ଓଡିଶା

odisha

ETV Bharat / state

ନଭେମ୍ବର ୨୦ରୁ ବରଗଡରୁ ଆରମ୍ଭ ହେବ ଧାନ ସଂଗ୍ରହ - ODISHA GOVT PADDY PROCUREMENT

ଚଳିତମାସ ୨୦ ତାରିଖରୁ ଖରିଫ ଧାନ ସଂଗ୍ରହ । ଡିସେମ୍ବର ୮ରେ ବରଗଡ ସୋହେଲାରେ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ହେବ ଚାଷୀ ସମାବେଶ ।

ODISHA GOVT PADDY PROCUREMENT
ODISHA GOVT PADDY PROCUREMENT (ETV Bharat Odisha)

By ETV Bharat Odisha Team

Published : Nov 13, 2024, 10:54 PM IST

ଭୁବନେଶ୍ବର:ଧାନ ସଂଗ୍ରହ ପାଇଁ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ । ନଭେମ୍ବର ୨୦ରୁ ବରଗଡରୁ ଆରମ୍ଭ ହେବ ଧାନ ସଂଗ୍ରହ । ଡିସେମ୍ବର ୮ରେ ବରଗଡ ସୋହେଲାରେ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ହେବ ଚାଷୀ ସମାବେଶ । ଚାଷୀମାନେ ପାଇବେ ଅତିରିକ୍ତ ୮୦୦ ଟଙ୍କା । ୮ ତାରିଖରୁ ଚାଷୀ ସର୍ବନିମ୍ନ ସହାୟକ ମୂଲ୍ୟ ସହିତ ଅତିରିକ୍ତ ୮୦୦ ଟଙ୍କା ୪୮ ଘଣ୍ଟା ମଧ୍ୟରେ DBT ମାଧ୍ୟମରେ ପାଇବେ । ମୁଖ୍ୟମନ୍ତ୍ରୀ ଆଜି ଉଚ୍ଚପଦାଧିକାରୀ ଓ ଜିଲ୍ଲାପାଳଙ୍କ ସହିତ ଏନେଇ ବୈଠକ କରିଛନ୍ତି ।

ଖରିଫ ଧାନ ସଂଗ୍ରହ:

ODISHA GOVT PADDY PROCUREMENT (ETV Bharat Odisha)

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଲୋକସେବା ଭବନରେ ଆଗାମୀ ଧାନ ସଂଗ୍ରହ ବ୍ୟବସ୍ଥାକୁ ସୁବ୍ୟବସ୍ଥିତ କରିବା ପାଇଁ ବୈଠକ କରିଛନ୍ତି । ଭିସି ଜରିଆରେ ଜିଲ୍ଲାପାଳମାନଙ୍କ ସହିତ ମୁଖ୍ୟମନ୍ତ୍ରୀ ଆଲୋଚନା କରିଛନ୍ତି । ତ୍ରୁଟିଶୂନ୍ୟ ଧାନ ସଂଗ୍ରହ ପାଇଁ ସମସ୍ତ ବିଭାଗ ଓ ଜିଲ୍ଲାପାଳ ସମସ୍ତ ପ୍ରସ୍ତୁତି କରିଛନ୍ତି । ଆସନ୍ତା ୨୦ ତାରିଖରେ ବରଗଡ ଜିଲ୍ଲାରୁ ଧାନ ସଂଗ୍ରହ କାର୍ଯ୍ୟ ଆରମ୍ଭ ହେବ । ୨୨ ତାରିଖରେ ସମ୍ବଲପୁର ଏବଂ ପରେ ରାଜ୍ୟର ସବୁ ଜିଲ୍ଲାରେ ଏହି ଧାନ ସଂଗ୍ରହ ବ୍ୟବସ୍ଥା ଆରମ୍ଭ ହେବ । ନଭେମ୍ବର ୨୦ ତାରିଖରୁ ଡିସେମ୍ବର ୭ ତାରିଖ ମଧ୍ୟରେ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ କୁଇଣ୍ଟାଲ ପିଛା ୨୩୦୦ ଟଙ୍କା ପ୍ରଦାନ କରାଯିବ ।

ରାଜ୍ୟସ୍ତରୀୟ କୃଷକ ସମାବେଶ:

ODISHA GOVT PADDY PROCUREMENT (ETV Bharat Odisha)
ଡିସେମ୍ବର ମାସ ୮ ତାରିଖରେ ବରଗଡ ଜିଲ୍ଲା ସୋହେଲାରେ ଏକ ରାଜ୍ୟସ୍ତରୀୟ କୃଷକ ସମାବେଶ ଆୟୋଜନ ହେବ । ମୁଖ୍ୟମନ୍ତ୍ରୀ କୃଷକଙ୍କୁ ଧାନର କୁଇଣ୍ଟାଲ ପିଛା ଅତିରିକ୍ତ ୮୦୦ ଟଙ୍କା ପ୍ରଦାନ କରିବେ । ଡିସେମ୍ବର ୮ ତାରିଖରୁ ୨୩୦୦ ଟଙ୍କା ସହିତ ଅତିରିକ୍ତ ୮୦୦ ଟଙ୍କା ଚାଷୀଙ୍କ ବ୍ୟାଙ୍କ ଖାତାକୁ ୪୮ ଘଣ୍ଟା ମଧ୍ୟରେ DBT ଜରିଆରେ ଯିବ । କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ସୁବିଧା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଚାଷୀଙ୍କୁ ଧାନ ସଂଗ୍ରହ ବ୍ୟବସ୍ଥା ପାଇଁ ନିଆଯାଇଥିବା ସରକାରୀ ପଦକ୍ଷେପ ସମ୍ପର୍କରେ ବିଭିନ୍ନ ସୂଚନା, ଶିକ୍ଷା ଓ ସଂଚାର କାର୍ଯ୍ୟକ୍ରମ ମାଧ୍ୟମରେ ସଚେତନ କରାଯାଉଛି ।

