ଓଡିଶା

odisha

ETV Bharat / state

ଛତିଶଗଡ଼ରେ ବଢ଼ିଲା, ଓଡ଼ିଶାରେ କେବେ ବଢ଼ିବ ମହଙ୍ଗା ଭତ୍ତା ? ଅପେକ୍ଷାରେ ସାଢ଼େ ୪ ଲକ୍ଷ କର୍ମଚାରୀ

ଛତିଶଗଡ଼ ସରକାରୀ କର୍ମଚାରୀଙ୍କୁ ଦୀପାବଳି ଭେଟି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ବିଷ୍ଣୁଦେଓ । ଓଡ଼ିଶା ମୁଖ୍ୟମନ୍ତ୍ରୀ କେବେ ବଢ଼ାଇବେ ମହଙ୍ଗା ଭତ୍ତା ? ଦୀପାବଳିରେ ସାଢ଼େ ୪ ଲକ୍ଷ କର୍ମଚାରୀଙ୍କୁ ମିଳିବ କି DA ?

By ETV Bharat Odisha Team

Published : 4 hours ago

Updated : 4 hours ago

odisha govt employees waiting dearness allowance DA announcement by cm mohan majhi
odisha govt employees waiting dearness allowance DA announcement by cm mohan majhi (ETV Bharat Odisha)

ହାଇଦ୍ରାବାଦ: ଦଶହରା ଗଲା, ଆଗକୁ ଆସୁଛି ଦୀପାବଳି । ପାର୍ବଣ ଋତୁ ମନାଉଛନ୍ତି ଲୋକେ । ଏପଟେ ସରକାରୀ କର୍ମଚାରୀ ଅନାଇ ବସିଛନ୍ତି ସରକାରଙ୍କ ଘୋଷଣାକୁ । କେବେ ବଢ଼ିବ ମହଙ୍ଗା ଭତ୍ତା । କେନ୍ଦ୍ର ସରକାରୀ କର୍ମଚାରୀ, ମୋଦି ସରକାରଙ୍କ ହାତକୁ ଚାହିଁ ବସିଥିବା ବେଳେ, ଓଡ଼ିଶାରେ କ୍ଷମତାସୀନ ବିଜେପି ସରକାରଙ୍କ ଘୋଷଣାକୁ ରାଜ୍ୟ ସରକାରୀ କର୍ମଚାରୀ ଏବଂ ପେନସନଧାରୀଙ୍କ ଅପେକ୍ଷା । କେବେ ବଢ଼ିବ ମହଙ୍ଗା ଭତ୍ତା ? ବଢ଼ୁଛି ଆଶା ଆଶଙ୍କା ।

DA ବଢ଼ାଇଲେ ଛତିଶଗଡ଼ ସରକାର:

ମହଙ୍ଗା ଭତ୍ତା ବଢ଼ାଇବାରେ ଆଗରେ ରହିଛି ପଡ଼ୋଶୀ ଛତିଶଗଡ଼ । ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେଓ ରାୟ ଆଜି (ଅକ୍ଟୋବର ୧୬) ରାଜ୍ୟ ସରକାରୀ କର୍ମଚାରୀଙ୍କ ପାଇଁ ୪ ପ୍ରତିଶତ DA ବୃଦ୍ଧି ଘୋଷଣା କରିଛନ୍ତି । ବର୍ଦ୍ଦିତ ମହଙ୍ଗା ଭତ୍ତା ଅକ୍ଟୋବର ୧ ତାରିଖରୁ ଲାଗୁ ହେବ । ଏହି ବୃଦ୍ଧି ପରେ ଛତିଶଗଡ଼ରେ ସରକାରୀ କର୍ମଚାରୀଙ୍କ DA ବେସିକ ପେ' ର ୫୦ ପ୍ରତିଶତରେ ପହଞ୍ଚିଛି ।

ମୋହନ ମାଝୀ ସରକାରଙ୍କ ଉପରେ ନଜର :

