ଭୁବନେଶ୍ବର: ବୈକୁଣ୍ଠଧାମ ଆଶ୍ରମ ପାଇଁ ବଢ଼ିଲା ଅଡ଼ୁଆ। ଆଶ୍ରମ ଉପରେ ବୁଲଡୋଜର ବୁଲିବା ନେଇ ଏକ ପ୍ରକାର ନିଶ୍ଚିତ ହୋଇଯାଇଛି । କେଉଁ ବି ସମୟରେ ଭଙ୍ଗାଯାଇପାରେ ବୈକୁଣ୍ଠଧାମ ଆଶ୍ରମ । ଆଶ୍ରମକୁ ପ୍ରଦାନ କରାଯାଇଥିବା ଅନ୍ତରୀଣ ସୁରକ୍ଷା ଆଦେଶକୁ ଉଠାଇ ଦେଇଛନ୍ତି ହାଇକୋର୍ଟ । ବିଡିଏ ଏବେ ଯେକୌଣସି ସମୟରେ ବିବାଦୀୟ ଆଶ୍ରମକୁ ଭାଙ୍ଗି ଦେଇପାରେ ।
ଭାଙ୍ଗିବ ବୈକୁଣ୍ଠଧାମ ଆଶ୍ରମ
ଭୁବନେଶ୍ବର ଘାଟିକିଆ ମୌଜା ଅନ୍ତର୍ଗତ ଖଣ୍ଡଗିରିବାରିସ୍ଥିତ ଥିବା ଆଶ୍ରମକୁ ନେଇ ରୁଜୁ ମାମଲାରେ ପୂର୍ବରୁ ପ୍ରଦାନ କରାଯାଇଥିବା ଅନ୍ତରୀଣ ସୁରକ୍ଷା ଆଦେଶକୁ ହାଇକୋର୍ଟ ଉଠାଇ ଦେଇଛନ୍ତି। ପୂର୍ବରୁ ୨୦୨୪, ଡିସେମ୍ବର ୨୦ରେ ମାମଲାର ଶୁଣାଣି ସମୟରେ ରାଜ୍ୟ ସରକାରଙ୍କ ତରଫରୁ ଦର୍ଶାଯାଇଥିଲା ଯେ ଏହି ଜମିକୁ ଟ୍ରଷ୍ଟ ନାଁରେ କରିବା ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସୁପାରିଶ କରିଥିବା ଦର୍ଶାଇ ଆବେଦନକାରୀ ଦାଖଲ କରିଥିବା ଚିଠି ଜାଲ ଥିଲା । ତେବେ ଏ ନେଇ ସତ୍ୟପାଠ ଦାଖଲ କରିବାକୁ ଗତ ଡିସେମ୍ବର ୨୦ରେ ରାଜ୍ୟ ସରକାରଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଏହା ପରେ ଜାନୁଆରି ୨ରେ ସରକାରଙ୍କ ତରଫରୁ ଏହି ମର୍ମରେ ସତ୍ୟପାଠ ଦାଖଲ କରାଯାଇଥିଲା। ଏପରି କୌଣସି ଚିଠି ଜାରି କରାଯାଇ ନଥିବା ସତ୍ୟପାଠରେ ଉଲ୍ଲେଖ କରାଯାଇଥିଲା। ଏହି ସତ୍ୟପାଠର କପି ଆବେଦନକାରୀ ଓ ବିଏମସିକୁ ପ୍ରଦାନ କରିବାକୁ ହାଇକୋର୍ଟ ଜାନୁଆରି ୩ରେ ନିର୍ଦ୍ଦେଶ ଦେଇଥିଲେ।
ଜଷ୍ଟିସ ବି.ପି.ରାଉତରାୟଙ୍କୁ ନେଇ ଗଠିତ ଖଣ୍ଡପୀଠରେ ବୈକୁଣ୍ଠଧାମ ସେବାଶ୍ରମ ଟ୍ରଷ୍ଟ ଆବେଦନର ଶୁଣାଣି ସମୟରେ ସତ୍ୟପାଠରେ ଉଲ୍ଲେଖ କରାଯାଇଥିବା ତଥ୍ୟ ସଂକ୍ରାନ୍ତରେ ସରକାରଙ୍କ ତରଫରୁ ଦୃଷ୍ଟି ଆକର୍ଷଣ କରାଯାଇଥିଲା। ଏହାପରେ ପୂର୍ବରୁ ପ୍ରଦାନ କରାଯାଇଥିବା ଅନ୍ତରୀଣ ଆଦେଶ ଉଠାଇବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏଥି ସହିତ ସରକାରଙ୍କ ସତ୍ୟପାଠ ଉପରେ ପ୍ରତିଜବାବ ଦାଖଲ ପାଇଁ ଆବେଦନକାରୀଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଫେବ୍ରୁଆରି ୩କୁ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଧାର୍ଯ୍ୟ କରାଯାଇଛି।
ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲା ବୈକୁଣ୍ଠନାଥ ଧାମ ଆଶ୍ରମ
ଉଚ୍ଛେଦ ପ୍ରକ୍ରିୟାକୁ ଚ୍ୟାଲେଞ୍ଜ କରି ଆବେଦନକାରୀ ଦାୟର କରିଥିବା ଆବେଦନର ନଭେମ୍ବର ୨୧ରେ ହାଇକୋର୍ଟ ଶୁଣାଣି କରି ଜବାବ ତଲବ କରିଥିଲେ। ଏଥି ସହିତ ଆବେଦନକାରୀ ଟ୍ରଷ୍ଟ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ ଉପରେ ହାଇକୋର୍ଟ ଅନ୍ତରୀଣ ରୋକ ଲଗାଇଥିଲେ। ଆବେଦନକାରୀ ଦର୍ଶାଇଥିଲେ ଯେ ଟ୍ରଷ୍ଟ ଯୋଗ ଶିକ୍ଷା ପାଇଁ କାର୍ଯ୍ୟ କରୁଥିବା ବେଳେ ଏହି ଜମିକୁ ଟ୍ରଷ୍ଟ ନାମରେ କରିବା ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଜିଏ ବିଭାଗକୁ ସୁପାରିସ କରାଯାଇଥିଲା। ହାଇକୋର୍ଟ ଏହି ଚିଠି ଆଧାରରେ ଆଶ୍ରମ ଭଙ୍ଗାଯିବା ଉପରେ ରୋକ୍ ଲଗାଇଥିଲେ ।
ଏହା ମଧ୍ୟ ପଢନ୍ତୁରାଗିଂ ମାମଲାରେ ହାଇକୋର୍ଟଙ୍କ ରାୟ, ଅନାଥାଶ୍ରମରେ ପାଠ ପଢ଼ାଇବେ ଆଇନ ଛାତ୍ର