୧୫ ତାରିଖରୁ ଆରମ୍ଭ ହେବ ଟୋକେନ ପ୍ରଦାନ:

ODISHA GOVT PADDY PROCUREMENT (ETV Bharat Odisha)
ମୁଖ୍ୟମନ୍ତ୍ରୀ ଏଥିପାଇଁ ଜିଲ୍ଲାପାଳମାନେ ନେଇଥିବା ପଦକ୍ଷେପ ସମ୍ପର୍କରେ ଅବଗତ ହୋଇଛନ୍ତି । ବ୍ୟବସ୍ଥାକୁ ଆହୁରି ସୁଦୃଢ କରିବାକୁ ପରାମର୍ଶ ଦେଇଛନ୍ତି । ବିଭିନ୍ନ ଧାନ ମଣ୍ଡିରେ ଗ୍ରେନ ଆନାଲାଇଜର, Quality Analyst, ମଣ୍ଡି ସୁପରଭାଇଜର ଆଦି ମୁତୟନ ସମ୍ପର୍କରେ ସୂଚନା ଦିଆଯାଇଛି । ଚାଷୀଙ୍କୁ ଟୋକେନ ପ୍ରଦାନ ୧୫ ତାରିଖରୁ ଆରମ୍ଭ ହେବ । ଜିଲ୍ଲାପାଳମାନେ ଚାହିଁଲେ ଟୋକେନର ସମୟ ସୀମାକୁ ୭ ଦିନ ପର୍ଯ୍ୟନ୍ତ ବୃଦ୍ଧି କରିପାରିବେ । ସୀମାନ୍ତ ଜିଲ୍ଲାରେ ଯେପରି ବାହାର ରାଜ୍ୟର ଧାନ ନ ପଶିବ, ସେଥିପ୍ରତି ଜିଲ୍ଲାପାଳମାନେ ପ୍ରତ୍ୟକ୍ଷ ଭାବେ ନଜର ରଖିବେ । ସୀମାବର୍ତ୍ତୀ ଅଞ୍ଚଳରେ କ୍ୟାମେରା ସଂଯୁକ୍ତ ଥିବା ଯାନ ମାଧ୍ୟମରେ ପାଟ୍ରୋଲିଂ ବ୍ୟବସ୍ଥାକୁ କଡାକଡି କରାଯିବ । ମଣ୍ଡିମାନଙ୍କରେ ସିସିଟିଭି ଲଗାଇବା ଓ କଟନି-ଛଟନିକୁ ରୋକିବା ପାଇଁ ପଦକ୍ଷେପ ନେବାକୁ ଜୋର ଦିଆଯାଇଛି ।

ଏହା ମଧ୍ୟ ପଢନ୍ତୁ...୨୧ରୁ ବରଗଡ଼ରୁ ଧାନ କିଣା, ବର୍ଦ୍ଧିତ MSP ସହ ବୋନସ ଦେବେ ମୋହନ ମାଝୀ ସରକାର

ଏହା ମଧ୍ୟ ପଢନ୍ତୁ...ଅଯୋଗ୍ୟ ରାସନକାର୍ଡ ହିତାଧିକାରୀଙ୍କୁ ତାଲିକାରୁ ବାଦ ଦିଅ: ମନ୍ତ୍ରୀ

ଏହା ମଧ୍ୟ ପଢନ୍ତୁ...ମୋହନ ସରକାରଙ୍କ ବଡ଼ ପଦକ୍ଷେପ: ଧାନ ସଂଗ୍ରହ ବେଳେ ଜିଲ୍ଲା ଜଗିବେ ମନ୍ତ୍ରୀ, ସିଲ୍ ହେବ ପଡୋଶୀ ରାଜ୍ୟ ସୀମା


ଏହି ବୈଠକରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର, ସମବାୟ, ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ, ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ନିକୁଞ୍ଜ ବିହାରୀ ଧଳ, କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ ପାଢୀ, ପ୍ରମୁଖ ଯୋଗ ଦେଇଛନ୍ତି । ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ପ୍ରମୁଖ ଶାସନ ସଚିବ ସଞ୍ଜୟ କୁମାର ସିଂହ ଏବଂ ସମବାୟ ବିଭାଗର କମିଶନର ତଥା ଶାସନ ସଚିବ ରାଜେଶ ପ୍ରଭାକର ପାଟିଲ ନିଜ ନିଜ ବିଭାଗ ପକ୍ଷରୁ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ସୂଚନା ଦେଇଛନ୍ତି । ଜିଲ୍ଲାପାଳମାନେ ମଧ୍ୟ ଜିଲ୍ଲା ସ୍ତରରେ ପ୍ରସ୍ତୁତି ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇଛନ୍ତି ।

ODISHA GOVT PADDY PROCUREMENT (ETV Bharat Odisha)

ଇଟିଭି ଭାରତ,ଭୁବନେଶ୍ବର

ABOUT THE AUTHOR

...view details