ଛତିଶଗଡ଼ ସରକାର ଆଜି ମହଙ୍ଗା ଭତ୍ତା ଘୋଷଣା କରିଥିବା ବେଳେ, ଓଡ଼ିଶାରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସରକାରଙ୍କ ଉପରେ ନଜର ରହିଛି । ୨୦୨୪ ମାର୍ଚ୍ଚରେ ଓଡ଼ିଶାରେ ତତକାଳୀନ ବିଜେଡି ସରକାର ଘୋଷଣା କରିଥିଲେ ମହଙ୍ଗା ଭତ୍ତା । ତତକାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ରାଜ୍ୟ ସରକାର କର୍ମଚାରୀଙ୍କ ପାଇଁ ୪ ପ୍ରତିଶତ ମହଙ୍ଗା ଭତ୍ତା- DA ବଢ଼ାଇଥିବା ବେଳେ, ପେନସନଧାରୀଙ୍କ ପାଇଁ ସମାନ ୪ ପ୍ରତିଶତ ଡିୟରନେସ ରିଲିଫ-DR ଘୋଷଣା କରିଥିଲେ । ୨୦୨୪ ଜାନୁଆରୀରୁ ପିଛିଲା ଭାବେ ଲାଗୁ ହୋଇଥିଲା ମହଙ୍ଗା ଭତ୍ତା ।

ଓଡ଼ିଶାରେ କେବେ DA ଘୋଷଣା ?

୨୦୨୪ ମାର୍ଚ୍ଚ ସୁଦ୍ଧା, ଓଡ଼ିଶାରେ ସରକାରୀ କର୍ମଚାରୀଙ୍କ ସଂଖ୍ୟା ପାଖାପାଖି ୪ ଲକ୍ଷ ୫୦ ହଜାର ଥିଲା । ସେହିପରି ପେନସନଧାରୀଙ୍କ ସଂଖ୍ୟା ୩ ଲକ୍ଷ ୫୦ ହଜାର ଥିଲା । ଗତ ମାର୍ଚ୍ଚରେ ମହଙ୍ଗା ଭତ୍ତା ବଢ଼ିବା ପରେ, ଏହା ବେସିକ ପେ' ର ୫୦ ପ୍ରତିଶତକୁ ବୃଦ୍ଧି ପାଇଥିଲା । ସାଧାରଣତଃ ବର୍ଷକୁ ଦୁଇ ଥର DA ବୃଦ୍ଧି ହେଉଥିବା ବେଳେ, ଦ୍ବିତୀୟ ବୃଦ୍ଧିକୁ ଅନାଇ ବସିଛନ୍ତି ସରକାରୀ କର୍ମଚାରୀ । ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସରକାର, ରାଜ୍ୟ ସରକାରୀ କର୍ମଚାରୀ ଏବଂ ପେନସନଧାରୀଙ୍କୁ କେବେ ଖୁସ୍ କରିବେ ତା ଉପରେ ରହିଛି ସମସ୍ତଙ୍କ ନଜର । ଆଶା କରାଯାଉଥିଲା ଦଶହରା ସମୟରେ ଘୋଷଣା ହେବ । ମାତ୍ର ଦଶହରା ଶେଷ ହୋଇଥିବା ବେଳେ, ଆଗକୁ ଦୀପାବଳି । ତେଣୁ ମହଙ୍ଗା ଭତ୍ତାକୁ ନେଇ ସରକାରୀ କର୍ମଚାରୀଙ୍କ ମଧ୍ୟରେ ବଢୁଛି ଉତ୍କଣ୍ଠା ।

ଗ୍ରାଚୁଇଟି ବଢ଼ାଇ ଥିଲେ ମୋହନ ସରକାର:

ଚଳିତ ମାସରେ ସରକାରୀ କର୍ମଚାରୀଙ୍କ ଗ୍ରାଚୁଇଟି ବଢ଼ାଇଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଅକ୍ଟୋବର ୯ ତାରିଖରେ ଏହି ଘୋଷଣା କରାଯାଇଥିଲା । ଘୋଷଣା ଅନୁସାରେ ରାଜ୍ୟ ସରକାରୀ କର୍ମଚାରୀଙ୍କ ଗ୍ରାଚୁଇଟି ପରିମାଣ ୧୫ ଲକ୍ଷ ଟଙ୍କାରୁ ୨୦ ଲକ୍ଷ ଟଙ୍କାକୁ ବୃଦ୍ଧି ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ । ଗ୍ରାଚୁଇଟି ପରେ ଏବେ ମହଙ୍ଗା ଭତ୍ତାକୁ ଅପେକ୍ଷା କରିଛନ୍ତି ରାଜ୍ୟ ସରକାରଙ୍କ ଅଧିନରେ କାମ କରୁଥିବା ସମସ୍ତ ସରକାରୀ କର୍ମଚାରୀ ।

