ଭୁବନେଶ୍ୱର:ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଗତକାଲି (ଶୁକ୍ରବାର) ସନ୍ଧ୍ୟାରେ ଗୁରୁତ୍ୱପୂର୍ଣ୍ଣ କ୍ୟାବିନେଟ ବୈଠକ ଅନୁଷ୍ଠିତ ହୋଇଛି । ଲୋକସେବା ଭବନରେ ଅନୁଷ୍ଠିତ ମନ୍ତ୍ରୀମଣ୍ଡଳ ବୈଠକରେ 11 ଟି ପ୍ରସ୍ତାବରେ ମୋହର ବାଜିଛି । ଅନ୍ତୋଦୟ ଗୃହ ଯୋଜନା ନାଁରେ ନୂଆ ଯୋଜନାକୁ କ୍ୟାବିନେଟ ଅନୁମୋଦନ ଦେଇଛି । ସେହିପରି ପୂର୍ତ୍ତ ବିଭାଗର 4, ଶକ୍ତି ବିଭାଗର ଗୋଟେ, ସାଧାରଣ ପ୍ରଶାସନ ବିଭାଗର ଗୋଟେ, ଆଇନ ବିଭାଗର ଗୋଟେ, କ୍ରୀଡ଼ା ବିଭାଗର ଗୋଟେ, ଜଳ ସମ୍ପଦ ବିଭାଗର ଗୋଟେ ଓ ଅର୍ଥ ବିଭାଗର ଗୋଟେ ପ୍ରସ୍ତାବକୁ କ୍ୟାବିନେଟ ମୋହର ମାରିଛି । କ୍ୟାବିନେଟ ନିଷ୍ପତ୍ତି ବାବଦରେ ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି ।
ଅନ୍ତୋଦୟ ଗୃହ ଯୋଜନାରେ ଦୁର୍ବଳ ବର୍ଗଙ୍କୁ ପକ୍କାଘର-
ସମାଜର ଦୁର୍ବଳ ବର୍ଗର ଲୋକମାନଙ୍କୁ ପକ୍କାଘର ଯୋଗାଇ ଦେବା ପାଇଁ ନୂଆ ଯୋଜନା କରିଛନ୍ତି ମୋହନ ସରକାର । ଏହି ବର୍ଗର ଲୋକଙ୍କ ଜୀବନ ଧାରଣର ମାନ ପରିବର୍ତ୍ତନ କରିବା ଅନ୍ତୋଦୟ ଗୃହ ଯୋଜନାର ଲକ୍ଷ୍ୟ । ବିଭିନ୍ନ ସମୟରେ ପ୍ରାକୃତିକ କିମ୍ବା ମନୁଷ୍ୟକୃତ ବିପର୍ଯ୍ୟୟ ଦ୍ୱାରା ରାଜ୍ୟର ଅନେକ ପରିବାର କ୍ଷତିଗ୍ରସ୍ତ ହେଉଛନ୍ତି । ସେହିପରି ବିଭିନ୍ନ ସରକାରୀ ପ୍ରକଳ୍ପ ହେତୁ ବିସ୍ଥାପନ ସମସ୍ୟା ମଧ୍ୟ ରହୁଛି । ଭିନ୍ନକ୍ଷମ ବ୍ୟକ୍ତି, ଜଙ୍ଗଲ ଅଧିକାର ଆଇନ ହିତାଧିକାରୀ ପରିବାର ଏବଂ ରାଜ୍ୟରେ ପ୍ରଚଳିତ ଗୃହ ନିର୍ମାଣ ଯୋଜନାରେ ବଞ୍ଚିତ ଯୋଗ୍ୟ ହିତାଧିକାରୀଙ୍କୁ ଏହି ଯୋଜନାରେ ପକ୍କାଘର ଯୋଗାଇ ଦିଆଯିବ ।
