ଓଡିଶା

odisha

ଧରାପଡିବେ ନକଲି ଡାକ୍ତର, ଗଠନ ହେଲା ଆଣ୍ଟି-କ୍ବାକେରି ସେଲ - Anti quackery cell

By ETV Bharat Odisha Team

Published : Apr 26, 2024, 1:40 PM IST

Anti-quackery cell: ରାଜ୍ୟରେ ନକଲି ଡାକ୍ତରଙ୍କୁ ଧରିବା ପାଇଁ ଜିଲ୍ଲାଓ୍ୱାରୀ ଗଠନ ହେଲା ଆଣ୍ଟି-କ୍ବାକେରି ସେଲ । ଧରାପଡିଲେ ହେବ କଡା କାର୍ଯ୍ୟାନୁଷ୍ଠାନ । ଅଧିକ ପଢନ୍ତୁ

ଧରାପଡିବେ ନକଲି ଡାକ୍ତର, ଗଠନ ହେଲା ଆଣ୍ଟି-କ୍ବାକେରି ସେଲ
ଧରାପଡିବେ ନକଲି ଡାକ୍ତର, ଗଠନ ହେଲା ଆଣ୍ଟି-କ୍ବାକେରି ସେଲ

ଗଠନ ହେଲା ଆଣ୍ଟି ୱାକେରୀ ସେଲ

ଭୁବନେଶ୍ବର:ସାବାଡ୍ ହେବେ ନକଲି ଡାକ୍ତର । ରାଜ୍ୟରେ ନକଲି ଡାକ୍ତରଙ୍କୁ ଧରିବା ପାଇଁ ଗଠନ ହେଲା ସ୍ବାସ୍ଥ୍ୟ ବିଭାଗର ଆଣ୍ଟି-କ୍ବାକେରି ସେଲ । ପ୍ରତି ଜିଲ୍ଲାରେ ଏହି ସେଲ କାର୍ଯ୍ୟ କରିବ । ୫ ଜଣିଆ ଆଣ୍ଟି- ୱାକେରୀ ସେଲରେ ଜିଲ୍ଲାପାଳଙ୍କ ପ୍ରତିନିଧି, ଏସପିଙ୍କ ପ୍ରତିନିଧି, ସିଡିଏମଓ, ଜିଲ୍ଲା ନ୍ୟାୟିକ ସେବା ପ୍ରାଧିକରଣର ପ୍ରତିନିଧି ଏବଂ ଭାରତୀୟ ମେଡିକାଲ ଆସୋସିଏସନର ଜଣେ ସଦସ୍ୟ ପ୍ରତିନିଧି ସାମିଲ ରହିଛନ୍ତି । ପ୍ରତି ୧୫ ଦିନରେ ଥରେ ସେଲ ଜିଲ୍ଲାରେ ନକଲି ଡାକ୍ତରଙ୍କ ଉପରେ କାର୍ଯ୍ୟନୁଷ୍ଠାନ ସମ୍ପର୍କିତ ରିପୋର୍ଟ ସ୍ୱାସ୍ଥ୍ୟ ବିଭାଗକୁ ପ୍ରଦାନ କରିବେ ।


କୌଣସି ସ୍ଥାନରେ ନକଲି ଡାକ୍ତରଙ୍କ ଚିକିତ୍ସା ସମ୍ପର୍କରେ ଅଭିଯୋଗ ମିଳିଲେ ତୁରନ୍ତ ଚଢ଼ାଉ କରାଯିବ । ଏହାବାଦ୍ ସାଧାରଣ ଲୋକଙ୍କ ଅଭିଯୋଗ କିମ୍ବା ସୋସିଆଲ ମିଡ଼ିଆରୁ କାର୍ଯ୍ୟରତ ନକଲି ଡ଼ାକ୍ତର ସମ୍ପର୍କରେ ଜଣାପଡିଲେ ଆଣ୍ଟି- ୱାକେରୀ ସେଲ ପଦକ୍ଷେପ ନେବା ସହ କାର୍ଯ୍ୟନୁଷ୍ଠାନ ମଧ୍ୟ ଗ୍ରହଣ କରାଯିବ । ନକଲି ଡାକ୍ତରଙ୍କ ‌ପାଇଁ ରାଜ୍ୟରେ ନିରୀହ ଲୋକ ଯେପରି ହଇରାଣ ନ ହୁଅନ୍ତି, ସେନେଇ ଦୃଢ଼ ପଦକ୍ଷେପ ନେଉଛି ସ୍ୱାସ୍ଥ୍ୟ ବିଭାଗ ।

