ବାଲେଶ୍ବର:ଧାନ ମଣ୍ଡି ତଦାରଖ କଲେ ବିଧାନସଭାର ପବ୍ଲିକ ଅଣ୍ଡରଟେକିଂ କମିଟି । ବାଲେଶ୍ୱର ଜିଲ୍ଲାର ବିଭିନ୍ନ ସ୍ଥାନ ପରିଦର୍ଶନ କରିବା ସହ ବିଭାଗୀୟ ଅଧିକାରୀମାନଙ୍କ ସହ ଆଲୋଚନା କରିଛନ୍ତି । ଏଥିରେ ୯ ଜଣ ବିଧାୟକ ସମେତ ଅଧ୍ୟକ୍ଷ ଭାବେ ସିମୁଳିଆ ବିଧାୟକ ପଦ୍ମଲୋଚନ ପଣ୍ଡା ରହିଛନ୍ତି ।
ବାଲେଶ୍ବରରେ ବିଧାନସଭା ପବ୍ଲିକ ଅଣ୍ଡରଟେକିଂ କମିଟି:
ଗତ ସୋମବାର ପ୍ରଥମେ ଖଇରା ବ୍ଲକ କୁପାରି ଶାରୀଶୁଆ ଖଣି ପରିଦର୍ଶନ କରିଥିଲେ । ସେହିପରି ଗତକାଲି (ମଙ୍ଗଳବାର) ଏହି କମିଟି ସୋର, ବାଗୁଡି ଖାଦାନ ପରିଦର୍ଶନ କରିବା ସହ ବିଭିନ୍ନ ସ୍ଥାନରେ ଖୋଲା ଯାଇଥିବା ଧାନ ମଣ୍ଡିରେ ଚାଷୀମାନଙ୍କ ଧାନ ସଠିକ ଭାବେ କିଣା ଯାଉଛି କି ନାହିଁ ସେସବୁ ତଦାରଖ କରିଥିଲେ । ପରେ ସନ୍ଧ୍ୟାରେ ତାଳସାରି ଅଞ୍ଚଳରେ ପର୍ଯ୍ୟଟନସ୍ଥଳୀର ବିକାଶ ଦିଗରେ ଦୃଷ୍ଟି ଦିଆଯିବା ସହ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ ।
ଧାନ ମଣ୍ଡି ବୁଲି ଦେଖିଲେ ବିଧାନସଭା ପବ୍ଲିକ ଅଣ୍ଡରଟେକିଂ କମିଟି :
ବାଲେଶ୍ୱର ଗସ୍ତରେ ଆସିଥିବା ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ତଥା ସିମୁଳିଆ ବିଧାୟକ ପଦ୍ମଲୋଚନ ପଣ୍ଡା କହିଛନ୍ତି,"ଆମେ ବିଧାନସଭା ପବ୍ଲିକ ଅଣ୍ଡରଟେକିଂ କମିଟି ଆସିଛୁ । 9 ଜଣ ବିଧାୟକ ମଧ୍ୟ ମୋ ସହ ଅଛନ୍ତି । ଆମେ ବିଶେଷ ଭାବେ ଧାନ ମଣ୍ଡି ଓ ଚାଷୀମାନେ ପ୍ରକୃତରେ 3100 ଟଙ୍କା ପାଉଛନ୍ତି କି ନାହିଁ ତାକୁ ବୁଲି ଦେଖିଲୁ । କିଛି କଟନୀ ହେଉଛି କି ନାହିଁ ତାକୁ ଦେଖିଲୁ । ସେହିପରି ଆମେ ଶାରୀଶୁଆ ପାହାଡ଼କୁ ଯାଇଥିଲୁ ସେଠାରେ ଦେଖିଲୁ କିଭଳି ଭାବେ ପଥର ଚୋରା ଚାଲାଣ ଚାଲିଛି । ପରେ ଆମେ ବାଗୁଡି ଯାଇଥିଲୁ ସେଠାରେ ମଧ୍ୟ ପଥର ଚୋରା ଚାଲାଣ ଚାଲିଛି । ଜିଲ୍ଲାପାଳ ଓ ଏସପି ମୋ ସହ ଯାଇଥିଲେ । ସେଠାରେ ଆମେ ତାଗିଦ କରି ଆସିଛୁ ଏବଂ ଚୋରା ଚାଲାଣ ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଦେଇଛୁ । "