ଓଡିଶା

odisha

ETV Bharat / state

ବନ୍ଦୀ ସଂଗ୍ରାମୀ ପାଇବେ ପେନସନ ଓ ମେଡ଼ିକାଲ ଖର୍ଚ୍ଚ, ଏମିତି କରନ୍ତୁ ଆବେଦନ - PENSION FOR EMERGENCY DETAINEES

ଦେଶରେ ଜରୁରୀକାଳିନ ପରିସ୍ଥିତିରେ ବନ୍ଦୀ ହୋଇଥିବା ସଂଗ୍ରାମୀଙ୍କ ପାଇଁ ବଡ ଘୋଷଣା କଲେ ମୋହନ ସରକାର । ମିଳିବ 20 ହଜାର ଟଙ୍କାର ପେନସନ ।

PENSION FOR EMERGENCY DETAINEES
PENSION FOR EMERGENCY DETAINEES (ETV Bharat Odisha)

By ETV Bharat Odisha Team

Published : Jan 13, 2025, 8:56 PM IST

ଭୁବନେଶ୍ବର: ମୋହନ ସରକାରଙ୍କ ବଡ଼ ପଦକ୍ଷେପ । ଦେଶରେ ଜରୁରୀକାଳିନ ପରିସ୍ଥିତିରେ ବନ୍ଦୀ ହୋଇଥିବା ସଂଗ୍ରାମୀଙ୍କୁ ମିଳିବ ପେନସନ ଓ ମେଡିକାଲ ଖର୍ଚ୍ଚ । ବନ୍ଦୀ ହୋଇଥିବା ସଂଗ୍ରାମୀଙ୍କୁ ମିଳିବ 20 ହଜାର ଟଙ୍କାର ପେନସନ । ଏହା ବାବଦରେ ସମସ୍ତ ଖର୍ଚ୍ଚ ଓଡିଶା ସରକାର ବହନ କରିବେ । ଏନେଇ ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁଙ୍କ ପକ୍ଷରୁ ଆଜି ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି ।

ଜରୁରୀକାଳିନ ପରିସ୍ଥିତିରେ ବନ୍ଦୀ ହୋଇଥିବା ସଂଗ୍ରାମୀଙ୍କୁ ମିଳିବ ପେନସନ:

ଦେଶର ଜରୁରୀକାଳିନ ପରିସ୍ଥିତିରେ ଆଭ୍ୟନ୍ତରୀଣ ସୁରକ୍ଷା କାର୍ଯ୍ୟର ରକ୍ଷଣାବେକ୍ଷଣ ଆଇନ 1971 ( MISA ), ପ୍ରତିରକ୍ଷା ଭାରତ ନିୟମ (DIR ) ଓ ପ୍ରତିରକ୍ଷା ଏବଂ ଭାରତର ଆଭ୍ୟନ୍ତରୀଣ ସୁରକ୍ଷା ଆଇନ ( DISIR ) ଲାଗୁ ହୋଇଥିଲା । 1975 ମସିହା ଜୁନ 25 ତାରିଖରୁ 1977 ମସିହା ମାର୍ଚ୍ଚ 21 ତାରିଖ ଯାଏଁ ଏହା ରହିଥିଲା । ମିସା, ଡିଆଇଆର ଏବଂ ଡିଆଇଏସଆଇଆର ଆଇନରେ ବିଭିନ୍ନ ଜେଲରେ ବନ୍ଦୀ ଥିବା ସଂଗ୍ରାମୀଙ୍କ ଲାଗି ପଦକ୍ଷେପ ନେଉଛନ୍ତି ଓଡିଶା ସରକାର । ଏହି ସଂଗ୍ରାମୀଙ୍କୁ ମାସକୁ 20 ହଜାର ଟଙ୍କାର ପେନସନ ଦେବା ନେଇ ପ୍ରକ୍ରିୟା ଆରମ୍ଭ ହୋଇଛି ।

ବିଧିବଦ୍ଧ ଭାବେ ବିଜ୍ଞପ୍ତି ସହ ନିୟମାବଳୀ ପ୍ରକାଶ:

ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁଙ୍କ ବିଧିବଦ୍ଧ ଭାବେ ବିଜ୍ଞପ୍ତି ସହ ନିୟମାବଳୀ ପ୍ରକାଶ ପାଇଛି । 12 ସୁତ୍ରୀ ନିୟମ ଅନୁସାରେ, ରାଜ୍ୟରେ ଚଳିତ ବର୍ଷ ଜାନୁଆରୀ 1 ତାରିଖ ସୁଦ୍ଧା ଜୀବିତ ଥିବା ମିସା, ଡିଆଇଆର ଏବଂ ଡିଆଇଏସଆଇଆର ଆଇନରେ ବିଭିନ୍ନ ଜେଲରେ ବନ୍ଦୀ ଥିବା ସଂଗ୍ରାମୀଙ୍କୁ ପେନସନ ମିଳିବ ।

ଏହା ମଧ୍ୟ ପଢନ୍ତୁ-କେନ୍ଦ୍ରର ବଡ଼ ଘୋଷଣା: ଜୁନ ୨୫ରେ 'ସମ୍ବିଧାନ ହତ୍ୟା ଦିବସ', ଦେଶକୁ ସ୍ତବ୍ଧ କରିଥିଲା ସେଦିନର ଘଟଣା - Constitution Murder Day - CONSTITUTION MURDER DAY

ଏହା ମଧ୍ୟ ପଢନ୍ତୁ-୧୯୭୫ ଏମରଜେନ୍ସି: କିଏ ଓ କାହିଁକି ଜାରି କରିଥିଲେ ଜରୁରୀକାଳୀନ ସ୍ଥିତି ? ସ୍ବାଧୀନ ଦେଶରେ ସ୍ବାଧୀନତାରୁ ବଞ୍ଚିତ ହୋଇଥିଲେ ଦେଶବାସୀ

କେମିତି କରିବେ ଆବେଦନ?

ଏନେଇ ଏକ ଆବେଦନ ପତ୍ର ସଂପୃକ୍ତ ଜିଲ୍ଲାପାଳଙ୍କ ନିକଟରେ ଦାଖଲ କରିବେ । ସମ୍ପୂର୍ଣ୍ଣ ତଥ୍ୟ ଓ 3 ଜଣ ଜଣାଶୁଣା ସହଯୋଗୀ ବନ୍ଦୀଙ୍କ ତଥ୍ୟ ଓ ସତ୍ୟପାଠ ଦାଖଲ କରିବାକୁ ପଡିବ । ଆବେଦନ ପତ୍ରରେ ସଠିକ ନାଁ, ଠିକଣା, ଫଟୋ, ଜନ୍ମ ତାରିଖ, ଆଧାର ନମ୍ବର, ବ୍ୟାଙ୍କ ତଥ୍ୟ ଦେବାକୁ ପଡିବ । ଜିଲ୍ଲାପାଳ ଓ ଜିଲ୍ଲା ଏସପିଙ୍କ ନେତୃତ୍ୱରେ ଗଠିତ କମିଟି ଏହାକୁ ତର୍ଜମା କରିବ । ଜିଲ୍ଲାପାଳ ଏହି ତାଲିକାକୁ ଗୃହ ବିଭାଗକୁ ପଠାଇବେ । ଜିଲ୍ଲାପାଳଙ୍କ ପାଖରୁ ଆସିଥିବା ତାଲିକା ଗୃହ ବିଭାଗର ସଚିବ, ଅର୍ଥ ବିଭାଗର ସଚିବ, ଆଇନ ବିଭାଗ ସଚିବ, ଗୃହ ବିଭାଗର ଆର୍ଥିକ ଉପଦେଷ୍ଟା, ପୋଲିସ ଡିଜି, ଜେଲ ଡିଜିଙ୍କୁ ନେଇ ଗଠିତ ରାଜ୍ୟସ୍ତରୀୟ କମିଟିକୁ ଅନୁମୋଦନ ପାଇଁ ଆସିବ । ରାଜ୍ୟସ୍ତରୀୟ କମିଟିରେ ଅନୁମୋଦନ ପରେ ଯୋଗ୍ୟ ବିବେଚିତଙ୍କୁ ସରକାରଙ୍କ ଏହି ସୁବିଧା ଯୋଗାଇ ଦିଆଯିବ । ଯଦି କୌଣସି ବ୍ୟକ୍ତି ମିଥ୍ୟା ତଥ୍ୟ ଦାଖଲ କରି ସୁବିଧା ନେଇଥିବେ, ତାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ।


ପେନସନ ସହ ମିଳିବ ମେଡିକାଲ ଖର୍ଚ୍ଚ:

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପୂର୍ବରୁ ଏ ବିଷୟରେ ଘୋଷଣା କରିଥିଲେ । ଆଜ ଏ ସଂପର୍କରେ ଗୃହ ବିଭାଗ ପକ୍ଷରୁ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି । ପେନସନ ସହିତ ସମସ୍ତ ସଂଗ୍ରାମୀ ମାନଙ୍କ ମେଡିକାଲ ଖର୍ଚ୍ଚ ମଧ୍ୟ ରାଜ୍ୟ ସରକାର ବହନ କରିବେ । 1 ଜାନୁଆରୀ 2025 ସୁଦ୍ଧା ଜୀବିତ ଥିବା ସବୁ ସଂଗ୍ରାମୀ ଏହି ପେନସନ ଓ ଚିକିତ୍ସା ସୁବିଧା ପାଇବେ । 25 ଜୁନ 1975 ମସିହାରୁ 21 ମାର୍ଚ୍ଚ 1977 ମସିହା ପର୍ଯ୍ୟନ୍ତ ଦେଶର ଜରୁରୀ କାଳୀନ ପରିସ୍ଥିତିକୁ ବିରୋଧ କରି ଅନେକ ସଂଗ୍ରାମୀ ଦେଶର ବିଭିନ୍ନ ଜେଲରେ ବନ୍ଦୀ ହୋଇଥିଲେ ।

ରାଜ୍ୟସଭାରେ ପ୍ରଶ୍ନ କରିଥିଲେ ପ୍ରସନ୍ନ ଆଚାର୍ଯ୍ୟ:

ପୂର୍ବରୁ ରାଜ୍ୟସଭାରେ ଏ ପ୍ରସଙ୍ଗ ଉଠାଇଥିଲା ବିଜେଡି । ତତ୍କାଳୀନ ବିଜେଡି ରାଜ୍ୟସଭା ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ଫେବୃଆରୀ ୭, ୨୦୧୮ରେ ରାଜ୍ୟସଭାରେ ଜରୁରୀକାଳିନ ସମୟରେ MISA (ଆଭ୍ୟନ୍ତରୀଣ ସୁରକ୍ଷା ରକ୍ଷଣାବେକ୍ଷଣ ଆଇନ) ଏବଂ DIR (ଭାରତ ପ୍ରତିରକ୍ଷା ଆଇନ)ରେ ବିଭିନ୍ନ ଜେଲରେ ବନ୍ଦୀ ଥିବା ସଂଗ୍ରାମୀଙ୍କ ବିଷୟରେ କେନ୍ଦ୍ର ଗୃହମନ୍ତ୍ରୀଙ୍କୁ ପ୍ରଶ୍ନ କରିଥିଲେ । କେଉଁ ରାଜ୍ୟରୁ କେତେ ସଂଖ୍ୟକ ବନ୍ଦୀ ରହିଥିଲେ ଦୟା କରି କହିବେକି ? ବଞ୍ଚି ରହିଥିବା ସେହି ସଂଗ୍ରାମୀଙ୍କୁ ଆର୍ଥିକ ସହାୟତା ସମେତ କେଉଁ ରାଜ୍ୟ କେଉଁ ପ୍ରକାର ସୁବିଧା ପ୍ରଦାନ କରୁଛି ? ସରକାର ଏପରି କୌଣସି ପ୍ରକାରର ସହାୟତା ଦେବାକୁ ବିଚାର କରିବେ କି, ଯଦି କରିବେ ତେବେ ଏହାର ପ୍ରୋତ୍ସାହନ କ’ଣ ଏବଂ କେବେ ସୁଦ୍ଧା ଏହା କାର୍ଯ୍ୟକାରୀ ହେବା ଉଚିତ ବୋଲି ସେ ରାଜ୍ୟସଭାରେ ପ୍ରଶ୍ନ କରିଥିଲେ ।

କେଉଁ ରାଜ୍ୟରେ କଣ ରହିଛି ବନ୍ଦୀ ହୋଇଥିବା ସଂଗ୍ରାମୀଙ୍କ ପାଇଁ ସୁବିଧା:

ଜରୁରୀକାଳିନ ପରିସ୍ଥିତିରେ ବନ୍ଦୀ ହୋଇଥିବା ସଂଗ୍ରାମୀଙ୍କୁ ମଧ୍ୟପ୍ରଦେଶ ଓ ଛତିଶଗଡରେ ପେନସନ ପ୍ରଦାନ କରାଯାଉଛି । ଉତ୍ତର ପ୍ରଦେଶରେ ମାଗଣା ଚିକିତ୍ସା ସୁବିଧା ଯୋଗାଇ ଦିଆଯାଉଛି । ସରକାରୀ ବସ୍‌ରେ ମାଗଣା ଯାତ୍ରା ପାଇଁ ମଧ୍ୟ ସୁବିଧା ଯୋଗାଇ ଦିଆଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details