ଓଡିଶା

odisha

ETV Bharat / state

ଡେଣ୍ଟାଲ ସର୍ଜନ ନିଯୁକ୍ତି ମାମଲା: OPSC କର୍ତ୍ତୃପକ୍ଷ ହାଜର, ପ୍ରତିପକ୍ଷଙ୍କୁ ଜବାବ ମାଗିଲେ ହାଇକୋର୍ଟ - DENTAL SURGEON

11ଜଣଙ୍କ ନାଁ ସୁପାରିଶକୁ ପ୍ରତ୍ୟାହାର ପାଇଁ ‘ଓପିଏସସି’ ପକ୍ଷରୁ କୋର୍ଟରେ ଆବେଦନ । ‘ଓପିଏସସି’ର ହାଜର ପରେ ପ୍ରତିପକ୍ଷଙ୍କୁ ଜବାବ ମାଗିଲେ କୋର୍ଟ ।

ଡେଣ୍ଟାଲ ସର୍ଜନ ନିଯୁକ୍ତି ମାମଲା
ଡେଣ୍ଟାଲ ସର୍ଜନ ନିଯୁକ୍ତି ମାମଲା (ETV Bharat odisha)

By ETV Bharat Odisha Team

Published : Nov 29, 2024, 3:41 PM IST

କଟକ:ହାଇକୋର୍ଟରେ ଡେଣ୍ଟାଲ ସର୍ଜନ ନିଯୁକ୍ତି ଅନିୟମିତତା ମାମଲାରେ ବ୍ୟକ୍ତିଗତ ଭାବେ ହାଜର ହୋଇଛନ୍ତି ଓଡିଶା ଲୋକସେବା ଆୟୋଗ (ଓପିଏସସି) ସଚିବ । ପୂର୍ବ ମେଧା ତାଲିକା ଅନୁଯାୟୀ କମ୍‌ ମାର୍କ ରଖି 11 ଜଣ ନିଯୁକ୍ତି ପାଇଥିବା ନେଇ ଓପିଏସସି ପକ୍ଷରୁ ସତ୍ୟପାଠ ଦାଖଲ କରାଯାଇଛି । ସେହି 11ଜଣଙ୍କ ନାଁ ସୁପାରିଶକୁ ପ୍ରତ୍ୟାହାର ପାଇଁ ‘ଓପିଏସସି’ ପକ୍ଷରୁ କୋର୍ଟରେ ଆବେଦନ କରାଯାଇଛି । ଏହି ମାମଲାର ଶୁଣାଣି କରି ଅଦାଲତ, ଏହା ଉପରେ ଜବାବ ଦାଖଲ ପାଇଁ ପ୍ରତିପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ତେବେ, ଆସନ୍ତାମାସ (ଡିସେମ୍ବର) 16 ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ କୋର୍ଟ ଦିନ ଧାର୍ଯ୍ୟ କରିଛନ୍ତି ।

  • ପୂର୍ବରୁ ହାଜର ହୋଇଥିଲେ ‘ଓପିଏସସି’ ସଚିବ:-

ଏହି ମାମଲାରେ ହାଇକୋର୍ଟରେ ପୂର୍ବରୁ ମଧ୍ୟ ବ୍ୟକ୍ତିଗତ ଭାବେ ହାଜର ହୋଇଥିଲେ ‘ଓପିଏସସି’ ସଚିବ । ଏଥିସହ ସେ ସଂଶୋଧିତ ମେଧା ତାଲିକା ମଧ୍ୟ କୋର୍ଟରେ ଦାଖଲ କରିଥିଲେ । ତେବେ ଏହି ସମ୍ପର୍କିତ ମାମଲାର ଶୁଣାଣି କରି ୱେବ-ସାଇଟରେ ପ୍ରଦର୍ଶନ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ । ୨୪ ଘଣ୍ଟା ମଧ୍ୟରେ ‘ଓପିଏସସି’ ୱେବ ସାଇଟରେ ପ୍ରଦର୍ଶନ କରିବା ସହ ପୂର୍ବ ତାଲିକା ଅନୁଯାୟୀ କାହାକୁ ନିଯୁକ୍ତି ଦିଆଯାଇଛି କି ନାହିଁ, ସେନେଇ ମଧ୍ୟ କୋର୍ଟ ଆୟୋଗ ଠାରୁ ତଥ୍ୟ ଲୋଡି ଲୋଡିଥିଲେ ।

  • କାହିଁକି ଏହି ମାମଲା ହାଇକୋର୍ଟକୁ ଆସିଥିଲା !

