ଓଡିଶା

odisha

ETV Bharat / state

ମୁଖ୍ୟମନ୍ତ୍ରୀଙ୍କ ଏରିଅଲ ସର୍ଭେ; 7 ଦିନରେ କ୍ଷୟକ୍ଷତି ରିପୋର୍ଟ: ରାଜସ୍ୱ ମନ୍ତ୍ରୀ

ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଲେ ପାଗ ଅନୁକୂଳ ରହିଲେ ମୁଖ୍ୟମନ୍ତ୍ରୀ ଆକାଶ ମାର୍ଗରୁ ବାତ୍ୟା ପ୍ରଭାବିତ ଜିଲ୍ଲା ପରିଦର୍ଶନ କରିବେ ।

Revenue Minister
Revenue Minister (ETV Bharat Odisha)

By ETV Bharat Odisha Team

Published : 4 hours ago

ଭୁବନେଶ୍ୱର:ବାତ୍ୟା ଦାନା ଦ୍ୱାରା ଭଦ୍ରକ ଜିଲ୍ଲା ଅଧିକ ପ୍ରଭାବିତ ହୋଇଛି । କେନ୍ଦ୍ରାପଡା, ବାଲେଶ୍ଵର, ଯାଜପୁର, ପୁରୀ ଜଗତସିଂହପୁର, କେନ୍ଦୁଝରରେ ହୋଇଛି କ୍ଷୟକ୍ଷତି । 7 ଦିନ ମଧ୍ୟରେ କ୍ଷୟକ୍ଷତି ରିପୋର୍ଟ ଦେବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ । ଘର ଭଙ୍ଗା ଆକଳନ ରାଜସ୍ୱ ବିଭାଗ କରିବାକୁ ଥିବାବେଳେ ଅନ୍ୟ କ୍ଷୟକ୍ଷତିର ଆକଳନ କରିବେ କୃଷି, ସମବାୟ ଓ ପରିସଂଖ୍ୟାନ ବିଭାଗ । ସ୍ୱଳ୍ପ ଭାଙ୍ଗିଥିବା ଘର ତୁରନ୍ତ ମରାମତି ସହ ସମ୍ପୂର୍ଣ୍ଣ ଭାଙ୍ଗିଥିବା ପରିବାରକୁ ପକ୍କା ଘର ମିଳିବ । ଏନେଇ ସୂଚନା ଦେଇଛନ୍ତି ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ । ସେହିପରି ପାଗ ଅନୁକୂଳ ରହିଲେ ମୁଖ୍ୟମନ୍ତ୍ରୀ ଆକାଶ ମାର୍ଗରୁ ବାତ୍ୟା ପ୍ରଭାବିତ ଜିଲ୍ଲା ପରିଦର୍ଶନ କରିବେ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି ।

ଚେହେରା ଚାପ ଯୁକ୍ତ ଥିଲା ଏବେ ଚାପ ମୁକ୍ତ-
ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି, "ଲୋକମାନଙ୍କ ସୁରକ୍ଷା ନେଇ ସରକାରଙ୍କ ଚାପ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଭାବେ ମୋ ଦାୟିତ୍ୱ । ମୁଖ୍ୟମନ୍ତ୍ରୀ, ମୁଖ୍ୟ ଶାସନ ସଚିବ, ଏସଆରସି, ଜିଲ୍ଲାପାଳ ଓ ତୃଣମୂଳ ସ୍ତରରେ ଥିବା ଅଧିକାରୀଙ୍କ ପାଖରେ ପହଁଚିଥିଲୁ । ଗତ 5 ଦିନରେ ଅନେକ ବୈଠକ ହୋଇଛି । ଏ ମୋ ପାଇଁ ଏକ ନିଆରା ଅନୁଭୂତି । ଚେହେରା ଚାପ ଯୁକ୍ତ ଥିଲା ଏବେ ଚାପ ମୁକ୍ତ ହୋଇଛି । ଓଡ଼ିଶା ବାସୀଙ୍କ ବିଜୟ ହୋଇଛି ।

ଦେଖିଲି ପୋଲିସର ମଣିଷ ପ୍ରେମୀ ଚେହେରା-
"ବିରୋଧୀ ଦଳ ଭାବରେ ଓଡ଼ିଶା ପୋଲିସର ଗୋଟେ ଚେହେରା ଦେଖିଥିଲି । ଏବେ ପୋଲିସର ମଣିଷ ପ୍ରେମୀ ସମ୍ବେଦନଶୀଳ ଚେହେରା ଦେଖିଲି । ଛୋଟ ମୋଟ ଛାଡିଦେଲେ ମୋଟାମୋଟି ରାସ୍ତା ସଫା ସରିଲାଣି । ବାତ୍ୟା ଲ୍ୟାଣ୍ଡ ଫଲ କରି ଚାଲିଯିବାର 4 ଘଣ୍ଟା ଭିତରେ ରାସ୍ତା ସଫା ସରିଲାଣି । ଜଙ୍ଗଲ ବିଭାଗ, ଅଗ୍ନିଶମ, ଓଡ୍ରାଫ, ଏନଡିଆରଏଫ ଓ ସାମାଜିକ ଅନୁଷ୍ଠାନ ତାଙ୍କ କାମ କରିଛନ୍ତି ।"

ଏହା ବି ପଢନ୍ତୁ- DANA LANDFALL LIVE UPDATES: ଦୁର୍ବଳ ହେଲା 'ଦାନା', ଭଦ୍ରକରେ ସର୍ବାଧିକ କ୍ଷତି, ବାତ୍ୟା ଅଞ୍ଚଳ ପରିଦର୍ଶନ କରିପାରନ୍ତି ମୁଖ୍ୟମନ୍ତ୍ରୀ

ଏହା ବି ପଢନ୍ତୁ- ଅସହାୟଙ୍କ ଆଶାର କିରଣ ଆଶା କର୍ମୀ 'ଶିବାନୀ', ୭ ବୁଦ୍ଧାଙ୍କୁ କାନ୍ଧେଇ ନେଲେ ବାତ୍ୟା ଆଶ୍ରୟସ୍ଥଳୀ



ବାତ୍ୟାରେ 13 ଯାଆଁଳା ଶିଶୁ ଜନ୍ମ-
ଟେଲିକମର ସମସ୍ୟା ନେଇ କୌଣସି ବଡ଼ ଅଭିଯୋଗ ଆସିନାହିଁ । ଶକ୍ତି ବିଭାଗ କାର୍ଯ୍ୟର ତୁଳନା ନାହିଁ । କିଛି ସ୍ଥାନରେ ତାର ଛିଣ୍ଡିଯିବା ଯୋଗ୍ୟ ବିଦ୍ୟୁତ ବ୍ୟବସ୍ଥା ବ୍ୟାଘାତ ହେଇଛି । ସୂର୍ଯ୍ୟାସ୍ତ ପୂର୍ବରୁ ବିଦ୍ୟୁତ ସଂଯୋଗ ହେବ ବୋଲି ଶକ୍ତି ବିଭାଗ ପ୍ରତିଶ୍ରୁତି ଦେଇଛି । କୌଣସି ସ୍ଥାନ ଆଲୋକ ଶୂନ୍ୟ ରହିବ ନାହିଁ । ସ୍ୱାସ୍ଥ୍ୟ ବିଭାଗ କାର୍ଯ୍ୟ ଚମତ୍କାର ଥିଲା । ପ୍ରସବ ଅପେକ୍ଷାରେ ଥିବା ମା'ଙ୍କୁ ଗାଁରୁ ହସ୍ପିଟାଲ ଆଣିଥିଲୁ । ଗତକାଲି ରାତି ପର୍ଯ୍ୟନ୍ତ ଥିବା ରିପୋର୍ଟ ଅନୁସାରେ 1600 ମା' ପ୍ରସବ କରିଛନ୍ତି । ସେମାନଙ୍କ ମଧ୍ୟରୁ 13 ଯାଆଁଳା ଶିଶୁ ଜନ୍ମ ହୋଇଛନ୍ତି । ସେମାନେ ନୂଆ ଓଡିଶା ନିର୍ମାଣର ବିନ୍ଧାଣି ହେବେ ।"

