ଓଡିଶା

odisha

ETV Bharat / state

କ୍ୟାବିନେଟରେ 10 ପ୍ରସ୍ତାବକୁ ମୋହର, ନୂଆ ଯୋଜନା ‘ବିକଶିତ ଗାଁ ବିକଶିତ ଓଡ଼ିଶା’କୁ ମଞ୍ଜୁରୀ - ODISHA CABINET

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଆଜି ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି ।

Etv Bharat
Etv Bharat (Etv Bharat)

By ETV Bharat Odisha Team

Published : Jan 22, 2025, 6:59 PM IST

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଆଜି ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି । ବୈଠକ ପରେ କ୍ୟାବିନେଟ ନିଷ୍ପତ୍ତି ସମ୍ପର୍କରେ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ । କ୍ୟାବିନେଟ 10 ଟି ପ୍ରସ୍ତାବକୁ ମଞ୍ଜୁରୀ ଦେଇଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି । ବିଦ୍ୟାଳୟ ଓ ଗଣଶିକ୍ଷା, ଆଇନ, ଶକ୍ତି, ପଞ୍ଚାୟତିରାଜ ଏବଂ ପାନୀୟ ଜଳ, ଅର୍ଥ, କୃଷି ଏବଂ କୃଷକ ସଶକ୍ତିକରଣ, ସ୍ୱାସ୍ଥ୍ୟ ଓ ସୂଚନା ଏବଂ ପ୍ରଯୁକ୍ତି ବିଦ୍ୟା ବିଭାଗର ପ୍ରସ୍ତାବକୁ କ୍ୟାବିନେଟ ମୋହର ମାରିଛି ।

  • 5ଟି ସ୍କୁଲ ଧୋକା, ଜିଏମ୍ଏପିଭି ଯୋଜନାରେ ହେବ 6794 ଆଦର୍ଶ ବିଦ୍ୟାଳୟ :-

ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପ୍ରଥମ ପ୍ରସ୍ତାବକୁ କ୍ୟାବିନେଟ ମୋହର ମାରିଛି । ଗୋଦାବରୀଶ ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନା ଉପରେ ରାଜ୍ୟ କ୍ୟାବିନେଟ ମୋହର ମାରିଛି । ଗତ ସରକାର ସମୟରେ 5T ନାଁରେ ସ୍ମାର୍ଟ ସ୍କୁଲ କରାଯାଇଥିଲା । ସ୍ମାର୍ଟ ସ୍କୁଲ ଗୁଡିକର ରୂପାନ୍ତରଣ ନାଁରେ ବିନା ଯୋଜନା, ବିନା ଡିପିଆର ଓ ବିନା ଏଷ୍ଟିମେଟରେ ଓଡିଶାର ଲୋକଙ୍କୁ ଧୋକା ଦିଆଯାଇଛି । କେବଳ ପୁରୁଣା କାନ୍ଥକୁ ରଙ୍ଗ ଦିଆଯାଇ ଥିଲା । ସ୍ମାର୍ଟ ସ୍କୁଲର ଗୋଟେ ଫିଡ଼ର ସ୍କୁଲ ରହିବା କଥା ସେଇଟା ନଥିଲା । କୌଣସି ଭିତ୍ତିଭୂମି ନଥିଲା ବେଳେ କେବଳ ଭଙ୍ଗା କାନ୍ଥରେ ଚୂନ ବୋଳି ଥିଲେ । ପିଲା ହରଣ ଗୁଣନ ଜାଣି ନଥିଲେ । ଓଡ଼ିଶାର ପିଲାଙ୍କ ପାଇଁ 5T ନାଁ'ରେ ସ୍ମାର୍ଟ ସ୍କୁଲ ବଡ଼ ଧୋକା ଥିଲା । ଆମ ସରକାର ଉଚ୍ଚ ବିଦ୍ୟାଳୟକୁ ସ୍ମାର୍ଟ କରିବା ପାଇଁ ପ୍ରତି ପଞ୍ଚାୟତର ଗୋଟିଏ ସ୍କୁଲକୁ ମଡେଲ ସ୍କୁଲ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଗୋଦାବରୀଶ ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନା ଉପରେ ରାଜ୍ୟ କ୍ୟାବିନେଟ ମୋହର ମାରିଛି । ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଏହା କରାଯିବ । 6794 ଗ୍ରାମ ପଂଚାୟତରେ ଗୋଟିଏ ଗୋଟିଏ ସ୍ମାର୍ଟ ସ୍କୁଲ କରିବେ ସରକାର । ଗୋଟିଏ ବିଦ୍ୟାଳୟ ପିଛା 4 ରୁ 5 କୋଟି ଟଙ୍କା ଖର୍ଚ୍ଚ କରାଯିବ । 4 ବର୍ଷରେ ଏହା ଶେଷ ହେବ । ଚଳିତ ଆର୍ଥିକ ବର୍ଷରୁ 114 ପ୍ରାଥମିକ ବିଦ୍ୟାଳୟରୁ ଏହାର ଶୁଭାରମ୍ଭ ହେବ । 2024/25 ଆର୍ଥିକ ବର୍ଷରୁ 2028/28 ବର୍ଷ ମଧ୍ୟରେ ଏଥିପାଇଁ 12 ହଜାର କୋଟି ଟଙ୍କା ଖର୍ଚ୍ଚ କରିବାକୁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି ।

