ଭୁବନେଶ୍ବର:ରାଜ୍ୟପାଳଙ୍କ ଅଭିଭାଷଣର ଧନ୍ୟବାଦ ପ୍ରସ୍ତାବର ଆଲୋଚନା ଉପରେ ଭାଗ ନେଇ ପ୍ରତିକ୍ରିୟା ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ପ୍ରାୟ 1 ଘଣ୍ଟା 3 ମିନିଟର ଉତ୍ତର ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ପୂର୍ବ ସରକାର ତ୍ରୁଟିପୂର୍ଣ୍ଣ ବ୍ୟବସ୍ଥାର ଚିଠା ଖୋଲିବା ସହ ବର୍ତ୍ତମାନ ସରକାରର 8 ମାସର ସଫଳତା ଗଣେଇଛନ୍ତି ମୁଖ୍ୟମନ୍ତ୍ରୀ । ସେପଟେ ବିରୋଧି ଦଳ ନେତା ନବୀନ ପଟ୍ଟନାୟକ କହିଛନ୍ତି ରାଜ୍ୟପାଳଙ୍କ ଅଭିଭାଷଣ ଖାଲି ଭାଷଣ ଥିଲା । ଆଉ କିଛି ନାହିଁ ସେଥିରେ । ଏହାକୁ ମୁଁ ବିରୋଧ କରୁଛି ।
ଛାମୁ ଯାହା ଦେଲେ ହରଷେ, ପାଉ ପାଉ ଗଲା ବରଷେ:
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି, "ଆମ ସରକାର 8 ମାସରେ ବିଶେଷ କିଛି କରି ନାହାନ୍ତି ବୋଲି କହୁଛନ୍ତି । ଏପରି ତୁଳନାରେ ମୁଁ ବହୁତ ଆନନ୍ଦିତ । କାରଣ 24 ବର୍ଷ ଅର୍ଥାତ 290 ମାସର ବିଗତ ସରକାରଙ୍କ କାର୍ଯ୍ୟକାଳ ସହିତ ବିରୋଧୀ ଦଳ ମୋ 8 ମାସର କାର୍ଯ୍ୟକାଳକୁ ତୁଳନା କରୁଛନ୍ତି । ସେମାନେ ଚାହୁଁଛନ୍ତି ଗତ 24 ବର୍ଷରେ ଯେତିକି ବିକାଶ ହୋଇଥିଲା, ମାତ୍ର 8 ମାସରେ ଆମେ ତା’ଠୁ ଅଧିକ ବିକାଶ କରି ଦେଖାଇ ଥାଆନ୍ତୁ । ଆମେ କରିଛୁ ମଧ୍ୟ । ବିଗତ 2 ଦଶନ୍ଧିର ଶାସକ ଦଳ ତଥା ବର୍ତ୍ତମାନର ବିରୋଧୀ ଦଳ କୃଷି କ୍ଷେତ୍ରରେ ଏତେ ଅଗ୍ରଗତି କରିଥିଲେ ଯେ ରାଜ୍ୟର ଚାଷୀଙ୍କ ଆୟ ସବୁ ରାଜ୍ୟ ମାନଙ୍କ ମଧ୍ୟରେ ନିମ୍ନରୁ ଦ୍ୱିତୀୟ । ଆମ ତଳେ କେବଳ ଝାଡ଼ଖଣ୍ଡ ହିଁ ରହିଛି । ଉତ୍କଳ ଘଣ୍ଟ କବି ଯଦୁମଣି କହିଥିଲେ, ‘ଛାମୁ ଯାହା ଦେଲେ ହରଷେ, ପାଉ ପାଉ ଗଲା ବରଷେ’ ।
24 ବର୍ଷ ନୁହେଁ, 24 ମିନିଟରେ 4 ନିଷ୍ପତ୍ତି:
ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି, ‘ଚାଷୀଙ୍କୁ କୁଇଣ୍ଟାଲ ପିଛା 100 ଟଙ୍କା ବୋନସ ଦେବା ପାଇଁ ବିଜେଡି ସରକାର ପ୍ରତିଶ୍ରୁତି ଦେଇଥିଲା । ତାହା ପୂରଣ କରିବାରେ ବିଫଳ ହେଲେ । କିନ୍ତୁ ଆମ ସରକାର 24 ବର୍ଷ ନୁହେଁ, ବରଂ 24 ମିନିଟରେ ପ୍ରଥମ କ୍ୟାବିନେଟରେ କୁଇଣ୍ଟାଲ ପିଛା 800 ଟଙ୍କା ଇନପୁଟ ସହାୟତା ପ୍ରଦାନ କରିବା ପାଇଁ ନିଷ୍ପତ୍ତି ନେଇ କାର୍ଯ୍ୟକାରୀ କରିଛନ୍ତି । ମହିଳା ସଶକ୍ତିକରଣ ନାଁ’ରେ ଭ୍ରମିତ କରି 24 ବର୍ଷ ପର୍ଯ୍ୟନ୍ତ ସ୍ଲୋଗାନରେ ଚାଲିଗଲା । କିନ୍ତୁ, ଆମ ସରକାର ମାତ୍ର 24 ମିନିଟରେ ରାଜ୍ୟର ପ୍ରାୟ 1 କୋଟି ମହିଳାଙ୍କୁ ବାର୍ଷିକ 10 ହଜାର ଟଙ୍କା ପର୍ଯ୍ୟନ୍ତ ଆର୍ଥିକ ସହାୟତା ଦେବାକୁ ନିଷ୍ଫତ୍ତି ଗ୍ରହଣ କରିଛନ୍ତି ।ବର୍ତ୍ତମାନ ସୁଦ୍ଧା 98 ଲକ୍ଷରୁ ଅଧିକ ମହିଳାଙ୍କୁ ସୁଭଦ୍ରା ଯୋଜନାର ପ୍ରଥମ କିସ୍ତି ପାଇ ସାରିଛନ୍ତି । ସୁଭଦ୍ରା ଯୋଜନା ସହାୟତା ଏବଂ କୃଷକ ସମୃଦ୍ଧି ଯୋଜନା ଯୋଗୁଁ ଓଡିଶାର ମୁଣ୍ଡପିଛା ଆୟ ନିଶ୍ଚିତ ଭାବେ ବୃଦ୍ଧି ହେବ ।’
ସ୍ଲୋଗାନ ନୁହେଁ ମହିଳା ସଶକ୍ତିକରଣ:
‘ଆମ ସରକାର ପାଇଁ ମହିଳା ସଶକ୍ତିକରଣ ଏକ ସ୍ଲୋଗାନ ନୁହେଁ । ସାମାଜିକ, ରାଜନୈତିକ ଏବଂ ଅର୍ଥନୈତିକ ସ୍ତରରେ ମା’ଙ୍କୁ ସଶକ୍ତ କରିବା ଆମର ଗୁରୁ ଦାୟିତ୍ଵ । ବାଚସ୍ପତି ଏବଂ ରାଜ୍ୟର ଉପମୁଖ୍ୟମନ୍ତ୍ରୀ ହେଉଛନ୍ତି ମହିଳା । ଉଭୟେ ନିଜ ଦାୟିତ୍ଵ ଚମତ୍କାର ଭାବେ ତୁଲାଉଛନ୍ତି । ଏହା ହେଉଛି ପ୍ରକୃତ ଭାବେ ମହିଳା ସଶକ୍ତିକରଣ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦିଗଦର୍ଶନରେ ଲକ୍ଷପତି ଦିଦି ଯୋଜନା ଆମ ରାଜ୍ୟରେ ମଧ୍ୟ କାର୍ଯ୍ୟକାରୀ ହେଉଛି । ଜାତୀୟ ଗ୍ରାମୀଣ ଜୀବିକା ମିଶନ ଅଧୀନରେ ଲକ୍ଷପତି ଦିଦି ଅଭିଯାନର ଉଦ୍ଦେଶ୍ୟ ହେଉଛି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟାଙ୍କୁ ବାର୍ଷିକ ଅତି କମରେ 1 ଲକ୍ଷ ଟଙ୍କା ରୋଜଗାର କରିବାରେ ସାହାଯ୍ୟ କରିବା । 2027 ସୁଦ୍ଧା 25 ଲକ୍ଷ ମହିଳାଙ୍କୁ ଲକ୍ଷପତି ଦିଦି ଭାବେ ସଶକ୍ତ କରିବାକୁ ସରକାର ପ୍ରତିଶ୍ରୁତିବଦ୍ଧ ।’
24 ବର୍ଷରେ 64% ଶିଶୁ ଏବଂ 64% ମହିଳା ଅପପୁଷ୍ଟିର ଶିକାର:
‘ରାଜନୈତିକ ସ୍ତରରେ ମହିଳାଙ୍କୁ ସଶକ୍ତ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦିଗଦର୍ଶନରେ ‘ନାରୀ ଶକ୍ତି ବନ୍ଦନ ଅଧିନିୟମ’ ପାରିତ ହୋଇଛି । ଏହି ଅଧିନିୟମ ବଳରେ 2029 ମସିହାରୁ ସାରା ଦେଶର ମହିଳା ସଂସଦ ଏବଂ ବିଧାନସଭାରେ ଏକ ତୃତୀୟାଂଶ ଆସନରେ ଆରକ୍ଷଣ ପାଇବେ । ଦେଶର ଶାସନ-ପ୍ରଶାସନରେ ମହତ୍ୱପୂର୍ଣ୍ଣ ଭୂମିକା ତୁଲାଇବେ । 24 ବର୍ଷର ଶାସନରେ ରାଜ୍ୟର 64 ପ୍ରତିଶତ ଶିଶୁ ଏବଂ 64 ପ୍ରତିଶତ ବୟସ୍କା ମହିଳାଙ୍କୁ ଅପପୁଷ୍ଟିର ଶିକାର ହୋଇଛନ୍ତି । ଏହି 8 ମାସରେ ଅପପୁଷ୍ଟି ପରି ସମସ୍ୟାକୁ ଦୂର କରିବା ପାଇଁ ମିଡ-ଡେ ମିଲରେ ମୁଣ୍ଡପିଛା ଖର୍ଚ୍ଚ ବୃଦ୍ଧି କରାଯାଇଛି । ଏହା ବ୍ୟତୀତ ଏହି ସମସ୍ୟାକୁ ସମୂଳେ ଦୂର କରିବା ପାଇଁ ଏକ ହୋଲିଷ୍ଟିକ ଆପ୍ରୋଚ ନେଇ ସରକାର କାର୍ଯ୍ୟ କରୁଛନ୍ତି ।’
ଓଡ଼ିଆଙ୍କ ଧର୍ମୀୟ ଭାବନା, ପରମ୍ପରା ସହ ଖେଳିଥିଲେ ପୂର୍ବ ସରକାର:
‘ମହାପ୍ରଭୁ ଶ୍ରୀ ଜଗନ୍ନାଥ ହେଉଛନ୍ତି ଆମ ଓଡିଆ ଜାତିର ପ୍ରାଣ ସ୍ପନ୍ଦନ । ଆମ ଓଡିଆ ଜାତିର ସ୍ଵାଭିମାନ । ସରକାରଙ୍କୁ ମାତ୍ର 8 ମାସ ପୁରିଛି । କିନ୍ତୁ ଆମେ ପ୍ରତି ମୂହୁର୍ତ୍ତରେ ଆମ ଓଡିଆଙ୍କ ଧର୍ମୀୟ ଭାବନା, ପରମ୍ପରା, ଐତିହ୍ୟ ଓ ସଂସ୍କୃତିକୁ ମନେ ରଖି କାର୍ଯ୍ୟ କରିଆସୁଛୁ ଇଭେଣ୍ଟ ମ୍ୟାନେଜମେଣ୍ଟ କରି ପ୍ରଭୁଙ୍କ 6’ ଇଞ୍ଚର ପ୍ରତିମାକୁ ଗାଡିରେ ରଖି, ନେତାଙ୍କ 6’ ଫୁଟର କଟ-ଆଉଟ ଲଗାଇ ଗାଁ ଗାଁ ଯାଇ ଚାଉଳ ଭିକ୍ଷା କରି ନଥିଲୁ । ଏହା କି ପ୍ରକାର ଜଗନ୍ନାଥ ସଂସ୍କୃତି ? ଆଜି ପର୍ଯ୍ୟନ୍ତ ଓଡିଶାର ଜନ ସାଧାରଣ ବୁଝିପାରି ନାହାନ୍ତି । କିନ୍ତୁ ଏହି ପ୍ରହସନର ଉଚିତ ଜବାବ ଦେଇଛନ୍ତି । ଶ୍ରୀଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର ପାଇଁ ଯାହା 24 ବର୍ଷରେ ହୋଇ ନଥିଲା । 24 ମିନିଟରେ ଆମ ସରକାର କରି ଦେଖାଇ ଦେଲେ ।’
ଜଗନ୍ନାଥ ସଂସ୍କୃତିର ପ୍ରଚାର ପାଇଁ 500 କୋଟି ପାଣ୍ଠି:
‘ପ୍ରଥମ କ୍ୟାବିନେଟରେ ହିଁ ଶ୍ରୀ ଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର ପାଇଁ 500 କୋଟି ଟଙ୍କାର କର୍ପସ ପାଣ୍ଠି ଗଠନ ହୋଇଛି । ଶ୍ରୀମନ୍ଦିର ପରିସରରେ ପ୍ରବେଶକୁ ସୁଗମ କରିବା ପାଇଁ 4 ଦ୍ୱାର ଖୋଲାଯାଇଛି । କିଛି ବିଶେଷ ଦିନ କିମ୍ବା ଯାନିଯାତ୍ରାକୁ ବାଦ ଦେଇ ଭକ୍ତମାନେ ସ୍ଵଚ୍ଛନ୍ଦରେ ଶ୍ରୀଜୀଉଙ୍କ ଦର୍ଶନ କରୁଛନ୍ତି । ଭକ୍ତଙ୍କ ବିଶ୍ୱାସ ଏବଂ ଭାବନାକୁ ସମ୍ମାନ ଜଣାଇ ସରକାର ରତ୍ନଭଣ୍ଡାରକୁ ପୁନଃନିର୍ମାଣ କରିବା ପାଇଁ ମଧ୍ୟ ପଦକ୍ଷେପ ନେଇଛନ୍ତି । ଯାହାକୁ 24 ବର୍ଷର ସରକାର ବିରୋଧ କରିଥିଲେ । ରତ୍ନ ଭଣ୍ଡାରରେ କ'ଣ ଏବଂ କେତେ ରତ୍ନ ଅଛି, ଜାଣିବାର ଅଧିକାର ଓଡିଶାବାସୀଙ୍କର ଅଛି । ଗଣତି ମଣତି କାର୍ଯ୍ୟ କରାଯାଇ ଏ ବିଷୟରେ ରାଜ୍ୟବାସୀଙ୍କୁ ଅବଗତ କରାଯିବ । ଓଡିଆ ଭାଷା, ସାହିତ୍ୟ, ସଂସ୍କୃତି, ଐତିହ୍ୟ ଓ ପରମ୍ପରାର ପ୍ରଚାର ପ୍ରସାର ପାଇଁ 200 କୋଟି ପ୍ରାରମ୍ଭିକ କର୍ପସ ପାଣ୍ଠି ଗଠନ କରିବାକୁ ନିଷ୍ପତ୍ତି ହୋଇଛି । ବାଲିଯାତ୍ରାରେ ଏସିଆନ ତଥା ବିମସଟେକ ରାଷ୍ଟ୍ରଦୂତ ମାନେ ଏବଂ ଅନ୍ତର୍ଜାତିକ ସାଂସ୍କୃତିକ ଦଳ ଗୁଡିକ ଅଂଶଗ୍ରହଣ କରିଥିଲେ । ଓଡ଼ିଆ ଅସ୍ମିତାର ପୁନରୁଦ୍ଧାର ହେଉଛି ଆମ ସରକାରଙ୍କ ସର୍ବୋଚ୍ଚ ପ୍ରାଥମିକତା ।’
ଅପରାଧ ବଢିନି, ପୀଡିତାଙ୍କ ପାଖରେ ପହଁଚିଛନ୍ତି ମନ୍ତ୍ରୀ:
‘ଆଇନ ଶୃଙ୍ଖଳାକୁ ନେଇ ବହୁ ସଦସ୍ୟ ଚିନ୍ତା ପ୍ରକଟ କରିଛନ୍ତି, କରିବା ଉଚିତ ମଧ୍ୟ । ଗତ 8 ମାସରେ ଅପରାଧ ସଂଖ୍ୟାରେ କୌଣସି ବୃଦ୍ଧି ହୋଇନାହିଁ । ରାଜଧାନୀ ଏବଂ କଟକର ଆଖପାଖରେ ଘଟିଥିବା କିଛି ଅଘଟଣକୁ ନେଇ ବିରୋଧୀ ଦଳ ଯେଉଁ ତୁମ୍ବି ତୋଫାନ କରୁଛନ୍ତି । ସମସ୍ତ ଘଟଣାରେ ସରକାର କାର୍ଯ୍ୟାନୁଷ୍ଠାନ ନେଇଛନ୍ତି । ଦୁଇ ଦିନ ତଳେ ପୂର୍ବତନ କଂଗ୍ରେସ ସଭାପତିଙ୍କ ଘରୁ ହୋଇଥିବା ଚୋରକୁ ଧରାଯାଇଛି । ଯାହା କି ଏକ blind case ଥିଲା । କମ ଦିନରେ 3 ତିନିଟା ରାଜ୍ୟରେ ଅନୁସନ୍ଧାନ କରି ଚୋରକୁ ଧରିବା ଏତେ ସହଜ ନ ଥିଲା । ବିରୋଧୀ ଦଳ କିଛି ନିର୍ଦ୍ଦିଷ୍ଟ କେସ ସମ୍ବନ୍ଧରେ କହିଛନ୍ତି । ଏହି କେସ ନ୍ୟାୟାଳୟଙ୍କ ବିଚାରାଧୀନ ଅଛି । ଭରତପୁର ମାମଲାରେ କିଏ ବି ଦୋଷୀ ହୁଅନ୍ତୁ ନା କାହିଁକି, ସେ ସମୟରେ ପରିସ୍ଥିତି ଦେଖି ରାଜ୍ୟର ଉପମୁଖ୍ୟମନ୍ତ୍ରୀ ନିଜେ ପୀଡ଼ିତାଙ୍କ ପାଖକୁ ଯାଇ ଉପଯୁକ୍ତ ନ୍ୟାୟ ପ୍ରଦାନ କରିବା ପାଇଁ ପ୍ରତିଶୃତି ଦେଇଥିଲେ ।’
