ଭୁବନେଶ୍ୱର: ଏଥରକ ଓଡ଼ିଆ ଅସ୍ମିତାର ପରିଚୟ ହେବ ବିଶ୍ୱପ୍ରସିଦ୍ଧ ତଥା ବିଶ୍ବର ସର୍ବବୃହତ୍ତ ମୁକ୍ତାକାଶ ରଙ୍ଗମଞ୍ଚ କାର୍ଯ୍ୟକ୍ରମ ବରଗଡ ‘ଧନୁଯାତ୍ରା’ । ଯାତ୍ରା ଖର୍ଚ୍ଚ ବାବଦକୁ ସରକାର ଦେବେ କୋଟିର ଟଙ୍କାର ଅନୁଦାନ । ଯାତ୍ରାରେ ଅଂଶଗ୍ରହଣ କରୁଥିବା ପ୍ରତ୍ୟେକ କଳାକାରଙ୍କୁ ମିଳିବ ୧୦ ହଜାର ଲେଖାଏଁ ଟଙ୍କା । ବରଗଡ଼ ଧନୁଯାତ୍ରା ମହୋତ୍ସବକୁ ନେଇ ରାଜ୍ୟ ସଂସ୍କୃତି ବିଭାଗ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଥିବା ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଆଜି ଘୋଷଣା କରିଛନ୍ତି ।
- ବିଶ୍ୱରେ ସ୍ୱତନ୍ତ୍ର ପରିଚୟ ଲାଭ କରିଛି ଧନୁଯାତ୍ରା
ଏନେଇ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଛନ୍ତି,"ବରଗଡ ଧନୁଯାତ୍ରା ଆମ ରାଜ୍ୟ ନୁହେଁ ଦେଶ ତଥା ବିଶ୍ୱରେ ବି ସ୍ୱତନ୍ତ୍ର ପରିଚୟ ଲାଭ କରିଛି । ଏଥିପାଇଁ ତାର ପରିଚୟ ଯେ ବିଶ୍ୱର ବୃହତ ମୁକ୍ତାକାଶ ରଙ୍ଗମଞ୍ଚ ତା’ ସହିତ ୧୧ ଦିନ ବ୍ୟାପୀ ହେଉଥିବା ଏ ଧନୁଯାତ୍ରା କୌଣସି ସଂଳ୍ପାପ ପୂର୍ବ ନିର୍ଦ୍ଧାରିତ ହୋଇନଥାଏ । ଏହାର ସ୍ୱତନ୍ତ୍ରତା ରହିଛି । ରାଜ୍ୟ ସରକାର ଏଥର ଧନୁଯାତ୍ରାକୁ ଦେଶ ତଥା ବିଶ୍ୱ ଦରବାରରେ ସମ୍ମାନର ସହ ପ୍ରଦର୍ଶନ କରିବାର ଯୋଜନା ରଖିଛନ୍ତି । ଏହି ବିଷୟବସ୍ତୁକୁ ଅଧିକରୁ ଅଧିକ ପର୍ଯ୍ୟଟକ ଜାଣିବାର ଆବଶ୍ୟକତା ରହିଛି । ଏଥ ୮, ୯, ୧୦ ତାରିଖରେ ‘ପ୍ରବାସୀ ଭାରତୀୟ ଦିବସ’ ପାଳନ ବେଳେ ସେହି ସମୟରେ ଧନୁଯାତ୍ରା ମଧ୍ୟ ଏହା ପଡୁଛି । "
- ଧନୁଯାତ୍ରାର ପ୍ରତ୍ୟେକ କଳାକାରଙ୍କୁ ମିଳିବ ୧୦ ହଜାର ଟଙ୍କା
