ଓଡିଶା

odisha

ETV Bharat / state

୨୪ ଘଣ୍ଟା ପର୍ଯ୍ୟନ୍ତ ଶୀତ ଲହରୀ, ୬ରୁ କମିବ ଶୀତ - ODISHA WEATHER FORECAST

ଜନଜୀବନକୁ ଅସ୍ତବ୍ୟସ୍ତ କରୁଛି ଶୀତ ଲହରୀ ସହ ଘନ କୁହୁଡିର ଆସ୍ତରଣ, ୬ରୁ ପାଗରେ ପରିବର୍ତ୍ତନ

Odisha weather forecast
Odisha weather forecast (ETV Bharat Odisha)

By ETV Bharat Odisha Team

Published : Jan 4, 2025, 9:20 PM IST

ଭୁବନେଶ୍ୱର:ରାଜ୍ୟରେ ଆହୁରି ୨୪ ଘଣ୍ଟା ପର୍ଯ୍ୟନ୍ତ ଶୀତ ଲହରୀ । ଥରିବ ଉପକୂଳ ଓଡିଶା ସମେତ ଆଭ୍ୟନ୍ତରୀଣ ଓଡ଼ିଶା । ୬ ତାରିଖରୁ ପୁଣି ଉପରମୁହାଁ ହେବ ପାରଦ । ସ୍ବାଭାବିକ ଠାରୁ ୨ ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ପାଇବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

ରାଜ୍ୟରେ ଶୀତ ଲହରୀ ଜାରି

ବର୍ତ୍ତମାନ ସାରା ରାଜ୍ୟରେ ଶୁଖିଲା ପାଗ ରହିଥିବା ବେଳେ ଉତ୍ତର ପୂର୍ବ ଭାରତରୁ ରାଜ୍ୟକୁ ଥଣ୍ଡା ଶୁଷ୍କ ବାୟୁ ପ୍ରବାହର ପ୍ରଭାବ ରହିଛି । ଫଳରେ ରାଜ୍ୟରେ ଶୀତ ଲହରୀ ଜାରି ରହିଛି । ଆସନ୍ତାକାଲି ପର୍ଯ୍ୟନ୍ତ ଏଭଳି ପାଗ ଜାରି ରହିବ । ଆସନ୍ତାକାଲି ପର୍ଯ୍ୟନ୍ତ ସୁନ୍ଦରଗଡ, ଝାରସୁଗୁଡା, କନ୍ଧମାଳ, କଳାହାଣ୍ଡି, କୋରାପୁଟ, ଅନୁଗୋଳ, ଢେଙ୍କାନାଳ, ସୋନପୁର, ବୌଦ୍ଧ, ବଲାଙ୍ଗୀର ସମେତ ଟୁଇନସିଟି କଟକ ଏବଂ ଭୁବନେଶ୍ବରରେ ଶୀତ ଅନୁଭୂତ ହେବ । ଏଥିସହ ଘନ କୁହୁଡିର ମଧ୍ୟ ସମ୍ଭାବନା ରହିଛି । ଏଥିପାଇଁ ୪ଟି ଜିଲ୍ଲା ସୁନ୍ଦରଗଡ, ଅନୁଗୋଳ, କନ୍ଧମାଳ ଏବଂ କୋରାପୁଟକୁ ୟେଲୋ ଆଲର୍ଟ ଜାରି କରାଯାଇଛି ।

Odisha weather forecast (ETV Bharat Odisha)

୬ରୁ ବଢିବ ତାପମାତ୍ରା

ଏହି ସବୁ ଜିଲ୍ଲାରେ ଦୃଶ୍ୟମାନ ଦୂରତା ୫୦ ମିଟର ତଳକୁ ଖସିଆସିବ । ସେହିଭଳି ଢେଙ୍କାନାଳ, ଖୋର୍ଦ୍ଧା, କଟକ, ଗଞ୍ଜାମ, ଗଜପତି, କେନ୍ଦୁଝର ଏବଂ କଳାହାଣ୍ଡିରେ ହାଲୁକାରୁ ମଧ୍ୟମ ଧରଣର କୁହୁଡି ନେଇ ସତର୍କତା ଜାରି କରାଯାଇଛି । ୬ ତାରିଖରୁ ପୁଣି ତାପମାତ୍ରା ବଢିବା ସହ ଶୀତ କମିବ । ପଶ୍ଚିମା ଝଡର ପ୍ରଭାବରେ ରାଜ୍ୟକୁ ଜଳୀୟବାଷ୍ପ ପୂର୍ଣ୍ଣ ବାୟୁ ପ୍ରବାହ ବଢିବ । ଫଳରେ ତାପମାତ୍ରା ବୃଦ୍ଧି ହେବା ସହ ରାଜ୍ୟରେ ଶୀତ କମିବ ।

ଜି.ଉଦୟଗିରି ରାଜ୍ୟର ସବୁଠାରୁ ଥଣ୍ଡା ସହର

Odisha weather forecast (ETV Bharat Odisha)

ବିଶେଷ କରି ଉପକୂଳ ଓଡ଼ିଶାର ପୁରୀ, ଖୋର୍ଦ୍ଧା, କଟକ, ଜଗତସିଂହପୁର, କେନ୍ଦ୍ରାପଡା, ଯାଜପୁର, ଭଦ୍ରକ ସମେତ ଆଭ୍ୟନ୍ତରୀଣ ଓଡ଼ିଶାରେ ବି ତାପମାତ୍ରା ବଢିବ । ଗତ ୨୪ ଘଣ୍ଟାରେ ରାଜ୍ୟର ୮ଟି ସହରରେ ଶୀତ ଲହରୀ ଅନୁଭୁତ ହୋଇଛି । ପାହାଡିଆ ଅଞ୍ଚଳ ଭାବରେ ୪.୬ ଡିଗ୍ରୀ ସହ ଜି.ଉଦୟଗିରି ରାଜ୍ୟର ସବୁଠାରୁ ଥଣ୍ଡା ସହର ଭାବରେ ରେକର୍ଡ କରିଥିବା ବେଳେ ସମତଳ ଅଞ୍ଚଳ ଭାବରେ ଫୁଲବାଣୀରେ ୭.୫ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି ।

ଏହାମଧ୍ୟ ପଢନ୍ତୁ...

ଓଡ଼ିଶାକୁ ମିଳିବ ୩ ନୂଆ ଡପଲର ରାଡାର

ରାଉରକେଲାରେ ୮.୭, କୋରାପୁଟରେ ୮.୮, ଝାରସୁଗୁଡା ଏବଂ ଅନୁଗୁଳରେ ୯ଡିଗ୍ରୀ ଲେଖାଏଁ ତାପମାତ୍ରା ରେକର୍ଡ ହୋଇଛି । ଦାରିଙ୍ଗବାଡିରେ ୯.୫ଡିଗ୍ରୀ, ଭବାନୀପାଟଣାରେ ୯.୯ ଡିଗ୍ରୀ, ଭୁବନେଶ୍ବରରେ ୧୨.୭ ଏବଂ କଟକରେ ୧୨.୫ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଜାରି କରାଯାଇଛି ।

ଇଟିଭି ଭାରତ, ଭୁବନେଶ୍ୱର

ABOUT THE AUTHOR

...view details