ରାଇରଙ୍ଗପୁର:ମହିଳାଙ୍କ ଆକାଉଣ୍ଟକୁ ଆଜି ଆସିଲା ସୁଭଦ୍ରା ଟଙ୍କା । ୩୫ ଲକ୍ଷ ମହିଳାଙ୍କୁ ମିଳିଛି ସୁଭଦ୍ରା ଯୋଜନା ଟଙ୍କା । ପ୍ରଥମ କିସ୍ତିର ଦ୍ବିତୀୟ ପର୍ଯ୍ୟୟ ଟଙ୍କା ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ତେବେ ପ୍ରଥମ ପର୍ଯ୍ୟାୟରେ ୨୫ ଲକ୍ଷ ୧୧ ହଜାର ମହିଳାଙ୍କୁ ସୁଭଦ୍ରା ଟଙ୍କା ମିଳିଥିବା ବେଳେ ଆଜି ଦ୍ଵିତୀୟ ପର୍ଯ୍ୟାୟରେ ୩୫ ଲକ୍ଷରୁ ଅଧିକ ମହିଳାଙ୍କ ଖାତାକୁ ୧୭୫୦ କୋଟି ଟଙ୍କା ପ୍ରଦାନ କରାଯାଇଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଆମ ସରକାର ଯାହା ପ୍ରତିଶ୍ରୁତି ଦିଏ, ତାକୁ ଅକ୍ଷରେ ଅକ୍ଷରେ ପାଳନ କରେ ।
୩୫ ଲକ୍ଷ ମହିଳାଙ୍କୁ ସୁଭଦ୍ରା ଟଙ୍କା:
ଏନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି, "ନୂଆ ସରକାର ଆସିବା ପରେ ମହିଳାମାନଙ୍କୁ ସଶକ୍ତ କରିବା ପାଇଁ ଗତ ସେପ୍ଟେମ୍ବର ୧୭ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନରେ ପ୍ରଧାନମନ୍ତ୍ରୀଙ୍କ ଦ୍ବାରା ସୁଭଦ୍ରା ଯୋଜନାର ଶୁଭାରମ୍ଭ ହୋଇଥିଲା । ପ୍ରଥମ କିସ୍ତିର ପ୍ରଥମ ପର୍ଯ୍ୟୟରେ ୨୫ଲକ୍ଷରୁ ଅଧିକ ମହିଳାଙ୍କୁ ଅର୍ଥରାଶି ପ୍ରଦାନ କରାଯାିଥିଲା । ଆଜି ପ୍ରଥମ କିସ୍ତିର ଦ୍ବିତୀୟ ପର୍ଯ୍ୟାୟରେ ୩୫ ଲକ୍ଷ ମହିଳାଙ୍କୁ ଡିବିଟି ମାଧ୍ୟମରେ ସୁଭଦ୍ରା ଯୋଜନାର ଅର୍ଥ ପ୍ରଦାନ କରାଯାଇଛି । ୨ଟି ପର୍ଯ୍ୟୟରେ ମୋଟ ୬୦ ଲକ୍ଷ ମହିଳାଙ୍କୁ ସୁଭଦ୍ରା ଯୋଜନାରେ ୫ ହଜାର ଟଙ୍କା ଆର୍ଥିକ ସହୟତା ପ୍ରଦାନ କରାଯାଇଛି ।"
ଗଠନ ହେବ ଉତ୍ତର ଓଡ଼ିଶା ବିକାଶ ପରିଷଦ:
ମୁଖ୍ୟମନ୍ତ୍ରୀଏହା ମଧ୍ୟ କହିଛନ୍ତି, "ଆଗାମୀ ଦିନରେ ମୟୂରଭଞ୍ଜ ଜିଲ୍ଲାର ମହିଳାମାନଙ୍କୁ କିପରି ସାମଗ୍ରିକ ଭାବରେ ସଶକ୍ତ କରାଯାଇ ପାରିବ, ଏହାସହ ମୟୂରଭଞ୍ଜର ବିକାଶ ଯେପରି ଭାବରେ ଆଗକୁ ଯିବା କଥା ସେପରି ହୋଇପାରିନାହିଁ । ବର୍ତ୍ତମାନ ନୂଆ ସରକାର ଆସିବା ପରେ ମୟୂରଭଞ୍ଜକୁ ସ୍ବତନ୍ତ୍ରତା ଦିଆଯାଉଛି । ଏଥିପାଇଁ ଏକ ଉତ୍ତର ଓଡ଼ିଶା ବିକାଶ ପରିଷଦ ଗଠନ ହେବାକୁ ନିଷ୍ପତ୍ତି ନିଆଯାଇଛି । ଏହାସହ ଏହି ଜିଲ୍ଲାରେ ଜଳସେଚନର କିପରି ସୁବିଧା ହେବ । ଲେକମାନଙ୍କର ଆର୍ଥିକି ସ୍ଥିତି ସୁଦୃଢ଼ ହେବ, ଏସବୁକୁ ଆଧାର କରି ସ୍ବତନ୍ତ୍ରତା ଦିଆଯାଇଛି ।"