ଭୁବନେଶ୍ବର: ସମ୍ଭାବ୍ୟ ବାତ୍ୟା ସ୍ଥିତିକୁ ନେଇ ପ୍ରସ୍ତୁତି ଜୋରଦାର । ଓଡ୍ରାଫ, ଏନଡିଆରଏଫ, ଅଗ୍ନିଶମ ସହ ସମସ୍ତ ଜରୁରୀକାଳୀନ ବିଭାଗ ସହ ସମସ୍ତ ଜିଲ୍ଲାପାଳ ସତର୍କ ରହିବାକୁ ନିର୍ଦ୍ଦେଶ । ସମ୍ଭାବ୍ୟ ବାତ୍ୟା ଆଶଙ୍କା ଥିବାରୁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ଭିତରକୁ ନ ଯିବା ସହ ଯେଉଁ ମତ୍ସ୍ୟଜୀବୀମାନେ ସମୁଦ୍ର ଭିତରେ ରହିଛନ୍ତି ସେମାନେ ତୁରନ୍ତ ଫେରି ଆସିବାକୁ ପରାମର୍ଶ ଦିଆଯାଇଛି । ସେହିପରି ଗର୍ଭବତୀ ମହିଳାଙ୍କୁ ହସ୍ପିଟାଲକୁ ସ୍ଥାନାନ୍ତର କରିବା ପାଇଁ ନିର୍ଦ୍ଦେଶ ଦିଆଯିବା ସହ ଭୟଭୀତ ନହେବାକୁ ପରାମର୍ଶ ଦେଇଛନ୍ତି ଏସଆରସି ଦେଓରଞ୍ଜନ କୁମାର ସିଂହ ।
ଏମାନଙ୍କୁ ସତର୍କ ସୂଚନା ଜାରି:
ସମ୍ଭାବ୍ୟ ବାତ୍ୟା ପାଇଁ ପ୍ରସ୍ତୁତି ବୈଠକ ବସିଥିଲା । ବାତ୍ୟା ଆଶଙ୍କାକୁ ନେଇ ସ୍ବତନ୍ତ୍ର ରିଲିଫ କମିଶନର(ଏସଆରସି) ଦେଓରଞ୍ଜନ କୁମାର ସିଂହ ସୂଚନା ଦେଇ କହିଛନ୍ତି, "ରାଜ୍ୟରେ ସମ୍ଭାବ୍ୟ ବାତ୍ୟା ନେଇ ଏକ ଉଚ୍ଚସ୍ତରୀୟ ବୈଠକରେ ସମୀକ୍ଷା କରାଯାଇଛି । ଯାହା ଲାଗୁଛି ବାତ୍ୟା ହୋଇପାରେ । ଆସନ୍ତା ୨୩ ତାରିଖରୁ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ । ୨୪ ଓ ୨୫ ତାରିଖ ପର୍ଯ୍ୟନ୍ତ ବର୍ଷା ହେବ । ୨୪ ତାରିଖରେ ଯଦି ବାତ୍ୟା ଓଡ଼ିଶା ଛୁଏଁ ତେବେ ତାର ଗତି ଏବେଠୁ ଆକଳନ କରାଯାଇପାରିବ ନାହିଁ । ମତ୍ସ୍ୟଜୀବୀମାନେ ଆସନ୍ତା ୨୬ ତାରିଖ ପର୍ଯ୍ୟନ୍ତ ସମୁଦ୍ର ମଧ୍ୟକୁ ଯାଆନ୍ତୁ ନାହିଁ । ଯେଉଁମାନେ ସମୁଦ୍ରକୁ ଯାଇଛନ୍ତି ସେମାନେ ସମୁଦ୍ରରୁ ଯଥାଶୀଘ୍ର ଫେରି ଆସନ୍ତୁ । ଯେଉଁ ମହିଳାମାନେ ଗର୍ଭବତୀ ଅଛନ୍ତି ସେମାନଙ୍କର ଯେପରି କୌଣସି ସମସ୍ୟା ନହୁଏ ସେଥିପାଇଁ ସେମାନଙ୍କୁ ନିକଟସ୍ଥ ହସ୍ପିଟାଲକୁ ଆଣନ୍ତୁ।"
ବାତ୍ୟା ମୁକାବିଲା ପାଇଁ ସ୍ବତନ୍ତ୍ର ଟିମ୍ ପ୍ରସ୍ତୁତ:
ସେପଟେ ବାତ୍ୟାକୁ ନେଇ ଭୟଭୀତ ନହେବାକୁ ଏସଆରସି ପରାମର୍ଶ ଦେଇଛନ୍ତି । ଏସଆରସି ଦେଓରଞ୍ଜନ କୁମାର ସିଂହକହିଛନ୍ତି, "ଅଯଥା ସାଧାରଣ ଲୋକେ ଅଯଥା ଡ଼ରନ୍ତୁ ନାହିଁ । ପ୍ରଶାସନ ତଳସ୍ତରରୁ ଆରମ୍ଭ କରି ରାଜ୍ୟସ୍ତର ପର୍ଯ୍ୟନ୍ତ ସମସ୍ତେ ପ୍ରସ୍ତୁତ ଅଛନ୍ତି । ସବୁ ଜିଲ୍ଲାପାଳଙ୍କୁ ସତର୍କ କରାଯାଇଛି । ଜିଲ୍ଲାପାଳ ନିଜ ଜିଲ୍ଲାର ତଦାରଖ କରିବେ । ଆମେ ଭାରତ ସରକାରଙ୍କ ସହ ଯୋଗାଯୋଗରେ ଅଛୁ । ଆବଶ୍ୟକ ପଡିଲେ କେନ୍ଦ୍ର ସରକାରଙ୍କୁ ସହାୟତା ମାଗିବୁ । ଏବେ ଠାରୁ ODRAF ଆଉ NDRFକୁ ସଜାଗ କରାଯାଇଛି । ଅଧିକ ଆବଶ୍ୟକ ପଡ଼ିଲେ ଅନ୍ୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ଜଣାଇବୁ । ଏବେ ଆମ ପାଖରେ ଯଥେଷ୍ଟ ଟିମ୍ ଅଛି । ସବୁ ଟିମ ପ୍ରସ୍ତୁତ ଅଛନ୍ତି ।"