ଢେଙ୍କାନାଳ:କାମାକ୍ଷାନଗରରେ ବନ୍ଦ ଘରୁ ଯୁବତୀଙ୍କ ମୃତଦେହ ଉଦ୍ଧାର ଘଟଣାର ପର୍ଦ୍ଦାଫାସ । ଯୁବତୀଙ୍କୁ ହତ୍ୟା କରିବା ଅଭିଯୋଗରେ ଅଭିଯୁକ୍ତ ପ୍ରେମିକ ଗିରଫ । କାମାକ୍ଷାନଗର ଲୋକନାଥପୁର ଗ୍ରାମରେ ଘଟିଥିବା ଏହି ରହସ୍ୟଜନକ ମୃତ୍ୟୁର ପର୍ଦ୍ଦାଫାସ କରିଛି ପୋଲିସ । ଅଭିଯୁକ୍ତକୁ ଗିରଫ କରିବା ସହ କୋର୍ଟ ଚାଲାଣ କରାଯାଇଛି । ଗିରଫ ଅଭିଯୁକ୍ତ ପ୍ରେମିକ ଜଣକ ହେଲା ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ବଉଳପୁର ଗ୍ରାମର ଶିବ ପ୍ରସାଦ ସେନାପତି । ଶନିବାର ଦିନ ପୋଲିସ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛି ।
ସୂଚନା ମୁତାବକ, ଗତ ୭ ତାରିଖ (ଗୁରୁବାର) ଦିନ ଲୋକନାଥପୁର ଗାଁରେ ଏକ ବନ୍ଦ ଘରୁ ଜଣେ ଯୁବତୀଙ୍କ ମୃତଦେହ ମିଳିବା ପରେ ପରିବାର ଲୋକ ହତ୍ୟା ଅଭିଯୋଗ ଆଣିଥିଲେ । ମୃତକ ହେଲେ ଗ୍ରାମର ସ୍ବର୍ଗତ ଶିବ ଖୁଣ୍ଟିଆଙ୍କ ସାନ ଝିଅ ଲକ୍ଷ୍ମୀପ୍ରିୟା ଖୁଣ୍ଟିଆ । ଘଟଣା ଦିନ ତାଙ୍କ ମାଆ ବଡ଼ ଭଉଣୀ ଘରକୁ ଯାଇଥିଲେ । ଘରେ କେହି ନ ଥିବାର ସୁଯୋଗ ନେଇ ଯୁବତୀଙ୍କ ଘରକୁ ପ୍ରେମିକ ଶିବ ପ୍ରସାଦ ଆସିଥିଲେ । ସେଠାରେ କୌଣସି କାରଣକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା । ଏଥିରେ ଉତକ୍ଷିପ୍ତ ହୋଇ ପ୍ରେମିକ ଶିବ ଏକ ଓଢଣୀରେ ପ୍ରେମିକାର ତଣ୍ଟିକୁ ଚିପି ହତ୍ୟା କରି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା ।