କେନ୍ଦୁଝର: ଆସନ୍ତା ସାଧାରଣ ନିର୍ବାଚନ ନିମନ୍ତେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳଙ୍କ କେନ୍ଦୁଝର ଗସ୍ତ। ଆଜି ଦିନିକିଆ କେନ୍ଦୁଝର ଗସ୍ତରେ ଆସିଛନ୍ତି ନିକୁଞ୍ଜ ବିହାରୀ ଧଳ । କେନ୍ଦୁଝର ସଂସଦୀୟ କ୍ଷେତ୍ର ଅନ୍ତର୍ଗତ କେନ୍ଦୁଝର ଜିଲ୍ଲାର ୬ ବିଧାନସଭା ନିର୍ବାଚନମଣ୍ଡଳୀ ଏବଂ ମୟୂରଭଞ୍ଜ ଜିଲ୍ଲାର କରଞ୍ଜିଆ ନିର୍ବାଚନ ମଣ୍ଡଳୀର ନିର୍ବାଚନ ପ୍ରସ୍ତୁତି ସମୀକ୍ଷା କରିଛନ୍ତି ନିକୁଞ୍ଜ । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ଦରବାର ହଲ ଠାରେ ଆୟୋଜିତ ସମସ୍ତ ରିଟର୍ଡିଂ ଅଫିସର ଓ ନୋଡାଲ ଅଫିସର ମାନଙ୍କ ସମୀକ୍ଷା ବୈଠକରେ ଯୋଗଦେଇ ଥିଲେ ଧଳ। ସେ ଜିଲ୍ଲାରେ କରାଯାଇଥିବା ମତଦାନ କେନ୍ଦ୍ର ଗୁଡିକରେ ପାନୀୟ ଜଳ, ବିଦ୍ୟୁତ, ଦିବ୍ୟାଙ୍ଗ ମାନଙ୍କ ପାଇଁ ରାମ୍ପ, ଶୌଚାଳୟ ଏବଂ ଖରାରୁ ବର୍ତ୍ତିବା ପାଇଁ ଅସ୍ଥାୟୀ ଆଶ୍ରୟ ସ୍ଥଳ ନିର୍ମାଣ ଆଦିକୁ ଗୁରୁତ୍ବ ଦେବାକୁ ଅଧିକାରୀମାନଙ୍କୁ କହିଥିଲେ । ସମୀକ୍ଷା ବୈଠକ ପରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ଓ ରାଜ୍ୟ ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ଡାଃ ଏନ୍. ତିରୁମାଲା ନାଏକ ମିନିକନଫରେ ହଲ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଯୋଗ ଦେଇଥିଲେ।
ନିକୁଞ୍ଜ ବିହାରୀ ଧଳ ସଖି ବୁଥ, ହୋମ ଭୋଟିଂ, ବାଲାଟ ପେପର, ଭୋଟ ହାର ବୃଦ୍ଧି ଓ ନୂତନ ଭୋଟର ସଚେତନତା ଉପରେ ସ୍ଵତନ୍ତ୍ର ଧ୍ୟାନ ଦେବାପାଇଁ କହିଛନ୍ତି । ନିର୍ବାଚନ ପ୍ରକ୍ରିୟାକୁ ପ୍ରଯୁକ୍ତିବିଦ୍ୟା ବ୍ୟବହାର ଦ୍ଵାରା ଆହୁରି ଅଧିକ ସହଜ ଓ ସରଳ କରିହେବ ବୋଲି ସୂଚନା ଦେବା ସହ ଆପ୍ ବ୍ୟବହାର ଉପରେ ପର୍ଯ୍ୟାପ୍ତ କୁଶଳୀ ହେବାକୁ କହିଥିଲେ ନିକୁଞ୍ଜ । ସି-ଭିଜିଲ ଆପ, ଆଦର୍ଶ ଆଚରଣ ବିଧି, ଖର୍ଚ୍ଚ ବିବରଣୀ ଆଦି ଟିମ ଗୁଡିକର କାର୍ଯ୍ୟ ପଦ୍ଧତି ମଧ୍ଯ ସମୀକ୍ଷା କରି ଆହୁରି ତତ୍ପରତା ଦେଖାଇବା ପାଇଁ ପରାମର୍ଶ ଦେଇଥିଲେ । ଜିଲ୍ଲାରେ ଭୋଟର ସଚେତନତା କାର୍ଯ୍ୟକ୍ରମ ବିଷୟରେ ସନ୍ତୋଷ ବ୍ୟକ୍ତ କରିବା ସହ ଚଳିତ ନିର୍ବାଚନରେ ସମସ୍ତ ବର୍ଗର ଭୋଟରଙ୍କୁ ଅନ୍ତର୍ଭୁକ୍ତ କରାଯିବାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ତରଫରୁ ନିଆଯାଉ ଥିବା ପଦକ୍ଷେପକୁ ପ୍ରଶଂସା କରିଥିଲେ । ପୋଲିଂ ପାର୍ଟି ନିର୍ବାଚନ ପାଇଁ ବୁଥକୁ ଯିବା ପୂର୍ବରୁ ଏବଂ ନିର୍ବାଚନ ସାରି ଇଭିଏମ ମେସିନ ଗ୍ରହଣ ଓ ଦାଖଲ ପର୍ଯ୍ୟନ୍ତ ଆବଶ୍ୟକୀୟ କାଉଣ୍ଟର କରିବା ପାଇଁ କହିଥିଲେ । ସମ୍ଭାବ୍ୟ କାଳବୈଶାଖୀ ଝଡ଼ ବର୍ଷାର ଆଶଙ୍କା ରହିଲେ ଟେଣ୍ଟ ବ୍ୟବସ୍ଥା କରିବାକୁ ପରାମର୍ଶ ଦେଇଥିଲେ ।