ବ୍ରହ୍ମପୁର:କାର୍ଯ୍ୟ ଅନ୍ୱେଷଣରେ ଓମାନ ଯାଇ ଫସି ରହିଛନ୍ତି ସାତ ଓଡ଼ିଆ ଯୁବକ । ତାଙ୍କୁ ସେଠାରୁ ଉଦ୍ଧାର କରିବା ପାଇଁ ଏକ ଭିଡିଓ ବାର୍ତ୍ତା ମାଧ୍ୟମରେ ଗଞ୍ଜାମ ଜିଲ୍ଲାପାଳଙ୍କୁ ଅନୁରୋଧ କରିଛନ୍ତି । ସେମାନଙ୍କ ମଧ୍ୟରେ ଗଞ୍ଜାମର 5ଜଣ ଓଡିଆ ଯୁବକଙ୍କ ସମେତ ଜଗତସିଂହପୁର ଓ ଖୋର୍ଦ୍ଧାର 2 ଜଣ ଯୁବକ ଥିବା ଜଣାପଡ଼ିଛି । ସୂଚନା ମୁତାବକ ଏକ ଠିକାଦାରଙ୍କ ମିଥ୍ୟା ପ୍ରତିଶୃତି କାରଣରୁ ସେମାନେ ଓମାନ ଦେଶକୁ ଯାଇ ସେଠାରେ ଫସିରହିଥିବା ଭିଡିଓରେ କହିଛନ୍ତି ।
ପ୍ରାପ୍ତ ସୂଚନା ଅନୁସାରେ ଗଞ୍ଜାମ ଜିଲ୍ଲାର ବହୁ ଓଡ଼ିଆ ଦାଦନ ବିଦେଶକୁ ଖଟିବାକୁ ଯାଇଥାନ୍ତି । ତେବେ ବିଦେଶରେ ରୋଜଗାର ପାଇଁ ନିର୍ଯାତନା ପାଇବା ଯେମିତି ଜିଲ୍ଲାରେ ଏକ ସାଧାରଣ ଘଟଣା । ତେବେ ଭାଇରାଲ ହେଉଥିବା ଏକ ଭିଡିଓରେ ସେମାନଙ୍କ କହିବା ମୁତାବକ, ଓମାନରେ ଗତ 2 ମାସ ଧରି ସେମାନଙ୍କୁ ଦରମା ନଦେଇ କାର୍ଯ୍ୟ କରାଯାଉଥିବା ବେଳେ ଗତ ଦୁଇ ଦିନ ହେବ ତାଙ୍କୁ ଖାଇବା ପାଇଁ ଦିଆଯାଇନଥିବା ସେମାନେ ଅଭିଯୋଗ କରିଛନ୍ତି । ଏହି ଯୁବକମାନଙ୍କର ପାସପୋର୍ଟ ଓ ଭିସା ଛଡେଇ ନିଆଯାଇଥିବା ବେଳେ ମାଗିଲେ ମାରିଦେବାର ଭୟ ଦେଖାଉଥିବା ସେମାନେ ଅଭିଯୋଗ କରିଛନ୍ତି । ଯାହାକୁ ନେଇ ସେମାନେ ଏକ ଭିଡିଓ ବାର୍ତ୍ତା ମାଧ୍ୟମରେ ଗଞ୍ଜାମ ଜିଲ୍ଲାପାଳଙ୍କୁ ଅନୁରୋଧ କରି ଉଦ୍ଧାର ପାଇଁ ଅନୁରୋଧ କରିଛନ୍ତି । ଏପରିକି ଏହି ଯୁବକମାନଙ୍କୁ ସେଠାରେ ନଜର ବନ୍ଦୀ କରି ରଖାଯିବା ସହ ସେମାନଙ୍କୁ ୧୨/୧୩ ଘଣ୍ଟା କାର୍ଯ୍ୟ କରିବା ପାଇଁ କୁହାଯାଉଛି ।