ଓଡିଶା

odisha

ETV Bharat / state

ଋଷିକୁଲ୍ୟା ମୁହାଣ ମୁହାଁ ଅଲିଭ ରିଡଲେ କଇଁଛ, ମାଛ ଧରା ଓ ଟ୍ରଲର ଚଳାଚଳରେ କଟକଣା - OLIVE RIDLEY SEA TURTLE

ମିଳନ-ଅଣ୍ଡାଦାନ ପାଇଁ ଓଡିଶା ଉପକୂଳ ମୁହାଁ ବିରଳ ସାମୁଦ୍ରିକ କଇଁଛ ‘ଅଲିଭ ରିଡଲେ’ । ଗଞ୍ଜାମ ଋଷିକୁଲ୍ୟା ମୁହାଣରେ ମାଛ ଧରା ଓ ଟ୍ରଲର ଚଳାଚଳ ଉପରେ ବନ ବିଭାଗର କଟକଣା ।

ଉପକୂଳ ମୁହାଁ ଅଲିଭ ରିଡଲେ, ନୋ-ଫିସିଂ ଜୋନ ହେଲା ଋଷିକୁଲ୍ୟା ମୁହାଣ
ଉପକୂଳ ମୁହାଁ ଅଲିଭ ରିଡଲେ, ନୋ-ଫିସିଂ ଜୋନ ହେଲା ଋଷିକୁଲ୍ୟା ମୁହାଣ (ETV Bharat odisha)

By ETV Bharat Odisha Team

Published : Nov 5, 2024, 10:22 AM IST

Updated : Nov 5, 2024, 1:37 PM IST

ବ୍ରହ୍ମପୁର/ ଭୁବନେଶ୍ବର :ଶୀତଋତୁର ପ୍ରାରମ୍ଭ ସହ ଆରମ୍ଭ ହୋଇଛି ଅତିଥିଙ୍କ ଆଗମନ । ଗଞ୍ଜାମ ଉପକୂଳରେ ପହଞ୍ଚିବାରେ ଲାଗିଛନ୍ତି ବିରଳ ସାମୁଦ୍ରିକ କଇଁଛ ‘ଅଲିଭ ରିଡଲେ’ । ଭୌଗଳିକ ଓ ପାରିବେଶିକ ଅନୁକୂଳତା ପାଇଁ ପ୍ରତ୍ୟେକ ବର୍ଷ ନଭେମ୍ବର ମାସ ଆରମ୍ଭରେ ହଜାର ହଜାର ନଟିକାଲ୍‌ ମାଇଲ ଅତିକ୍ରମ କରି ଏହି ବିରଳ ପ୍ରଜାତିର କଇଁଛମାନେ ଗଞ୍ଜାମର ଋଷିକୁଲ୍ୟା ମୁହାଣରେ ପହଞ୍ଚିଥାନ୍ତି । ଋଷିକୁଲ୍ୟା ମୁହାଣ ସଲଗ୍ନ ବଙ୍ଗୋପସାଗର ଜଳରାଶିରେ ଜାନୁଆରୀ ମାସ ପର୍ଯ୍ୟନ୍ତ ପ୍ରାୟ ତିନି ମାସ ଧରି କଇଁଛଙ୍କ ମିଳନ ପର୍ବ ଜାରି ରହେ । ପରେ ବେଳାଭୂମିରେ ଆରମ୍ଭ ହୁଏ ଗଣ ଅଣ୍ଡାଦାନ ପ୍ରକ୍ରିୟା । ପୂର୍ବ ବର୍ଷଗୁଡିକ ପରି ଏଥର ମଧ୍ୟ କଇଁଛଙ୍କ ଆଗମନ ସହ ବନ ବିଭାଗ ସେମାନଙ୍କ ସୁରକ୍ଷା ପାଇଁ ଏକାଧିକ କଟକଣା ଜାରି କରିଛି ।

