ବ୍ରହ୍ମପୁର: ବିଷାକ୍ତ ମଦ ପିଇ ୧୪ରୁ ଅଧିକ ଲୋକ ଅସୁସ୍ଥ । ଏଭଳି ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ଚିକିଟି ଏନ୍ଏସି ଅନ୍ତର୍ଗତ ଜେନାପୁର ଓ କରବାଲୁଆ ଗ୍ରାମରେ । ସମସ୍ତ ଅସୁସ୍ଥଙ୍କୁ ଚିକିତ୍ସା ନିମନ୍ତେ ବ୍ରହ୍ମପୁର ଏମ୍.କେ.ସି.ଜି ମେଡିକାଲରେ ଭର୍ତ୍ତି କରାଯାଇଛି । ଦୁଇ ଜଣଙ୍କ ଅବସ୍ଥା ଗୁରୁତର ରହିଥିବାରୁ ସେମାନଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଛି । ବିଷାକ୍ତ ମଦ୍ୟପାନ କରିବା ପରେ ଗତକାଲି (ସୋମବାର) ସନ୍ଧ୍ୟାରେ ସମସ୍ତ ଅସୁସ୍ଥ ହୋଇପଡ଼ିବା ସହ ସେମାନଙ୍କୁ ଝାଡ଼ାବାନ୍ତି ହୋଇଥିଲା । ଏହାସହ ମୁଣ୍ଡ ବୁଲାଇଥିଲା ଓ ପେଟରେ ପ୍ରବଳ ଯନ୍ତ୍ରଣା ହୋଇଥିଲା । ହସପିଟାଲରେ ଭର୍ତ୍ତି ସମସ୍ତଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଛି । ୨ ଜଣଙ୍କର ଅବସ୍ଥା ଗୁରୁତର ଥିବା ବେଳେ, ଅନ୍ୟମାନଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଥିବା ମେଡିକାଲ ପକ୍ଷରୁ ସୂଚନା ଦିଆଯାଇଛି ।
ମଦ ପାନ ପରେ ଝାଡାବାନ୍ତି:ଗତକାଲି ଜେନାପୁର ଓ କରବାଲୁଆ ଗ୍ରାମର କିଛି ବ୍ୟକ୍ତି ନିକଟବର୍ତ୍ତୀ ଗ୍ରାମକୁ ଯାଇ ଦେଶୀ ମଦ ପାନ କରିବା ପରେ ସନ୍ଧ୍ୟାରେ ଝାଡ଼ାବାନ୍ତି ସହ ମୁଣ୍ଡ ବୁଲାଇଥିଲା ଓ ପେଟରେ ପ୍ରବଳ ଯନ୍ତ୍ରଣା ଅନୁଭବ କରିଥିଲେ । ଏହାପରେ ସମସ୍ତଙ୍କୁ ସେମାନଙ୍କ ପରିବାର ଲୋକେ ପ୍ରଥମେ ଚିକିଟି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ପରବର୍ତ୍ତୀ ସମୟରେ ଅସୁସ୍ଥଙ୍କୁ ବ୍ରହ୍ମପୁର ଏମ୍.କେ.ସି.ଜି ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଦୁଇ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ଏମ୍.କେ.ସି.ଜି ର ଆଇସିୟୁରେ ଭର୍ତ୍ତି କରାଯାଇଥିଲା ।
ଚାଲିଛି ବେଆଇନ ମଦ କାରବାର: ଚିକିଟି ଅଞ୍ଚଳର ବେଆଇନ ମଦ କାରବାର କରାଯାଉଛି । କିଛି ଅସାଧୁ ମଦ ବ୍ୟବସାୟୀ ମଦ ପ୍ରସ୍ତୁତ କରି ଏହାକୁ ବେଆଇନ ଭାବରେ ବିକ୍ରୀ କରି ମାଲେମାଲ ହେଉଛନ୍ତି । ଜଙ୍ଗଲ ମଧ୍ୟରେ ମଦ ପ୍ରସ୍ତୁତ କରି ଚିକିଟି ଉପକଣ୍ଠ କରାଖାଳି ଓ ମାଉନ୍ଦପୁର ସମେତ ଆଖପାଖ ଗ୍ରାମରେ ବହୁଳ ଭାବେ ବିକ୍ରି କରି ଆସୁଛନ୍ତି । ସେହି ବିଷାକ୍ତ ମଦ ପିଇ ଲୋକ ମାନେ ଅସୁସ୍ଥ ହୋଇପଡିଥିବା ଜଣାପଡିଛି।