10 ପ୍ରସ୍ତାବକୁ କ୍ୟାବିନେଟ ମୋହର (ETV Bharat)
10 ପ୍ରସ୍ତାବକୁ କ୍ୟାବିନେଟ ମୋହର (ETV Bharat)
  • ଅର୍ଥ କମିଶନରେ ସାଢ଼େ 12 ଲକ୍ଷ କୋଟି ଦାବି :-

ଷୋଡ଼ଶ ଅର୍ଥ କମିଶନ ଫେବୃଆରୀ 5ରୁ ତିନି ଦିନିଆ ଓଡ଼ିଶା ଗସ୍ତରେ ଆସିବେ । ପାଞ୍ଚ ବର୍ଷର ଯୋଜନା ନେଇ ରାଜ୍ୟ ସରକାର ଦାବି ରଖିବେ । ଅର୍ଥ କମିଶନ ନିକଟରେ 12 ଲକ୍ଷ 56 ହଜାର 148 କୋଟି ଟଙ୍କାର ଦାବି ରଖିବ ।

  • ଆଇ ଆର ପାୱାର କମିଶନ ଲିମିଟେଡ଼କୁ ଅଧିକ ସ୍ୱତନ୍ତ୍ର ଆର୍ଥିକ ପ୍ରୋତ୍ସାହନ :-

ଭୁବନେଶ୍ୱରରେ ଭାରତର ପ୍ରଥମ ସିଲିକନ କାର୍ବାଇଡ଼ ସେମିକଣ୍ଡକଟର ଉତ୍ପାଦନ ସୁବିଧା ପ୍ରତିଷ୍ଠା କରିବା ଲାଗି ଆର ଆଇ ଆର ପାୱାର ଇଲେକ୍ଟ୍ରୋନିକ୍ସ ଲିମିଟେଡ଼ ପାଇଁ ସ୍ୱତନ୍ତ୍ର ପ୍ରୋତ୍ସାହନ ପ୍ୟାକେଜକୁ କ୍ୟାବିନେଟ ମୋହର ମାରିଛି । ଓଡ଼ିଶାରେ ସେମିକଣ୍ଡକଟର ନିର୍ମାଣ ପାଇଁ ଆର ଆଇ ଆର ପାୱାର କମିଶନ ଲିମିଟେଡ଼କୁ ଅଧିକ ସ୍ୱତନ୍ତ୍ର ଆର୍ଥିକ ପ୍ରୋତ୍ସାହନ ଦେବେ ରାଜ୍ୟ ସରକାର । ପୂର୍ବରୁ 30 ପ୍ରତିଶତ ଆର୍ଥିକ ସହାୟତା ଦିଆଯାଉଥିଲା । ବର୍ତ୍ତମାନ ଆଉ 20 ପ୍ରତିଶତ ଯୋଗାଇ ଦିଆଯିବ । ଏଥିପାଇଁ ରାଜ୍ୟ ସରକାର 110 କୋଟି ଟଙ୍କା ବ୍ୟୟ କରିବେ । ଏହି ପ୍ରକଳ୍ପରେ 618 କୋଟି ନିବେଶ ସହ 750 ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ।

10 ପ୍ରସ୍ତାବକୁ କ୍ୟାବିନେଟ ମୋହର (ETV Bharat)
  • 58ଟି ଉପଖଣ୍ଡରେ ଗୋଟେ ଲେଖାଏଁ ଶୀତଳ ଭଣ୍ଡାର:-