ହିତାଧିକାରୀ 25 ବର୍ଗ ମିଟର ପରିଧି ବିଶିଷ୍ଟ ପକ୍କା ଘର ନିର୍ମାଣ ପାଇଁ 1 ଲକ୍ଷ 20 ହଜାର ଟଙ୍କାର ଆର୍ଥିକ ସହାୟତା ରାଶି ଯୋଗାଇବେ ସରକାର । 3 ବର୍ଷରେ ଏହି ଯୋଜନାରେ ଅନ୍ୟୁନ୍ୟ 2 ଲକ୍ଷ 25 ହଜାର ନୂତନ ପକ୍କା ଘର ମଞ୍ଜୁର କରାଯିବ । ଅନ୍ତୋଦୟ ଗୃହ ଯୋଜନା, ପ୍ରଧାନମନ୍ତ୍ରୀ ଆବାସ ଯୋଜନା(ଗ୍ରାମୀଣ), ପ୍ରଧାନମନ୍ତ୍ରୀ ଜନଜାତି ଆଦିବାସୀ ନ୍ୟାୟ ମହା ଅଭିଯାନ (PM-JANMAN) ଓ ଅନ୍ୟାନ୍ୟ ସରକାରୀ ଗ୍ରାମୀଣ ଗୃହ ନିର୍ମାଣ ଯୋଜନାର ହିତାଧିକାରୀ, ଯେଉଁମାନେ ପ୍ରଥମ କିସ୍ତି ପାଇବାର ୪ ମାସ ଓ ୬ ମାସ ମଧ୍ୟରେ ଗୃହ ନିର୍ମାଣ କାର୍ଯ୍ୟ ସମାପ୍ତ କରୁଛନ୍ତି, ସେମାନଙ୍କୁ ଯଥାକ୍ରମେ ୨୦ ହଜାର ଟଙ୍କା ଏବଂ ୧୦ ହଜାର ଟଙ୍କାର ପ୍ରୋତ୍ସାହନ ରାଶି ପ୍ରଦାନ କରିବାର ବ୍ୟବସ୍ଥା ରହିଛି ।ଯୋଜନାରେ ପକ୍କାଘରର ସଂଜ୍ଞାକୁ ସରଳୀକରଣ କରାଯାଇଛି । ଆଜବେସଟସ, ଟିଣ ଓ ଟାଇଲ ଛାତଘରକୁ କଚ୍ଚାଘର ରୂପେ ବିବେଚନା କରାଯାଇଛି । କେବଳ ସିମେଣ୍ଟ ଯୋଡେଇ କାନ୍ଥ ସହିତ ଆରସିସି ଛାତକୁ ପକ୍କାଘରର ମାନ୍ୟତା ଦିଆଯିବ । ପରିବାରର ସଂଜ୍ଞାକୁ ମଧ୍ୟ ସରଳୀକରଣ କରାଯାଇଛି । ଯୋଜନାରେ ପରିବାରର ଅର୍ଥ ସ୍ୱାମୀ, ସ୍ତ୍ରୀ, ନିର୍ଭରଶୀଳ ପିତାମାତା ଓ ସନ୍ତାନଙ୍କୁ ବୁଝାଉଛି । ଏହାଦ୍ୱାରା ସୃଷ୍ଟି ହୋଇଥିବା ନୂଆ ପରିବାର ଯୋଜନାରେ ଉପକୃତ ହୋଇ ପାରିବେ । ଯୋଜନା ପାଇଁ 7,550 କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି ।
314 ବ୍ଲକରେ ବ୍ଲକସ୍ତରୀୟ ଷ୍ଟାଡ଼ିୟମ ନିର୍ମାଣ- ରାଜ୍ୟର ତୃଣମୂଳ ସ୍ତରରେ କ୍ରୀଡ଼ା ଭିତ୍ତିଭୂମିକୁ ସୁଦୃଢ଼ କରିବାକୁ ଲକ୍ଷ୍ୟ ରଖିଛନ୍ତି ସରକାର । ସେଥିପାଇଁ 314 ବ୍ଲକରେ ବ୍ଲକସ୍ତରୀୟ ଷ୍ଟାଡ଼ିୟମ ନିର୍ମାଣ କରିବାକୁ କ୍ରୀଡ଼ା ଓ ଯୁବସେବା ବିଭାଗର ପ୍ରସ୍ତାବକୁ କ୍ୟାବିନେଟ ମୋହର ମାରିଛି । ବ୍ଲକସ୍ତରୀୟ ଷ୍ଟାଡ଼ିୟମ୍ ନିର୍ମାଣ ପାଇଁ ପର୍ଯ୍ୟାୟ କ୍ରମେ 5 ବର୍ଷ ପାଇଁ 4124 କୋଟି ଟଙ୍କା ବ୍ୟୟ ମଞ୍ଜୁର ହୋଇଛି । ପ୍ରତ୍ୟେକ ବ୍ଲକସ୍ତରୀୟ ଷ୍ଟାଡ଼ିୟମ 8 ରୁ 10 ଏକର ଜମିରେ ନିର୍ମାଣ ହେବ । ବ୍ଲକ ମୁଖ୍ୟାଳୟ କିମ୍ବା ଏହା ଉପକଣ୍ଠରେ ଥିବା ସରକାରୀ ଜମିକୁ ବ୍ୟବହାର କରାଯିବ । ଆବଶ୍ୟକ ପଡ଼ିଲେ ବେସରକାରୀ ଜମି ମଧ୍ୟ ସରକାର କିଣିବେ । ଏଥିରେ ଫୁଟବଲ କିମ୍ୱା କ୍ରିକେଟ ପଡ଼ିଆ, ଥ୍ରୋ ଓ ଜମ୍ପ ଫିଲ୍ଡ ସହିତ ଆଥଲେଟିକ ଟ୍ରାକ, ଭଲିବଲ, ଖୋ ଖୋ, କବାଡ଼ି କୋର୍ଟ, ବ୍ୟାଡମିଣ୍ଟନ, ଟେବୁଲ ଟେନିସ ଖେଳର ସୁବିଧା ସହିତ ଇଣ୍ଡୋର ହଲ ନିର୍ମାଣ କରାଯିବ ।
ଏହା ବି ପଢନ୍ତୁ- ବଢିବ ରାଜଧାନୀର ଆକାର, ଗଠନ ହେବ 'ଗ୍ରେଟର ଭୁବନେଶ୍ୱର'; ମୋହନ ମାଝୀ ସରକାରଙ୍କ ବଡ ପ୍ଲାନ୍ - GREATER BHUBANESWAR
ଡ୍ୟାମ ପୁନର୍ବାସ ଏବଂ ଉନ୍ନତି ପ୍ରକଳ୍ପ ପାଇଁ 1066.38 କୋଟି-
ଜଳସମ୍ପଦ ବିଭାଗର ଡ୍ୟାମ ପୁନର୍ବାସ ଏବଂ ଉନ୍ନତି ପ୍ରକଳ୍ପକୁ କ୍ୟାବିନେଟ ମୋହର ମାରିଛି । ଆଗାମୀ 6 ବର୍ଷ ମଧ୍ୟରେ 1066.38 କୋଟି ଟଙ୍କା ଆନୁମାନିକ /ଭାବେ ଖର୍ଚ୍ଚ ହେବ । 2025-26ରୁ 2030-31 ମଧ୍ୟରେ ବିଶ୍ୱ ବ୍ୟାଙ୍କ ଏବଂ ଏସିଆନ ଇନ୍ଫ୍ରାଷ୍ଟ୍ରକ୍ଚର ଇନଭେଷ୍ଟମେଣ୍ଟ ବ୍ୟାଙ୍କ ସହାୟତାରେ ଡ୍ୟାମ ପୁନର୍ବାସ ଏବଂ ଉନ୍ନତି ପ୍ରକଳ୍ପ -3 କାର୍ଯ୍ୟକାରୀ ହେବ । ଏହା ଅଧିନରେ ତିନୋଟି ପ୍ରକଳ୍ପ କାର୍ଯ୍ୟକାରୀ କରାଯିବ । ହୀରାକୁଦ ଡ୍ୟାମର ବାମ dyke ରେ ଅତିରିକ୍ତ ସିଲୱେ ନିର୍ମାଣ ହେବ । ହୀରାକୁଦ ଡ୍ୟାମର ସଂକଟଜନକ ପରିସ୍ଥିତିର ସର୍ବେକ୍ଷଣ କରି ତାହାର ମରାମତି ଏବଂ ଉନ୍ନତିକରଣ । ହୀରାକୁଦ ଡ୍ୟାମ ତଥା ପ୍ରସ୍ତାବିତ ଅତିରିକ୍ତ ସ୍ପିଲୱେର ଫାଟକ ଗୁଡିକୁ ସ୍କାଡା ବା Supervisory Control and Data Acquisition ପ୍ରଣାଳୀରେ ସ୍ୱୟଂଚାଳିତ କରାଯିବ ।