ଏହା ମଧ୍ୟ ପଢନ୍ତୁ: ଘରୋଇ ଔଷଧ ଦୋକାନୀଙ୍କୁ ଝଟକା, ହସ୍ପିଟାଲ ପରିସରରେ ଖୋଲି ପାରିବେନି ଦୋକାନ - Campus Medicine Stores

ସୂଚନା ଥାଉକି, ବୈଧ ଡିଗ୍ରୀ ଅଥବା ପ୍ରମାଣପତ୍ର ନଥାଇ ଜଣେ ବ୍ୟକ୍ତି ନିଜକୁ ଡାକ୍ତର ବୋଲି ଦର୍ଶାଇ କାର୍ଯ୍ୟ କରିବା ଏକ ଫୌଜଦାରୀ ଅପରାଧ ଅଟେ । କିନ୍ତୁ ଏଭଳି ଘଟଣା ରାଜ୍ୟରେ ଅନେକବାର ସାମ୍ନାକୁ ଆସୁଛି । ଯାହାକୁ ନେଇ ବିଭିନ୍ନ ସମୟରେ ମାମଲା ମଧ୍ୟ ରୁଜୁ ହୋଇଛି । ଢେଙ୍କାନାଳ କଙ୍କଡାହାଡ଼ କେରଜୁଳି ଗାଁରୁ ଧରାପଡ଼ିଥିଲା ଜଣେ ନକଲି ଡାକ୍ତର । ସେ ପଶ୍ଚିମବଙ୍ଗର ରାକେଶ ବିଶ୍ୱାସ ବୋଲି ପରିଚୟ ମିଳିଥିଲା । ରାକେଶ କେରଜୁଳି ଗାଁରେ ଦୀର୍ଘ ବର୍ଷ ହେଲା କ୍ଲିନିକ କରି ରୋଗୀ ଚିକିତ୍ସା କରିଆସୁଥିଲେ । କୌଣସି ମେଡିକାଲ ଡିଗ୍ରୀ, କ୍ଲିନିକ ଲାଇସେନ୍ସ ନଥାଇ ନିଜକୁ ଡାକ୍ତର କହି କରୁଥିଲେ ରୋଗୀସେବା । ରୋଗୀମାନଙ୍କର ସମସ୍ତ ପରୀକ୍ଷା ନିରୀକ୍ଷା କରିବା ସହ ଗର୍ଭପାତ କରାଉଥିବା ଅଭିଯୋଗ ହୋଇଥିଲା ।

ରାଜ୍ୟରେ ଏଭଳି ଅନେକ ଡାକ୍ତର ଅଛନ୍ତି, ଯେଉଁମାନେ ଡିଗ୍ରୀ ନଥାଇ ମଧ୍ୟ ନକଲି କାଗଜପତ୍ର ପ୍ରସ୍ତୁତ କରି ରୋଗୀସେବା କରୁଛନ୍ତି । ଏବେ ଏହି ନକଲି ଡାକ୍ତରଙ୍କୁ ଚିହ୍ନଟ କରିବାକୁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ପ୍ରତି ଜିଲ୍ଲାରେ ଆଣ୍ଟି-କ୍ବାକେରି ସେଲର ଗଠନ ହୋଇଛି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details