ଭୁବନେଶ୍ୱର:ଜାତୀୟ ସ୍ତରରେ କମାଲ କଲେ ମୟୂରଭଞ୍ଜ ଝିଅ । ଜାତୀୟ ପାଇପ ବ୍ୟାଣ୍ଡ୍ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କଲେ ମୟୂରଭଞ୍ଜ ଜିଲ୍ଲାର ଦ୍ରୌପଦୀ ବାଳିକା ଉଚ୍ଚ ବିଦ୍ୟାଳୟର ଛାତ୍ରୀ । ନୂଆଦିଲ୍ଲୀ ସ୍ଥିତ ମେଜର ଧ୍ୟାନଚାନ୍ଦ ଜାତୀୟ ଷ୍ଟାଡିୟମରେ ଆୟୋଜିତ ଜାତୀୟ ଆନ୍ତଃବିଦ୍ୟାଳୟ ବ୍ୟାଣ୍ଡ୍ ପ୍ରତିଯୋଗିତାରେ ମୟୂରଭଞ୍ଜ ଜିଲ୍ଲା ଦ୍ରୌପଦୀ ବାଳିକା ଉଚ୍ଚବିଦ୍ୟାଳୟ ପାଇପ ବ୍ୟାଣ୍ଡ (ବାଳିକା) ପ୍ରଥମ ସ୍ଥାନ ଅଧିକାର କରି ବିଜେତା ହୋଇଛନ୍ତି ।
ଜାତୀୟ ସ୍ତରରେ ଓଡିଶା ବ୍ୟାଣ୍ଡ୍ର କମାଲ ଜାତୀୟ ସ୍ତରରେ ଓଡ଼ିଶା ବାଳିକା ବ୍ୟାଣ୍ଡ୍ର କମାଲ । ଜାତୀୟ ଆନ୍ତଃବିଦ୍ୟାଳୟ ବ୍ୟାଣ୍ଡ୍ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କଲା ମୟୂରଭଞ୍ଜ ଜିଲ୍ଲାର ଦ୍ରୌପଦୀ ବାଳିକା ଉଚ୍ଚ ବିଦ୍ୟାଳୟ । ଏହା ଏକ ବିରଳ ସଫଳତା ଅଟେ । ଏନେଇ ବିଦ୍ୟାଳୟର ଛାତ୍ରୀମାନେ ରାଜ୍ୟ ସରକାରଙ୍କୁ ସହଯୋଗ ପାଇଁ କୃତଜ୍ଞତା ଜଣାଇଛନ୍ତି । ସୋମବାର ଦିନ ନୂଆଦିଲ୍ଲୀ ସ୍ଥିତ ମେଜର ଧ୍ୟାନଚାନ୍ଦ ଜାତୀୟ ଷ୍ଟାଡିୟମଠାରେ ଆୟୋଜିତ ଉଦଯାପନୀ ଉତ୍ସବରେ ପାଇପ୍ ବ୍ୟାଣ୍ଡ୍ (ବାଳିକା) ବିଭାଗରେ ଜାତୀୟ ସ୍ତରରେ ସର୍ବଶ୍ରେଷ୍ଠ ପ୍ରଦର୍ଶନ ପାଇଁ ଦ୍ରୌପଦୀ ବାଳିକା ଉଚ୍ଚବିଦ୍ୟାଳୟକୁ ବିଜୟ ଟ୍ରଫି, ମାନପତ୍ର ତଥା ଅର୍ଥରାଶି ପୁରସ୍କାର ରୂପେ ପ୍ରଦାନ କରାଯାଇଛି । ଉଦଯାପନୀ ଉତ୍ସବରେ ମୂଖ୍ୟ ଅତିଥି ଭାବେ କେନ୍ଦ୍ର ସରକାରଙ୍କ ବିଦ୍ୟାଳୟ ଶିକ୍ଷା ଓ ସାକ୍ଷରତା ବିଭାଗର ସଚିବ ସଞ୍ଜୟ କୁମାର ଯୋଗ ଦେଇ ଏହି ପୁରସ୍କାର ଓ ଅର୍ଥରାଶି ପ୍ରଦାନ କରିଥିଲେ ।
ଏହାମଧ୍ୟ ପଢନ୍ତୁ...ରାଜ୍ୟସ୍ତରୀୟ ଗଣତନ୍ତ୍ର ଦିବସ, ଜାଣନ୍ତୁ କିଏ କେଉଁଠି କରିବେ ପତାକା ଉତ୍ତୋଳନ ?
