ଝାରସୁଗୁଡ଼ା: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୋସିଆଲ ମିଡ଼ିଆ ମିଛ ପ୍ରଚାର କରୁଥିବା ଅଭିଯୋଗ ଆଣିଲେ ମହେନ୍ଦ୍ର ନାଏକ । ଓଡିଶା ଗୋଣ୍ଡ ମହାସଭାର ସଭାପତି ମହେନ୍ଦ୍ର ନାୟକ ବିଜେପିରେ ସାମିଲ ହେବା ନେଇ ଧର୍ମେନ୍ଦ୍ର ନିଜ ସୋସିଆଲ ମିଡ଼ିଆରେ ପୋଷ୍ଟ କରିଛନ୍ତି । ହେଲେ ଏହି ଘଟଣାକୁ ସମ୍ପୂର୍ଣ୍ଣ ଖଣ୍ଡନ କରିଛନ୍ତି ମହେନ୍ଦ୍ର । ଏନେଇ ଆଜି ଗୋଣ୍ଡୱାନା ଭବନ କାପୁମାଲ ଠାରେ ସାମ୍ବାଦିକ ସମ୍ମିଳନୀ ଧର୍ମେନ୍ଦ୍ର ପ୍ରଧାନ କ୍ଷମା ପ୍ରାର୍ଥନା କରନ୍ତୁ ବୋଲି କହିଛନ୍ତି ସେ ।
ସେ କହିଛନ୍ତି," ମୁଁ ବିଜେପିରେ ସାମିଲ ହୋଇଥିବା ନେଇ ଧର୍ମେନ୍ଦ୍ର ପ୍ରଧାନ କରିଥିବା ଟ୍ୱିଟ୍ ସଂପୂର୍ଣ୍ଣ ମିଛ । ସେ କାହିଁକି ମୋତେ ନେଇ ଏଭଳି ଡାହା ମିଛ କହିଲେ ଜାଣିପାରୁନାହିଁ । ଲାଗୁଛି, ନିର୍ବାଚନ ହାରିବା ଭୟରେ ସେ ସଂପୂର୍ଣ୍ଣ ବ୍ୟତିବ୍ୟସ୍ତ ହୋଇଗଲେଣି । ମୁଁ କେବେ ବି ବିଜେପିରେ ନାହିଁ, କିମ୍ବା ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ନାହିଁ । ମୋତେ ନେଇ ଏଭଳି ଅପପ୍ରଚାର କରିଥିବାରୁ ସେ ତୁରନ୍ତ କ୍ଷମା ପ୍ରାର୍ଥନା କରନ୍ତୁ ।"ସେପଟେ ଧର୍ମେନ୍ଦ୍ର ପ୍ରଧାନ ନିଜର ସୋସିଆଲ ମିଡିଆରେ ସଂସୋଧନ କରିଥିବା ଦେଖିବାକୁ ମିଳିଛି ।
ସେ ଆହୁରି ମଧ୍ୟ କହିଛନ୍ତି ଯେ, ରାଜନୈତିକ ଦଳମାନେ ନିରିହ ଆଦିବାସୀଙ୍କୁ ଭୁଲେଇ ଭୋଟ ନେବା ପାଇଁ ବିଭିନ୍ନ ମିଛ ପ୍ରତିଶୃତି ଦେଇଥାନ୍ତି । ବର୍ତ୍ତମାନ ସାଧାରଣ ନିର୍ବାଚନରେ ମଧ୍ୟ ତାହା ପ୍ରତିଫଳନ ହେଉଥିବା ଦେଖାଯାଉଛି । ଝାରସୁଗୁଡା ଜିଲ୍ଲାର ଲଇକେରା ଓ କିର୍ମିରା ବ୍ଲକ ଦ୍ୱୟ ଆଇଟିଡିଏର ଅନ୍ତର୍ଭୁକ୍ତ ହେବା ପାଇଁ ୨୦୧୧ ମସିହା ଜନଗଣନା ଠାରୁ ବିଧି ଅନୁଯାଇ ହେବା କଥା । ହେଲେ ରାଜ୍ୟରେ ତିନୋଟି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଓ ଦୁଇଟି ସାଧାରଣ ନିର୍ବାଚନ ସରିଯାଇଥିବା ବେଳେ ବର୍ତ୍ତମାନ ସାଧାରଣ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇଛି । ଓଡ଼ିଶାର ବିଧାନସଭା ସହିତ ଲୋକସଭା ନିର୍ବାଚନ ହେଉଛି । ଏହି ସମୟରେ ନିରିହ ଆଦିବାସୀଙ୍କ ଭୋଟ ହାତେବାକୁ ବିଜେପିର ପ୍ରାର୍ଥୀ ବାରମ୍ବାର ମିଛ ପ୍ରତିଶୃତି ଦେଉଛନ୍ତି ।
ଲଇକେରା ଓ କିର୍ମିରା ବ୍ଲକର ବିଧିବଦ୍ଧ ପ୍ରସ୍ତାବ ରାଜ୍ୟ ସରକାର ୨୦୧୭ ମସିହା ନଭେମ୍ବର ୬ ତାରିଖରୁ କେନ୍ଦ୍ର ସରକାରଙ୍କୁ ପଠେଇ ଥିଲେ । ସମ୍ମିଳିତ ଆଦିବାସୀ ସମାଜର ପ୍ରତିନିଧି ମାନେ 10ରୁ 12 ଥର ଦିଲ୍ଲୀ ଆଇଟିଡିଏରେ ଅନ୍ତର୍ଭୁକ୍ତ କରିବା ପାଇଁ ଦାବି ଜଣାଇଥିଲେ । କେନ୍ଦ୍ରର ତତ୍କାଳୀନ ଆଦିବାସୀ ବ୍ୟାପାର ମନ୍ତ୍ରୀ ଓଡିଶା ରାଜ୍ୟରୁ ନିର୍ବାଚିତ ହୋଇଥିଲେ ମଧ୍ୟ ଜୁଏଲ ଓରାମ ରାଜ୍ୟର ପ୍ରସ୍ତାବକୁ ଅନୁମୋଦନ ନକରି ଏହି ଅଞ୍ଚଳର ଆଦିବାସୀ ମାନଙ୍କୁ ପ୍ରତାରଣା କରିଥିଲେ । ପରବର୍ତ୍ତୀ କେନ୍ଦ୍ର ସରକାରରେ ଆଦିବାସୀ ବ୍ୟାପାର ମନ୍ତ୍ରୀ ଅର୍ଜୁନ ମୁଣ୍ଡା, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତଥା ରାଷ୍ଟ୍ରପତିଙ୍କୁ ବାରମ୍ବାର ସାକ୍ଷାତ କରି ଜଣେଇବା ସହିତ ଓଡ଼ିଶାର ସମସ୍ତ ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ମଧ୍ୟ ବାରମ୍ବାର ସାକ୍ଷାତ କରି ସମ୍ମିଳିତ ଆଦିବାସୀ ସମାଜ ଜଣାଇଥିଲା ହେଲେ କୌଣସି ସୁଫଳ ମିଳିନଥିଲା ।