ଭାରତର ବଡ଼ ଅସ୍ଥାୟୀ ସ୍ଥାନାନ୍ତରଣ-
ଭାରତବର୍ଷର ବଡ଼ ଅସ୍ଥାୟୀ ସ୍ଥାନାନ୍ତରଣ ହୋଇଛି । ପୂର୍ବରୁ ଟାର୍ଗେଟ ଅଧିକ ଥିଲା । ପରବର୍ତ୍ତୀ ସମୟରେ ଏହାକୁ ପରିବର୍ତ୍ତନ କରିଥିଲୁ । 6 ଲକ୍ଷରୁ ଅଧିକଙ୍କୁ ସ୍ଥାନାନ୍ତରଣ କରାଯାଇଥିଲା । ସଫଳତାର ସହ ଏହି କାର୍ଯ୍ୟ ହୋଇଛି । ରନ୍ଧା ଖାଦ୍ୟ ସମସ୍ତଙ୍କୁ ଦେବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ଛୋଟ ଅଭିଯୋଗ ଆମ ପାଖକୁ ନିଶ୍ଚୟ ଆସିଛି । ଲୋକଙ୍କ ଫେରିବା ପ୍ରକ୍ରିୟା ଆରମ୍ଭ ହୋଇଛି । କିଛି ଲୋକ ଫେରିଗଲେଣି । ଏବେ ମଧ୍ୟ ଖାଲୁଆ ଜାଗାରେ ପାଣି ଛାଡିନି । ଯେଉଁମାନେ ରିଲିଫ ସେଣ୍ଟରରେ ରହିବା ପାଇଁ ଚାହିଁବେ ରହିପାରିବେ । ସେମାନଙ୍କୁ ରନ୍ଧା ଖାଦ୍ୟ ଦେବାକୁ ନିର୍ଦ୍ଦେଶ ଦେଉଛୁ । ଯେଉଁମାନେ ଘରକୁ ଯିବେ ରିଲିଫ ସେଣ୍ଟରରେ ଜଣାଇ ଯାଇପାରିବେ ।

ଚମତ୍କାର କାମ କଲେ ଶିବାନୀ ଦିଦି :-
ଆଶାକର୍ମୀ ଶିବାନୀ ମଣ୍ଡଳଙ୍କ ଚମତ୍କାରିତା ଆମେ ଦେଖିଲୁ । 7 ଜଣଙ୍କୁ କାନ୍ଧରେ ବୋହି ରିଲିଫ ସେଣ୍ଟରକୁ ବୋହି ଆଣିଛନ୍ତି । ଏହା ଓଡ଼ିଆତ୍ୱ, ଓଡ଼ିଆ ଭାବ, ଓଡ଼ିଆ ଅସ୍ମିତାର ପ୍ରତିଫଳନ । ସାମାଜିକ କାର୍ଯ୍ୟକାର୍ତ୍ତା, ନିର୍ବାଚିତ ପ୍ରତିନିଧି ସାମିଲ ହେଲେ । ଆଶା କର୍ମୀ, ଅଙ୍ଗନବାଡି ଦିଦିଙ୍କ ଠାରୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀ ପର୍ଯ୍ୟନ୍ତ ନିଜକୁ ନିୟୋଜିତ କରିଥିଲେ । ସରକାର ଓ ପ୍ରଶାସନ ବାତ୍ୟା ପ୍ରଭାବିତ ଜିଲ୍ଲାରେ ସଜାଗ ରହିଥିଲା । ଲୋକଙ୍କ ସହ ଗୋ ସମ୍ପଦକୁ ସୁରକ୍ଷା କରିବାରେ ଓଡ଼ିଶା ସରକାର ରେକର୍ଡ କଲେ । ଗଣମାଧ୍ୟମ ପ୍ରତିନିଧିଙ୍କ କାର୍ଯ୍ୟ ମଧ୍ୟ ପ୍ରଶଂସନୀୟ ।

ଏହା ବି ପଢନ୍ତୁ- ସରିଲା ବାତ୍ୟା 'ଦାନା' ଲ୍ୟାଣ୍ଡଫଲ ପ୍ରକ୍ରିୟା, ବାଲେଶ୍ୱର, ଭଦ୍ରକ ଓ ମୟୂରଭଞ୍ଜରେ ବର୍ଷା ଆଲର୍ଟ

ଏହା ବି ପଢନ୍ତୁ- 'ବାତ୍ୟାରେ ଜିରୋ କାଜୁଆଲଟି ମିଶନ ସଫଳ', ଦାନା ଲ୍ୟାଣ୍ଡଫଲ ପରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସମୀକ୍ଷା

