ଭୁବନେଶ୍ବର:ଚଳିତମାସ (ନଭେମ୍ବର) 21 ତାରିଖରୁ ରାଜ୍ୟରେ ଆରମ୍ଭ ହେବ ଖରିପ ଧାନ କିଣା ପକ୍ରିୟା । ବରଗଡ଼ ଜିଲ୍ଲାରୁ ଏହି ପ୍ରକ୍ରିୟା ଆରମ୍ଭ ହେବ । ବର୍ଦ୍ଧିତ ‘ଏମଏସପି’ ଅନୁସାରେ ଚାଷୀଙ୍କଠାରୁ ଧାନ କୁଇଣ୍ଟାଲ ପିଛା ୩୧ଶହ ଟଙ୍କାରେ କିଣିବେ ରାଜ୍ୟ ସରକାର । ଧାନ କିଣାକୁ ନେଇ ଗତକାଲି (ସୋମବାର) ଲୋକସେବା ଭବନରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ମନ୍ତ୍ରୀସ୍ତରୀୟ ବୈଠକରେ ଏହି ନିଷ୍ପତ୍ତି ହୋଇଛି ।
- ସ୍ୱଚ୍ଛତା ଅବଲମ୍ବନ ଉପରେ ଗୁରୁତ୍ୱ
ଉପ-ମୁଖ୍ୟମନ୍ତ୍ରୀ ଧାନ ସଂଗ୍ରହ ପ୍ରକ୍ରିୟା ସ୍ୱଚ୍ଛ ଓ ସରଳ ହେବା ଉପରେ ଗୁରୁତ୍ୱ ଦେଇଛନ୍ତି । ସ୍ୱଚ୍ଛତାର ସହ ସମ୍ପୂର୍ଣ୍ଣ ପ୍ରକ୍ରିୟାକୁ ଦୁର୍ନୀତିମୁକ୍ତ କରିବା ପାଇଁ ତୃତୀୟ ପକ୍ଷ ଦ୍ୱାରା ଯାଞ୍ଚ କରାଯିବ । କୌଣସି ସୂଚନା ପାଇବା ପାଇଁ କିମ୍ବା ଅସୁବିଧାର ସମ୍ମୁଖୀନ ହେଲେ ଚାଷୀ ‘ଟୋଲ-ଫ୍ରି ନଂ-୧୯୬୭’କୁ ଫୋନ କରିପାରିବେ । ପୂର୍ବବର୍ଷ ଅପେକ୍ଷା ଚଳିତବର୍ଷ ଅଧିକ ୩୦ଟି ସିଟ ଥିବା କଲ ସେଣ୍ଟର ଖୋଲାଯାଇଛି । ଏହା ଖାଦ୍ୟ ଯୋଗାଣ ନିଗମ ଦ୍ୱାରା ପରିଚାଳିତ ହେବ । ଧାନ ମଣ୍ଡିରୁ ମିଲ ପର୍ଯ୍ୟନ୍ତ ଧାନ ଯିବା ପାଇଁ ଟେଣ୍ଡର ବିଜ୍ଞପ୍ତି ଜାରି ହୋଇଛି । ସୂଚନା, ଶିକ୍ଷା ଓ ସଂଚାର ଅଭିଯାନ ମାଧ୍ୟମରେ ଚାଷୀଙ୍କୁ ସଚେତନ କରାଯିବ । ପ୍ରତି ମଣ୍ଡି ଏବଂ ସୁଲଭ ମୂଲ୍ୟ ଦୋକାନରେ ଧାନ ସଂଗ୍ରହ ସମ୍ପର୍କିତ ନିର୍ଦ୍ଦେଶାବଳୀ ପ୍ରଦର୍ଶିତ ହେବ । ଆସନ୍ତା ଦୁଇ ତିନିଦିନ ମଧ୍ୟରେ ଚାଷୀଙ୍କ ଉପଯୋଗୀ ନିର୍ଦ୍ଦେଶାବଳୀ SMS ମାଧ୍ୟମରେ ପ୍ରେରଣ କରାଯିବ । ଧାନ ସଂଗ୍ରହ ପ୍ରକ୍ରିୟାକୁ ଦଲାଲମୁକ୍ତ କରିବା ପାଇଁ ଯାଞ୍ଚ ବ୍ୟବସ୍ଥାକୁ କଡ଼ାକଡ଼ି କରାଯିବ । ଦୋଷୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।
