ଓଡିଶା

odisha

ବନ୍ଧା ହେଲେ କୁବେର ରେଞ୍ଜ ଅଧିକାରୀ; ଆୟଠାରୁ ୨୧୪ ପ୍ରତିଶତ ଅଧିକ ସମ୍ପତ୍ତି ଠାବ, ଫାର୍ମହାଉସ ପାଲଟିଥିଲା ମିନି ଚିଡିଆଖାନା - Bibhudananda Mishra arrested

By ETV Bharat Odisha Team

Published : Aug 24, 2024, 8:49 AM IST

BIBHUDANANDA MISHRA ARRESTED: ଜେଲ ଗଲେ ଢେଙ୍କାନାଳର କୁବେର ରେଞ୍ଜ ଅଫିସର ବିଭୂଦାନନ୍ଦ ମିଶ୍ର । ରାଜ୍ୟ ଓ ରାଜ୍ୟ ବାହାରେ ପ୍ଲଟ ଓ ଫ୍ଲାଟକୁ ମିଶାଇ ମୋଟ 6 କୋଟି ଟଙ୍କାର ସମ୍ପତ୍ତି ଠାବ କଲା ଭିଜିଲାନ୍ସ । ଫାର୍ମହାଉସ ପାଲଟିଥିଲା ମିନି ଚିଡିଆଖାନା । ଅଧିକ ପଢନ୍ତୁ

BIBHUDANANDA MISHRA ARRESTED
BIBHUDANANDA MISHRA ARRESTED (ETV Bharat Odisha)

କଟକ: ଗିରଫ ହେଲେ ଢେଙ୍କାନାଳ ରେଞ୍ଜ ଅଫିସର ବିଭୂଦାନନ୍ଦ ମିଶ୍ର । ଆୟବହିର୍ଭୁତ ସମ୍ପତ୍ତି ଠୁଳ ମାମଲାରେ ଭିଜିଲାନ୍ସ ବିଭାଗ ଗତକାଲି (ଶୁକ୍ରବାର) ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ବିଭୂଦାନନ୍ଦଙ୍କ ନିକଟରୁ ମୋଟ 6 କୋଟି ଟଙ୍କାର ସମ୍ପତ୍ତି ଠାବ କରିଛି ଭିଜିଲାନ୍ସ । ସବୁଠାରୁ ବଡ଼ କଥା ହେଉଛି ସେ ନିଜ ଆୟଠାରୁ 214 ପ୍ରତିଶତ ଅଧିକ ସମ୍ପତ୍ତି ରଖିଥିଲେ ବୋଲି ଭିଜିଲାନ୍ସ ଏସପି ସୂଚନା ଦେଇଛନ୍ତି । ତାଙ୍କର ଭୁବନେଶ୍ୱରରେ ଦୁଇମହଲା ବିଶିଷ୍ଟ ଦୁଇଟି କୋଠା ଓ ଦୁଇଟି ପ୍ଲଟ, ହାଇଦ୍ରାବାଦରେ ଫ୍ଲାଟ, 1 କୋଟି 5 ଲକ୍ଷ ଟଙ୍କାର ଜମା, 557 ଗ୍ରାମର ସୁନା ଏବଂ 2ଟି ଚାରିଚକିଆ ଗାଡି ଜବତ କରିଛି ଭିଜିଲାନ୍ସ । ଏହା ବ୍ୟତୀତ ଆଠଗଡରେ ଏକ ବିଳାସପୂର୍ଣ୍ଣ ଫର୍ମହାଉସ ମଧ୍ୟ ଠାବ ହୋଇଛି । ପ୍ରାୟ 5 ଏକର ପରିମିତ ସ୍ଥାନରେ ତିଆରି ହୋଇ ଥିବା ଏହି ଫାର୍ମହାଉସଟି ଏକ ପାର୍କ ପରି ଭିତ୍ତିଭୂମି ରହିଛି ।

BIBHUDANANDA MISHRA ARRESTED (ETV Bharat Odisha)

ଫାର୍ମହାଉସ ଗୁମର:

ବିଭୂଦାନନ୍ଦ ମିଶ୍ର ନିଜର ଏହି ଫାର୍ମହାଉସରେ ହୋଇଥିବା ନିର୍ମାଣ କାର୍ଯ୍ୟରେ 2 କୋଟି 32 ଲକ୍ଷ ଟଙ୍କା ବ୍ୟୟ କରିଥିଲେ । ଏହି ଫାର୍ମହାଉସରେ 4ଟି ମୟୂର, ଠେକୁଆ, 5ଟି ପ୍ରଜାତିର ଶହ ଶହ କୁକୁଡ଼ା ଓ ପ୍ରାୟ 20ଟି ପ୍ରଜାତିର ଭିନ୍ନଭିନ୍ନ ପକ୍ଷୀଙ୍କୁ ରଖାଯାଇ ଏହାକୁ ଏକ କ୍ଷୁଦ୍ର ଚିଡ଼ିଆଖାନାର ରୂପ ଦେଇଥିଲେ ଭୂବନାନନ୍ଦ । ଏହି ଫାର୍ମହାଉସକୁ ମାପଚୁପ କରାଯିବା ପରେ ପଶୁ ସମ୍ପଦ ଅଧିକାରୀଙ୍କ ସହଯୋଗରେ ସେଠାରେ ରହୁଥିବା ପଶୁପକ୍ଷୀଙ୍କୁ ଉଦ୍ଧାର କରାଯିବା ସହ ଗଣନା କରାଯାଇ ଏକ ତାଲିକା ମଧ୍ୟ ପ୍ରସ୍ତୁତ କରାଯାଇଛି ।

ଫାର୍ମହାଉସକୁ ନେଇ କ'ଣ କହିଲା ଭିଜିଲାନ୍ସ?

