ଭୁବନେଶ୍ବର: ପଞ୍ଚମ ଦିନରେ ପହଞ୍ଚିଛି ସ୍ବତନ୍ତ୍ର ଶିକ୍ଷକ ମିଳିତ ମଞ୍ଚର ଧାରଣା । ଜୋତା ଓ ବିସ୍କୁଟ ବିକ୍ରି କରି ଅଭିନବ ଉପାୟରେ ସଂଘ ପକ୍ଷରୁ ଧାରଣା ଦିଆଯାଇଛି । ଭୁବନେଶ୍ବର ଗାନ୍ଧୀମାର୍ଗରେ ନିଯୁକ୍ତିକୁ ନେଇ ଅହୋରାତ୍ର ଧାରଣାରେ ବସିଛନ୍ତି ସ୍ବତନ୍ତ୍ର ଶିକ୍ଷକ ମିଳିତ ମଞ୍ଚ। ଆଜି ମଞ୍ଚ ପକ୍ଷରୁ ଧାରଣା ସ୍ଥଳରେ ମୋ ବେକାରୀ ହାଟ ନାଁରେ ବ୍ୟବସାୟ କରାଯାଉଥିବା ଦେଖିବାକୁ ମିଳିଥିଲା । ରାଜ୍ୟରେ ସାଧାରଣ ବିଦ୍ୟାଳୟରେ ଦିବ୍ୟାଙ୍ଗ ବିଦ୍ୟାର୍ଥୀମାନଙ୍କ ଶିକ୍ଷା ପାଇଁ ସ୍ବତନ୍ତ୍ର ଶିକ୍ଷକ ଆବଶ୍ୟକ। ସୁପ୍ରିମକୋର୍ଟ ନିର୍ଦ୍ଦେଶ ପରେ ମଧ୍ୟ ରାଜ୍ୟ ସରକାର ନିଯୁକ୍ତି ନେଇ କୌଣସି ଆନ୍ତରିକତା ଦେଖାଉ ନଥିବା କାରଣରୁ ସଂଘ ପକ୍ଷରୁ ଧାରଣା ଦିଆଯାଇଛି।
ଦିବ୍ୟାଙ୍ଗ ବିଦ୍ୟାର୍ଥୀ ମାନଙ୍କ ଶିକ୍ଷା ଓ ସ୍ୱାଭିମାନର ବିକାଶ ନିମନ୍ତେ ସର୍ବଦା ଚେଷ୍ଟା କରୁଥିବା ଶିକ୍ଷକ ଏଠି ନିଜେ ଅବହେଳିତ ହୋଇରହିଥିବା ଅଭିଯୋଗ କରାଯାଇଛି । ତେବେ ଫେବୃୟାରୀ ୯ ତାରିଖ ଠାରୁ ଭୁବନେଶ୍ୱରର ଲୋୟର ପିଏମଜି ଠାରେ ଆଶାୟୀ ସ୍ବତନ୍ତ୍ର ଶିକ୍ଷକ ମିଳିତ ମଞ୍ଚ ପକ୍ଷରୁ ଗଣଧାରଣା ଦିଆଯାଇଛି । ଓଏସଇଏଫଡ଼ି(OSEFD) ଏବଂ ଓଏସଏସଇଟିଏ (OSSETA) ସଂଘର ମିଳିତରେ ଗଠିତ ଆଶାୟୀ ସ୍ବତନ୍ତ୍ର ଶିକ୍ଷକ ମିଳିତ ମଞ୍ଚ । ତାଙ୍କ ଅଭିଯୋଗ ଅନୁଯାୟୀ, ତାଙ୍କ ସ୍ଥାୟୀ ନିଯୁକ୍ତିକୁ ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସହ ଆଲୋଚନା ସନ୍ତୋଷ ଜନକ ହୋଇ ନଥିବା କାରଣରୁ ଧାରଣା ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଚାଲିବ । ପାଠପଢ଼ି ନିଯୁକ୍ତି ନଥିବାରୁ ପ୍ରଶିକ୍ଷଣ ପ୍ରାପ୍ତ ଆଶାୟୀ ଆଜି ବେକାର ହୋଇ ବସିଛନ୍ତି । ଆଉ ଏହି ବେକାରିକୁ ନେଇ ଧାରଣାସ୍ଥଳରେ ଏକ ବେକାରୀ ହାଟ ଖୋଲି ବିଭିନ୍ନ ସାମଗ୍ରୀ ବିକ୍ରି କରୁଛନ୍ତି । ଖାଲି ସେତିକି ନୁହେଁ, ସରକାର ନିଯୁକ୍ତିର ପ୍ରତିଶୃତି ଦେଇ ଲଲିପପ ଧରାଇଥିବା କହି ଲଲିପପ ବିକ୍ରି କରୁଥିବା ଦେଖିବାକୁ ମିଳିଛି।