ଓଡିଶା

odisha

By ETV Bharat Odisha Team

Published : Feb 10, 2024, 8:45 AM IST

ETV Bharat / state

ପାଖଉଛି ବିଧାନସଭା ଲଢେଇ; ବାରବାଟୀ ଦଖଲ ପାଇଁ ଦମ୍ ଲଗାଇଛନ୍ତି ଦେବାଶିଷ

Odisha Assembly Polls: ଗତ ନିର୍ବାଚନରେ କଟକ ଜିଲ୍ଲାର ସମସ୍ତ ନିର୍ବାଚନ ମଣ୍ଡଳୀରେ ବିଜେଡି ପ୍ରାର୍ଥୀ ବିଜୟୀ ହୋଇଥିବା ବେଳେ କଟକ ବାରବାଟୀରେ ପରାଜିତ ହୋଇଥିଲା ଦଳ । ଦଳୀୟ ପ୍ରାର୍ଥୀ ଦେବାଶିଷ ସାମନ୍ତରାୟ ପରାଜିତ ହୋଇଥିଲେ ବି ଆଗାମୀ ନିର୍ବାଚନ ପାଇଁ ପୁଣିଥରେ ଅଣ୍ଟା ଭିଡିଛନ୍ତି । ଅଧିକ ପଢନ୍ତୁ

Assembly elections Odisha
Assembly elections Odisha

ବାରବାଟୀ ଦଖଲ ପାଇଁ ଦମ ଲଗାଇଛନ୍ତି ଦେବାଶିଷ

କଟକ: ନିର୍ବାଚନକୁ ନେଇ ସରଗରମ ହେଲାଣି କଟକ ରାଜନିତୀ । ବିଭିନ୍ନ ଦଳ ନିଜ ନିଜର ସମର୍ଥକ ସାଉଁଟିବାରେ ଲାଗି ପଡିଲେଣି । କଟକ ଜିଲ୍ଲାର ସମସ୍ତ ନିର୍ବାଚନ ମଣ୍ଡଳୀରେ ନିର୍ବାଚନୀ ତାତି ଦେଖିବାକୁ ମିଳିଲାଣି । ଆଉ ଏଥିରୁ ବି ବାଦ୍ ପଡିନାହିଁ କଟକ ବାରବାଟୀ ନିର୍ବାଚନ ମଣ୍ଡଳୀ । ଗତଥର ଏହି ନିର୍ବାଚନ ମଣ୍ଡଳୀରୁ କଂଗ୍ରେସ ପ୍ରାର୍ଥୀ ବିଧାୟକ ଭାବେ ନିର୍ବାଚିତ ହୋଇଥିବା ବେଳେ ବିଜେଡି ପାଖାପାଖି ୪ ହଜାର ଭୋଟ ବ୍ୟବଧାନରେ ପରାଜୟ ହୋଇଥିଲା । ଏଥର ବିଜେଡି ପାଇଁ କ'ଣ ରହିବ ଚାଲେଞ୍ଜ, ଦେଖନ୍ତୁ ଏହି ରିପୋର୍ଟ

ଗତ ନିର୍ବାଚନରେ କଟକ ଜିଲ୍ଲାର ସମସ୍ତ ନିର୍ବାଚନ ମଣ୍ଡଳୀରେ ବିଜେଡିର ପ୍ରାର୍ଥୀ ବିଜୟୀ ହୋଇଥିବା ବେଳେ କଟକ ବାରବାଟୀ ନିର୍ବାଚନ ମଣ୍ଡଳୀରେ ପରାଜିତ ହୋଇଥିଲା । କଂଗ୍ରେସ ପ୍ରାର୍ଥୀ ଇଂ ମହମ୍ମଦ ମୋକିମ ଏହି ନିର୍ବାଚନ ମଣ୍ଡଳୀରୁ ବିଜୟୀ ହୋଇଥିଲେ । ପାଖାପାଖି ୪ ହଜାର ଭୋଟ ବ୍ୟବଧାନରେ ବିଜୟୀ ହୋଇଥିଲେ ମୋକିମ । ବିଜେଡି ପ୍ରାର୍ଥୀ ଦେବାଶିଷ ସାମନ୍ତରାୟ ଏହି ନିର୍ବାଚନ ମଣ୍ଡଳୀରୁ ପରାଜିତ ହୋଇଥିଲେ । ଚଳିତ ନିର୍ବାଚନରେ ମଧ୍ୟ ଦେବାଶିଷ, ପୁନର୍ବାର ବିଜେଡିରୁ ବିଧାୟକ ପ୍ରାର୍ଥୀ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି । ଦେବାଶିଷ ମଧ୍ୟ ଏନେଇ ନିଜର ସାଙ୍ଗଠନିକ କାର୍ଯ୍ୟ ଆରମ୍ଭ କରିଦେଲେଣି ।

