ଭୁବନେଶ୍ବର:ରାଜ୍ୟରେ ଦିନକ ପରେ ଶେଷ ପର୍ଯ୍ୟାୟ ଲଢେଇ । ଏହା ପୂର୍ବରୁ ରାଜ୍ୟର ଦୁଇ ପ୍ରମୁଖ ଦଳ ମଧ୍ୟରେ ଲାଗି ରହିଛି ଆରୋପ ପ୍ରତ୍ୟାରୋପ ରାଜନୀତି । ଏହି କ୍ରମରେ ବିଜେଡିର ଏକ ଟିମ ପୁଣି ସିଇଓଙ୍କ ଆଗରେ ଫେରାଦ ହୋଇଛନ୍ତି । ଭୋଟରଙ୍କୁ ପ୍ରଭାବିତ କରିବାକୁ ବିଜେପି କରୁଛି ଅନ୍ଧାରୀ ବିଜେ । ଏଥିପାଇଁ ବିଜେପି ନିୟୋଜିତ କରିଛି ଉତ୍ତର ପ୍ରଦେଶର ଗ୍ୟାଙ୍ଗ । ସୁଭଦ୍ରା ଯୋଜନା ନାଁ'ରେ ମହିଳାଙ୍କୁ ଭୂତାଉଛି ରଜନୀ ତୋମାରଙ୍କ ନେତୃତ୍ବରେ ଉତ୍ତର ପ୍ରଦେଶର ଏହି ଗ୍ୟାଙ୍ଗ । ଯାହା ମୁକ୍ତ ଅବାଧ ଓ ନିରପେକ୍ଷ ନିର୍ବାଚନରେ ବାଧା ସୃଷ୍ଟି କରୁଛି । ଏଭଳି ଅଭିଯୋଗ କରି ଆଜି (ଗୁରୁବାର) ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଛି ବିଜେଡିର ଏକ ପ୍ରତିନିଧି ଦଳ ।
ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିବା ପରେ ବିଜେଡି ମୁଖପାତ୍ର ମଧୁସ୍ମିତା ନାୟକ କହିଛନ୍ତି, "ନିର୍ବାଚନ ବୈତରଣୀ ପାର ହେବା ଲାଗି ବିଜେପି ଭୋଟରଙ୍କୁ ପ୍ରଭାବିତ କରିବାକୁ ଶେଷ ଆୟୁଧ କରିଛି । ଓଡ଼ିଶାରେ ମା'ଙ୍କ ସମର୍ଥନ କମ ପଡିବାରୁ ବିଜେପି ଉତ୍ତର ପ୍ରଦେଶରୁ ମହିଳାଙ୍କୁ ଆଣିଛନ୍ତି । ଉତ୍ତର ପ୍ରଦେଶରୁ ଆସିଛନ୍ତି 15 ଜଣିଆ ମହିଳା ଗ୍ୟାଙ୍ଗ । ଏହି ଗ୍ୟାଙ୍ଗର ନେତୃତ୍ବ ନେଉଛନ୍ତି ରଜନୀ ତୋମାର । ରାଜନଗର ନିର୍ବାଚନ ମଣ୍ଡଳୀର ଭିତରଗଡ଼ ପଞ୍ଚାୟତରେ ମହିଳାଙ୍କୁ ଏହି ଗ୍ୟାଙ୍ଗ ପ୍ରଲୋଭିତ କରୁଛନ୍ତି । ଉତ୍ତର ପ୍ରଦେଶରେ ବିଜେପି ସରକାରରେ ଥାଇ ସୁଭଦ୍ରା ଯୋଜନାରେ ମା'ଙ୍କୁ 50 ହଜାର ଟଙ୍କା ଦେଉଛୁ ବୋଲି କହି ଭୂତାଉଛନ୍ତି ଏହି ଗ୍ୟାଙ୍ଗ ସଦସ୍ୟ । ଭିତରଗଡ଼ ପଞ୍ଚାୟତର ମହିଳାଙ୍କ ବ୍ୟାଙ୍କ ସୂଚନା ନେଇ ସେମାନଙ୍କୁ ପ୍ରଲୋଭିତ କରୁଛନ୍ତି ।"