ଓଡିଶା

odisha

ETV Bharat / state

ପୁରୁଷ ବନ୍ଧ୍ୟାକରଣରେ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ଲୋକ ଅଧିକ ସଚେତନ: ସ୍ବାସ୍ଥ୍ୟମନ୍ତ୍ରୀ - MALE STERILITY

ପୁରୁଷ ବନ୍ଧ୍ୟାକରଣ ପକ୍ଷ-୨୦୨୪ । ସ୍ବାକ୍ଷରତା ହାର ଅଧିକ ଥିବା ଜିଲ୍ଲା କମ୍‌ ରହିଛି ପୁରୁଷ ବନ୍ଧ୍ୟାକରଣ । ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ଲୋକ ଅଧିକ ସଚେତନ ।

Male Sterility
Male Sterility (ETV Bharat Odisha)

By ETV Bharat Odisha Team

Published : Nov 27, 2024, 5:24 PM IST

ଭୁବନେଶ୍ବର: ପୁରୁଷତ୍ୱ ନଷ୍ଟ ହେବା ଭୟରେ ବନ୍ଧ୍ୟାକରଣ କରିବାକୁ ଡରୁଛନ୍ତି ପୁରୁଷ । 'ପୁରୁଷ ବନ୍ଧ୍ୟାକରଣ ପକ୍ଷ-୨୦୨୪' କାର୍ଯ୍ୟକ୍ରମରେ ଏଭଳି ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ । 'ପତି ପତ୍ନୀ ମିଶି କରନ୍ତୁ ଆରମ୍ଭ, ପରିବାର ନିୟୋଜନ ଚର୍ଚ୍ଚାର ଶୁଭାରମ୍ଭ' ଏଭଳି ଥିମ ସହ ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ପୁରୁଷ ବନ୍ଧ୍ୟାକରଣ ପକ୍ଷ ୨୦୨୪ ପାଳନ କରାଯାଇଛି । ଯେଉଁଠି ରାଜ୍ୟରେ ପୁରୁଷ ବନ୍ଧ୍ୟାକରଣ ସଂଖ୍ୟା କର୍ଣ୍ଣାଟକ ଭଳି ରାଜ୍ୟ ସହ ସମାନ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରିଛି ସ୍ୱାସ୍ଥ୍ୟ ବିଭାଗ ।

ଅଧିକ ଶିକ୍ଷିତ ଜିଲ୍ଲାରେ କମ୍‌ ବନ୍ଧ୍ୟାକରଣ:

ଓଡ଼ିଶାରେ ସ୍ବାକ୍ଷରତା ହାର ଅଧିକ ଥିବା ଜିଲ୍ଲା ଅପେକ୍ଷା ସ୍ବାକ୍ଷରତା ହାର କମ ଥିବା ଜିଲ୍ଲାରେ ପୁରୁଷ ବନ୍ଧ୍ୟାକରଣ ଅଧିକ ରହିଛି । ରାଜ୍ୟରେ ପୁରୁଷ ବନ୍ଧ୍ୟାକରଣ କ୍ଷେତ୍ରରେ ଶିକ୍ଷିତ ଅଞ୍ଚଳ ଅପେକ୍ଷା ଆଦିବାସୀ ଅଞ୍ଚଳର ସଂଖ୍ୟା ସର୍ବାଧିକ ରହିଛି । ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ତଥ୍ୟ ଅନୁସାରେ । ୨୦୨୩-୨୪ରେ ରାଜ୍ୟର କୋରାପୁଟ ଜିଲ୍ଲାରେ ସର୍ବାଧିକ ୩୦୭ ପୁରୁଷ ନିଜର ବନ୍ଧ୍ୟାକରଣ କରାଇଛନ୍ତି । ସେହିପରି କ୍ରମାନ୍ୱୟରେ ସୁନ୍ଦରଗଡ଼ ଜିଲ୍ଲାରେ ୨୮୨ ଏବଂ ରାୟଗଡ଼ାରେ ୨୬୪ ପୁରୁଷଙ୍କ ବନ୍ଧ୍ୟାକରଣ ହୋଇଛି । ଅନ୍ୟପଟେ ଦେଓଗଡ ଜିଲ୍ଲାରେ ବନ୍ଧ୍ୟାକରଣ ସଂଖ୍ୟା ରହିଛି ଶୂନ୍ୟ । କେବଳ ସେତିକି ନୁହେଁ, ରାଜ୍ୟର ଅନୁଗୋଳ, ବଲାଙ୍ଗୀର, ଢେଙ୍କାନାଳ, ନୟାଗଡ଼, ନୂଆପଡ଼ା, ସମ୍ବଲପୁର, ସୋନପୁର ଭଳି ୭ ଜିଲ୍ଲାରେ ଏକ ଅଙ୍କରେ ସୀମିତ ରହିଛି ପୁରୁଷ ବନ୍ଧ୍ୟାକରଣ ସଂଖ୍ୟା । ସେହିପରି ପୁରୀ, ଖୋର୍ଦ୍ଧା,କେନ୍ଦ୍ରାପଡ଼ା, କଳାହାଣ୍ଡି, ଝାରସୁଗୁଡାରେ ମଧ୍ୟ ବିଶେଷ ଭଲ ସ୍ଥିତି ନାହିଁ ।