ମହଙ୍ଗା ଭତ୍ତା ଏବଂ ବୋନସ ସଂପର୍କିତ ଏସବୁ ଖବର ପଢ଼ନ୍ତୁ-

କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର ! ବଢ଼ିପାରେ ମହଙ୍ଗା ଭତ୍ତା, ଓଡ଼ିଶାରେ କେବେ ? - Dearness Allowance Hike

ସରକାରୀ କର୍ମଚାରୀଙ୍କୁ ଖୁସି କରାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଗ୍ରାଚୁଇଟି ୨୦ ଲକ୍ଷ ଟଙ୍କା

୨୦୨୩ରେ ବଢ଼ିଥିଲା ୪%

ଗତବର୍ଷ ଅର୍ଥାତ ୨୦୨୩ ମସିହାରେ ଦଶହରା ସମୟରେ ମହଙ୍ଗା ଭତ୍ତା ବଢ଼ାଇଥିଲେ କେନ୍ଦ୍ର ସରକାର । କେନ୍ଦ୍ରରେ ମୋଦି ସରକାର କେନ୍ଦ୍ରୀୟ ସରକାରୀ କର୍ମଚାରୀଙ୍କ ପାଇଁ ୪ ପ୍ରତିଶତ ମହଙ୍ଗା ଭତ୍ତା-DA ବଢ଼ାଇଥିଲେ । ସେହିପରି ଅବସରପ୍ରାପ୍ତ ସରକାରୀ କର୍ମଚାରୀ ବା ପେନସନଧାରୀଙ୍କ ମହଙ୍ଗା ସହାୟତା (DR) ମଧ୍ୟ 4% ବୃଦ୍ଧି କରିଥିଲେ କେନ୍ଦ୍ର ସରକାର । ଗତବର୍ଶ ୪ ପ୍ରତିଶତ DA ବୃଦ୍ଧି ସହ ଏହା ୪୬ ପ୍ରତିଶତରେ ପହଞ୍ଚିଥିଲା । ପରେ ୨୦୨୪ ମାର୍ଚ୍ଚରେ ଆଉ ୪ ପ୍ରତିଶତ DA ବୃଦ୍ଧି ପରେ ଏହି ପରିମାଣ ୫୦ ପ୍ରତିଶତକୁ ବୃଦ୍ଧି ପାଇଥିଲା ।

କେବେ ବଢ଼ିବ ମହଙ୍ଗା ଭତ୍ତା ?

ଚଳିତ ବର୍ଷ କେନ୍ଦ୍ର ସରକାରଙ୍କ ମହଙ୍ଗା ଭତ୍ତା ଘୋଷଣାକୁ ଅପେକ୍ଷା କରି ରହିଛନ୍ତି ଉଭୟ ସରକାରୀ କର୍ମଚାରୀ ଏବଂ ପେନସନଧାରୀ । ତଥ୍ୟ ଅନୁସାରେ, ଦେଶରେ ପାଖା ପାଥି ୫୨ ଲକ୍ଷ କେନ୍ଦ୍ର କର୍ମଚାରୀ କର୍ମଚାରୀ ଏବଂ ୬୦ ଲକ୍ଷରୁ ଅଧିକ ପେନସନଭୋଗୀ ଅଛନ୍ତି । ଯେଉଁମାନେ କେନ୍ଦ୍ର ସରକାରଙ୍କ ମହଙ୍ଗା ଭକତ୍ତା ଘୋଷଣାକୁ ଅପେକ୍ଷା କରି ବସିଛନ୍ତି ।

ବର୍ଷକୁ ଦୁଇ ଥର ମହଙ୍ଗା ଭତ୍ତା:

