ନୟାଗଡ଼: ଗ୍ରାଉଣ୍ଡ ଜିରୋରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଫସଲ କ୍ଷୟକ୍ଷତି ପରଖିବାକୁ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ । ବିଲକୁ ଓହ୍ଲାଇ ଚାଷୀଙ୍କ ସହ ସିଧାସଳଖ ଆଲୋଚନା କରିଛନ୍ତି । ଲଗାଣ ବର୍ଷାରେ ବ୍ୟାପକ ଧାନ ଫସଲ ନଷ୍ଟ ହୋଇଥିବାବେଳେ ନୟାଗଡ଼ ରଣପୁରରେ ପହଞ୍ଚି ଚାଷୀମାନଙ୍କ ସହ ଜମିକୁ ଯାଇ ଏହାର ସ୍ଥିତି ପରଖିଛନ୍ତି ମୁଖ୍ୟମନ୍ତ୍ରୀ । ମୋହନଙ୍କ ସହ ବାଚସ୍ପତି ସୁରମା ପାଢ଼ୀ ଓ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ମଧ୍ୟ ଉପସ୍ଥିତ ଥିଲେ । ନୟାଗଡ଼ ପରେ ଗଜପତି ଜିଲ୍ଲାରେ ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ ।
ନୟାଗଡ଼ରେ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା:
ଅଦିନିଆ ଲଗାଣ ବର୍ଷାରେ ଚାଷୀମାନଙ୍କ ଧାନ ଫସଲ ନଷ୍ଟ ହୋଇଛି । ଏପରିକି ଧାନ ଫସଲଗୁଡିକ ଗଜା ହୋଇଯାଇଛି । ଚାଷୀମାନେ ଧାର କରଜ କରି ଚାଷ କାର୍ଯ୍ୟ କରିଥିବା ବେଳେ ଧାନ ଫସଲ ବର୍ଷାରେ ନଷ୍ଟ ହୋଇ ଚାଷ ଜମିରେ ଗଜା ହେବା ବୋଝ ଉପରେ ନଳିତା ବିଡା ସଦୃଶ ହୋଇଥିଲା । ପ୍ରଥମେ ବାଚସ୍ପତି ତଥା ରଣପୁର ବିଧାୟିକା ସୁରମା ପାଢ଼ୀଙ୍କ ସମେତ କୃଷକ ଯୁବ ମୋର୍ଚ୍ଚା, ବ୍ଲକ ଅଧ୍ୟକ୍ଷା କୃଷକମାନଙ୍କ ସହିତ ଆଲୋଚନା କରି ଜମିକୁ ଯାଇ ସ୍ଥିତି ଅନୁଧ୍ୟାନ କରିଥିଲେ । ଆଜି (ରବିବାର) ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରଣପୁର ବ୍ଲକକୁ ଆସି ସିଧାସଳଖ ଚାଷୀମାନଙ୍କ ସହ ଆଲୋଚନା କରିଛନ୍ତି l ସ୍ଥିତି ଅନୁଧ୍ୟାନ କରି କ୍ଷୟ କ୍ଷତିର ଆକଳନ କରିଛନ୍ତି ।