ଓଡିଶା

odisha

ETV Bharat / state

ବଙ୍ଗୋପସାଗରରେ ଲଘୁଚାପ; ଓଡ଼ିଶାର ୬ ଜିଲ୍ଲାରେ ହାଲୁକା ବର୍ଷା ସମ୍ଭାବନା, କମିବ ତାପମାତ୍ରା

ବଙ୍ଗୋପସାଗରରେ ଲଘୁଚାପ ପ୍ରଭାବରେ ଦକ୍ଷିଣ ଭାରତରେ ବର୍ଷା । ଓଡ଼ିଶାରେ ତାପମାତ୍ରା ହ୍ରାସ ସହ କିଛି ଜିଲ୍ଲାରେ ହାଲୁକାରୁ ମଧ୍ୟମ ବର୍ଷା ।

ODISHA WEATHER LATEST UPDATE
ODISHA WEATHER LATEST UPDATE (ETV Bharat Odisha)

By ETV Bharat Odisha Team

Published : Nov 12, 2024, 5:18 PM IST

ଭୁବନେଶ୍ବର:ବଙ୍ଗୋପସାଗରରେ ସକ୍ରିୟ ରହିଛି ଲଘୁଚାପ । ଏହାର ପ୍ରଭାବରେ ଦକ୍ଷିଣ ଭାରତରେ ବର୍ଷା ଲାଗି ରହିଛି । ତେବେ ଲଘୁଚାପର ପ୍ରଭାବ ଓଡିଶାରେ ବିଶେଷ ଭାବେ ପଡ଼ିନପାରେ । ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ଏହି ପୂର୍ବାନୁମାନ କରାଯାଇଛି ।

ODISHA WEATHER LATEST UPDATE (ETV Bharat Odisha)



ବାଦଲ ସହ ଆକାଶ ମେଘାଛନ୍ନ:

ବଙ୍ଗୋପସାଗରରେ ଲଘୁଚାପ ସଂପର୍କରେ ସୂଚନା ଦେଇଛନ୍ତି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଭାଗ ନିର୍ଦ୍ଦେଶିକା ମନୋରମା ମହାନ୍ତି । ସେ କହିଛନ୍ତି ଯେ, ଦକ୍ଷିଣ ଦିଗରୁ ଯେଉଁ ପବନ ପ୍ରବାହିତ ହେଉଛି । ତାହା ଫଳରେ ରାଜ୍ୟରେ ଆଦ୍ରତାର ମାତ୍ରା ଅଧିକ ରହୁଛି । ପ୍ରଭାବରେ ରାଜ୍ୟରେ କିଛି ସ୍ଥାନରେ ବାଦଲ ସୃଷ୍ଟି ହେବା ସହ ଆକାଶ ମେଘାଛନ୍ନ ରହିବ।

କିଛି ଜିଲ୍ଲାରେ ହାଲୁକା ବର୍ଷା:

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଆସନ୍ତା ୨୪ ଘଣ୍ଟା ମଧ୍ୟରେ ପୁରୀ, ଗଂଜାମ, ଗଜପତି, ରାୟଗଡ଼ା, କୋରାପୁଟ ଓ ମାଲକାନଗିରିର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ହାଲକା ବର୍ଷା ହେବାର ସମ୍ଭାବନା ରହିଛି । ସେହିପରି ଆସନ୍ତାକାଲି କୋରାପୁଟ ଓ ମାଲକାନଗିରିରେ ଗୋଟିଏ ଦୁଇଟି ସ୍ଥାନରେ ବର୍ଷା ହେବା ସହ ଅବଶିଷ୍ଟ ଜିଲ୍ଲାରେ ଶୁଖିଲା ପାଗ ରହିବା ସହ ଆଗାମୀ ୭ ଦିନ ଯାଏଁ ପାଗ ମୁଖ୍ୟତଃ ଶୁଖିଲା ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।

ଏହା ମଧ୍ୟ ପଢ଼ନ୍ତୁ...୧୫ରୁ ବଢ଼ିବ ଶୀତ, ତାପମାତ୍ରା ୨ରୁ ୪ ଡିଗ୍ରୀ ହ୍ରାସ ପାଇବା ସମ୍ଭାବନା


କମିବ ତାପମାତ୍ରା:
ସେପଟେ ଆଗାମୀ ୩ ଦିନ ଯାଏଁ ସର୍ବାଧିକ ଓ ସର୍ବନିମ୍ନ ତାପମାତ୍ରାରେ ସେଭଳି କିଛି ବଡ ପରିବର୍ତ୍ତନ ହେବାକୁ ନଥିବା ବେଳେ ୩ ଦିନ ପରେ ୨ ରୁ ୫ ଡିଗ୍ରୀ ଯାଏଁ କମିବାର ସମ୍ଭାବନା ଦେଇଛି ପାଣିପାଗ । ତାପମାତ୍ରା ହ୍ରାସ ସହ ରାଜ୍ୟରେ ପଡ଼ିବ ଶୀତ । ପ୍ରଥମେ ଆଭ୍ୟନ୍ତରୀଣ ଓଡ଼ିଶାରେ ଶୀତ ହେବା ସହ ପରେ ଅନ୍ୟ ଅଂଚଳରେ ଅନୁଭବ ହେବ ବୋଲି କହିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ବର୍ତ୍ତମାନ ରାତିର ତାପମାତ୍ରା ସ୍ବାଭାବିକଠାରୁ ୧ରୁ ୨ ଡିଗ୍ରୀ ପର୍ଯ୍ୟନ୍ତ ଅଧିକ ରହିଛି । ଦିନର ତାପମାତ୍ରା ସ୍ବାଭାବିକକୁ ଫେରୁଛି । ଆଦ୍ରତାର ମାତ୍ରା କମିଲେ ତାପମାତ୍ରା ହ୍ରାସ ହେବ ।

ଏହା ମଧ୍ୟ ପଢ଼ନ୍ତୁ...ଶୀତଋତୁରେ ଶୀତ ଉଭାନ, କେବେଠୁ ପଡ଼ିବ ଥଣ୍ଡା ?

ଏହା ମଧ୍ୟ ପଢ଼ନ୍ତୁ..୭ ଜିଲ୍ଲାରେ ବର୍ଷା ସମ୍ଭାବନା, ଏହି ଦିନଠାରୁ ଅନୁଭୂତ ହେବ ପ୍ରବଳ ଶୀତ

ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା:

ପାରଳାଖେମୁଣ୍ଡିରେ ସର୍ବାଧିକ ତାପମାତ୍ରା ୩୪.୮ ଡିଗ୍ରୀ ରେକର୍ଡ ହୋଇଥିବା ବେଳେ ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ୧୬ ଡିଗ୍ରୀ ରେକର୍ଡ ହୋଇଛି । ଭୁବନେଶ୍ବରରେ ଦିନର ତାପମାତ୍ରା ୩୧.୦୪ ଡିଗ୍ରୀ ରେକର୍ଡ ହୋଇଥିବା ବେଳେ, ରାତି ତାପମାତ୍ରା ୨୨.୮ ଡିଗ୍ରୀ ରେକର୍ଡ ହୋଇଛି । ସେହିଭଳି କଟକରେ ଦିନର ତାପମାତ୍ରା ୨୯.୮ ଡିଗ୍ରୀ ରେକର୍ଡ ହୋଇଥିବା ବେଳେ ରାତିର ତାପମାତ୍ରା ୨୧ ଡିଗ୍ରୀ ରେକର୍ଡ ହୋଇଛି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details