ହୀରାକୁଦ ଡ୍ୟାମର ଅତିରିକ୍ତ ସ୍ପିଲୱେ ନିର୍ମାଣ ଦ୍ୱାରା ଅତିରିକ୍ତ ବନ୍ୟା ଜଳକୁ ନିରାପଦ ଭାବରେ ନିଷ୍କାସିତ କରାଯାଇ ପାରିବ । ଏହା ସହ ହୀରାକୁଦ ଡ୍ୟାମର ସଂକଟଜନକ ପରିସ୍ଥିତିର ସର୍ବେକ୍ଷଣ କରି ଏହାର ମରାମତି ଏବଂ ଉନ୍ନତିକରଣ ଦ୍ୱାରା ଡ୍ୟାମଟିକୁ ଦୀର୍ଘସ୍ଥାୟୀ କରାଯାଇ ପାରିବ । ପ୍ରସ୍ତାବିତ ଅତିରିକ୍ତ ସ୍ପିଲୱେର ଗେଟ ଗୁଡିକୁ ସ୍ୱୟଂଚାଳିତ କରାଯିବ । ଏହା ଦ୍ୱାରା ଏହାର ଉତ୍ତମ ନିୟନ୍ତ୍ରଣ ଓ ପର୍ଯ୍ୟବେକ୍ଷଣ ସୁନିଶ୍ଚିତ ହୋଇପାରିବ ।
କେନ୍ଦ୍ର ପରି ଓଡ଼ିଶା ସରକାର ଲାଗୁ କରିବେ ୟୁପିଏସ-
କେନ୍ଦ୍ର କ୍ୟାବିନେଟ ଗତବର୍ଷ ଅଗଷ୍ଟ 24 ତାରିଖରେ Unified Pension Scheme ବା ଏକୀକୃତ ପେନସନ ଯୋଜନା (ୟୁପିଏସ)କୁ ମଞ୍ଜୁରି ଦେଇଛନ୍ତି । ଏହା ଚଳିତ ବର୍ଷ ଏପ୍ରିଲ ପହିଲାରୁ କାର୍ଯ୍ୟକ୍ଷମ ହେବ । ଏହାକୁ ଲକ୍ଷ୍ୟ କରି ଓଡ଼ିଶା ସରକାର ମଧ୍ୟ ୟୁପିଏସକୁ ରାଜ୍ୟ ସରକାରୀ କର୍ମଚାରୀଙ୍କ ପାଇଁ କାର୍ଯ୍ୟକାରୀ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଯେଉଁ କର୍ମଚାରୀ ମାନେ NPS ବ୍ୟବସ୍ଥାରେ ପେନସନ ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି, ସେମାନଙ୍କ ପାଇଁ ଏହି ବ୍ୟବସ୍ଥା ଲାଗୁ କରିବା ନିମନ୍ତେ କ୍ୟାବିନେଟ ସ୍ଥିର କରିଛି ।
ବ୍ରାହ୍ମଣୀ, ଖରସ୍ରୋତା, ବୈତରଣୀ ଓ ମହାନଦୀ ଉପରେ ସେତୁ ନିର୍ମାଣ-