ମନ୍ତ୍ରୀ ଆଉ ମଧ୍ୟ କହିଛନ୍ତି," ବରଗଡ ଧନୁଯାତ୍ରାରେ ଯେଉଁ କଳାକାରମାନେ ବିଭିନ୍ନ ଚରିତ୍ରରେ ଅଭିନୟ କରୁଛନ୍ତି ସେମାନଙ୍କ ପୋଷାକ, ଆନୁସଙ୍ଗିକ ଖର୍ଚ୍ଚ ବାବଦକୁ ଏକ ସମ୍ମାନ ରାଶି ଭାବେ ପ୍ରତ୍ୟେକଙ୍କୁ ୧୦ ହଜାର ଲେଖାଏଁ ରାଜ୍ୟ ସରକାର ପ୍ରଦାନ କରିବେ । କଳାକାରଙ୍କ ସଂଖ୍ୟା ଆନୁମାନିକ ଭାବେ ୧୫୦ ରୁ ୧୮୦ । ସେହିପରି ୨୦୨୫ ଧନୁ ଯାତ୍ରା ପାଇଁ ଅନୁଦାନ ରାଶିକୁ ବୃଦ୍ଧି ମଧ୍ୟ କରାଯାଇଛି । ରାଜ୍ୟ ସରକାର ଧନୁଯାତ୍ରା ଅନୁଦାନ ରାଶିକୁ ଏକ କୋଟି ଟଙ୍କାକୁ ବୃଦ୍ଧି କରିଥିବା ବେଳେ ସଂସ୍କୃତି ବିଭାଗ ଆଉ ୫୦ ଲକ୍ଷ ଅଧିକ ଦେବ ।"
- ଧନୁଯାତ୍ରାର ହେବ ପ୍ରାମାଣିକ ବୃତ୍ତ ଚିତ୍ର
ନିକଟ ଅତୀତରେ ଜାତୀୟ ନାଟ୍ୟ ବିଦ୍ୟାଳୟ ଓଡ଼ିଶାରେ ଏକ କ୍ୟାମ୍ପସ ଖୋଲିବାର ଯୋଜନା ରଖିଛି । ଏ ବର୍ଷର ଧନୁଯାତ୍ରାର ପ୍ରାମାଣିକ ବୃତ୍ତ ଚିତ୍ର ପ୍ରସ୍ତୁତ କରିବା ପାଇଁ ଜାତୀୟ ନାଟ୍ୟ ବିଦ୍ୟାଳୟକୁ ଅନୁରୋଧ କରାଯାଇଥିବା ବେଳେ ଏଥିରେ ସେ ସ୍ୱୀକୃତି ପ୍ରଦାନ କରିଛି ବୋଲି କହିଛନ୍ତି ସଂସ୍କୃତି ମନ୍ତ୍ରୀ ।
- ଧନୁଯାତ୍ରାର ହେବ ଲାଇଭ ଷ୍ଟ୍ରିମିଂ
ଓଡ଼ିଶାର ବିଭିନ୍ନ ସହରରେ ଏଲଇଡି ସ୍କ୍ରିନ ମାଧ୍ୟମରେ ଧନୁଯାତ୍ରାର ଲାଇଭ ଷ୍ଟ୍ରିମିଂ କରାଯିବ । ସବୁ ଜିନିଷ ରେକଡିଂ କରାଯିବ । ଧନୁଯାତ୍ରାକୁ ‘UNESCO’ର ଅନ୍ତର୍ଜାତିକ ମାନ୍ୟତା ପ୍ରଦାନ ନିମନ୍ତେ ପ୍ରଚେଷ୍ଟା ଆରମ୍ଭ ହୋଇଛି, ଏହିଭଳି ପ୍ରଚାର ପ୍ରସାର ତଥା ପ୍ରାମାଣିକ ତଥ୍ୟ ସଂଗ୍ରହ ଅନେକ ପରିମାଣରେ ସହାୟକ ହୋଇପାରେ । ଏ ସମ୍ପର୍କରେ ଏକ ବିଶେଷଜ୍ଞ କମିଟି ମଧ୍ଯ ଗଠନ କରାଯିବ ବୋଲି କହିଛନ୍ତି ସୂର୍ଯ୍ୟବଂଶୀ ସୂରଜ ।
ଏହାମଧ୍ୟ ପଢନ୍ତୁ... |