ପ୍ରଶାସନ ଓ ରାଜନୈତିକ ସହଭାଗିତାରେ ସେବା :-

ଦାନା ଏକ ପାର୍ସି ଶବ୍ଦ । ପାର୍ସିରେ ଏହାର ଅର୍ଥ ହେଉଛି ଦୟା । ବାତ୍ୟା ଓଡ଼ିଶା ପ୍ରତି ସମ୍ବେଦନଶୀଳ ଥିଲା । ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଅତୀତରେ ଆମେ ସଫଳତା ପାଇଛୁ । କିନ୍ତୁ ଏଥର ସମୂହ କାର୍ଯ୍ୟ ହୋଇଛି । ପ୍ରଶାସନ ଓ ରାଜନୈତିକ ସହଭାଗିତାରେ ଲୋକଙ୍କୁ ସେବା ଯୋଗାଇ ଦିଆଯାଇଛି । ସରକାରଙ୍କ କଥା ମାନି ଲୋକେ ଆଶ୍ରୟ ସ୍ଥଳକୁ ଆସିଥିବାରୁ ଧନ୍ୟବାଦ । ବାତ୍ୟା ପ୍ରତି ଘଣ୍ଟାରେ ଚରିତ୍ର, ଦିଗ ଓ ସ୍ଵଭାବ ବଦଳାଉଥିଲା । ବର୍ତ୍ତମାନ ବାତ୍ୟା ପ୍ରଭାବ ଶୂନ୍ୟ ହୋଇସାରିଛି ।

ଅନୁକୂଳ ପରିସ୍ଥିତିରେ ମୁଖ୍ୟମନ୍ତ୍ରୀଙ୍କ ପରିଦର୍ଶନ :-

ଆସନ୍ତାକାଲି ବାତ୍ୟା ଅଞ୍ଚଳ ପରିଦର୍ଶନ କରିପାରନ୍ତି ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆକାଶ ମାର୍ଗରୁ ପରିଦର୍ଶନ କରିପାରନ୍ତି । ଯଦି ପାଗ ଅନୁକୂଳ ରହେ ତେବେ ମୁଖ୍ୟମନ୍ତ୍ରୀ ପୂର୍ବାହ୍ନ 10ରେ କରିପାରନ୍ତି ପରିଦର୍ଶନ । ସମସ୍ତ ପ୍ରଭାବିତ ଜିଲ୍ଲା ଆକାଶମାର୍ଗର ପରିଦର୍ଶନ କରାଯିବ । ମୁଁ ମଧ୍ୟ ଉପସ୍ଥିତ ରହିବି ।

7 ଦିନରେ କ୍ଷୟକ୍ଷତି ରିପୋର୍ଟ :-
ପ୍ରାଥମିକ ଆକଳନ ଲାଗି ନିର୍ଦ୍ଦେଶ ଦିଆଯାଇଛି । ଘର ଭଙ୍ଗା, ଚାଷ କ୍ଷତି, ବିଦ୍ୟୁତ ସରବରାହ ନଷ୍ଟ, ରାସ୍ତା ନଷ୍ଟର ଆକଳନ କରାଯିବ । ରବିବାର ଠାରୁ ଫିଲଡ଼ ଷ୍ଟାଫ କ୍ଷୟକ୍ଷତି ଆକଳନ କରିବେ । ସବୁଠାରୁ ଅଧିକ ପ୍ରଭାବିତ ଜିଲ୍ଲା ଭଦ୍ରକ । କେନ୍ଦ୍ରାପଡା, ବାଲେଶ୍ଵର, ଜଗତସିଂହପୁର, ଯାଜପୁର, କେନ୍ଦୁଝର ଜିଲ୍ଲାରେ ହୋଇଛି କ୍ଷୟକ୍ଷତି । 7 ଦିନ ମଧ୍ୟରେ କ୍ଷୟକ୍ଷତି ରିପୋର୍ଟ ଦେବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛୁ । ଘର ଭଙ୍ଗା ଆକଳନ କରିବେ ରାଜସ୍ୱ ବିଭାଗ ଅଧିକାରୀ । ଅନ୍ୟ କ୍ଷୟକ୍ଷତିର ଆକଳନ କରିବେ କୃଷି, ସମବାୟ ଓ ପରିସଂଖ୍ୟାନ ବିଭାଗ । ସ୍ୱଳ୍ପ ଭାଙ୍ଗିଥିବା ଘରର ତୁରନ୍ତ ମରାମତି କରାଯିବ । ସମ୍ପୂର୍ଣ୍ଣ ଭାଙ୍ଗିଥିବା ପରିବାରକୁ ପକ୍କା ଘର ଦେବା ପାଇଁ ନିଷ୍ପତ୍ତି ହୋଇଛି ।

ABOUT THE AUTHOR

...view details