ଏନେଇ ସଚିବ ସଞ୍ଜୟ କୁମାର କହିଛନ୍ତି, ''ଏହି ପ୍ରତିଯୋଗିତାରେ ଅଂଶ ଗ୍ରହଣକାରୀ ଛାତ୍ରଛାତ୍ରୀ ଜାତୀୟ ସ୍ତରରେ ପୁରସ୍କୃତ ହେବାପରେ ସେମାନଙ୍କର ଆତ୍ମବିଶ୍ବାସ ବହୁଗୁଣିତ ହୋଇଛି । କଠିନ ପରିଶ୍ରମ ତଥା ନିଷ୍ଠାପର ସାଧନା ସବୁ ସ୍ତରରେ ସଫଳତାର ମୂଳମନ୍ତ୍ର ।'' ଏହି ସଫଳତା ପାଇଁ ବିଦ୍ୟାଳୟ ତଥା ଗଣଶିକ୍ଷା ବିଭାଗର କମିଶନର ତଥା ଶାସନ ସଚିବ ଅଶ୍ବଥି. ଏସ୍ ଏବଂ ଓସେପାର ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଅନୁପମ ଶାହା ବ୍ୟାଣ୍ଡ୍ ଦଳକୁ ଭୂୟସୀ ପ୍ରଶଂସା କରିଛନ୍ତି । ଏଥିସହ ଅଂଶଗ୍ରହଣକାରୀ ଛାତ୍ରଛାତ୍ରୀ, ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ତଥା ଅନ୍ୟମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଆଗାମୀ ଦିନରେ ଦ୍ରୌପଦୀ ବାଳିକା ଉଚ୍ଚ ବିଦ୍ୟାଳୟର ଏହି ବିରଳ ସଫଳତା ଅନ୍ୟମାନଙ୍କ ପାଇଁ ପ୍ରେରଣାଦାୟୀ ହେବ ବୋଲି ବିଭାଗୀୟ କର୍ତ୍ତୃପକ୍ଷ କହିଛନ୍ତି ।
ସୂଚନା ଅନୁଯାୟୀ, ଏହି ଜାତୀୟ ସ୍ତରୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବା ପୂର୍ବରୁ ରାଜ୍ୟରେ ଏକ ବ୍ୟାଣ୍ଡ୍ ପ୍ରତିଯୋଗିତା କରାଯାଇଥିଲା । ଯେଉଁଥିରେ ଭିନ୍ନ ଭିନ୍ନ ବାଳିକା ଗ୍ରୁପର ବ୍ୟାଣ୍ଡ୍ ବ୍ୟବହାର କରାଯାଇଥିଲା । ତେବେ ଏମାନଙ୍କୁ ବିଶେଷକରି ସଚିବ ନିଜେ ପରଖିଥିଲେ । ପରେ ଏହି ଗ୍ରୁପକୁ ଜାତୀୟ ସ୍ତରକୁ ମନୋନୀତ କରାଯାଇଥିଲା । ତେବେ ଦିଲ୍ଲୀଠାରେ ଆୟୋଜିତ କାର୍ଯ୍ୟକ୍ରମରେ 486 ଟିମରେ ପାଖାପାଖି 12 ହଜାର 857 ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ ।
ଇଟିଭି ଭାରତ, ଭୁବନେଶ୍ବର