Male Sterility (ETV Bharat Odisha)
ଗଠନ ହେବ କମିଟି: ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ କହିଛନ୍ତି, "ପୁରୁଷ ବନ୍ଧ୍ୟାକରଣକୁ ନେଇ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ଯେପରିକି କୋରାପୁଟ, ରାୟଗଡ଼ା, କନ୍ଧମାଳ ଓ ମାଲକାନଗିରିରେ ସଚେତନତା ଅଧିକ ରହିଛି । ଏହି ଜିଲ୍ଲା ଗୁଡ଼ିକ ଆଗରେ ରହିଛି । କିନ୍ତୁ ସାକ୍ଷରତା ହାର ଅଧିକ ଥିବା ଜିଲ୍ଲା ଯେପରିକି ଖୋର୍ଦ୍ଧା, ପୁରୀ ଭଳି ଜିଲ୍ଲା ଗୁଡିକରେ ଲୋକ ଅଧିକ ଇଚ୍ଛା ପ୍ରକାଶ କରୁନାହାନ୍ତି । ଏଥିପାଇଁ କାର୍ଯ୍ୟକ୍ରମ ବ୍ୟାପକ କରାଯିବ । ପୁରୁଷ ବନ୍ଧ୍ୟାକରଣ ପାଇଁ ଗଠନ ହେବ କମିଟି । ଯାହା ସ୍ୱାସ୍ଥ୍ୟ ସଚିବଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏଥିରେ ବିଶେଷ ଭାବରେ ପ୍ରୋତ୍ସାହନ ରାଶି ଦିଆଯିବା ସହ ପୁରସ୍କାର ମଧ୍ୟ କରାଯିବ । ଯାହା ଫଳରେ ଅଧିକରୁ ଅଧିକ ମାତ୍ରାରେ ପୁରୁଷ ବନ୍ଧ୍ୟାକରଣ ପାଇଁ ଇଚ୍ଛା ପ୍ରକାଶ କରିପାରିବେ଼ । ପୌରଷ୍ୟ ନଷ୍ଟ ହେବା ଉପରେ ପୁରୁଷ ବନ୍ଧ୍ୟାକରଣ କରୁନାହାନ୍ତି ବୋଲି ଅନେକଙ୍କ ଅନ୍ଧବିଶ୍ୱାସ ରହିଛି । ଯାହା ଫଳରେ ଅନେକ ଲୋକମାନେ ବନ୍ଧ୍ୟାକରଣ କରୁନାହାନ୍ତି ।"
ଅଧିକରୁ ଅଧିକ ବନ୍ଧ୍ୟାକରଣ କରିବାକୁ ଲକ୍ଷ୍ୟ:

ପରିବାରର କଲ୍ୟାଣ ବିଭାଗର ଅତିରିକ୍ତ ନିର୍ଦ୍ଦେଶକମୂରଲୀଧର ପାଢ଼ୀ କହିଛନ୍ତି, " ୨୦୨୦-୨୧ରେ ୯୦୦ ଜଣଙ୍କର ପୁରୁଷ ବନ୍ଧ୍ୟାକରଣ କରାଯାଇଥିଲା । ୨୦୨୩-୨୪ ବର୍ଷରେ ୨ ହଜାର ବନ୍ଧ୍ୟାକରଣ ଲକ୍ଷ୍ୟ ରଖିଥିଲେ ସରକାର ହେଲେ ୮୮ ପ୍ରତିଶତ ସଫଳତା ମିଳିଛି । ୨୦୨୩-୨୪ରେ ୧୮୩୮ ଜଣଙ୍କର ବନ୍ଧ୍ୟାକରଣ କରାଯାଇଛି । ୨୦୨୪-୨୫ରେ ୨୧୦୦ ଲକ୍ଷ୍ୟ ରଖାଯାଇଛି । ଏପର୍ଯ୍ୟନ୍ତ ୧୦୩୮ ଜଣଙ୍କର ବନ୍ଧ୍ୟାକରଣ ସରିଛି । ଗତ ବର୍ଷର ତଥ୍ୟ ଅନୁସାରେ, କୋରାପୁଟ, ସୁନ୍ଦରଗଡ଼ ଓ ରାୟଗଡ଼ା ଯଥାକ୍ରମେ ପ୍ରଥମ, ଦ୍ବିତୀୟ ଓ ତୃତୀୟ ସ୍ଥାନରେ ରହିଥିଲେ । ଚଳିତ ବର୍ଷ ବାଲେଶ୍ବର ଆଗରେ ରହିଛି । ବର୍ତ୍ତମାନ ସୁଦ୍ଧା ବାଲେଶ୍ବରରେ ୨୫୨ ଜଣଙ୍କର ବନ୍ଧ୍ୟାକରଣ କରାଯାଇଛି । କୋରାପୁଟ ଦ୍ବିତୀୟ ଓ ରାୟଗଡ଼ା ତୃତୀୟରେ ରହିଛି । ଢେଙ୍କାନାଳ, ଅନୁଗୋଳ, ଭଦ୍ରକେରେ ସଂଖ୍ୟା କମ୍‌ ରହିଛି ।"

କେଉଁ ଜିଲ୍ଲାରେ ଅଧିକ ବନ୍ଧ୍ୟାକରଣ କରୁଛନ୍ତି:

ପରିବାର କଲ୍ୟାଣ ବିଭାଗ ତଥ୍ୟ ଅନୁସାରେ, ବାଲେଶ୍ଵର ଜିଲ୍ଲାରେ ୨୦୨୩-୨୪ ମସିହାରେ ୧୬୯ ଜଣଙ୍କର ପୁରୁଷ ବନ୍ଧ୍ୟାକରଣ କରାଯାଇଥିବା ବେଳେ ଚଳିତ ବର୍ଷ ଏପ୍ରିଲ ମାସରୁ ସେପ୍ଟେମ୍ବର ମାସ ମଧ୍ୟରେ ଏହା ୨୩୫ରେ ପହଁଚିଛି ।

ଜିଲ୍ଲା ୨୦୨୩-୨୪ ୨୦୨୪-୨୫ ( ଏପ୍ରିଲରୁ ସେପ୍ଟେମ୍ବର ମାସ ମଧ୍ୟରେ)
କୋରାପୁଟ ୩୦୭ ଜଣ ୧୦୧ ଜଣ
ରାୟଗଡ଼ା ୨୬୪ ଜଣ ୧୨୨ ଜଣ
ସୁନ୍ଦରଗଡ଼ ୨୮୨ ଜଣ ୮୩ ଜଣ