  • ଉପକୂଳ ଜଳରାଶିରେ ମିଳନ ପରେ ଫେବ୍ରୁୃଆରୀରୁ ଗଣ ଅଣ୍ଡାଦାନ

ନଭେମ୍ବର ମାସ ଆରମ୍ଭ ସୁଦ୍ଧା ପହଞ୍ଚୁଥିବା ଏହି ପ୍ରଜାତିର କଇଁଛମାନେ ଜାନୁଆରୀ ଶେଷ ମଧ୍ୟରେ ମିଳନ କରନ୍ତି । ପରେ ଫେବ୍ରୁଆରୀରୁ ମାର୍ଚ୍ଚ ମାସ ମଧ୍ୟରେ ଋଷିକୁଲ୍ୟା ମୁହାଣ ବେଳାଭୂମିରେ ଗଣ ଅଣ୍ଡାଦାନ କରନ୍ତି । ପ୍ରୟାଗୀଠାରୁ ସୁନାପୁର ପର୍ଯ୍ୟନ୍ତ ବେଳାଭୂମି ରହିଥିବା ବେଳେ ଅଲିଭ ରିଡଲେ କଇଁଛମାନେ ଋଷିକୁଲ୍ୟା ମୁହାଣ ନିକଟବର୍ତ୍ତୀ ବାଲୁକାଶଯ୍ୟାରେ ଲକ୍ଷାଧିକ ସଂଖ୍ୟାରେ ଅଣ୍ଡାଦାନ କରିଥାନ୍ତି । ଏହାର ପ୍ରାୟ ଦେଢମାସ (୪୫ ଦିନ) ମଧ୍ୟରେ ଅଣ୍ଡାରୁ ଶାବକ ଜନ୍ମ ହୁଅନ୍ତି । ପରେ ଲକ୍ଷାଧିକ ସଂଖ୍ୟାରେ ଶାବକମାନେ ଅଣ୍ଡାରୁ ବାହାରି ଗଭୀର ସମୁଦ୍ରକୁ ଚାଲିଯାଆନ୍ତି । ଗଞ୍ଜାମ ଉପକୂଳରେ ପ୍ରାୟ ସାତ ମାସ ଧରି ଏହି ଅତିଥି ଅଲିଭ ରିଡଲେଙ୍କ ରହଣି ସମୟରେ ସୁରକ୍ଷା ପାଇଁ ବନ ବିଭାଗ ପକ୍ଷରୁ ଅନେକ କଟକଣା ଜାରି କରାଯାଇଛି ।

ଉପକୂଳ ମୁହାଁ ଅଲିଭ ରିଡଲେ, ନୋ-ଫିସିଂ ଜୋନ ହେଲା ଋଷିକୁଲ୍ୟା ମୁହାଣ (ETV Bharat odisha)
  • ପ୍ରୟାଗୀଠାରୁ ଆର୍ଯ୍ୟପଲ୍ଲୀ ମଧ୍ୟରେ ୧୧ଟି କ୍ୟାମ୍ପ:-

'ଏହି ବିରଳ ସାମୁଦ୍ରିକ ଜୀବଙ୍କ ସୁରକ୍ଷା ପାଇଁ ରଷିକୁଲ୍ୟା ମୁହାଣ ନିକଟବର୍ତ୍ତୀ ପ୍ରୟାଗୀଠାରୁ ଆର୍ଯ୍ୟପଲ୍ଲୀ ଦେଇ ରାମେୟାପାଟଣା ପର୍ଯ୍ୟନ୍ତ ବନ ବିଭାଗ ପକ୍ଷରୁ ୧୧ଟି କ୍ୟାମ୍ପ କରାଯାଇଛି । ମୁଖ୍ୟତଃ ଫେବ୍ରୁଆରୀ ମାସରେ ମା’ କଇଁଛମାନେ ବେଳାଭୂମି ନିକଟତର ହୁଅନ୍ତି । ଋଷିକୁଲ୍ୟା ମୁହାଣରେ ପୁରୁଣାବନ୍ଧଠାରୁ ପୋଡ଼ମପେଟା ଓ ବଟେଶ୍ୱରରୁ ଅଳେଶ୍ଵର ପର୍ଯ୍ୟନ୍ତ ସୃଷ୍ଟି ହୋଇଥିବା ବାଲୁକାଶଯ୍ୟାରେ ଗଣ ଅଣ୍ଡାଦାନ ଦେଖିବାକୁ ମିଳିଥାଏ । ' ଏଣୁ ବେଳାଭୂମିର ସଫେଇରୁ ନେଇ ବିଭିନ୍ନ ଆନୁସଙ୍ଗିକ ବ୍ୟବସ୍ଥାକୁ ଗୁରୁତ୍ୱ ଦିଆଯାଉଥିବାବ୍ରହ୍ମପୁର ‘ଡିଏଫଓ’ ସନି ଖୋଖର ‘ଇଟିଭି ଭାରତ’କୁ ସୂଚନା ଦେଇଛନ୍ତି ।

ଉପକୂଳ ମୁହାଁ ଅଲିଭ ରିଡଲେ, ନୋ-ଫିସିଂ ଜୋନ ହେଲା ଋଷିକୁଲ୍ୟା ମୁହାଣ (ETV Bharat odisha)

ଏହା ମଧ୍ୟ ପଢନ୍ତୁ ...ଗହୀରମଥା ଏନ୍ତୁଡ଼ିଶାଳରୁ ବାହାରିଲେ ଅଲିଭ ରିଡଲେ ଛୁଆ - OLIVE RIDLEY TURTLE