କେନ୍ଦ୍ରାପଡା ଜିଲ୍ଲାର କଟକ-ଚାନ୍ଦବାଲି ରାସ୍ତାରେ ବ୍ରାହ୍ମଣୀ ନଦୀ ଉପରେ ପୁରୁଣା ସେତୁ ନିକଟରେ ଦ୍ଵିତୀୟ ସେତୁ ନିର୍ମାଣ କରିବାକୁ ନିଷ୍ପତ୍ତି ନେଇଛନ୍ତି । ବ୍ରାହ୍ମଣୀ ନଦୀ ଉପରେ ଏହି 4 ଲେନ ବିଶିଷ୍ଟ ସେତୁ ପ୍ରକଳ୍ପ ବର୍ତ୍ତମାନର ପୁରୁଣା ସେତୁ ନିକଟରେ ନିର୍ମାଣ କରାଯିବ । ଫଳରେ କେନ୍ଦ୍ରପଡ଼ାକୁ ଭଦ୍ରକ ସହିତ ସଂଯୋଗ କରୁଥିବା ରାଜ୍ୟ ରାଜପଥ 9-A ରେ ଟ୍ରାଫିକ ସମସ୍ୟା ଦୂର ହେବ । ଏହା ଦ୍ୱାରା ପର୍ଯ୍ୟଟକଙ୍କୁ ସୁବିଧା ମିଳିବ । ରାସ୍ତାଟି ଡାଙ୍ଗମାଳ ଏବଂ ଭିତରକନିକା ଜାତୀୟ ଉଦ୍ୟାନକୁ ସିଧାସଳଖ ସଂଯୋଗ କରିବ । ପ୍ରକଳ୍ପ ପାଇଁ କ୍ୟାବିନେଟ 228 କୋଟି 99 ଲକ୍ଷ ଟେଣ୍ଡର ଅନୁମୋଦନ କରିଛନ୍ତି । 36 ମାସରେ ମଧ୍ୟରେ ପ୍ରକଳ୍ପ ଶେଷ ହେବ ।
କଟକ ଚାନ୍ଦବାଲି ରାସ୍ତାର ଭାରିଗଡାରେ ଖରସ୍ରୋତା ନଦୀରେ ପୁରୁଣା ସେତୁ ନିକଟରେ ଆଳି ଓ ଚାନ୍ଦବାଲିକୁ ସଂଯୋଗ କରିବା ପାଇଁ ସେତୁ ନିର୍ମାଣ ହେବ । ବୈତରଣୀ ନଦୀ ଉପରେ ଏହି 4 ଲେନ ବିଶିଷ୍ଟ ସେତୁ ନିର୍ମାଣ କରାଯିବ । ପ୍ରକଳ୍ପ କେନ୍ଦ୍ରପଡ଼ାକୁ ଭଦ୍ରକ ସହିତ ସଂଯୋଗ କରୁଥିବା SH-9-Aରେ ଟ୍ରାଫିକ ସମସ୍ୟା ଦୂର ହେବ । ପର୍ଯ୍ୟଟକଙ୍କୁ ସୁବିଧା ମିଳିବା ସହ ଏହି ରାସ୍ତା ଡାଙ୍ଗମାଳ ଏବଂ ଭିତରକନିକା ଜାତୀୟ ଉଦ୍ୟାନକୁ ସିଧାସଳଖ ସଂଯୋଗ ହେବ । ପ୍ରକଳ୍ପ ପାଇଁ 221 କୋଟି 53 ଲକ୍ଷ ବ୍ୟବସ୍ଥା ହୋଇଥିବା ବେଳେ 36 ମାସରେ ସମ୍ପୂର୍ଣ୍ଣ ହେବ ।
ସେହିପରି ଭଦ୍ରକ-ଚାନ୍ଦବାଲି ରାସ୍ତାରେ ବୈତରଣୀ ନଦୀ ଉପରେ ପୁରୁଣା ସେତୁ ନିକଟରେ କେନ୍ଦ୍ରପଡା ଓ ଚାନ୍ଦବାଲିକୁ ସଂଯୋଗ କରିବାପାଇଁ ଏକ ସେତୁ ନିର୍ମାଣ ହେବ । ଏହି ସେତୁ କେନ୍ଦ୍ରପଡ଼ାକୁ ଭଦ୍ରକ ସହିତ ସଂଯୋଗ କରୁଥିବା ରାଜ୍ୟ ରାଜପଥ - 9- Aରେ ଟ୍ରାଫିକ ସମସ୍ୟା ଦୂର ହେବ । ପର୍ଯ୍ୟଟକଙ୍କୁ ସୁବିଧା ସହ ଡାଙ୍ଗମାଳ ଏବଂ ଭିତରକନିକା ଜାତୀୟ ଉଦ୍ୟାନକୁ ସିଧାସଳଖ ସଂଯୋଗ କରିବ । 