ଲୋକଙ୍କ ସହ ମିଶିବା, ଦଳର ବିଭିନ୍ନ ସାଙ୍ଗଠନିକ କାର୍ଯ୍ୟ କରିବା, ଚା' ଖଟିରେ ସାମିଲ ହେବା ସହ ପ୍ରତ୍ୟେକ ୱାର୍ଡ ବୁଲୁଛନ୍ତି । କୁହାଯାଉଛି, ଦେବାଶିଷ କୁଆଡେ ପୂର୍ବ ଅପେକ୍ଷା ଏଥର ନିଜର ସାଙ୍ଗଠନିକ କାର୍ଯ୍ୟରେ ଅଧିକ ସମୟ ଦେଉଛନ୍ତି । ଏନେଇ ଦେବାଶିଷ କହିଛନ୍ତି, ରାଜ୍ୟରେ ଏଥର ସମସ୍ତ ୧୪୭ଟି ନିର୍ବାଚନ ମଣ୍ଡଳୀରେ ଦଳ ଭଲ ପ୍ରଦର୍ଶନ କରିବ । ଟିକେଟ୍ କାହାକୁ ମିଳିବ ସେକଥା ନବୀନ ବାବୁ ନିଷ୍ପତ୍ତି ନେବେ । ମାତ୍ର ନବୀନ ମନ୍ତ୍ରରେ ସେ ନିର୍ବାଚନ ବୈତରଣୀ ପାର୍ ହେବେ ବୋଲି କହିଛନ୍ତି ।

ଅନ୍ୟପଟେ ରାଜନୀତି ସମୀକ୍ଷକ କହିଛନ୍ତି ଯେ, ଦେବାଶିଷଙ୍କୁ ଜିତିବା ପାଇଁ ଅନେକ ଚାଲେଞ୍ଜ ରହିବ । ଦଳରେ ଗୋଷ୍ଠୀ କନ୍ଦଳ ତାଙ୍କ ପାଇଁ ଅଡୁଆ ସୃଷ୍ଟି କରିପାରେ । ଯେତେବେଳେ ରାଜ୍ୟରେ ବିଜେଡି ଲହର ରହିଥିଲା ସେତେବେଳେ ଦେବାଶିଷ ପରାଜିତ ହୋଇଥିଲେ । ବର୍ତ୍ତମାନର ମେୟର ସୁବାସ ସିଂ ଭିତିରିଆ ଦେବାଶିଷଙ୍କୁ ବିରୋଧ ମଧ୍ୟ କରୁଛନ୍ତି । ଅନେକ ଥର ଦେବାଶିଷଙ୍କୁ ମେୟର ବିରୋଧ କରିବା ସହ ଦଳ ଭିତରେ ସବୁ କିଛି ଠିକଠାକ ନଥିବା ସ୍ପଷ୍ଟ ଜଣାପଡୁଛି । ଏପରିକି ଦଳର ଅନେକ କାର୍ଯ୍ୟକ୍ରମରେ ସୁବାସ ସିଂ ଅନୁପସ୍ଥିତ ରୁହନ୍ତି ।

ସମାନ ଭାବରେ ସୁବାସଙ୍କ କାର୍ଯ୍ୟକ୍ରମରେ ମଧ୍ୟ ଦେବାଶିଷ ଅନୁପସ୍ଥିତ ରୁହନ୍ତି । ଯାହାକି ଦେବାଶିଷଙ୍କ ପାଇଁ ଅଡୁଆ ହୋଇପାରେ । କେବଳ ସେତିକି ନୁହେଁ ଅଭିନେତା ଅରିନ୍ଦମ ମଧ୍ୟ କିଛି ଦିନ ପୂର୍ବେ ଏକ ରାଲି କରିଥିଲେ । ଯାହାକି ଦଳ ଭିତରେ ଗୋଷ୍ଠୀ କନ୍ଦଳକୁ ପଦାରେ ପକାଇଛି । ଦେବାଶିଷଙ୍କ ପାଇଁ ଏହା ବଡ଼ ଚାଲେଞ୍ଜ ସୃଷ୍ଟି କରିପାରେ । ଦେବାଶିଷଙ୍କୁ ଜିତିବା ପାଇଁ ହେଲେ ଏସବୁକୁ ସଜାଡିବାକୁ ପଡିବ ବୋଲି ରାଜନୀତି ସମୀକ୍ଷକ ପରାମର୍ଶ ଦେଇଛନ୍ତି । ଚର୍ଚ୍ଚା ହେଉଛି ଏଥର କଟକ ବାରବାଟୀ ନିର୍ବାଚନ ମଣ୍ଡଳୀରେ ତ୍ରିମୁଖୀ ଲଢେଇ ହେବ । ତିନି ପ୍ରମୁଖ ଦଳ ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳିବ ।

ଇଟିଭି ଭାରତ, କଟକ

ABOUT THE AUTHOR

...view details