ଏହା ମଧ୍ୟ ପଢନ୍ତୁ ...ଜଳବାୟୁ ପରିବର୍ତ୍ତନ ପ୍ରଭାବ ! ମାସେ ବିଳମ୍ବରେ ଅଲିଭ ରିଡଲେ ସାମୁହିକ ଅଣ୍ଡାଦାନ ପ୍ରକ୍ରିୟା ଆରମ୍ଭ - Olive Ridley mass nesting

  • ୨୦ କିଲୋମିଟର ପର୍ଯ୍ୟନ୍ତ ମାଛଧରା ନିଷେଧ:-

ବିରଳ ପ୍ରଜାତିର ସାମୁଦ୍ରିକ ପ୍ରାଣୀ ଭାବେ ପରିଚିତ ‘ଅଲିଭ ରିଡଲେ’ ଗଞ୍ଜାମ ଉପକୂଳରେ କିପରି ସୁରକ୍ଷିତ ଭାବେ ଗଣ ଅଣ୍ଡାଦାନ କରି ପାରିବେ, ସେ ଦିଗରେ ବନ ବିଭାଗ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି । ଋଷିକୁଲ୍ୟା ମୁହାଣ ସଂଲଗ୍ନ ପ୍ରୟାଗୀଠାରୁ ଆର୍ଯ୍ୟପଲ୍ଲୀ ପର୍ଯ୍ୟନ୍ତ ପ୍ରାୟ ୨୦ କି.ମି ପରିମିତ ଅଞ୍ଚଳକୁ ମାଛ ଧରା ନିଷିଦ୍ଧାଞ୍ଚଳ ଭାବେ ଘୋଷଣା କରାଯାଇଛି । ଏହା ମେ’ ମାସ ପର୍ଯ୍ୟନ୍ତ ବଳବତ୍ତର ରହିବ । ସେହିପରି କୂଳରୁ ସମୁଦ୍ର ଭିତରକୁ ୧୦ କି.ମି ପର୍ଯ୍ୟନ୍ତ ମଧ୍ୟ ମାଛ ଧରା ନିଷିଦ୍ଧାଞ୍ଚଳ ବା ‘ନୋ-ଫିସିଂ ଜୋନ’ ଭାବେ ଘୋଷଣା କରାଯାଇଛି ।

ମିଳନ-ଅଣ୍ଡାଦାନ ପାଇଁ ଓଡିଶା ଉପକୂଳ ମୁହାଁ ବିରଳ ସାମୁଦ୍ରିକ କଇଁଛ ‘ଅଲିଭ ରିଡଲେ’ (ETV Bharat Odisha)
  • ଚାଲିବନି ଯନ୍ତ୍ରଚାଳିତ ବୋଟ:-

ସେହି ପରିଧି ମଧ୍ୟରେ ମାଛଧରା ବୋଟ ଚଳାଚଳ ଉପରେ କଟକଣା ଜାରି କରାଯାଇଛି । ଏହା ସହ ବନ ବିଭାଗ ଖଲ୍ଲିକୋଟ ରେଞ୍ଜ ପକ୍ଷରୁ ସମୁଦ୍ରିକ ପାଟ୍ରୋଲିଂ ମଧ୍ୟ ଆରମ୍ଭ କରାଯାଇଛି । ଋଷିକୁଲ୍ୟା ମୁହାଣରୁ ଉତ୍ତର ଦିଗରେ ପ୍ରାୟଗୀ ପର୍ଯ୍ୟନ୍ତ ୧୦ କି.ମି ଓ ଦକ୍ଷିଣରେ ଆର୍ଯ୍ୟପଲ୍ଲୀ ପର୍ଯ୍ୟନ୍ତ ୧୦ କି.ମି ଓ ବେଳାଭୂମିରୁ ସମୁଦ୍ର ଜଳରାଶି ମଧ୍ୟରେ ୧୦ କି.ମି ପର୍ଯ୍ୟନ୍ତ 'ନୋ ଫିସିଂ ଜୋନ’ ଭାବେ ଘୋଷଣା କରାଯାଇଛି । ଏହି ପ୍ରତିବନ୍ଧିତ ଅଞ୍ଚଳରେ ଟ୍ରଲର, ଯନ୍ତ୍ରଚାଳିତ ଡଙ୍ଗା ଆଦି ଚଳାଚଳ କରିବାକୁ ସମ୍ପୂର୍ଣ୍ଣ ବାରଣ କରାଯାଇଛି ।

ଏହା ମଧ୍ୟ ପଢନ୍ତୁ:- ଆସିଲା ଅଲିଭ ରିଡଲେ କଇଁଛ ସଙ୍ଗମ-ଅଣ୍ଡାଦାନ ଋତୁ, ସମୁଦ୍ରରେ ୭ ମାସ ମାଛ ମରା ଓ ଟ୍ରଲର କଟକଣା

