କେନ୍ଦୁଝର: "ଜିଲ୍ଲାର ବିକାଶ ପାଇଁ ବହୁ ଦିନର ଦାବି ବୃହତ୍ ଇସ୍ପାତ କାରଖାନା ନିଶ୍ଚିତ ଭାବରେ ପ୍ରତିଷ୍ଠା ହେବ । ଏଥିପାଇଁ ଜିଲ୍ଲାବାସୀଙ୍କୁ ଏକତ୍ରିତ ହୋଇ ସହଯୋଗ କରିବାକୁ ଅନୁରୋଧ । ୨୦୪୭ ସୁଦ୍ଧା ପ୍ରଧାନମନ୍ତ୍ରୀ ଆହ୍ବାନ ଦେଇଥିବା ବିକଶିତ ଭାରତ ଲକ୍ଷ୍ୟରେ ଓଡ଼ିଶା ଏକ ନମ୍ୱର୍ ହେବ ।" ଶୁକ୍ରବାର ୩ ଦିନିଆ ନିଜ ଜିଲ୍ଲା କେନ୍ଦୁଝର ଗସ୍ତ ଅବସରରେ, କେନ୍ଦୁଝର ଅଡିଟୋରିୟମ ଠାରେ ଅନୁଷ୍ଠିତ ଲାଇଫ ସେଭର୍ଶ ଗ୍ରୁପ ଟ୍ରଷ୍ଟ ଦ୍ଵାରା ଆୟୋଜିତ ତୃତୀୟ ବାର୍ଷିକ ଉତ୍ସବରେ ଯୋଗ ଦେଇ ଏଭଳି ଦୃଢୋକ୍ତି ପ୍ରକାଶ କରିଥିଲେ ମୋହନ ଚରଣ ମାଝୀ। ଏହାପରେ ଜୟ କେନ୍ଦୁଝର ସ୍ଲୋଗାନ ଦେଇଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ତାଙ୍କ ସ୍ଲୋଗାନ ପରେ ଅଡିଟୋରିୟମରେ ମଧ୍ୟ ଜୟ କେନ୍ଦୁଝର ନାରା କମ୍ପି ଉଠିଥିଲା । କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ବାନରେ ମା’ଙ୍କ ପାଇଁ ଗଛଟିଏ ଲଗାଇବା ପାଇଁ ଆହ୍ବାନ ଦେଇଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।
3 ଦିନିଆ କେନ୍ଦୁଝର ଗସ୍ତରେ ମୁଖ୍ୟମନ୍ତ୍ରୀ:
ଆଜି ତିନି ଦିନିଆ କେନ୍ଦୁଝର ଜିଲ୍ଲା ଗ୍ରସ୍ତରେ ଆସି ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ସ୍ଥାନୀୟ ରାଇସୁଆଁ ଏଆରଷ୍ଟ୍ରିପ ଠାରେ ପହଞ୍ଚିବା ପରେ ପୋଲିସ ପକ୍ଷର ତାଙ୍କୁ ଗାର୍ଡ ଅଫ ଅନର ପ୍ରଦାନ କରାଯାଇଥିଲା । ପରେ ଏକ ହଜାରରୁ ଊର୍ଦ୍ଧ୍ବ ବିଜେପି ଯୁବ ମୋର୍ଚ୍ଚା କର୍ମୀ ଏକ ବିରାଟ ଶୋଭାଯାତ୍ରାରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ସମ୍ବର୍ଦ୍ଧନା ଜଣାଇ ରାଇସୁଆଁରୁ କେନ୍ଦୁଝର ଅଡିଟୋରିୟମକୁ ଆଣିଥିଲେ । କେନ୍ଦୁଝର ଅଡିଟୋରିୟମ ଠାରେ ଅନୁଷ୍ଠିତ ଲାଇଫ ସେଭର୍ଶ ଗ୍ରୁପ ଟ୍ରଷ୍ଟ ଦ୍ଵାରା ଆୟୋଜିତ ତୃତୀୟ ବାର୍ଷିକ ଉତ୍ସବରେ ଯୋଗ ଦେଇଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।
କେନ୍ଦୁଝର ମାଟି କେବଳ ଦେଇ ଶିଖିଛି:
ତାଙ୍କ ସହ କେନ୍ଦୁଝର ସାଂସଦ ଅନନ୍ତ ନାୟକ, କୋରେଇ ବିଧାୟକ ଆକାଶ ଦାସ ନାୟକ, ତେଲକୋଇ ବିଧାୟକ ଡ଼ ଫକୀର ମୋହନ ନାୟକ, ପାଟଣା ବିଧାୟକ ଅଖିଳ ନାଏକ, କେନ୍ଦୁଝରଗଡ ପୌରପାଳିକା ଅଧ୍ୟକ୍ଷା ନିକୁ ସାହୁ ଓ ଜିଲ୍ଲାପାଳ ସମ୍ମାନୀୟ ଅତିଥି ଭାବେ ଯୋଗ ଦେଇଥିଲେ । ଏହାପରେ କାର୍ଯ୍ୟକ୍ରମରେ ଅଭିଭାଷଣ ଦେଇ ସାଂସଦ ଅନନ୍ତ ନାୟକ ଜିଲ୍ଲାର ବିକାଶରେ ମୋହନ ମାଝୀଙ୍କ ଅବଦାନକୁ ମନେ ପକେଇବା ସହ କଂଗ୍ରେସ ଦଳ ପକ୍ଷରୁ କଳା ପତାକା ପ୍ରଦର୍ଶନକୁ ଘୋର ନିନ୍ଦା କରିଥିଲେ । ସିନେ ଅଭିନେତା ତଥା କୋରେଇ ବିଧାୟକ ଆକାଶ ଦାସ ନାୟକ କେନ୍ଦୁଝର ମାଟି କେବଳ ଦେଇ ଶିଖିଛି । ଏହାର ମାଟିର ଅବଦାନ ଅତୁଳନୀୟ ବୋଲି ପ୍ରକାଶ କରିଥିଲେ ଆକାଶ ଦାସ ନାୟକ । ସେହିପରି ତେଲକୋଇ ଓ ପାଟଣା ବିଧାୟକ ସାଧାରଣ ଲୋକଙ୍କ ସହ ମୋହନ ସରକାର ସବୁବେଳେ ଥିବା ନେଇ ନିଜ ଅଭିଭାଷଣ ପ୍ରଦାନ କରିଥିଲେ ।