ବର୍ଷ ୨୦୧୭-୧୮ରେ ‘ଓପିଏସ୍‌ସି’ ପକ୍ଷରୁ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅଧୀନରେ ଓଡ଼ିଶା ମେଡିକାଲ୍‌ ସର୍ଭିସେସ୍ (ଡେଣ୍ଟାଲ୍‌) କ୍ୟାଡର୍‌ ଗ୍ରୁପ-କ (ଜୁନିୟର୍‌) ଡେଣ୍ଟାଲ୍‌ ସର୍ଜନ୍‌ ପଦରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ମୋଟ ୧୯୮ ଟି ଡେଣ୍ଟାଲ୍‌ ସର୍ଜନ୍‌ ପଦ ପୂରଣ ପାଇଁ ଏହି ବିଜ୍ଞପ୍ତି ପ୍ରକାଶ ପାଇଥିଲା । ନିଯୁକ୍ତି ପ୍ରକ୍ରିୟାର ଚୂଡାନ୍ତ ଫଳ ପ୍ରକାଶ ପରେ ୨୦୧୮ ମସିହା ଅଗଷ୍ଟ ୯ ତାରିଖରେ ୧୭୧ ଜଣ ପ୍ରାର୍ଥୀଙ୍କ ନାମ ‘ଓପିଏସସି’ ସୁପାରିସ କରିଥିଲା । ଏହି ଅନୁମୋଦନ କ୍ରମେ ରାଜ୍ୟ ସରକାରଙ୍କ ତରଫରୁ ଡେଣ୍ଟାଲ୍‌ ସର୍ଜନ୍‌ ପଦରେ ନିଯୁକ୍ତି ପ୍ରଦାନ କରାଯାଇଥିଲା । କିନ୍ତୁ ନିଯୁକ୍ତି ପରୀକ୍ଷାରେ ପ୍ରଶ୍ନର ଦିଆଯାଇଥିବା ସମ୍ଭାବ୍ୟ ଉତ୍ତର (କି-ଆନସାର୍‌) ଭୁଲ୍‌ ଥିବା ଅଭିଯୋଗ ହୋଇଥିଲା । କେତେକ ଆଶାୟୀ ପ୍ରାର୍ଥୀ ଏନେଇ ‘ଓପିଏସ୍‌ସି’ ନିକଟରେ ଲଖିତ ଅଭିଯୋଗ କରିଥିଲେ । ‘ଓପିଏସ୍‌ସି’ ଏକ ବିଶେଷଜ୍ଞ କମିଟି ଗଠନ କରିଥିଲେ ସୁଦ୍ଧା, ପରବର୍ତ୍ତୀ ସମୟରେ ‌ଅଦାଲତରେ ମାମଲା ରୁଜୁ ହୋଇଥିଲା ।

ଏହା ମଧ୍ୟ ପଢନ୍ତୁ:- ଡେଣ୍ଟାଲ ସର୍ଜନ ନିଯୁକ୍ତି: OPSC ଉପରେ ବର୍ଷିଲେ ହାଇକୋର୍ଟ

ହାଇକୋର୍ଟରେ ଡେଣ୍ଟାଲ ସର୍ଜନ ନିଯୁକ୍ତି ପ୍ରସଙ୍ଗ, ପ୍ରତିପକ୍ଷଙ୍କୁ ଜବାବ ତଲବ କଲେ କୋର୍ଟ

ମହିଳା କମିଶନ ସଦସ୍ୟଙ୍କୁ ବରଖାସ୍ତ ମାମଲା, ରାଜ୍ୟ ସରକାରଙ୍କୁ ଜବାବ ମାଗିଲେ ହାଇକୋର୍ଟ


୨୦୧୮ ମସିହା ଅକ୍ଟୋବର ୫ ତାରିଖରେ ବିଶେଷଜ୍ଞ କମିଟି, ଉକ୍ତ ପରୀକ୍ଷାରେ ୧୨ଟି ଉତ୍ତର (କି-ଆନସାର୍‌) ଭୁଲ ଥିବା ନେଇ ଦାଖଲ ରିପୋର୍ଟରେ ଉଲ୍ଲେଖ କରିଥିଲା । ଏହାପରେ ‘ଓପିଏସସି’ ପକ୍ଷରୁ ସମସ୍ତ ପ୍ରାର୍ଥୀଙ୍କ ଖାତାର ପୁନଃମୂଲ୍ୟାୟନ କରାଯାଇ ମାର୍କରେ ସଂଶୋଧନ କରାଯାଇଥିଲା । ‘ଓପିଏସସି’ ଅନୁମୋଦନ ଆଧାରରେ ନିଯୁକ୍ତି ପାଇଥିବା ପ୍ରାର୍ଥୀଙ୍କ ସହିତ ଅନ୍ୟ ପ୍ରାର୍ଥୀଙ୍କ ମାର୍କ ସଂଶୋଧନ କରାଯାଇଥିଲା । ସଂ‌ଶୋଧନ ପରେ ନିଯୁକ୍ତିରୁ ବାଦ୍ ପଡ଼ିଥିବା କେତେକ ପ୍ରାର୍ଥୀଙ୍କ ମାର୍କ ଠାରୁ କମ୍ ମାର୍କ ରଖିଥିବା ପ୍ରାର୍ଥୀଙ୍କ ନାମ ‘ଓପିଏସ୍‌ସି’ ଅନୁମୋଦନ କରିଥିବା ଓ ଏପରି କମ୍ ମାର୍କ ରଖିଥିବା ପ୍ରାର୍ଥୀ ନିଯୁକ୍ତି ପାଇ ଚାକିରି କରୁଥିବା ସ୍ପଷ୍ଟ ହୋଇଥିଲା ।ଏବେ ଏହି ମାମଲାରେ ଆୟୋଗ କାର୍ଯ୍ୟକର୍ତ୍ତା ହାଇକୋର୍ଟରେ ବ୍ୟକ୍ତିଗତ ଭାବେ ହଜାର ହୋଇସାରିଛନ୍ତି । 16 ତାରିଖ ଶୁଣାଣିରେ କୋର୍ଟ ଗୁରୁତ୍ବପୂର୍ଣ୍ଣ ରାୟ ପ୍ରକାଶ ପାଇପାରେ ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details