ଅପରାଧୀଙ୍କ ରାଜନୈତିକ ସଂରକ୍ଷଣର ଲାଇସେନ୍ସ ଏକ୍ସପାଏରୀ:
‘କଟକର ଗଣ ଦୁଷ୍କର୍ମ ଓ ଭୁବନେଶ୍ଵର ହତ୍ୟାକାଣ୍ଡର ଅପରାଧୀ ଆଜି ଜେଲର ଚାରିକାନ୍ଥ ମଧ୍ୟରେ ଅଛନ୍ତି । ଅପରାଧୀଙ୍କ ରାଜନୈତିକ ସଂରକ୍ଷଣର ଲାଇସେନ୍ସ ଆମ ସରକାର ଆସିବା ଦିନଠୁଏକ୍ସପାଏରୀ ହୋଇ ସାରିଛି । ରିନେୱାଲ ହେବାର କୌଣସି ଚାନ୍ସ ନାହିଁ । 24 ବର୍ଷର ଶାସନର ଉତ୍ତମ ଆଇନ ଶୃଙ୍ଖଳା ପରିସ୍ଥିତିରେ ଦିନ ଦ୍ଵିପହରରେ ଜଣେ ମନ୍ତ୍ରୀଙ୍କୁ ହତ୍ୟା କରାଗଲା, କିନ୍ତୁ ଆଜି ପର୍ଯ୍ୟନ୍ତ ହତ୍ୟାର ଅସଲ ଉଦ୍ଦେଶ୍ୟ ଜଣା ପଡିଲା ନାହିଁ । 24 ବର୍ଷ ଶାସନରେ ଆଇନ ଶୃଙ୍ଖଳା ପରିସ୍ଥିତି ଏତେ ସୁନ୍ଦର ଥିଲା ଯେ ମହିଳା ହିଂସା ବିରୁଦ୍ଧରେ ଦଣ୍ଡ 2 ଅଙ୍କ ମଧ୍ୟ ଛୁଇଁ ପାରିଲା ନାହିଁ । କେବଳ ମହିଳା ହିଂସା ନୁହେଁ, ବିଗତ ଦିନର IPCରେ ପଞ୍ଜୀକୃତ ଅପରାଧରେ ଦଣ୍ଡ ହାର 12 ପ୍ରତିଶତରୁ ବି କମ ଥିଲା ।
ଥାନାକୁ ଅତିରିକ୍ତ କାର ଓ ମୋଟର ସାଇକେଲ:
‘ପୋଲିସକୁ ଚଳଚଞ୍ଚଳ କରିବା ପାଇଁ ପ୍ରତି ଥାନାକୁ ଗୋଟିଏ ଅତିରିକ୍ତ 4 ଚକିଆ ଯାନ ଯୋଗାଇ ଦିଆଯିବା ସହିତ 5663 ମୋଟର ସାଇକଲ କିଣିବା ପାଇଁ ନିଷ୍ପତ୍ତି ହୋଇଛି । ଏହାଦ୍ୱାରା ତ୍ଵରିତ କାର୍ଯ୍ୟାନୁଷ୍ଠାନ ନିଆଯାଇପାରିବ । ଦେଶରୁ ମାଓ ଏବଂ ନକ୍ସଲ ହିଂସାକୁ ସମୂଳେ ନିପାତ କରିବା ପାଇଁ କେନ୍ଦ୍ର ଗୃହମନ୍ତ୍ରୀ ତାରିଖ ନିର୍ଦ୍ଧାରଣ କରିସାରିଛନ୍ତି । ଅତି ବେଶୀରେ 31 ମାର୍ଚ୍ଚ 2016 ତାରିଖ ମଧ୍ୟରେ ଏହି ହିଂସାକୁ ସବୁଦିନ ପାଇଁ କବର ଦିଆଯିବ । ଓଡିଶାର କିଛି ଅଞ୍ଚଳ ଅତ୍ୟନ୍ତ ମାଓ ପ୍ରବଣ ଥିଲା । କିନ୍ତୁ ଗତ ପ୍ରାୟ କିଛି ଦିନରେ ଏହି ଅଞ୍ଚଳରକୁ ଆମେ ସଙ୍କୁଚିତ କରିବାରେ ସମର୍ଥ ହୋଇଛୁ । କେନ୍ଦ୍ର ଗୃହମନ୍ତ୍ରୀ ଦେଇଥିବା ସମୟ ସୀମାର ବହୁ ପୂର୍ବରୁ ଓଡିଶା ମାଓ ହିଂସାମୁକ୍ତ ହୋଇଯିବ । ହିଂସା ଛାଡି ମୁଖ୍ୟ ସ୍ରୋତରେ ସାମିଲ ହୁଅନ୍ତୁ ବୋଲି ମୁଁ ସେମାନଙ୍କୁ ପୁନର୍ବାର ଅପିଲ କରୁଛି ।’
ପ୍ରାଥମିକ ଶିକ୍ଷାକୁ ପ୍ରାଧାନ୍ୟ:
ଅଷ୍ଟମ ଶ୍ରେଣୀର ଛାତ୍ରଛାତ୍ରୀ ଷଷ୍ଠ ଶ୍ରେଣୀର ସାଧାରଣ ଅଙ୍କ କି ମାନସାଙ୍କ କରିପାରୁନାହାନ୍ତି । ଗୁଣାତ୍ମକ ଶିକ୍ଷାକୁ ସୁଧାରିବା ପରିବର୍ତ୍ତେ 24 ବର୍ଷର ସରକାରଙ୍କୁ ହଠାତ ମନେ ପଡିଲା 5-ଟି ସ୍କୁଲ । ଶିକ୍ଷାଦାନ ପ୍ରତି ଧ୍ୟାନ ନଦେଇ ରୂପାନ୍ତରଣ ନାଁ’ରେ ସ୍କୁଲରେ ଚୂନ ମାରିବା ଆରମ୍ଭ ହୋଇଗଲା । 5-ଟି ସ୍କୁଲ ଉଦଘାଟନ ନାଁରେ ଇଭେଣ୍ଟ ମ୍ୟାନେଜମେଣ୍ଟ କରାଗଲା । ପ୍ରାଥମିକ ଶିକ୍ଷାକୁ ପ୍ରାଧାନ୍ୟ ଦେଇ ଆମ ସରକାର ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନା କାର୍ଯ୍ୟକାରୀ କରିବେ । ରାଜ୍ୟର ପ୍ରତିଟି ଗ୍ରାମ ପଞ୍ଚାୟତରେ ଏହି ଆଦର୍ଶ ବିଦ୍ୟାଳୟରେ ଅତ୍ୟାଧୁନିକ ଭିତ୍ତିଭୂମି ସହିତ ପ୍ରଶିକ୍ଷିତ ଶିକ୍ଷକ ଶିକ୍ଷୟତ୍ରୀ ଶିକ୍ଷାଦାନ ଦେଇ ଶିକ୍ଷାର ମାନରେ ସୁଧାର ଆଣିବେ । ନବମ ଓ ଏକାଦଶ ଶ୍ରେଣୀର ଯୋଗ୍ୟ ଅନୁସୂଚିତ ଜନଜାତି ଛାତ୍ରଛାତ୍ରୀଙ୍କୁ ମାଧୋ ସିଂହ ହାତ ଖର୍ଚ୍ଚ ଯୋଜନାରେ ଏକକାଳୀନ ଆର୍ଥିକ ପ୍ରୋତ୍ସାହନ ବାବଦରେ 5 ହଜାର ଟଙ୍କା ମିଳୁଛି । ଯୋଜନା ପ୍ରାୟ 1 ଲକ୍ଷ 62 ହଜାର ଅନୁସୂଚିତ ଜନଜାତି ଛାତ୍ରଛାତ୍ରୀଙ୍କୁ ପ୍ରୋତ୍ସାହନ ପାଇଛନ୍ତି ।
5 ବର୍ଷ ମଧ୍ୟରେ 1 ଲକ୍ଷ 50 ହଜାର ସରକାରୀ ଚାକିରି ପୂରଣ: