ଭୁବନେଶ୍ବର:ଓଏଏସ(OAS) ସ୍ତରରେ ଆଜି ବଡ଼ ଧରଣର ଅଦଳ ବଦଳ କରିଛନ୍ତି ରାଜ୍ୟ ସରକାର । ୩୬ ଜଣ ଓଏଏସଙ୍କ ଦାୟିତ୍ବ ବଦଳାଇବା ସହ ଅତିରିକ୍ତ ଦାୟିତ୍ବ ଦେଇଛନ୍ତି ମୋହନ ସରକାର । ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଜାଣନ୍ତୁ କେଉଁ ଅଫିସର କେଉଁଠିକୁ ବଦଳି ହୋଇଛନ୍ତି ।
କାହାକୁ କେଉଁ ଦାୟିତ୍ବ:
ବିଜ୍ଞପ୍ତି ଅନୁସାରେ, ହସ୍ତତନ୍ତ ଏବଂ ହସ୍ତଶିଳ୍ପ ବିଭାଗର ସ୍ୱତନ୍ତ୍ର ସଚିବ ମଧୁମିତା ରଥଙ୍କୁ ଉତ୍କଳୀକାର ଅତିରିକ୍ତ ଦାୟିତ୍ୱ ମିଳିଛି । ଅନାମ ଚରଣ ପାତ୍ର ହୋଇଛନ୍ତି କଟକ ମହାନଗର ନିଗମ କମିଶନର । ପୂର୍ବରୁ ସେ କଟକ ମହାନଗର ନିଗମର ଅତିରିକ୍ତ କମିଶନର ଥିଲେ । କଟକ ମହାନଗର ନିଗମ ଅତିରିକ୍ତ କମିଶନର ହୋଇଛନ୍ତି କଳ୍ପତରୁ ବେହେରା । ପୂର୍ବତନ ଗ୍ରାମ୍ୟ ଉନ୍ନୟନ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀଙ୍କର ପ୍ରାଇଭେଟ ସେକ୍ରେଟାରୀ ଭାବେ ସେ କାର୍ଯ୍ୟ କରିଥିଲେ । ପୂର୍ବତନ ମହିଳା ଓ ଶିଶୁ ବିକାଶ, ମିଶନ ଶକ୍ତି ମନ୍ତ୍ରୀଙ୍କ ପ୍ରାଇଭେଟ ସେକ୍ରେଟେରୀ ଗୌରହରି ବେହେରାଙ୍କୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅତିରିକ୍ତ ସଚିବ ଭାବେ ନୂଆ ନିଯୁକ୍ତି ମିଳିଛି ।
କିଏ କେଉଁଠିକୁ ବଦଳି:
ସେହିପରି କେନ୍ଦୁଝରର ପୂର୍ବତନ ଅତିରିକ୍ତ ଜିଲ୍ଲାପାଳ ଯଦୁମଣି ମହାଲଙ୍କୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଅତିରିକ୍ତ ସଚିବ ଭାବେ ନିଯୁକ୍ତ କରାଯାଇଛି । କନ୍ଧମାଳ ଜିଲ୍ଲା ପରିଷଦର ସିଡିଓ-କମ-ଇଓ ଥିବା ରତ୍ନାକର ସାହୁଙ୍କୁ ବାଲେଶ୍ୱର ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ଭାବେ ବଦଳି କରାଯାଇଛି । ଯାଜପୁର ଜିଲ୍ଲା କଳିଙ୍ଗନଗରର ଏଡିଏମ ଥିବା ଲଙ୍କେଶ୍ୱର ଅମାତଙ୍କୁ ଭଦ୍ରକ ଏଡିଏମ ଭାବେ ବଦଳି କରାଯାଇଛି । ସୁନ୍ଦରଗଡ଼ ଜିଲ୍ଲା ବଣାଇର ତହସିଲଦାର ଥିବା ଅଶୋକ କୁମାର ଗଡ଼ତିଆଙ୍କୁ ଅତିରିକ୍ତ ଅବକାରୀ କମିଶନର ଭାବେ କଟକକୁ ବଦଳି କରାଯାଇଛି । ମୟୂରଭଞ୍ଜ ଏଡିଏମ ଉଦୟ କୁମାର ମହାପାତ୍ରଙ୍କୁ ଅନୁଗୋଳ ଏଡିଏମ ଭାବେ ବଦଳି କରାଯାଇଛି ।
କିଏ ହେଲେ ଗୃହ ବିଭାଗର ଯୁଗ୍ମ ସଚିବ:
ସେହିପରି କୃଷି ବିଭାଗର ଯୁଗ୍ମ ସଚିବ ଥିବା ଦରିଦ୍ରଭଞ୍ଜନ ପାତ୍ର ବାଲେଶ୍ଵର-ମୟୂରଭଞ୍ଜର ସେଟେଲମେଣ୍ଟ ଅଧିକାରୀ ଭାବେ ନିଯୁକ୍ତି ପାଇଛନ୍ତି । ପୂର୍ତ୍ତ ବିଭାଗର ଯୁଗ୍ମ ସଚିବ ଭାବେ ନିଯୁକ୍ତି ପାଇଛନ୍ତି ଦୀପ୍ତି ରଞ୍ଜନ ବେହେରା । ବାଲେଶ୍ଵରର ଅତିରିକ୍ତ ଜିଲ୍ଲାପାଳ ଥିବା ନିରଞ୍ଜନ ବେହେରାଙ୍କୁ ଜଗତସିଂହପୁରର ଅତିରିକ୍ତ ଜିଲ୍ଲାପାଳ ଭାବେ ନିଯୁକ୍ତି ମିଳିଛି । ଜଗତସିଂହପୁରର ଅତିରିକ୍ତ ଜିଲ୍ଲାପାଳ ଥିବା ଲଳିତ ମୋହନ ବେହେରାଙ୍କୁ ଢେଙ୍କାନାଳ ଜିଲ୍ଲା ପରିଷଦର ସିଡିଓ-କମ-ଇଓ ଭାବେ ନିଯୁକ୍ତି ଦିଆଯାଇଛି । ଓସେପାର ଯୁଗ୍ମ ନିର୍ଦ୍ଦେଶକ ଥିବା ସରୋଜ କୁମାର ବେହେରାଙ୍କୁ ଏସସି ଏବଂ ଏସଟି ବିଭାଗର ଯୁଗ୍ମ ସଚିବ ଭାବେ ନିଯୁକ୍ତି ମିଳିଛି । ଶରତ ଚନ୍ଦ୍ର ମହାପାତ୍ରଙ୍କୁ ଗୃହ ବିଭାଗର ଯୁଗ୍ମ ସଚିବ ଭାବେ ସରକାର ନିଯୁକ୍ତି ଦେଇଛନ୍ତି ।