାନ୍ତର କରାଯାଇଥିବାବେଳେ ସେମାନଙ୍କ ଚିକିତ୍ସା ଜାରି ରହିଛି ।