206 କୋଟି 88 ଲକ୍ଷ 23 ହଜାର 8 ଶହ 28 ଟଙ୍କା ଖର୍ଚ୍ଚ ସହ 36 ମାସ ମଧ୍ୟରେ ସମ୍ପୂର୍ଣ୍ଣ ହେବ ।
ମହାନଦୀ ଉପରେ ଝାରସୁଗୁଡା ଜିଲ୍ଲାର ପୂଜାରୀପଲ୍ଲୀ ଘାଟରେ ସେତୁ ନିର୍ମାଣ ହେବ । ବରଗଡ଼ ଜିଲ୍ଲାର ଜରିମୂଲିକୁ ସଂଯୋଗ କରିବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି । ଏହି ପ୍ରକଳ୍ପଟି ପୁରୁଣା NH 200 ବା ବର୍ତ୍ତମାନର NH 49କୁ ବରଗଡ଼ ଜିଲ୍ଲାର ଡୁଙ୍ଗୁରୀ ସହିତ ସଂଯୋଗ କରିବ । ଏଥିପାଇଁ 239 କୋଟି ଅନୁମୋଦନ ହୋଇଛି । ଏହାସକୁ 36 ମାସରେ ନିର୍ମାଣ ହେବ ।
ଆଇନ ବିଭାଗର ନିଯୁକ୍ତି ପ୍ରକ୍ରିୟା ସଂଶୋଧନ-
ଆଇନ ବିଭାଗରେ ନିଯୁକ୍ତି ପ୍ରକ୍ରିୟା ସଂଶୋଧନ ହୋଇଛି । ନିଯୁକ୍ତି ପ୍ରକ୍ରିୟାକୁ ଶୃଙ୍ଖଳିତ କରିବା ଏବଂ ରାଜ୍ୟର ସବଅର୍ଡିନେଟ ନ୍ୟାୟପାଳିକାରେ ନିଯୁକ୍ତି ପାଇଁ ଏହାକୁ ସଂଶୋଧନ କରାଯାଇଛି । ପ୍ରତ୍ୟେକ ଶ୍ରେଣୀର ପ୍ରାର୍ଥୀଙ୍କୁ ସୁଯୋଗ ଦେବାକୁ ବ୍ୟବସ୍ଥା ହୋଇଛି । ଓଡ଼ିଶା ଜିଲ୍ଲା ତଥା ସିଭିଲ କୋର୍ଟର ଜୁଡିସିଆଲ ଷ୍ଟାଫ ସର୍ଭିସେସ ନିଯୁକ୍ତି ପଦ୍ଧତି ଏବଂ ସେବା ସର୍ତ୍ତ (ସଂଶୋଧନ) ନିୟମ 2008କୁ ସଂଶୋଧନ କରିବା ପାଇଁ ପଦକ୍ଷେପ ନିଆଯାଉଛି ।
ଓଡ଼ିଶା ଅକ୍ଷୟ ଶକ୍ତି ନୀତି, 2022 ସଂଶୋଧନ-
ରାଜ୍ୟରେ ନବୀକରଣ ଯୋଗ୍ୟ ଶକ୍ତି ପ୍ରକଳ୍ପର ବିକାଶ ହେବ । ଏଥିପାଇଁ ଏକ ଅନୁକୂଳ ବାତାବରଣ ସୃଷ୍ଟି କରାଯିବ । ଏଥିପାଇଁ ଓଡ଼ିଶା ଅକ୍ଷୟ ଶକ୍ତି ନୀତି 2022 (Odisha Renewable Energy Policy 2022) ପ୍ରଣୟନ କରାଯାଇଥିଲା । ତେବେ ଏହି ନୀତିର କାର୍ଯ୍ୟାନ୍ୱୟନରେ ବିଭିନ୍ନ ପରିଚାଳନାଗତ ଅସୁବିଧା ଦୃଷ୍ଟିରେ ଆସିଛି । ଏହାକୁ ଦୃଷ୍ଟିରେ ରଖି ଏହି ନୀତିକୁ ଅଧିକ ଆକର୍ଷଣୀୟ କରିବା ସହ ଏହାର ସୁଗମ କାର୍ଯ୍ୟକାରିତା ପାଇଁ କ୍ୟାବିନେଟ ସଂଶୋଧିତ ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି । ସଂଶୋଧିତ ପ୍ରସ୍ତାବ ଅନୁସାରେ ଏହି ନୀତିର ଅବଧି ମଧ୍ୟରେ ଅର୍ଥାତ 15 ବର୍ଷ ପର୍ଯ୍ୟନ୍ତ ଅକ୍ଷୟ ଶକ୍ତି ପ୍ରକଳ୍ପରୁ ଉତ୍ପାଦିତ ବିଦ୍ୟୁତ ଶକ୍ତି ବ୍ୟବହାର ନିମନ୍ତେ ହ୍ୱିଲିଂ ଚାର୍ଜରେ 25 ପ୍ରତିଶତ ପରିବର୍ତ୍ତେ 50 ପ୍ରତିଶତ ଛାଡ଼ ପ୍ରଦାନ କରାଯାଇଛି । ଅନ୍ୟ Renewable Energy ପ୍ରକଳ୍ପଗୁଡିକ ପାଇଁ ହ୍ୱିଲିଂ ଚାର୍ଜରେ ପ୍ରଚଳିତ 25 % ଛାଡ଼ ବଳବତ୍ତର ରହିବ । ପୂର୍ବ ନୀତି ଅନୁଯାୟୀ 10 କିମ୍ବା ତଦୁର୍ଦ୍ଧ୍ୱ ବାସଗୃହ ଥିବା ଜନବସତିର 1 କିମି ପରିସର ମଧ୍ୟରେ ପବନ କଳ ସ୍ଥାପନକୁ ବାରଣ କରାଯାଇଛି ।
ଓଡ଼ିଶା ଲୋକସେବା ଆୟୋଗ ବିନିୟମ 1952 ର ସଂଶୋଧନ-
ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗର ପ୍ରସ୍ତାବ ଓଡ଼ିଶା ଲୋକସେବା ଆୟୋଗ ବା ସେବା ସର୍ତ୍ତାବଳୀ ବିନିୟମ 1952 ର ସଂଶୋଧନ ହୋଇଛି । କୌଣସି ବ୍ୟକ୍ତି ଆୟୋଗର ଅଧ୍ୟକ୍ଷ କିମ୍ବା ସଦସ୍ୟ ଭାବେ ନିଯୁକ୍ତ ହୁଅନ୍ତି । ତାଙ୍କ ଅନ୍ତିମ ନିର୍ଦ୍ଧାରିତ ବେତନ ଯାହାକି ଅଧ୍ୟକ୍ଷ ଓ ସଦସ୍ୟଙ୍କ ପାଇଁ ଯଥାକ୍ରମେ ମାସିକ 2 ଲକ୍ଷ 25 ହଜାର ଓ ମାସିକ 1 ଲକ୍ଷ 82 ହଜାରରୁ ଅଧିକ ହୋଇଥିବ । ସରକାରୀ ଚାକିରିରେ ଥିବା ସମୟର ସେ ଅନ୍ତିମ ବେତନରୁ ମୋଟ ପେନସନ ରାଶିକୁ ବାଦ ଦେଲା ପରେ ଯେଉଁ ରାଶି ଉପନୀତ ହେବ, ତାକୁ ପାଇବାକୁ ହକଦାର ହେବେ ।