ଶୀତଳ ଭଣ୍ଡାର ପାଇଁ ଆର୍ଥିକ ସହାୟତା ପାଇଁ ରାଜ୍ୟ କ୍ୟାବିନେଟ ନିଷ୍ପତ୍ତି ନେଇଛନ୍ତି । 58ଟି ଉପଖଣ୍ଡରେ ଅତିକମରେ ଗୋଟେ ଲେଖାଏଁ ଶୀତଳ ଭଣ୍ଡାର ନିର୍ମାଣ ହେବ । ପୁଞ୍ଜି ବିନିଯୋଗ ସବସିଡି ଜରିଆରେ 60 ପ୍ରତିଶତ ସବସିଡ଼ି ଯୋଗାଇ ଦେବେ ସରକାର । ଏହା ସହ 6 କୋଟି 50 ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଉପରେ ସବସିଡି ଦେବେ ସରକାର । 4 ଟି ସ୍ଲାବରେ ସହାୟତା ଯୋଗାଇ ଦେବେ ରାଜ୍ୟ ସରକାର । ବିଦ୍ୟୁତ ସବସିଡି ବି ଯୋଗାଇବେ ସରକାର । ଅଣକାର୍ଯ୍ୟକ୍ଷମ ଶୀତଳ ଭଣ୍ଡାରକୁ ପୁନଃ କାର୍ଯ୍ୟକ୍ଷମ କରିବା ପାଇଁ ତଦନ୍ତ କରି ଚୟନ କରାଯିବ । ସେହି କ୍ଷେତ୍ରରେ ମଧ୍ୟ ଆର୍ଥିକ ସହାୟତା ରାଜ୍ୟ ସରକାର ଯୋଗାଇ ଦେବେ । ଦେଢ଼ କୋଟି ଟଙ୍କାର ଆର୍ଥିକ ସହାୟତା ବି ରାଜ୍ୟ ସରକାର ଯୋଗାଇ ଦେବେ । 2025/26ରୁ 2029/30 ପର୍ଯ୍ୟନ୍ତ 5 ବର୍ଷ ପାଇଁ 252 କୋଟି ଟଙ୍କା ଖର୍ଚ୍ଚ କରାଯିବ ।

  • ନୂଆ ଯୋଜନା ‘ବିକଶିତ ଗାଁ ବିକଶିତ ଓଡ଼ିଶା’:-

‘‘ପୂର୍ବରୁ ସବୁ ଯୋଜନା ଗୁଡ଼ିକ ଲକ୍ଷ୍ୟ ଅନୁଯାୟୀ ଫଳପ୍ରଦ ହୋଇନାହିଁ । ଗତ ସରକାର କେବଳ ନିର୍ବାଚନ ପାଇଁ ଯୋଜନା ଆରମ୍ଭ କରି ପରେ ବନ୍ଦ କରି ଦିଅନ୍ତି । ନିର୍ବାଚନ ବେଳେ ଆମ ଓଡ଼ିଶା ନବୀନ ଓଡିଶା ଆରମ୍ଭ ହୋଇଥିଲା । ତାହାର ସଂଜ୍ଞା କଣ ବୁଝା ପଡ଼ୁନି । ଏହି ଯୋଜନା ଦ୍ୱାରା ଲୋକଙ୍କୁ ସଫଳତା ଜମା ମିଳିନାହିଁ କହିଲେ ଚଳେ । ଯୋଜନା କେବଳ ଠିକାଦାରୀରେ ସୀମିତ ଥିଲା’’ ବୋଲି କହିଛନ୍ତି ଏବେର ସରକାର । ଗ୍ରାମାଞ୍ଚଳର ତ୍ୱରିତ ବିକାଶ ପାଇଁ ମୋହନ ସରକାର ନୂଆ ଯୋଜନା ବିକଶିତ ଗାଁ ବିକଶିତ ଓଡ଼ିଶା ଆରମ୍ଭ କରିଛନ୍ତି । ଏହି ଯୋଜନାକୁ ଆଜି ରାଜ୍ୟ କ୍ୟାବିନେଟ ମୋହର ମାରିଛି । ଚଳିତ ଆର୍ଥିକବର୍ଷରେ ରାଜ୍ୟ ସରକାର 1000 କୋଟି ଟଙ୍କା ବ୍ୟୟ ବରାଦ କରିଛନ୍ତି । ପ୍ରତି ବର୍ଷ 1000 କୋଟି ଟଙ୍କାର ବ୍ୟୟ ବରାଦ ହେବ । ଆସନ୍ତା 5 ବର୍ଷ ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ଚାଲିବ । ସବୁ ନିଷ୍ପତ୍ତି ଗ୍ରାମସଭା ଦ୍ୱାରା ନିର୍ଣ୍ଣୟ ହେବ । ପରେ ତାହା ଜିଲ୍ଲାପାଳଙ୍କ ଅନୁମୋଦନ ଲାଭ କରିବ । ଯୋଜନା 5 ବର୍ଷ ପର୍ଯ୍ୟନ୍ତ କାର୍ଯ୍ୟକାରୀ ହେବ । ଏଥିପାଇଁ 5 ହଜାର କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି ।