- ପୂରା ପ୍ରକ୍ରିୟାକୁ ସ୍ୱଚ୍ଛ କରିବାକୁ ପ୍ରୟାସ
- ପ୍ରକ୍ରିୟା ହେବ ସମ୍ପୂର୍ଣ୍ଣ ଦଲାଲମୁକ୍ତ
- ସମସ୍ୟା ହେଲେ ଟୋଲ-ଫ୍ରି ନମ୍ବରରେ ଅଭିଯୋଗ କରିବେ ଚାଷୀ
- ମଣ୍ଡିରେ ପ୍ରଦର୍ଶିତ ହେବ ସରକାରୀ ନିର୍ଦ୍ଦେଶାବଳୀ
- ସଚେତନତା ପାଇଁ ଚାଷୀଙ୍କୁ ପଠାଯିବ SMS
- ଅନିୟମିତତା ଅଭିଯୋଗର ତୁରନ୍ତ କାର୍ଯ୍ୟାନୁଷ୍ଠାନ
- କଟଣି ଛଟଣି ସମ୍ପୂର୍ଣ୍ଣ ବନ୍ଦ
- ମଣ୍ଡିରେ ଲାଗିବ CCTV
- ଏଥର ବର୍ଦ୍ଧିତ MSP ସହ କୁଇଣ୍ଟାଲ 31ଶହ ଟଙ୍କା
ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି, "ଧାନ କିଣାକୁ ନେଇ ମନ୍ତ୍ରୀସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଛି । ଆସନ୍ତା ନଭେମ୍ବର ତୃତୀୟ ସପ୍ତାହରୁ ଆରମ୍ଭ ହେବ ଧାନ କିଣା ପକ୍ରିୟା । ବରଗଡ଼ ଜିଲ୍ଲାରୁ ଆରମ୍ଭ ହେବ ଖରିଫ ଧାନ କିଣା ପ୍ରକ୍ରିୟା । ଚାଷୀଙ୍କ ଠାରୁ ରାଜ୍ୟ ସରକାର ଧାନ କୁଇଣ୍ଟାଲ ପିଛା ୩୧ ଶହ ଟଙ୍କାରେ କିଣିବେ । ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୨୩୦୦ ଟଙ୍କା ସହିତ ରାଜ୍ୟ ସରକାରଙ୍କ ତରଫରୁ ଇନପୁଟ ସହାୟତା ୮୦୦ ଟଙ୍କା ମିଶାଇ ଚଳିତବର୍ଷ ଧାନ କିଣା ଦର କ୍ୱିଣ୍ଟାଲ ପ୍ରତି ୩୧ ଶହ ଟଙ୍କା ଧାର୍ଯ୍ୟ କରାଯାଇଛି । ଧାନ କ୍ରୟ ପ୍ରକ୍ରିୟା ସୁବ୍ୟବସ୍ଥା ପାଇଁ ପକ୍ରିୟାକୁ ଶେଷ ହେବା ଯାଏ ମଣ୍ଡିରେ ରହିବେ ଅଧିକୃତ ଅଧିକାରୀ । ୪ରୁ ୫ ଟି ମଣ୍ଡିକୁ ନେଇ ଜଣେ ଲେଖାଏଁ ସୁପରଭଇଜର ରହିବେ । ମଣ୍ଡିରେ ରହିବ କ୍ୱାଲିଟି ଟେଷ୍ଟିଂ ମେସିନ । ଅଗାଡି ଏଫକ୍ୟୁ ଧାନକୁ ଯାଞ୍ଚ କରାଯିବ ।"