ଓଡିଶା

odisha

ETV Bharat / state

ନିର୍ବାଚନରେ ନିୟୋଜିତ କର୍ମଚାରୀଙ୍କୁ ମିଳିବ ଦିନିକିଆ ସ୍ୱତନ୍ତ୍ର ସାମୟିକ ଛୁଟି - One day leave to govt employees - ONE DAY LEAVE TO GOVT EMPLOYEES

One day leave to govt employees: ନିର୍ବାଚନ କାର୍ଯ୍ୟରେ ନିୟୋଜିତ ସରକାରୀ କର୍ମଚାରୀଙ୍କ ପାଇଁ ଗୋଟିଏ ଦିନ ସ୍ବତନ୍ତ୍ର ସାମୟିକ ଛୁଟି ମଞ୍ଜୁର କଲେ ରାଜ୍ୟ ସରକାର । ନିର୍ବାଚନ ଡ୍ୟୁଟି ପରେ ପରେ ମିଳିବ ଏହି ଛୁଟି । ଅଧିକ ପଢନ୍ତୁ

Etv Bharat
Etv Bharat

By ETV Bharat Odisha Team

Published : Apr 3, 2024, 8:57 AM IST

ଭୁବନେଶ୍ୱର:ଆସନ୍ତା ଲୋକସଭା ଓ ବିଧାନସଭା ନିର୍ବାଚନ ନିୟୋଜିତ ସରକାରୀ ଅଧିକାରୀଙ୍କୁ ମିଳିବ ଗୋଟିଏ ଦିନ ସାମୟିକ ଛୁଟି । ରାଜ୍ୟ ସରକାର ସେହି କର୍ମଚାରୀମାନଙ୍କ ପାଇଁ ଗୋଟିଏ ଦିନ ସ୍ୱତନ୍ତ୍ର ସାମୟିକ ଛୁଟି ମଞ୍ଜୁର କରିଛନ୍ତି । ସେହିପରି ଅବସ୍ଥାପିତ ନିଜ ମୁଖ୍ୟ କାର୍ଯ୍ୟାଳୟରୁ ଦୂରସ୍ଥାନରେ ମତାଧିକାର ସାବ୍ୟସ୍ତ କରିବାକୁ ପଡୁଥିବା ସରକାରୀ କର୍ମଚାରୀଙ୍କୁ ୨ ଦିନ ସ୍ୱତନ୍ତ୍ର ସାମୟିକ ଛୁଟି ମିଳିବ । ଏନେଇ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ଚିଠି ଲେଖି ସମସ୍ତ ବିଭାଗ ତଥା ବିଭାଗୀୟ ମୁଖ୍ୟମାନଙ୍କୁ ଜଣାଇଛନ୍ତି ।

ନିର୍ବାଚନ ପରିଚାଳନାରେ ନିୟୋଜିତ କର୍ମଚାରୀମାନେ ନିର୍ବାହ କରୁଥିବା କାର୍ଯ୍ୟ କଷ୍ଟକର ହୋଇଥାଏ । ଏହାକୁ ଦୃଷ୍ଟିରେ ରଖି ଯେଉଁ ସରକାରୀ କର୍ମଚାରୀମାନେ ସାଧାରଣ ନିର୍ବାଚନ, ୨୦୨୪ କାର୍ଯ୍ୟରେ ନିୟୋଜିତ ହେବେ, ସେମାନଙ୍କୁ ଡ୍ୟୁଟି ପରେ ଗୋଟିଏ ଦିନ ସ୍ୱତନ୍ତ୍ର ସାମୟିକ ଛୁଟି ଦିଆଯିବ । ସେମାନଙ୍କୁ କ୍ୟାଲେଣ୍ଡର ବର୍ଷରେ ସାଧାରଣତଃ ଗ୍ରହଣୀୟ ସାମୟିକ ଛୁଟି ବା କାଜୁଆଲ ଲିଭ ଏବଂ ସ୍ୱତନ୍ତ୍ର ଛୁଟି ବା ସ୍ପେସାଲ ସିଏଲ ବ୍ୟତୀତ ଏହି ସ୍ୱତନ୍ତ୍ର ସାମୟିକ ଛୁଟି ଦିଆଯିବ । ଏଥିପାଇଁ ସରକାରଙ୍କ ପକ୍ଷରୁ ଅନୁମତି ପ୍ରଦାନ କରାଯାଇଛି ।ପ୍ରଶାସନିକ ସୁବିଧାକୁ ଦୃଷ୍ଟିରେ ରଖି କାର୍ଯ୍ୟାଳୟ ମୁଖ୍ୟଙ୍କ ବିଚାର ଓ ନିଷ୍ପତ୍ତି ଆଧାରରେ ଏହି ଛୁଟି ଦିଆଯିବ । ତଦନୁସାରେ ସମସ୍ତ ଅଧସ୍ତନ କାର୍ଯ୍ୟାଳୟ ଗୁଡିକୁ ମଧ୍ୟ ଅବଗତ କରାଯିବା ନେଇ ନିର୍ଦ୍ଦେଶ ଦିଆଯାଇଛି । ଏହି ମର୍ମରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ମଧ୍ୟ ରାଜ୍ୟର ସମସ୍ତ ରାଜସ୍ୱ ଆୟୁକ୍ତ ବା ଆରଡିସି ଏବଂ ସମସ୍ତ ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳମାନଙ୍କ ଅବଗତି ଓ କାର୍ଯ୍ୟାନୁଷ୍ଠାନ ନିମନ୍ତେ ଅବଗତ କରାଯାଇଛି ।

ସେହିପରି ଯେଉଁ ସରକାରୀ କର୍ମଚାରୀ ଅବସ୍ଥାପିତ ମୁଖ୍ୟାଳୟରୁ ଦୂରସ୍ଥାନରେ ମତାଧିକାର ସାବ୍ୟସ୍ତ କରିବେ, ସେମାନଙ୍କୁ ପୂର୍ବ ନିର୍ବାଚନ ସମୟରେ ସର୍ବାଧିକ ଦୁଇ ଦିନ ପାଇଁ ସ୍ୱତନ୍ତ୍ର ସାମୟିକ ଛୁଟିକୁ ଅନୁମତି ମିଳିଛି । ରାଜ୍ୟରେ ମେ' ୧୩ ତାରିଖ ସୋମବାର, ୨୦ ତାରିଖ ସୋମବାର, ୨୫ ତାରିଖ ଶନିବାର ଏବଂ ଜୁନ ୧ ତାରିଖ ଶନିବାରରେ ପର୍ଯ୍ୟାୟକ୍ରମେ ମତଦାନ ଅନୁଷ୍ଠିତ ହେବ । ଚଳିତ ସାଧାରଣ ନିର୍ବାଚନରେ ମଧ୍ୟ ସମାନ ସୁବିଧା ମିଳିବ ବୋଲି ନିଷ୍ପତ୍ତି ନିଆଯାଇଛି । ମତଦାନ ଦିନ ସମସ୍ତ ନିର୍ବାଚନ ମଣ୍ଡଳୀ ଅଞ୍ଚଳରେ ସରକାରୀ ଛୁଟି ଘୋଷଣା କରାଯାଇଛି । କିନ୍ତୁ ସରକାରୀ କର୍ମଚାରୀ, ଯେଉଁମାନେ ସେମାନଙ୍କ ମତଦାନ କେନ୍ଦ୍ରଠାରୁ ଦୂରରେ ସ୍ଥାନରେ ଅବସ୍ଥାପିତ ହୋଇଛନ୍ତି, ସେମାନଙ୍କୁ ଭୋଟ୍ ଦେବା ପାଇଁ ସେଠାକୁ ଯିବାକୁ ପଡୁଥିବାରୁ ଉପରୋକ୍ତ ଦିବସ ଗୁଡିକରେ କର୍ମଚାରୀମାନଙ୍କୁ ଆବଶ୍ୟକ ସ୍ଥଳେ ଦୁଇ ଦିନ ପାଇଁ ସ୍ୱତନ୍ତ୍ର ସାମୟିକ ଛୁଟି ଅନୁମତି ପ୍ରଦାନ କରାଯିବ ।

ଏହା ମଧ୍ୟ ପଢନ୍ତୁ: ECIଙ୍କ ନିର୍ଦ୍ଦେଶ; ନିର୍ବାଚନ ଦାୟିତ୍ବରୁ ହଟିବେ ଓଡ଼ିଶାର ଜଣେ ଆଇଜି, ୨ ଜିଲ୍ଲାପାଳ ଓ ୫ ଏସପି - ECI Transfers DM SP

