ଜଗତସିଂହପୁର:ଭିଜିଲାନ୍ସ ଜାଲରେ ଜଗତସିଂହପୁର ଜିଲ୍ଲା ପରିବହନ ବିଭାଗର ବରିଷ୍ଠ ଅଧିକାରୀ । ବିପୁଳ ପରିମାଣର ଟଙ୍କା ନେଇ ଯାଉଥିବାବେଳେ ଟ୍ରାଫିକ ଇନସ୍ପେକ୍ଟର ପ୍ରଶାନ୍ତ କୁମାର ମହାପାତ୍ରଙ୍କୁ ଧରିଲା ଭିଜିଲାନ୍ସ । ସେ ଆଜି ସନ୍ଧ୍ୟାରେ ଜଗତସିଂହପୁର ଜିଲ୍ଲା ପରିବହନ କାର୍ଯ୍ୟାଳୟରୁ ବାହାରି ନିଜ କାର ଯୋଗେ କଟକ ଫେରୁଥିଲେ । ଏହି ସମୟରେ କନ୍ଦରପୁର ଥାନା ଅନ୍ତର୍ଗତ ବିରିବାଟି ତାରିଣୀ ମନ୍ଦିର ନିକଟରୁ ଭିଜିଲାନ୍ସ ବିଭାଗର ଅଧିକାରୀମାନେ ତାଙ୍କୁ ଅଟକାଇଥିଲେ । ଛାନଭିନ କରିବାରୁ ଗାଡି଼ ଭିତରୁ 4ଲକ୍ଷ 27 ହଜାର ଟଙ୍କା ଜବତ କରିଥିଲା ଭିଜିଲାନ୍ସ । ଏହି ଟଙ୍କା କାହାର ଓ କେଉଁଠାରୁ ଆସିଲା ପଚାରିବାରୁ କୌଣସି ସନ୍ତୋଷଜନକ ଉତ୍ତର ଦେଇପାରିନଥିଲେ ପ୍ରଶାନ୍ତ । ତେଣୁ ଭିଜିଲାନ୍ସ ଅଧିକାରୀମାନେ ତାଙ୍କୁ ଅଟକ ରଖି ପଚରାଉଚରା କରୁଛନ୍ତି ।
ମିଳିଥିବା ସୂଚନା ଅନୁଯାୟୀ, ଟ୍ରାଫିକ ଇନିସ୍ପେକ୍ଟର ପ୍ରଶାନ୍ତ କୁମାର ମହାପାତ୍ର ଜଗତସିଂହପୁର ଜିଲ୍ଲା ପରିବହନ କାର୍ଯ୍ୟାଳୟରେ କାର୍ଯ୍ୟରତ ଅଛନ୍ତି । 4 ଲକ୍ଷ 27 ହଜାର ଟଙ୍କା ନେଇ ନିଜ କାର ଯୋଗେ ସେ ଭୁବନେଶ୍ୱର ବାସଭବନ ଅଭିମୁଖେ ଯାଉଥିଲେ । ଏହି ସମୟରେ କଟକର ବିରିବାଟି ନିକଟରେ ଭିଜିଲାନ୍ସ ବିଭାଗର ଏକ ସ୍ବତନ୍ତ୍ର ଟିମ୍ ଚଢ଼ାଉ କରିଥିଲା। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ପୂର୍ବରୁ ଭିଜିଲାନ୍ସ ସ୍କାନରରେ ଥିଲେ ପ୍ରଶାନ୍ତ । ସେ ୪ ଲକ୍ଷରୁ ଅଧିକ ଟଙ୍କା ନେଇ ଯିବାର ଖବର ପାଇଥିଲା ଭିଜିଲାନ୍ସ । ଆଉ ତା'ପରେ ବିରିବାଟି ନିକଟରେ ତାଙ୍କ କାରକୁ ଅଟକାଇ ଗାଡି଼କୁ ତନଖି କରାଯାଇଥିଲା ।
ଏହା ମଧ୍ୟ ପଢନ୍ତୁ...ଭିଜିଲାନ୍ସ ପଞ୍ଝାରେ ଡାଟା ଏଣ୍ଟ୍ରି ଅପରେଟର, ନେଉଥିଲେ ୧୨ ହଜାର ଲାଞ୍ଚ