କୋରାପୁଟରେ ୨୦୨୩-୨୪ ମସିହାରେ ୩୦୭ ଜଣଙ୍କର ପୁରୁଷ ବନ୍ଧ୍ୟାକରଣ କରାଯାଇଥିବା ବେଳେ ଚଳିତ ବର୍ଷ ଏପ୍ରିଲ ମାସ ଠାରୁ ସେପ୍ଟେମ୍ବର ମାସ ପର୍ଯ୍ୟନ୍ତ ଏହା ୧୦୧ରେ ପହଁଚିଛି । ରାୟଗଡ଼ା ଜିଲ୍ଲାରେ ୨୦୨୩-୨୪ ମସିହାରେ ୨୬୪ ରହିଥିବା ବେଳେ ଚଳିତ ବର୍ଷ ଏହା ୧୨୨ରେ ପହଁଚିଛି । ସୁନ୍ଦରଗଡ ଜିଲ୍ଲାରେ ୨୦୨୩-୨୪ ମସିହାରେ ୨୮୨ ରହିଥିବା ବେଳେ ଚଳିତ ବର୍ଷ ଏହା ୮୩ରେ ପହଁଚିଛି ।

ଶିକ୍ଷିତ ଜିଲ୍ଲାରେ କମୁଛି ବନ୍ଧ୍ୟାକରଣ ସଂଖ୍ୟା :

ରାଜ୍ୟରେ ଥିବା ଶିକ୍ଷିତ ଜିଲ୍ଲା ଗୁଡିକରେ ପୁରୁଷ ବନ୍ଧ୍ୟାକରଣର ସଂଖ୍ୟା କାମୁଛି । ପରିବାର କଲ୍ୟାଣ ନିର୍ଦ୍ଦେଶାଳୟର ଅତିରିକ୍ତ ନିର୍ଦ୍ଦେଶକ ଦେଇଥିବା ତଥ୍ୟ ଅନୁଯାୟୀ, ପୁରୁଷ ବନ୍ଧ୍ୟାକରଣରେ ବଲାଙ୍ଗୀର ଜିଲ୍ଲା ୨୦୨୩-୨୪ ମସିହାରେ ୩ ଜଣଙ୍କ ବନ୍ଧ୍ୟାକରଣ କରାଯାଇଥିବା ବେଳେ ଚଳିତ ବର୍ଷ ଏପ୍ରିଲ ମାସ ଠାରୁ ସେପ୍ଟେମ୍ବର ମାସ ଭିତରେ କୌଣସି ରେକର୍ଡ କରାଯାଇନାହିଁ । ଭଦ୍ରକ ଜିଲ୍ଲାରେ ୨୦୨୩-୨୪ ମସିହାରେ ୧୦ ଜଣଙ୍କ ବନ୍ଧ୍ୟାକରଣ କରାଯାଇଥିବା ବେଳେ ଚଳିତ ବର୍ଷ ଏହା ୫କୁ ଖସି ଆସିଛି । ବୌଦ୍ଧ ଜିଲ୍ଲାରେ ୨୦୨୩-୨୪ ମସିହାରେ ସଂଖ୍ୟା ୨୫ ରହିଥିବା ବେଳେ ଚଳିତ ବର୍ଷ ଏହା ୮କୁ ଖସି ଆସିଛି । ଦେଓଗଡ଼ ଜିଲ୍ଲାରେ ୨୦୨୩-୨୪ ମସିହାରେ ସଂଖ୍ୟା ୦ ନମ୍ବର ରହିଥିବା ବେଳେ ଚଳିତ ବର୍ଷ ଏପ୍ରିଲ ମାସ ଠାରୁ ସେପ୍ଟେମ୍ବର ମାସ ପର୍ଯ୍ୟନ୍ତ ଜଣେ ବନ୍ଧ୍ୟାକରଣ କରିଛନ୍ତି । ଢେଙ୍କାନାଳ ଜିଲ୍ଲାରେ ୨୦୨୩-୨୪ ମସିହାରେ ସଂଖ୍ୟା ୩ ରହିଥିବା ବେଳେ ଚଳିତ ବର୍ଷ ଏପ୍ରିଲ ମାସ ଠାରୁ ସେପ୍ଟେମ୍ବର ମାସ ପର୍ଯ୍ୟନ୍ତ ଏହା ୨କୁ ଖସି ଆସିଛି । ଖୋର୍ଦ୍ଧା ଜିଲ୍ଲାରେ ୨୦୨୩-୨୪ ମସିହାରେ ସଂଖ୍ୟା ୭୫ ରହିଥିବା ବେଳେ ଚଳିତ ବର୍ଷ ଏପ୍ରିଲ ମାସ ଠାରୁ ସେପ୍ଟେମ୍ବର ମାସ ପର୍ଯ୍ୟନ୍ତ ଏହା ୨୭ରେ ରହିଛି ।

ଏହା ମଧ୍ୟ ପଢ଼ନ୍ତୁ...ହୃଦୟ ପାଇଁ ହିତକର କ୍ଷୀର, ପ୍ରତିଦିନ ପିଇଲେ ମିଳେ ଏମିତି ଫାଇଦା

ଏହା ମଧ୍ୟ ପଢ଼ନ୍ତୁ...ମୃତ୍ୟୁ ପରେ ବି ବଞ୍ଚାଇ ପାରିବେ ଜୀବନ, ଡାକ୍ତରଙ୍କଠୁ ଜାଣନ୍ତୁ ଅଙ୍ଗଦାନର ସମ୍ପୂର୍ଣ୍ଣ ପ୍ରକ୍ରିୟା

ନୟାଗଡ ଜିଲ୍ଲାରେ ୨୦୨୩-୨୪ ମସିହାରେ ୭ ଜଣ ବନ୍ଧ୍ୟାକରଣ କରିଥିବା ବେଳେ ଚଳିତ ବର୍ଷ ଏପ୍ରିଲ ମାସ ଠାରୁ ସେପ୍ଟେମ୍ବର ମାସ ପର୍ଯ୍ୟନ୍ତ ଏହା ୬ରେ ପହଞ୍ଚିଛି । ନୂଆପଡ଼ା ଜିଲ୍ଲାରେ ୨୦୨୩-୨୪ ମସିହାରେ ସଂଖ୍ୟା ୭ ରହିଥିବା ବେଳେ ଚଳିତ ବର୍ଷ ଏ ପର୍ଯ୍ୟନ୍ତ ଏହା ୧୭ ପହଞ୍ଚିଛି । ପୁରୀ ଜିଲ୍ଲାରେ ୨୦୨୩-୨୪ ମସିହାରେ ସଂଖ୍ୟା ୨୧ ନମ୍ବର ରହିଥିବା ବେଳେ ଚଳିତ ବର୍ଷ ୩୬ରେ ପହଁଚିଛି । ସମ୍ବଲପୁର ଜିଲ୍ଲାରେ ୨୦୨୩-୨୪ ମସିହାରେ ସଂଖ୍ୟା ୬ ରହିଥିବା ବେଳେ ଚଳିତ ବର୍ଷ ଏପ୍ରିଲ ମାସ ଠାରୁ ସେପ୍ଟେମ୍ବର ମାସ ପର୍ଯ୍ୟନ୍ତ ଏହା ୧୦ରେ ପହଁଚିଛି । ସୋନପୁର ଜିଲ୍ଲାରେ ୨୦୨୩-୨୪ ମସିହାରେ ୮ ଜଣଙ୍କର ବନ୍ଧ୍ୟାକରଣ କରାଯାଇଥିବା ବେଳେ ଚଳିତ ବର୍ଷ ଏପ୍ରିଲ ମାସ ଠାରୁ ସେପ୍ଟେମ୍ବର ମାସ ପର୍ଯ୍ୟନ୍ତ ଏହା ୨ରେ ରହିଛି । ନବରଙ୍ଗପୁର ଜିଲ୍ଲାରେ ୨୦୨୩-୨୪ ମସିହାରେ ସଂଖ୍ୟା ୩୧ ରହିଥିବା ବେଳେ ଚଳିତ ବର୍ଷ ଏ ପର୍ଯ୍ୟନ୍ତ ଏହା ୭ରେ ରହିଛି ।

ପୁରୁଷ ବନ୍ଧ୍ୟାକରଣ କମ ହେବାର ମୁଖ୍ୟ କାରଣ:
ପୁରୁଷ ବନ୍ଧ୍ୟାକରଣ ହେଉଛି ୧ ଅନ୍ଧବିଶ୍ୱାସ । ୨ ସଚେତନତା ଅଭାବ ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details