ଏହା ମଧ୍ୟ ପଢନ୍ତୁ ...ପାରାଦ୍ୱୀପରେ ଅଲିଭି ରିଡ଼ଲେ କଇଁଛ ଚଡ଼କ, ବେଳାଭୂମିରେ ପଡ଼ିଛି ଶହଶହ ମୃତଦେହ

ତେବେ ନଜର ପକାନ୍ତୁ, କେଉଁ ମସିହାରେ କେତେ ଅଲିଭ ରିଡ଼ଲେ ଆସିଛନ୍ତି :-

  • ୨୦୧୬-୨୦୧୭ ମସିହା

ଗହୀରମଥାରେ ୬.୦୪ ଲକ୍ଷ ଅଲିଭ ରିଡ଼ଲେ ରହିଥିବା ବେଳେ ଋଷିକୁଲ୍ୟା ମୁହାଣରେ ଅଲିଭ ରିଡଲେ ଆସିଥିଲେ ୩.୭୧ ଲକ୍ଷ । ଉଭୟ ସ୍ଥାନରେ ମୋଟ ୯.୭୫ ଲକ୍ଷ ଅଲିଭ ରିଡଲେ ଆସିଥିଲେ ।

  • ୨୦୧୭-୨୦୧୮ ମସିହା

ଗହୀରମଥାରେ ୬.୬୫ ଲକ୍ଷ ଅଲିଭ ରିଡଲେ ରହିଥିବା ବେଳେ ଋଷିକୁଲ୍ୟା ମୁହାଣକୁ ଅଲିଭ ରିଡଲେ ଆସିଥିଲେ ୪.୪୫ ଲକ୍ଷ । ତେବେ ମୋଟ ୧୧.୧୦ ଲକ୍ଷ ଅଲିଭ ରିଡଲେ ଆସିଥିଲେ ।

  • ୨୦୧୮ -୨୦୧୯ ମସିହା

ଗହୀରମଥାରେ ୪.୫୧ ଲକ୍ଷ ଅଲିଭ ରିଡଲେ ଓ ଋଷିକୁଲ୍ୟା ମୁହାଣକୁ କୌଣସି ଅଲିଭ ରିଡଲେ ଆସିନଥିବା ଦେଖିବାକୁ ମିଳିଥିଲା । ତେବେ ମୋଟ ସେହି ବର୍ଷ ୪.୫୧ ଲକ୍ଷ ଅଲିଭ ରିଡଲେ ଆସିଥିଲେ ।

  • ୨୦୧୯-୨୦୨୦ ମସିହା

ଗହୀରମଥାରେ ୪.୦୭ ଲକ୍ଷ ଅଲିଭ ରିଡଲେ ଓ ଋଷିକୁଲ୍ୟା ମୁହାଣକୁ ପ୍ରାୟ ୩.୨୩ ଲକ୍ଷ କଇଁଛ ଆସିଥିଲେ । ସେହିବର୍ଷ ମୋଟ ୭.୩୦ ଲକ୍ଷ ଅଲିଭ ରିଡଲେ ଓଡ଼ିଶା ଉପକୂଳକୁ ଆସିଥିଲେ ।

  • ୨୦୨୦- ୨୦୨୧ମସିହା

ଗହୀରମଥାରେ ୩.୫୦ ଲକ୍ଷ ଅଲିଭ ରିଡଲେ ଓ ଋଷିକୁଲ୍ୟା ମୁହାଣକୁ କୌଣସି କଇଁଛ ଆସିନଥିବା ସୂଚନା । ତେବେ ମୋଟ ଆକାରରେ ଏହି ମସିହାରେ ୩.୫୦ ଲକ୍ଷ ଅଲିଭ ରିଡଲେ ଆସିଥିଲେ ।

  • ୨୦୨୧-୨୦୨୨ ମସିହା

ଗହୀରମଥାରେ ୫.୦୧ ଲକ୍ଷ ଅଲିଭ ରିଡଲେ ରହିଥିବା ବେଳେ ଋଷିକୁଲ୍ୟା ମୁହାଣକୁ ୫.୫୦ ଲକ୍ଷ କଇଁଛ ଆସିଥିଲେ । ସେହିବର୍ଷ ରେକର୍ଡ ସଂଖ୍ୟକ ୧୦.୫୧ ଲକ୍ଷ ଅଲିଭ ରିଡ଼ଲେ ଓଡିଶା ଉପକୂଳକୁ ଆସିଥିଲେ ।

ଇଟିଭି ଭାରତ, ବ୍ରହ୍ମପୁର/ ଭୁବନେଶ୍ବର

Last Updated : Nov 5, 2024, 1:37 PM IST

ABOUT THE AUTHOR

...view details