ଭୁବନେଶ୍ବର: ଏଣିକି ସ୍କୁଲ ପିଲାମାନଙ୍କୁ ମିଳିବ ମାଗଣା ପୋଷାକପତ୍ର । ରାଜ୍ୟ ସରକାରଙ୍କର ନିଷ୍ପତ୍ତି ଅନୁଯାୟୀ ଚଳିତ ଶିକ୍ଷାବର୍ଷ (୨୦୨୪-୨୦୨୫) ପାଇଁ ରାଜ୍ୟର ସମସ୍ତ ସରକାରୀ ଓ ସରକାରୀ ଅନୁଦାନ ପ୍ରାପ୍ତ ବିଦ୍ୟାଳୟଗୁଡିକରେ ପ୍ରଥମ ଶ୍ରେଣୀଠାରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ରହିଥିବା ସମସ୍ତ ଛାତ୍ରଛାତ୍ରୀଙ୍କୁ ଟି ସାର୍ଟ, ପ୍ୟାଣ୍ଟ, ଜୋତା, ଟୋପି ଏବଂ ପରିଚୟ ପତ୍ର ମାଗଣାରେ ଯୋଗାଇ ଦିଆଯିବ । ଏହାର ସୁବିଧା ମଧ୍ୟ ରାଜ୍ୟ ଅନୁସୂଚିତ ଜାତି ଓ ଜନଜାତି ବିଭାଗ ଅଧୀନରେ ଥିବା ସମସ୍ତ ବିଦ୍ୟାଳୟଗୁଡିକର ଛାତ୍ରଛାତ୍ରୀଙ୍କୁ ମଧ୍ୟ ମିଳିବ । ଏନେଇ ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣର ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ରାଜ୍ୟର ସମସ୍ତ ଜିଲ୍ଲା ଶିକ୍ଷାଧିକାରୀ ଓ ସମଗ୍ର ଶିକ୍ଷାର ସଂସ୍ଥା ଜିଲ୍ଲା ପ୍ରକଳ୍ପ ସଂଯୋଜକଙ୍କୁ ଚିଠି ମାଧ୍ୟମରେ ନିର୍ଦ୍ଦେଶ ଦେଇଛନ୍ତି ।
ଏହା ମଧ୍ୟ ପଢନ୍ତୁ....RTEରେ ବେସରକାରୀ ସ୍କୁଲରେ ନାମଲେଖା ପାଇଁ ଲଟେରୀ, ଚୟନ ହେଲେ ୧,୫୮୯ ଛାତ୍ରଛାତ୍ରୀ - Mass Education Department
ଏଥିପାଇଁ ଜଣେ ଛାତ୍ରଛାତ୍ରୀଙ୍କ ପିଛା ଖର୍ଚ୍ଚ ହେବ ମୋଟ ୫୦୦ ଟଙ୍କା । ଜଣେ ଛାତ୍ରଛାତ୍ରୀଙ୍କ ପିଛା ୨୦୦ଟଙ୍କାରେ ହଳେ ଜୋତା ଓ ଦୁଇ ହଳ ମୋଜା, ୧୨୫ ଟଙ୍କାରେ ଗୋଟିଏ ଟି-ସାର୍ଟ ଓ ୧୨୫ ଟଙ୍କାରେ ଗୋଟିଏ ଟ୍ରାକ ପ୍ୟାଣ୍ଟ, ୩୦ ଟଙ୍କାରେ ଗୋଟିଏ ଟୋପି ଓ ୨୦ ଟଙ୍କାରେ ଗୋଟିଏ ପରିଚୟ ପତ୍ର ବଣ୍ଟନ କରାଯିବ । ସରକାରୀ ବିଦ୍ୟାଳୟମାନଙ୍କରେ ପାଠ ପଢୁଥିବା ସମସ୍ତ ଛାତ୍ରୀ ତଥା ଅନୁସୂଚିତ ଜାତି ଓ ଜନଜାତି ଓ ଦାରିଦ୍ର୍ୟ ସୀମାରେଖା ତଳେ ଥିବା ସମସ୍ତ ଛାତ୍ରମାନଙ୍କ କ୍ଷେତ୍ରରେ ମୋଟ ୫୦୦ଟଙ୍କା ମଧ୍ୟରୁ ୧୦୦ ଟଙ୍କା “ସମଗ୍ର ଶିକ୍ଷା” ଯୋଜନାରୁ ଭରଣା କରାଯାଉଥିବା ବେଳେ ବଳକା ୪୦୦ ଟଙ୍କା ରାଜ୍ୟ ସରକାରଙ୍କର ଗଙ୍ଗାଧର ମେହେର ଶିକ୍ଷା ମାନକ ବୃଦ୍ଧି ଯୋଜନାରୁ ଭରଣା କରାଯିବ । ଛାତ୍ରଛାତ୍ରୀମାନଙ୍କୁ ଏକ ହଳ କଳା ରଙ୍ଗର ଜୋତା ଓ ଦୁଇ ହଳ ଧଳା ରଙ୍ଗର ମୋଜା ବଣ୍ଟନ କରାଯିବ ।
୧୦୦ ଜଣରୁ କମ ଛାତ୍ରଛାତ୍ରୀ ଥିବା ବିଦ୍ୟାଳୟରେ ଦୁଇଗୋଟି ହାଉସ ଗଠନ କରାଯିବ । ଚାରୋଟି ରଙ୍ଗର ଟି-ସାର୍ଟ ମଧ୍ୟରୁ ଯେ କୌଣସି ଦୁଇଟି ରଙ୍ଗର ଟି-ସାର୍ଟ ଚୟନ କରାଯାଇ ବଣ୍ଟନ କରାଯିବ । ୧୦୦ ଜଣରୁ ଊର୍ଦ୍ଧ ଛାତ୍ରଛାତ୍ରୀ ଥିବା ବିଦ୍ୟାଳୟରେ ଚାରିଗୋଟି ହାଉସ ଗଠନ କରାଯିବ । ଚାରୋଟି ରଙ୍ଗର ଟି-ସାର୍ଟ ଚୟନ କରାଯାଇ ବଣ୍ଟନ କରାଯିବ । ଛାତ୍ରଛାତ୍ରୀମାନଙ୍କୁ ଗୋଟିଏ ଲେଖାଏଁ ଟି-ସାର୍ଟ ସହିତ ଗୋଟିଏ ଲେଖାଏଁ ଟ୍ରାକ ପ୍ୟାଣ୍ଟ ବଣ୍ଟନ କରାଯିବ । ଛାତ୍ରଛାତ୍ରୀଙ୍କୁ ଗୋଟିଏ ଲେଖାଏଁ ଟୋପି ଲୋଗୋ ସହିତ ବଣ୍ଟନ କରାଯିବ । ଛାତ୍ରଛାତ୍ରୀଙ୍କୁ ଗୋଟିଏ ଲେଖାଏଁ ପରିଚୟ ପତ୍ର ବଣ୍ଟନ କରାଯିବ । ଏହି ସମସ୍ତ ପ୍ରକାରର ବଣ୍ଟନ ପ୍ରକ୍ରିୟା ଜୁନ ୨୦ତାରିଖ ସୁଦ୍ଧା ଶେଷ କରାଯିବ ।
ଇଟିଭି ଭାରତ, ଭୁବନେଶ୍ବର