ଭୁବନେଶ୍ବର: ଆଜିଠୁ ଆରମ୍ଭ ହେଉଛି ଓଡିଶା ଦୁର୍ନୀତି ନିବାରଣ ସଚେତନତା ସପ୍ତାହ - ୨୦୨୪ । ଲୋକସେବା ଭବନରେ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମ ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ସରକାରୀ ଅଧିକାରୀ ଓ କର୍ମଚାରୀଙ୍କୁ ସାଧୁତାର ଶପଥ ପାଠ କରାଇବେ ।
ସାଧୁତାର ଶପଥ ପାଠ କରାଇବେ ମୁଖ୍ୟମନ୍ତ୍ରୀ:
ଚଳିତ ବର୍ଷ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ଅକ୍ଟୋବର ୨୮ ତାରିଖରୁ ଆରମ୍ଭ ହୋଇ ନଭେମ୍ବର ୩ ତାରିଖ ପର୍ଯ୍ୟନ୍ତ ଚାଲିବ । 'ସତ୍ୟନିଷ୍ଠ ସଂସ୍କୃତି ହିଁ ରାଷ୍ଟ୍ର ସମୃଦ୍ଧିର ଭିଭିଭୂମି ” ବା “Culture of Integrity for Nation's Prosperity” ପ୍ରସଙ୍ଗ ଆଧାରରେ ପାଳନ କରାଯିବ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବରେ କାର୍ଯ୍ୟକ୍ରମରେ ସାମିଲ ହେବେ। ରାଜ୍ୟ ସରକାରଙ୍କ ସମସ୍ତ ବିଭାଗୀୟ ମୁଖ୍ୟ, ସରକାରୀ ମୁଖ୍ୟ ଓ ମୁଖ୍ୟ କାର୍ଯ୍ୟାଳୟ, ସଂସ୍ଥାମାନଙ୍କରେ କାର୍ଯ୍ୟାରତ ସମସ୍ତ ଅଧିକାରୀଙ୍କୁ ସାଧୁତାର ଶପଥ ପାଠ କରାଇବେ ମୁଖ୍ୟମନ୍ତ୍ରୀ । କେନ୍ଦ୍ରୀୟ ସତର୍କତା ଆୟୋଗ (Central Vigilance Commission)ଙ୍କ ଦ୍ବାରା ଜାରି ସର୍କୁଲାର ଅନୁସାରେ ମୁଖ୍ୟମନ୍ତ୍ରୀ ପୂର୍ବାହ୍ନ ୧୧ରେ ଏହା କରାଇବେ ।
ଦୁର୍ନୀତି ନିବାରଣ ସଚେତନତା ସପ୍ତାହ -୨୦୨୪:
ସମଗ୍ର ଓଡିଶାର ଲକ୍ଷ ଲକ୍ଷ ସ୍ବୟଂ ସହାୟକ ଗୋଷ୍ଠୀ, ଆଶା କର୍ମୀ, ଅଙ୍ଗନବାଡି କର୍ମୀ, ସମସ୍ତ ଛାତ୍ରଛାତ୍ରୀ ଶପଥ ପାଠ କରିବେ । କାର୍ଯ୍ୟକ୍ରମକୁ ଭିସି ଜରିଆରେ ଜିଲ୍ଲା ଓ ବ୍ଲକ କାର୍ଯ୍ୟାଳୟ ପ୍ରତ୍ୟକ୍ଷ ଭାବେ ଅଂଶ ଗ୍ରହଣ କରି ଶପଥ ପାଠ କରିବେ । ଅନ୍ୟ କାର୍ଯ୍ୟାଳୟ ଏବଂ ଜନସାଧାରଣ ଉକ୍ତ ଶପଥ ପାଠର ସିଧା ପ୍ରସାରଣରେ ଅଂଶଗ୍ରହଣ କରି ଶପଥ ପାଠ କରିବେ । କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ସମ୍ମାନିତ ଅତିଥି ଭାବେ ଯୋଗ ଦେବେ । ସର୍ବୋତ୍ତମ ଦୁର୍ନୀତି ନିବାରଣ ଡିଭିଜନ, ୟୁନିଟ୍, ତଦନ୍ତକାରୀ ଅଧିକାରୀ, ମହିଳା ତଦନ୍ତକାରୀ ଅଧିକାରୀ ଏବଂ ପବ୍ଲିକ ପ୍ରସିକ୍ୟୁଟର ପୁରସ୍କୃତ ହେବେ । ରାଜ୍ୟ ଦୁର୍ନୀତି ନିବାରଣ ବିଭାଗ ସମ୍ପୂର୍ଣ୍ଣ ରାଜ୍ୟରେ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନକୁ ବ୍ୟବସ୍ଥିତ ଢଙ୍ଗରେ ପାଳନ କରିବା ପାଇଁ ପଦକ୍ଷେପ ଗ୍ରହଣ କରିଛି ।