ସାଧାରଣତଃ ବର୍ଷକୁ ଦୁଇ ଥର ମହଙ୍ଗା ଭତ୍ତା ବଢ଼ିଥାଏ । କେନ୍ଦ୍ର ସରକାର ସରକାରୀ କର୍ମଚାରୀଙ୍କ ପାଇଁ ମହଙ୍ଗା ଭତ୍ତା ଘୋଷଣା କରିଥାନ୍ତି । ସେହିପରି ରାଜ୍ୟ ସରକାରଗୁଡ଼ିକ ମଧ୍ୟ ରାଜ୍ୟ ସରକାରୀ କର୍ମଚାରୀଙ୍କ ପାଇଁ DA ଘୋଷଣା କରନ୍ତି । ସେହିପରି ପଞ୍ଜିକୃତ ଘରୋଇ କମ୍ପାନୀଗୁଡ଼ିକ ମଧ୍ଯ ନିଜ ନିଜ କର୍ମଚାରୀଙ୍କୁ ମହଙ୍ଗା ଭତ୍ତା ଏବଂ ବୋନସ ପ୍ରଦାନ କରିଥାନ୍ତି ।

ରେଲୱେ କର୍ମଚୀରୀଙ୍କୁ ବୋନସ:

ସରକାରୀ କାର୍ମଚାରୀ ଏବଂ ପେନସନଧାରୀ ମହଙ୍ଗା ଭତ୍ତାକୁ ଅନାଇ ବସିଥିବା ବେଳେ, ଅକ୍ଟୋବର ପ୍ରଥମ ସପ୍ତାହରେ ରେଳବାଇ କର୍ମଚାରୀଙ୍କ ପାଇଁ ବୋନସ ଘୋଷଣା କରି ସାରିଛନ୍ତି କେନ୍ଦ୍ର ସରକାର । ରେଲୱେ କର୍ମଚାରୀଙ୍କ ପାଇଁ ୭୮ ଦିନିଆ ବୋନସ ଘୋଷଣା ସହ ପୂଜା ଭେଟି ଦେଇଥିଲେ କେନ୍ଦ୍ର ସରକାର । ରେଳବାଇ କର୍ମଚାରୀଙ୍କ ପାଇଁ ପ୍ରଡକ୍ଟଭିଟି ଲିଙ୍କଡ୍ ବୋନସ (PLB) ପ୍ରଦାନ କରାଯିବ । ରେଳ କର୍ମଚାରୀମାନେ ୭୮ ଦିନର ବୋନସ ପାଇବେ । ଏଥିରେ ୧୧ ଲକ୍ଷ ୭୨ ହଜାର ୨୪୦ ରେଲୱେ କର୍ମଚାରୀ ଉପକୃତ ହେବେ ।

ଉତ୍ତରପ୍ରଦେଶ ସରକାରଙ୍କ ବୋସନ ଘୋଷଣା:

ଏପଟେ ଉତ୍ତରପ୍ରଦେଶ ସରକାର, ରାଜ୍ୟରେ ୧୪ ଲକ୍ଷ ୮୨ ହଜାର କର୍ମଚାରୀଙ୍କ ପାଇଁ ୭୦୦୦ ଟଙ୍କା ବୋନସ ଘୋଷଣା କରିଛନ୍ତି । ଏହାଛଡ଼ା ରାଜସ୍ଥାନ ସରକାର ୬ ଲକ୍ଷ କର୍ମଚାରୀଙ୍କୁ ଦୀପାବଳିରେ ବୋନସ ଦେବାକୁ ନିଷ୍ପତ୍ତି ନେଇଛି । ଅନ୍ୟପଟରେ ମଧ୍ୟ ପ୍ରଦେଶରେ ୭ ଲକ୍ଷ ସରକାରୀ କର୍ମଚାରୀ, ଏମପି ମୁଖ୍ୟମନ୍ତ୍ରୀ ମୋହନ ଯାଦବଙ୍କ ଘୋଷଣାକୁ ଅପେକ୍ଷା କରି ରହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : 4 hours ago

ABOUT THE AUTHOR

...view details