କେନ୍ଦ୍ରାପଡ଼ା: ମାଣ୍ଡିଆ ଦେଖାଇଛି ରୋଜଗାରର ବାଟ । ଉପକୂଳ ଜିଲ୍ଲାର ଦୋରସା ମାଟିରେ ଫଳିଛି ମାଣ୍ଡିଆ । ଯାହାକୁ ଦେଖି ଚାଷ କରିଥିବା ବ୍ୟକ୍ତିଙ୍କ ପେଟ ପୁରୁଥିବା ବେଳେ ଚାଷରେ ହୋଇଥିବା ଖର୍ଚ୍ଚକୁ ହିସାବ କରି ମୂଳ ପୁଞ୍ଜି ମିଳିବ କି ନାହିଁ ସେନେଇ ଆଶଙ୍କାରେ । ହେଲେ ଏହି ଚାଷ ପ୍ରଥମ ଥର କରି ଶ୍ରୀଅନ୍ନ ଦିବସରେ ସମ୍ବର୍ଦ୍ଧିତ ହୋଇଥିବାରୁ ସେ ଏହି ମାଣ୍ଡିଆ ଚାଷ ଜାରି ରଖିବା ସହ ଅନ୍ୟ ଚାଷୀମାନଙ୍କ ପାଇଁ ପ୍ରେରଣା ଯୋଗାଇବାରେ ସହାୟକ ହେବ ବୋଲି କହିଛନ୍ତି କେନ୍ଦ୍ରାପଡ଼ା ଚାଷୀ ଶ୍ରୀଧର ଦାସ ।
କାହିଁକି ଆରମ୍ଭ କଲେ ମାଣ୍ଡିଆ ଚାଷ:
କେନ୍ଦ୍ରାପଡା ଜିଲ୍ଲା କୁତରଙ୍ଗ ଗାଁର ଶ୍ରୀଧର ଦାସ । ମହାମାରୀ କୋଭିଡ ସମୟରେ ବାହାର ରାଜ୍ୟରେ ଦାଦନ ଖଟୁଥିବା ବେଳେ ପରେ ଘରକୁ ଆସି ଚାଷ କରିବା ପାଇଁ ସ୍ଥିର କରିଥିଲେ । ତେବେ ନିଜ ଜମି ଠେଙ୍ଗ (ଉଚ୍ଚ) ଜମି ହୋଇଥିବା ଓ ରାଜସ୍ୱ ବିଭାଗ ପକ୍ଷରୁ ଜଳକର ନିଆଯାଉଥିଲେ ମଧ୍ୟ ତାଙ୍କ ଜମିକୁ ପାଣି ନ ଆସି ପାରୁଥିବା କାରଣରୁ ଜଣେ ବନ୍ଧୁଙ୍କ ପରାମର୍ଶ ଅନୁଯାୟୀ ସେ ଏହି ଉଚ୍ଚା ଜମିରେ ଚଳିତବର୍ଷ ମାଣ୍ଡିଆ ଚାଷ କରିବା ପାଇଁ ସ୍ଥିର କରିଥିଲେ । ଏନେଇ କୃଷି ପରାମର୍ଶ ଅଧିକାରୀଙ୍କୁ ଭେଟି ପ୍ରାୟ ଅଢେଇରୁ ତିନି ଏକର ଜମିରେ ଏହି ମାଣ୍ଡିଆ ଚାଷ ଆରମ୍ଭ କରିଥିଲେ ।
କେବେ ଆରମ୍ଭ କଲେ ଚାଷ:
ଚାଷୀ ଶ୍ରୀଧର ଦାସ କହିଛନ୍ତି, "କୋଭିଡ ପରେ ମୁଁ ଘରକୁ ଫେରିବା ପରେ ଘରେ ବାପା ମା'ଙ୍କ ବାର୍ଦ୍ଧକ୍ୟ କାରଣରୁ ସେମାନଙ୍କୁ ଛାଡି ଯାଇ ହେଲାନାହିଁ । ଚାଷ କରି ପରିବାର ପ୍ରତିପୋଷଣ କରିବା ମଧ୍ୟ ଅସମ୍ଭବ ହୋଇପଡିଲା । ଏହି ସମୟରେ ମୋର ଡାଇବେଟିସ ରୋଗ ବାହାରିବାରୁ କୋରାପୁଟରେ ରହୁଥିବା ମୋର ଜଣେ ସାଙ୍ଗ ମୋତେ ମାଣ୍ଡିଆ ଆଣି ଦେଇଥିଲା ଓ ମାଣ୍ଡିଆ ହିଁ ଡାଇବେଟିସ ରୋଗ ପାଇଁ ସମ୍ପୂର୍ଣ୍ଣ ଉପଶମକାରୀ ଖାଦ୍ୟ ବୋଲି ପରାମର୍ଶ ଦେଇଥିଲେ । ପରେ ମୁଁ ମାଣ୍ଡିଆ ଖାଇ ବଞ୍ଚିଥିବା କିଛି ମାଣ୍ଡିଆକୁ ଆମ ବାଡ଼ିରେ ବୁଣି ଦେଇଥିଲି । ମୁଁ ପୂର୍ବରୁ କେବେ ମାଣ୍ଡିଆ ଗଛ ଦେଖିନଥିଲି ଆଉ ପ୍ରଥମ ଥର ପାଇଁ ଏହି ମାଣ୍ଡିଆ ଦେଖି ବାପାଙ୍କୁ ଏହି ଚାଷ କରିବା ପାଇଁ କହିଥିଲି । ପରେ ବାପା ରାଜି ହେବାରୁ ମୁଁ ଆମ ଗ୍ରାମସେବକ ଥିବା ଶିଶିର ସାରଙ୍କୁ ଯୋଗାଯୋଗ କରି ଏହି ଚାଷ ଆରମ୍ଭ କରିଥିଲି ।"
ମାଣ୍ଡିଆ ଚାଷରେ କେତେ ଖର୍ଚ୍ଚ ହୋଇଛି:
ଶ୍ରୀଧର ଆହୁରି ମଧ୍ୟ କହିଛନ୍ତି, "ଧାନ ଚାଷ ଭଳି ମାଣ୍ଡିଆ ଚାଷ ମଧ୍ୟ ବିହନ ପଡିଲା । ପରେ ତଳି ଆଣି ଏହାକୁ ରୁଆଗଲା । ପାହାଡିଆ ଅଞ୍ଚଳରେ ଏହି ଚାଷ ପାଇଁ ସାର ମସଲା ଲାଗୁନଥିବା ଓ ଏଥିପାଇଁ ଖତ ଗୋବର ଯଥେଷ୍ଟ ହେଉଥିବା ଜାଣିବା ପରେ ଏଠାରେ ମଧ୍ୟ ଆମେ ଖତ ଗୋବର ଦେଇଥିଲୁ । ହେଲେ ଗଛ ନ ବଢିବାରୁ ଅଳ୍ପ ପରିମାଣର ସାର ଦିଆଗଲା । ପରେ ମାଣ୍ଡିଆ ଭଲ ପରିମାଣର ହୋଇପାରିଲା । ମୋର ଏକରରେ ୧୫ରୁ ୨୦ ହଜାର ଟଙ୍କା ଖର୍ଚ୍ଚ ହୋଇଛି । ଏପର୍ଯ୍ୟନ୍ତ ଅମଳ ହୋଇନାହିଁ, ପ୍ରଥମ ଥର ଏହାକୁ କାଟି ନେଇ ରଖିଛି । ଏହି ମାଣ୍ଡିଆକୁ ଗଣେଶ ପୂଜା ସମୟରୁ ଆମେ ରୁଆ ପକାଇଥିଲୁ ଆଉ ଏବେ କଟା ଆରମ୍ଭ ହୋଇଛି । ଏହାର ପେଣ୍ଡି ଗୁଡିକ କଟା ଯାଉଥିବାରୁ ସମ୍ପୂର୍ଣ୍ଣ ମାଣ୍ଡିଆକୁ ଚାରିଥରରେ କଟାଯିବ ଏବଂ ବିକ୍ରି ବାବଦରେ ଏପର୍ଯ୍ୟନ୍ତ ଟଙ୍କାଟିଏ ବିକ୍ରି ହୋଇନାହିଁ । ମାର୍କେଟରେ ଏହାର ରେଟ ୬୦-୬୫ ଟଙ୍କା କିଲୋପ୍ରତି ଥିବା ଆମେ ଜାଣିଛୁ ।"
କେତେ ଜମିରେ ହୋଇଛି ମାଣ୍ଡିଆ ଚାଷ:
ସେହିପରି ମାଣ୍ଡିଆକୁ ନେଇ ରୋଜଗାରକ୍ଷମ ହୋଇପାରିବେ କି ନାହିଁ ପ୍ରଶ୍ନର ଉତ୍ତରରେ ଶ୍ରୀଧରଙ୍କ ବାପା ପଞ୍ଚାନନ ଦାସ କହିଛନ୍ତି, "ଏହି ବିଲରେ ଆଗରୁ ଧାନ ଚାଷ ହେଉଥିଲା । ପାଣି ନ ଆସିବା କାରଣରୁ ଧାନ ଚାଷ ବନ୍ଦ ହୋଇଗଲା ଓ ଆମେ ଉଚ୍ଚ ଜମିରେ ମାଣ୍ଡିଆ ଚାଷ ଭଲ ହୁଏ ବୋଲି ଶୁଣିବାକୁ ପାଇବା ପରେ ପ୍ରାୟ ଅଢେଇରୁ ୩ ଏକର ଜମିରେ ମାଣ୍ଡିଆ ଚାଷ କଲୁ । ଫସଲ ଭଲ ହୋଇଛି, ହେଲେ ଧାନ ଚାଷ ଭଳି ମାଣ୍ଡିଆ ଚାଷରେ ଲାଭ ଏତେଟା ହେବନି । ଧାନ ଚାଷ ଭଳି ଏହାକୁ ମୂଳରୁ କଟା ଯାଇପାରିବ ନାହିଁ । ମାଣ୍ଡିଆର ଖିଲ (କେଣ୍ଡା) ବାହାରିବା ପରେ ଏହା ଶୁଖିବା ପରେ ହିଁ କଟାଯିବ, ତେଣୁ ସମ୍ପୂର୍ଣ୍ଣ ମାଣ୍ଡିଆ କାଟିବାକୁ ତିନିରୁ ଚାରିଥର ପରିଶ୍ରମ କରିବାକୁ ହେବ ।"
ଏହା ମଧ୍ୟ ପଢନ୍ତୁ...ମାଣ୍ଡିଆ ଦିବସରେ ଶ୍ରୀ ଅନ୍ନ ଅନ୍ତର୍ଜାତୀୟ ସମ୍ମିଳନୀ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ |
ମାଣ୍ଡିଆକୁ ନେଇ କଣ କୁହନ୍ତି ସ୍ଥାନୀୟ ଲୋକେ ଓ ନିର୍ବାଚିତ ଲୋକ ପ୍ରତିନିଧି:
କୋରାପୁଟ ଭଳି ନାତିଶୀତୋଷ୍ଣ ଜଳବାୟୁ ତଥା ପାହାଡିଆ ଅଞ୍ଚଳରେ ହେଉଥିବା ମାଣ୍ଡିଆ ଫସଲ ଓ ଏହାର ଗଛକୁ ଦେଖି ଏହି ଚାଷ ଜମି ପାଖରେ ଛିଡା ହୋଇ ମାଣ୍ଡିଆ ଚାଷ ବିଷୟରେ ବୁଝୁଛନ୍ତି ପଥଚାରୀ । ଏହି ମାଣ୍ଡିଆ ଚାଷ ସମ୍ପର୍କରେ ସ୍ଥାନୀୟ ପଲ୍ଲୀ ଗାଁର ଜଣେ ବ୍ୟକ୍ତି କହିଛନ୍ତି, "ମୁଁ କେନ୍ଦ୍ରାପଡା ଯିବା ବାଟରେ ଧାନ ଭିତରେ ଏକ ନୂଆ ଫସଲ ହୋଇଥିବା ଦେଖିବାକୁ ପାଇଲି । ପାଖରେ ଆସି ଦେଖିଲି ମାଣ୍ଡିଆ ଚାଷ ହୋଇଛି ଯାହାକି ମୋତେ ବହୁତ ଖୁସି ଦେଲା । ବର୍ତ୍ତମାନ ଲେବର ଖର୍ଚ୍ଚ ଅଧିକ ହୋଇ ଯାଇଥିବାରୁ ଟିକେ କଷ୍ଟ ହେଉଛି । ମାଣ୍ଡିଆକୁ ଯେଉଁଭଳି ଭାବରେ ପ୍ରୋଜେକ୍ଟ କରାଯାଉଛି ସେନେଇ ନିଶ୍ଚିତଭାବେ ଜଣେ ମାଣ୍ଡିଆ ଚାଷ କରି ଭଲ ଦୁଇ ପଇସା ରୋଜଗାର କରିପାରିବ ।" ସେହିପରି ସ୍ଥାନୀୟ ସରପଞ୍ଚ ଚିରରଞ୍ଜନ ଜେନା କହିଛନ୍ତି, "ଆମ ଅଞ୍ଚଳରେ ଆଗରୁ କେବେ ମାଣ୍ଡିଆ ଚାଷ ହୋଇନଥିଲା, ଏବେ ଶ୍ରୀଧର ଦାସ ନୂଆ କରି ମାଣ୍ଡିଆ ଚାଷ କରିଛନ୍ତି । ଏହି ଚାଷ କରି ସେ ନିଶ୍ଚେ ସଫଳ ହେବେ । କାରଣ ଚାଷ ପ୍ରତି ତାଙ୍କର ନିଷ୍ଠା, କଠୋର ପରିଶ୍ରମ ରହିଛି । ତେଣୁ ସଫଳତା ନିଶ୍ଚେ ପାଇବେ ।"
