ଭୁବନେଶ୍ୱର: ପାରାଦ୍ୱୀପ ପୋର୍ଟ ଜରିଆରେ କାର୍ଗୋ ରପ୍ତାନୀ ଓ ଆମଦାନୀ ପାଇଁ ରାଜ୍ୟ ସରକାରଙ୍କ ପଦକ୍ଷେପ । ବିଶ୍ୱର ବୃହତ୍ତମ କଣ୍ଟେନର ସିପିଂ କମ୍ପାନୀ ଏମଏସସି ସହ ଚୁକ୍ତି ସ୍ୱାକ୍ଷର କରିଛନ୍ତି ରାଜ୍ୟ ସରକାର । ଚୁକ୍ତି ଅନୁସାରେ କମ୍ପାନୀ ଗୋଟିଏ ଭେସଲସରେ ୨୫୦ ଟିୟୁ ସାମଗ୍ରୀ ରପ୍ତାନୀ-ଆମଦାନୀ କରିପାରିବ । ଏମଏସଏମଓ ମନ୍ତ୍ରୀ ପ୍ରତାପ କେଶରୀ ଦେବ, ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ଓ ଅର୍ଥ ବିଭାଗର ପ୍ରମୁଖ ଶାସନ ସଚିବ ବିଶାଳ ଦେବଙ୍କ ଉପସ୍ଥିତିରେ ଏହି ଚୁକ୍ତି ହୋଇଛି ।
ଓଡ଼ିଶା ସରକାରଙ୍କ ପକ୍ଷରୁ ଏମଏସଏମଇ ସଚିବ ଶାଶ୍ୱତ ମିଶ୍ର ଏବଂ ମେଡିଟେରିଆନ ସିପିଂ କମ୍ପାନୀ ଏମଏସସିର ଅଧ୍ୟକ୍ଷ କ୍ୟାପଟେନ ଦୀପକ ତିୱାରୀଙ୍କ ମଧ୍ୟରେ ବୁଝାମଣାପତ୍ର ସ୍ବାକ୍ଷର ହୋଇଛି । ନାଲକୋ, ବେଦାନ୍ତ, ଜେଏସ୍ଡବ୍ଲୁ, କୋଇଲା, ଖଣିଜ ପଦାର୍ଥ, ଇଲେକ୍ଟ୍ରୋନିକ୍ସ ଉତ୍ପାଦ, ଧାତବ ପଦାର୍ଥ ସହ ଅନ୍ୟାନ୍ୟ କମ୍ପାନୀ, କୃଷି ଓ ଉଦ୍ୟାନ କୃଷିଭିତ୍ତିକ ଦ୍ରବ୍ୟ ଏବଂ ସାମୁଦ୍ରିକ ଖାଦ୍ୟ, ମସଲା ବିଦେଶକୁ ରପ୍ତାନୀ କରିବ । ସେହିପରି ବିଦେଶରୁ ମଧ୍ୟ ଆବଶ୍ୟକ ପଦାର୍ଥ ନିର୍ଦ୍ଦିଷ୍ଟ ଓଜନ ପରିମାଣରେ ଆମଦାନୀ କରାଯିବ ।
ଏନେଇ ଏମଏସଏମଇ ମନ୍ତ୍ରୀ ପ୍ରତାପ ଦେବ କହିଛନ୍ତି ଯେ, ୨୦୨୧-୨୨ ଆର୍ଥିକ ବର୍ଷରେ ରାଜ୍ୟରେ ଏମଏସଏମଇ କ୍ଷେତ୍ରରେ ୧୨୭,୦୦୦ କୋଟି ଟଙ୍କାର କାରବାର ହୋଇଥିଲା । ମେଡିଟେରିଆନ ସିପିଂ କମ୍ପାନୀ ଏମଏସସି ପ୍ରାଇଭେଟ ଲିମିଟେଡ ପାରାଦ୍ୱୀପ ପୋର୍ଟ ଜରିଆରେ ନିୟମିତ କଣ୍ଟେନର କାର୍ଗୋ ରପ୍ତାନୀ-ଆମଦାନୀ ଦ୍ୱାରା ସାମୁଦ୍ରିକ ବାଣିଜ୍ୟ କ୍ଷେତ୍ରରେ ଓଡ଼ିଶାର ଅର୍ଥନୀତିରେ ଅଭିବୃଦ୍ଧି ଘଟିବ । ସାମାଜିକ ଓ ଅର୍ଥନୈତିକ ବିକାଶରେ ଏହା ଯଥେଷ୍ଟ ସହାୟକ ହେବ । ଏହାଦ୍ୱାରା ସମସ୍ତ ଷ୍ଟକ ହୋଲ୍ଡର, ଏମଏସସି ଏବଂ ରାଜ୍ୟ ସରକାର ଉପକୃତ ହେବେ ।
ଅନ୍ୟପଟେ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା କହିଛନ୍ତି ଯେ, ପୂର୍ବରୁ ଭାଇଜାକ ଓ ହଳଦିଆ ମଧ୍ୟ ଦେଇ ଓଡ଼ିଶା ଦ୍ରବ୍ୟ ରପ୍ତାନୀ ହେଉଥିଲା । ବର୍ତ୍ତମାନ ଛତିଶଗଡ଼, ଝାଡଖଣ୍ଡ, ପଶ୍ଚିମବଙ୍ଗର କିଛି ଅଂଶ ଓ ବାଂଲାଦେଶ ପାରାଦ୍ୱୀପ ପୋର୍ଟ ଜରିଆରେ ଆମଦାନୀ-ରପ୍ତାନୀ ପାଇଁ ଆଗ୍ରହ ପ୍ରକାଶ ପାଉଛି ।
ଏହାମଧ୍ୟ ପଢନ୍ତୁ...ପଣ୍ୟ କାରବାରରେ ରେକର୍ଡ କଲା ପାରାଦ୍ୱୀପ ବନ୍ଦର