ମୟୂରଗୁଡିକ ବନ୍ୟପ୍ରାଣୀ ହୋଇଥିବାରୁ ସେଗୁଡିକୁ ବନ ବିଭାଗକୁ ହସ୍ତାନ୍ତରିତ କରାଯାଇଛି । ଅବଶିଷ୍ଟ ପଶୁପକ୍ଷୀଙ୍କୁ ସେହି ଠାରେ ହିଁ ରଖାଯାଇଛି । ଏଣିକି କେବଳ ପଶୁପକ୍ଷୀଙ୍କ ଯତ୍ନ ବ୍ୟତୀତ କୋର୍ଟଙ୍କ ବିନା ନିର୍ଦ୍ଦେଶରେ ସେହି ଫାର୍ମହାଉସ ପରିସରରେ କୌଣସି ନିର୍ମାଣ କାର୍ଯ୍ୟ ହୋଇପାରିବ ନାହିଁ ବୋଲି ଭିଜିଲାନ୍ସ ଏସପି କହିଛନ୍ତି । ବଡ଼ କଥା ହେଉଛି କି ଯଦି ଏହି ଫାର୍ମହାଉସଟି ଆୟ ବହିର୍ଭୂତ ସମ୍ପତ୍ତି ବୋଲି ବିବେଚିତ ହୁଏ ତେବେ ପରବର୍ତ୍ତୀ ସମୟରେ କୋର୍ଟ ବ୍ୟାଜପ୍ତି ପାଇଁ ନିର୍ଦ୍ଦେଶ ମଧ୍ୟ ଦେଇପାରନ୍ତି । ଏହି ପରିସ୍ଥିତିରେ ଏହି ଫାର୍ମହାଉସଟିକୁ ସର୍ବସାଧାରଣଙ୍କ ବ୍ୟବହାର ପାଇଁ ଦେଇ ଦିଆଯାଇପାରେ ବୋଲି ଭିଜିଲାନ୍ସ ବିଭାଗ ପକ୍ଷରୁ କୁହାଯାଇଛି ।

ଏହା ମଧ୍ୟ ପଢନ୍ତୁ....ETV Bharat Impact: ବାଜିଲା ଖବର ଚେଇଁଲା ଭିଜିଲାନ୍ସ, ମୟୂର ରଖି ଫସିଲେ ରେଞ୍ଜର ସାହେବ - CASE REGISTER AGAINST BIBHUDANANDA
ଜଣେ ରେଞ୍ଜର କିପରି ମୟୂର ରଖିଲେ ?

ଭିଜିଲାନ୍ସ ଏହି ମାମଲାର ତଦନ୍ତ କରିବା ସମୟରେ ଯେଉଁ ତଥ୍ୟ ହାସଲ କରିଛି, ତାହା ସମସ୍ତଙ୍କୁ ଚକିତ କରିଛି । କାରଣ ନିଜର ଫାର୍ମହାଉସରେ ସେ ଯେଉଁ ପ୍ରକାରର ବିଳାସପୂର୍ଣ୍ଣ କୋଠରୀ ନିର୍ମାଣ କରିଥିଲେ ଆଉ ସେଥିପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ ବିନିଯୋଗ କରିଥିଲେ । କେବଳ ବିଲ୍ଡିଂ ନିର୍ମାଣ ପାଇଁ ୨ କୋଟି ୩୨ ଲକ୍ଷ ଟଙ୍କା ବିନିଯୋଗ କରିଥିଲେ । ବାକି ଅନ୍ୟାନ୍ୟ ସାମଗ୍ରୀକୁ ଯଦି ଆକଳନ କରାଯିବ, ତେବେ କୋଟି କୋଟି ଟଙ୍କା କେବଳ ଫାର୍ମହାଉସରେ ହିଁ ବିନିଯୋଗ କରାଯାଇଛି । ସେହିପରି ମୟୂର ରଖିବା ଘଟଣାରେ ବି ତାଙ୍କ ବିରୋଧରେ ରୁଜୁ କରାଯାଇଛି । ତେବେ ଜଣେ ରେଞ୍ଜର ଆଇନ୍ ଜାଣି କିପରି ମୟୂର ରଖିଲେ ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଏତେ ମୟୁର ସେ କେଉଁଠାରୁ ଆଣିଲେ ! ଏହି ମାମଲାରେ ଆଉ କିଏ ସାମିଲ ଅଛନ୍ତି ନାଁ ନାହିଁ, ତାହାର ତଦନ୍ତ ପରେ ସ୍ପଷ୍ଟ ହେବ ବୋଲି ଏସପି କହିଛନ୍ତି ।

ଇଟିଭି ଭାରତ, କଟକ

ABOUT THE AUTHOR

...view details