ଏହା ମଧ୍ୟ ପଢ଼ନ୍ତୁ...ଅନୁଗୋଳରେ ବଢୁଛି ମାଣ୍ଡିଆ ଚାଷର ଚାହିଦା, ଏଥର ଉତ୍ପାଦନ ଲକ୍ଷ୍ୟ ୫ ହଜାର କୁଇଣ୍ଟାଲ ଏହା ମଧ୍ୟ ପଢ଼ନ୍ତୁ...ମାଣବସାରେ ଗୁରୁବାରରେ ମା' ଲକ୍ଷ୍ମୀଙ୍କ ନିକଟରେ ମାଣ୍ଡିଆ ଭୋଗ ଲଗାନ୍ତୁ: ମୁଖ୍ୟମନ୍ତ୍ରୀ |
ଜିଲ୍ଲାରେ କେତେ ହୋଇଛି ମାଣ୍ଡିଆ ଚାଷ :
କୃଷି ବିଭାଗ ଅଧିକାରୀ କଲ୍ୟାଣ ରାୟ କହିଛନ୍ତି, "ମାଣ୍ଡିଆ ଚାଷକୁ ସରକାର ଏବେ ବହୁ ପ୍ରାଧାନ୍ୟ ଦେଉଛନ୍ତି । ମାଣ୍ଡିଆକୁ ଆମେ ବହୁତ କମ ପାଣିରେ ଚାଷ କରିପାରୁ । ମାଣ୍ଡିଆକୁ ଆଗରୁ ଗରିବ ଲୋକର ଖାଦ୍ୟ କୁହାଯାଉଥିବା ବେଳେ ଏବେ ବହୁ ଧନୀ ଲୋକ ମାଣ୍ଡିଆ ଖାଉଛନ୍ତି । ଲୋକର ଯେତେ ଅଧିକ ପଇସା ଥାଉନା କାହିଁକି ଆଜିର ଦିନରେ ତାଙ୍କର ବ୍ରେକଫାଷ୍ଟ ଟେବୁଲରେ ମାଣ୍ଡିଆ ଖାଦ୍ୟ ରଖାଯାଉଛି । ମାଣ୍ଡିଆର ଚାହିଦା ଏବେ ବଢ଼ିବଢି ଯାଉଛି । ବଡ଼ବଡ଼ ଷ୍ଟୋରରେ ମାଣ୍ଡିଆ ପ୍ୟାକେଟ ହୋଇ ଭ୍ୟାଲୁ ଆଡ କରି ବିକ୍ରି ହେଉଛି । ତେଣୁ ମାଣ୍ଡିଆ ଓ ମାଣ୍ଡିଆରୁ ପ୍ରସ୍ତୁତ ଖାଦ୍ୟ ବିକ୍ରି କରି ଜଣେ ଭଲ ଦୁଇପଇସା ରୋଜଗାର କରିପାରିବ । କେନ୍ଦ୍ରାପଡାରେ ପାଖାପାଖି ୫୦ ହେକ୍ଟର ମାଣ୍ଡିଆ ଚାଷ ହୋଇଛି । ଶ୍ରୀଧରଙ୍କୁ ମାଣ୍ଡିଆ ଚାଷ ପାଇଁ ସରକାରୀ ସ୍ତରରୁ ବିହନ ଏବଂ ଅନ୍ୟ ସାମଗ୍ରୀ ମିଳିଛି । ମାଣ୍ଡିଆ ଚାଷ ଶେଷ ହେବା ପରେ ତାଙ୍କ ଜମି ପରିମାଣ ନେଇ ଏକର ପିଛା ୪ ହଜାର ଟଙ୍କା ହିସାବରେ ଯାହା ଅର୍ଥ ତାଙ୍କ ଆକାଉଣ୍ଟକୁ ଯିବ । ଉଦ୍ୟମୀ ଏବଂ କର୍ମଯୋଗୀ ଯୁବକମାନଙ୍କ ପାଇଁ କୃଷି କ୍ଷେତ୍ରରେ ଅନେକ ସୁଯୋଗ ଅଛି ଏବଂ ମାଣ୍ଡିଆ ଚାଷ କରି ଜଣେ ସ୍ୱାବଲମ୍ବୀ ହୋଇପାରିବ ।"
ଇଟିଭି ଭାରତ, କେନ୍ଦ୍ରାପଡା