ଭୁବନେଶ୍ୱର:କ୍ୟାପିଟାଲ ହସ୍ପିଟାଲକୁ ନ୍ୟାସନାଲ କ୍ୱାଲିଟି ଆସ୍ୟୁରାନ୍ସ ଷ୍ଟାଣ୍ଡାର୍ଡ (NQAS) କାର୍ଯ୍ୟକ୍ରମ ଅଧୀନରେ ମିଳିଲା କ୍ୱାଲିଟି ସାର୍ଟିଫିକେଟ୍ । ଦେଶର ବଛା ବଛା ସ୍ବାସ୍ଥ୍ୟାନୁଷ୍ଠାନ ମଧ୍ୟରେ ସାମିଲ ହେଲା କ୍ୟାପିଟାଲ ହସ୍ପିଟାଲ । ଏହି କ୍ୱାଲିଟି ସାର୍ଟିଫିକେଟ୍ ପାଇବା ପରେ ଓଡିଶାର ନମ୍ବର ୱାନ ହସ୍ପିଟାଲ ହୋଇଛି କ୍ୟାପିଟାଲ ହସ୍ପିଟାଲ । NQAS ପକ୍ଷରୁ ହସ୍ପିଟାଲକୁ ସାମଗ୍ରିକ ଭାବେ ୯୦ ପ୍ରତିଶତ ମାର୍କ ମିଳିଛି । ତେବେ ଚଳିତ ବର୍ଷ ଜୁଲାଇ ମାସ ୭ ତାରିଖରେ NQASର ଏକ ଟିମ୍ ୩ ଦିନ ଧରି କ୍ୟାପିଟାଲ ହସ୍ପିଟାଲର ୧୮ଟି ବିଭାଗକୁ ଯାଞ୍ଚ କରିଥିଲେ । ବିଭିନ୍ନ ବିଭାଗରେ ଜୀବାଣୁ ମୁକ୍ତ ପରିବେଶ, ଅତ୍ୟାଧୁନିକ ଅସ୍ତ୍ରୋପଚାର, ରୋଗଙ୍କ ସୁରକ୍ଷା, ମହିଳା ଓ ଶିଶୁଙ୍କ ସ୍ବାସ୍ଥ୍ୟ ସୁବିଧା, ମାନବ ସମ୍ବଳ ଭଳି ବିଭିନ୍ନ ବିଷୟ ଉପରେ ତଦାରଖ କରିଥିଲେ । ଭାରତର ପ୍ରଥମ ହସ୍ପିଟାଲ ଭାବେ କ୍ୟାପିଟାଲ ହସ୍ପିଟାଲର ୧୮ ଟି ବିଭାଗ ଯାଞ୍ଚ କରି ଏହି ସାର୍ଟିଫିକେଟ ଦିଆଯାଇଛି ।
ତେବେ କ୍ୟାପିଟାଲ ହସ୍ପିଟାଲର ନିର୍ଦ୍ଦେଶକ ଲକ୍ଷ୍ମୀଧର ସାହୁଙ୍କ ସୂଚନା ମୁତାବକ, "ପ୍ରଥମ ଥର ପାଇଁ କ୍ୟାପିଟାଲ ହସ୍ପିଟାଲକୁ ଏହି ନ୍ୟାସନାଲ କ୍ୱାଲିଟି ଆସ୍ୟୁରାନ୍ସ ଷ୍ଟାଣ୍ଡାର୍ଡ (NQAS) କାର୍ଯ୍ୟକ୍ରମ ଅଧୀନରେ କ୍ୱାଲିଟି ସାର୍ଟିଫିକେଟ ମିଳିଛି । ୧୮ ଟି ବିଭାଗକୁ ନେଇ ଯାଞ୍ଚ କରାଯାଇଥିଲା । ଏହି କ୍ୱାଲିଟି ସାର୍ଟିଫିକେଟ ଦ୍ଵାରା ହସ୍ପିଟାଲର ଗୋଟିଏ ବେଡ଼ ପିଛା ୧୦ ହଜାର ଟଙ୍କା ମିଳିବ । ଏମିତିକି କ୍ୟାପିଟାଲ ହସ୍ପିଟାଲରେ ପାଖାପାଖି ୭୫୦ ବେଡ଼ ରହିଛି । ଏହାରି ମଧ୍ୟରେ ମିଳିବା ଅର୍ଥ ୮୦ ପ୍ରତିଶତ ଆରକେଏସକୁ ଯିବ । ୧୦ ପ୍ରତିଶତ ବିଭିନ୍ନ କାର୍ଯ୍ୟକ୍ରମରେ ଖର୍ଚ୍ଚ କରାଯିବ । ବାକି ୧୦ ପ୍ରତିଶତ ରୋଗୀଙ୍କ କାର୍ଯ୍ୟରେ ଲାଗିବ ।"