କଟକ:ଏଥର ବାଲିଯାତ୍ରାରେ ଦର୍ଶକଙ୍କ ପାଇଁ ମୁଖ୍ୟ ଆକର୍ଷଣ ସାଜିବ ପୁରୁଣା ଓଡ଼ିଆ ଚଳଚ୍ଚିତ୍ର । ହଜି ଯାଉଥିବା ପୁରୁଣା ଓଡ଼ିଆ ଚଳଚ୍ଚିତ୍ରକୁ ଲୋକାଭିମୁଖୀ କରାଇବ ଜିଲ୍ଲା ପ୍ରଶାସନ । ଓଡ଼ିଆ ସିନେମାକୁ ନେଇ ପ୍ରସ୍ତୁତ କରାଯାଇଛି ଥିମ୍ । ନୂଆ ପୀଢ଼ିଙ୍କୁ ପୂରଣା ସିନେମା ବିଷୟରେ ଜଣାଇବା ପାଇଁ ପ୍ରୟାସ କରାଯାଉଛି । ବାଲିଯାତ୍ରା ତଳ ପଡ଼ିଆ ଠାରେ ଥିବା କଟକ-ଇନ୍-କଟକ ପ୍ୟାଭିଲନ୍ ଠାରେ ପୁରୁଣା ଓଡ଼ିଆ ଚଳଚ୍ଚିତ୍ର ପ୍ରଦର୍ଶିତ କରାଯିବ । ଏହାଦ୍ବାରା ଓଡ଼ିଆ ଫିଲ୍ମର ଗୁଣାତ୍ମକ ବୈଶିଷ୍ଟ୍ୟକୁ ଲୋକଲୋଚନକୁ ଆଣାଯାଇପାରିବ ।
ପୂରୁଣା ଚଳଚ୍ଚିତ୍ର ଦେଖିବେ ଦର୍ଶକ:
ନଭେମ୍ବର ୧୫ରୁ ଆରମ୍ଭ ହେବ ବିଶ୍ୱପ୍ରସିଦ୍ଧ କଟକ ଐତିହାସିକ ବାଲିଯାତ୍ରା । ବଦଳିଯିବ ଖାଲି ପଡିଥିବା ବାଲିଯାତ୍ରା ପଡ଼ିଆର ରୂପରେଖ । ହଜାର ହଜାର ଦୋକାନ ବଜାର, ଲକ୍ଷ ଲକ୍ଷ ଲୋକଙ୍କ ଭିଡ଼ ଭିତରେ ଝଲସି ଉଠିବ ବାଲିଯାତ୍ରା ପଡିଆ । ଏହାରି ମଧ୍ୟରେ ବାଲିଯାତ୍ରାରେ ମୁଖ୍ୟ ଆକର୍ଷଣ ସାଜିବ ତଳ ପଡ଼ିଆ ଠାରେ ଥିବା କଟକ-ଇନ୍-କଟକ । ଏଠାରେ ଚଳିତବର୍ଷ ଜିଲ୍ଲା ପ୍ରଶାସନ ଦ୍ବାରା ପ୍ରଦର୍ଶିତ କରାଯିବ ଓଡ଼ିଆ ଚଳଚ୍ଚିତ୍ର । ପୂର୍ବରୁ ଗାଁ' ପରିବେଶ ଓ ଓଡ଼ିଆ ଘରର ପରମ୍ପରାକୁ ସ୍ଥାନିତ କରାଯାଇଥିବାବେଳେ ଚଳିତବର୍ଷ କିନ୍ତୁ ଓଡ଼ିଆ ଚଳଚ୍ଚିତ୍ରକୁ ନେଇ ତିଆରି ହୋଇଛି ଥିମ୍ । ଏହା ମାଧ୍ୟମରେ ପୁରୁଣାଠାରୁ ଆରମ୍ଭ କରି ବର୍ତ୍ତମାନର ଚଳଚ୍ଚିତ୍ର ଦେଖିପାରିବେ ଦର୍ଶକ । ପୁରୁଣା ଚଳଚ୍ଚିତ୍ରକୁ ଦର୍ଶକଙ୍କ ମନରେ ଉଜ୍ଜୀବିତ କରିବା ସହ ନୂଆ ପୀଢ଼ିର ଦର୍ଶକଙ୍କୁ ପୁରୁଣା ଚଳଚ୍ଚିତ୍ର ବିଷୟରେ ଜଣାଇବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏଭଳି ଏକ ପ୍ରୟାସ କରାଯାଇଛି ।
ପଦକ୍ଷେପକୁ ସିନେ ଅଭିନେତାଙ୍କ ସ୍ବାଗତ:
ବରିଷ୍ଠ କଳାକାର ପ୍ରଦ୍ୟୁମ୍ନ ଲେଙ୍କା କହିଛନ୍ତି, "ବାଲିଯାତ୍ରା ଆମ ଓଡ଼ିଶାର ସଂସ୍କୃତି ଓ ପରମ୍ପରାର କଥା । ଏହାସହ ମନୋରଞ୍ଜନର ପୃଷ୍ଠଭୂମି । ବାଲିଯାତ୍ରାରେ ଚଳଚ୍ଚିତ୍ର ପ୍ରଦର୍ଶନ ହେବା ଏକ ସ୍ବାଗତଯୋଗ୍ୟ ପଦକ୍ଷପ । ମୋ ମତରେ, ଯେଉଁ ପୁରୁଣା ଚଳଚ୍ଚିତ୍ର ଗୁଡ଼ିକୁ ଦର୍ଶକ ଦେଖିନାହାନ୍ତି, ନୂଆ ପୀଢ଼ି ଯେଉଁ ଚଳଚ୍ଚିତ୍ର ଦେଖିବାର ସୁଯୋଗ ପାଇ ନାହାନ୍ତି, ଯଦି ସେହି ଚଳଚ୍ଚିତ୍ର ଗୁଡ଼ିକ ପ୍ରଦର୍ଶିତ ହେବ ତେବେ ସେମାନେ ବହୁତ ଖୁସି ହେବ । ମୁଁ ଯେତେବେଳେ ଛୋଟ ଥିଲି ସେତେବେଳେ ମୃଣାଳ ସେନଙ୍କ ନିର୍ଦ୍ଦେଶିତ, ପ୍ରଶାନ୍ତ ନନ୍ଦ, ଶରତ ପୂଜାରୀ, ଭାନୁମତୀ ଦେବୀ, ମାଷ୍ଟର ମାଣିଆଙ୍କ ଅଭିନିତ 'ମାଟିର ମଣିଷ' ଭଳି ଖାଣ୍ଟି ଓଡ଼ିଆ ଚଳଚ୍ଚିତ୍ର ଦେଖିବାର ସୁଯୋଗ ପାଇଥିଲି । ବାଲିଯାତ୍ରାରେ ହିଁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ଦେଖିବାର ସୁଯୋଗ ପାଇଥିଲି । ଯେଉଁ ପ୍ରଶାସନିକ ବ୍ୟବସ୍ଥା ଏପରି କାର୍ଯ୍ୟକ୍ରମ କରିବା ପାଇଁ ଚିନ୍ତା କରୁଛନ୍ତି ଏହା ଏକ ସ୍ବାଗତଯୋଗ୍ୟ ପଦକ୍ଷପ । ଯେଉଁମାନେ ଓଡ଼ିଆ ଚଳଚ୍ଚିତ୍ରଠାରୁ ଦୂରେଇ ଯାଇଛନ୍ତି ସେମାନେ ବାଲିଯାତ୍ରାରେ ଚଳଚ୍ଚିତ୍ର ଦେଖନ୍ତୁ।"