10 ପ୍ରସ୍ତାବକୁ କ୍ୟାବିନେଟ ମୋହର (ETV Bharat)
  • 5000 ନୂଆ ଡାକ୍ତର ଏବଂ 126 ଦନ୍ତ ଚିକିତ୍ସିକକୁ ନିଯୁକ୍ତି:-

ଓଡ଼ିଶା ଡାକ୍ତରୀ ଓ ସ୍ୱାସ୍ଥ୍ୟ ସେବା ନିୟମାବଳୀକୁ ରାଜ୍ୟ କ୍ୟାବିନେଟରେ ସଂଶୋଧନ କରାଯାଇଛି । ଡାକ୍ତର ନିଯୁକ୍ତି ଅଭାବକୁ ଦୂର କରି ଡାକ୍ତର ସମସ୍ୟା ଦୂର ପାଇଁ ରାଜ୍ୟ କ୍ୟାବିନେଟ ନିଷ୍ପତ୍ତି ନେଇଛି । 5000 ନୂଆ ଡାକ୍ତର ଏବଂ 126 ଦନ୍ତ ଚିକିତ୍ସିକକୁ ନିଯୁକ୍ତି ଦେବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି । ଶକ୍ତି ବିଭାଗର ଗୋଟିଏ ପ୍ରସ୍ତାବକୁ କ୍ୟାବିନେଟ ମୋହର ମାରିଛି । ଆର୍ଥିକ ପ୍ରତିଷ୍ଠାନରୁ ସ୍ୱାପିଂ ଆଧାରରେ ମିଳିଥିବା ଅବଧି ଋଣ ପାଇଁ ଗ୍ରୀଡ୍କୋ ଲିମିଟେଡ଼ ସପକ୍ଷରେ 3108.21 କୋଟି ଟଙ୍କାର ସରକାରୀ ଗ୍ୟାରେଣ୍ଟିକୁ କାର୍ଯ୍ୟୋତ୍ତର ଅନୁମୋଦନ ମିଳିଛି । ଫଳରେ ଗ୍ରୀଡ୍କୋ ଲିମିଟେଡ଼ର ସୁଧ ଭାରକୁ ହ୍ରାସ କରିବ । ଯାହା ଦ୍ୱାରା ଉପଭୋକ୍ତାଙ୍କ ଉପରେ ବୋଝ ହ୍ରାସ ହେବ । ସେହିପରି ଆଇନ ବିଭାଗର ଗୋଟିଏ ସଂଶୋଧନକୁ ରାଜ୍ୟ କ୍ୟାବିନେଟ ମୋହର ମାରିଛି । ଏହିପରି ଭାବେ 10 ଟି ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ ମୋହର ମାରିଛି ।

ପ୍ରାୟ ଅଢେଇ ଘଣ୍ଟା ଧରି କ୍ୟାବିନେଟ ବୈଠକ ଜାରୀ ରହିଥିଲା । ପ୍ରତ୍ୟେକ ପ୍ରସ୍ତାବ ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା ପରେ ଅନୁମୋଦନ ପ୍ରଦାନ କରାଯାଇଛି । ବୈଠକରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ, ପ୍ରଭାତୀ ପରିଡା, ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ, ପଞ୍ଚାୟତିରାଜ ମନ୍ତ୍ରୀ ରବି ନାୟକ, ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ନିକୁଞ୍ଜ ବିହାରୀ ଧଳ ଓ ସମ୍ପୃକ୍ତ ବିଭିନ୍ନ ବିଭାଗର ସଚିବ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details