ଯେଉଁ କର୍ମଚାରୀମାନେ କାର୍ଯ୍ୟରତ ମୁଖ୍ୟାଳୟରୁ ଦୂରରେ ଥିବା ମତଦାନ କେନ୍ଦ୍ରରେ ନିଜର ମତାଧିକାର ସାବ୍ୟସ୍ତ କରିବାକୁ ଚାହୁଁଛନ୍ତି, କିନ୍ତୁ ସେଦିନ ସେମାନଙ୍କର କାର୍ଯ୍ୟାଳୟ ଥିବା ନିର୍ବାଚନ ମଣ୍ଡଳୀରେ ମତଦାନ ହେଉନଥିବାରୁ ଛୁଟି ପାଉନାହାଁନ୍ତି, ସେମାନଙ୍କୁ ମତଦାନ ପରବର୍ତ୍ତୀ ଦିନ ଆଉ ଗୋଟିଏ ଦିନ ପାଇଁ ସ୍ୱତନ୍ତ୍ର ସାମୟିକ ଛୁଟି ପ୍ରଦାନ କରାଯିବ । ମଞ୍ଜୁର ହେବାକୁ ଥିବା ଛୁଟିଗୁଡିକୁ ସ୍ୱତନ୍ତ୍ର ସାମୟିକ ଛୁଟି ଭାବରେ ବିବେଚନା କରାଯିବ । ଯାହା କ୍ୟାଲେଣ୍ଡର ବର୍ଷରେ ଜଣେ ସରକାରୀ କର୍ମଚାରୀଙ୍କ ପାଇଁ ସାଧାରଣତଃ ଗ୍ରହଣୀୟ ୧୫ ଦିନର କାଜୁଆଲ ଛୁଟି ଏବଂ ସ୍ପେଶାଲ କାଜୁଆଲ ଛୁଟିର ସମୁଦାୟ ଅବଧିକୁ ହିସାବରେ ବିଚାରକୁ ନିଆଯିବ ନାହିଁ । ଏ ସମ୍ପର୍କରେ ନିର୍ଦ୍ଦିଷ୍ଟ ନିର୍ବାଚନ ମଣ୍ଡଳୀ ଆଧାରରେ କର୍ମଚାରୀଙ୍କ ଲିଖିତ ଆବେଦନକୁ ବିଚାରକୁ ନେବା ପାଇଁ ଯଥେଷ୍ଟ ହେବ ।

ସରକାରୀ କାର୍ଯ୍ୟରେ କ୍ଷତି ନ ପହଞ୍ଚାଇ କର୍ମଚାରୀମାନଙ୍କୁ କିପରି ଛୁଟି ପ୍ରଦାନ କରାଯାଇପାରିବ, ସେ ସମ୍ପର୍କରେ ଛୁଟି ମଞ୍ଜୁରକାରୀ କର୍ତ୍ତୃପକ୍ଷ ଧ୍ୟାନ ଦେବେ । ସାଧାରଣତଃ କର୍ମଚାରୀମାନେ ସେମାନଙ୍କ ମତାଧିକାର ପ୍ରୟୋଗରେ ଯେପରି ଅସୁବିଧାର ସମ୍ମୁଖୀନ ନହେବେ, ସେ ସମ୍ପର୍କରେ ଦୃଷ୍ଟି ଦେବାକୁ ବିଭାଗୀୟ ମୁଖ୍ୟ, ସରକାରୀ ଉଦ୍ୟୋଗ, ନିଗମ ଓ ବୋର୍ଡର କର୍ତ୍ତୃପକ୍ଷଙ୍କୁ ଚିଠି ଲେଖାଯାଇଛି । ସେହି ଅନୁଯାୟୀ ସବ-ଅର୍ଡିନେଟ ଅଫିସଗୁଡ଼ିକୁ ମଧ୍ୟ ଅବଗତ କରାଯିବା ନେଇ ଚିଠିରେ ଉଲ୍ଲେଖ ରହିଛି ।

ଇଟିଭି ଭାରତ, ଭୁବନେଶ୍ୱର

ABOUT THE AUTHOR

...view details