ଭୁବନେଶ୍ବର: ସାରା ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି । ଏପଟେ ଜଙ୍ଗଲ ନିଆଁ ମଧ୍ୟ ବନ ବିଭାଗକୁ ଚିନ୍ତାରେ ପକାଇଛି । ବନ ବିଭାଗ ତ୍ବରିତ ପଦକ୍ଷେପ ଏବଂ ସମସ୍ତ ଆନୁସଙ୍ଗିକ ବ୍ୟବସ୍ଥା ଯୋଗୁଁ ଗତବର୍ଷ ତୁଳନାରେ ରାଜ୍ୟରେ ଜଙ୍ଗଲ ନିଆଁ ଚଳିତ ବର୍ଷ କମ ରହିଛି । ଫରେଷ୍ଟ ସର୍ଭେ ଅଫ୍ ଇଣ୍ଡିଆ (ଏଫ୍ଏସ୍ଆଇ)ର ତଥ୍ୟାନୁସାରେ, ସାରା ଦେଶରେ ଶନିବାର ୧୪୦ ଟି ସ୍ଥାନରେ ବଡ଼ ଧରଣର ଜଙ୍ଗଲ ନିଆଁ ଲାଗିଥିବା ବେଳେ ଓଡ଼ିଶାରେ ସର୍ବାଧିକ ୪୧ଟି ସ୍ଥାନରେ ଲାଗିଛି । ସେହିପରି ବଡ଼ ଧରଣର ଜଙ୍ଗଲ ନିଆଁ ଲାଗିବାରେ ଗତ ୨୦ ତାରିଖରୁ ୭ ଦିନ ମଧ୍ୟରେ ଓଡ଼ିଶା ଦେଶରେ ପ୍ରଥମ ସ୍ଥାନରେ ରହିଛି ।
ତେବେ ଗତବର୍ଷ ତୁଳନାରେ ରାଜ୍ୟରେ ଜଙ୍ଗଲ ନିଆଁ କମ୍ ରହିଛି । ଗତବର୍ଷ ଏହି ସମୟରେ ୩୮ ହଜାରରୁ ଉର୍ଦ୍ଧ ସ୍ଥାନରେ ନିଆଁ ଲାଗିଥିବା ବେଳେ ଚଳିତ ବର୍ଷ ୧୬ ହଜାରରୁ ଅଧିକ ସ୍ଥାନରେ ନିଆଁ ଚିହ୍ନଟ ହୋଇଛି । ସେହିଭଳି ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣରେ ଚଳିତ ବର୍ଷ ଶନିବାର ସୁଦ୍ଧା ୩୧୮ ଟି ପଏଣ୍ଟ ରେ ନିଆଁ ଚିହ୍ନଟ ହୋଇଛି । ଏଫ୍ଏସ୍ଆଇର ଗତ ୫ବର୍ଷର ତଥ୍ୟକୁ ଦେଖିଲେ ଶିମିଳିପାଳରେ ମଧ୍ୟ କମ୍ ସ୍ଥାନରେ ନିଆଁ ଲାଗିଥିବା ଦେଖାଯାଇଛି ।୨୦୨୦ରେ ଜାନୁଆରୀରୁ ଏପ୍ରିଲ ମାସ ଭିତରେ ୫୯୯ଟି ସ୍ଥାନରେ ଜଙ୍ଗଲ ନିଆଁ ଚିହ୍ନଟ ହୋଇଥିବା ବେଳେ ୨୦୨୧ରେ ୨ ହଜାର ୮୬୧, ୨୦୨୨ ରେ ୩୧୯, ୨୦୨୩ରେ ୧ ହଜାର ୪୫୬ଟି ସ୍ଥାନରେ ନିଆଁ ଲାଗିଥିବା ଚିହ୍ନଟ ହୋଇଛି । ତେବେ ଗତ ଜାନୁଆରୀରୁ ଏପ୍ରିଲ ୨୭ ତାରିଖ ମଧ୍ୟରେ ଶିମିଳିପାଳରେ ୩୧୮ଟି ସ୍ଥାନରେ ନିଆଁ ଲାଗିଥିବା ଜଣାପଡ଼ିଛି ।