ଛେଣ୍ଡିପଦାରେ ପୁଣି ସୁଶାନ୍ତ ନା ଆଉ କିଏ ? ଅନୁଗୋଳ:ଆଉ ଦିନ କେଇଟା ପରେ ବାଜିବ ନିର୍ବାଚନୀ ବିଗୁଲ । ଗାଁ ଗାଁରେ ଲାଗିଲାଣି ନେତଙ୍କ ଭିଡ । ମଇଦାନକୁ ଓହ୍ଲାଇବା ପାଇଁ ପ୍ରସ୍ତୁତ ବିଭିନ୍ନ ଦଳର ନେତା ଓ କର୍ମୀ । ରାଜ୍ୟରେ ବିଜେପି-ବିଜେଡ଼ି ମେଣ୍ଟକୁ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ଛିଡ଼ୁନି ଅଙ୍କ , ଯାହାକୁ ନେଇ ଦ୍ବନ୍ଦ୍ବରେ କର୍ମୀ । ଏହାରି ଭିତରେ ଅନୁଗୋଳ ଛେଣ୍ଡିପଦା ବିଧାନସଭା ନିର୍ବାଚନ ମଣ୍ଡଳୀରେ କିଏ ମାରିବ ବାଜି ସେ ନେଇ ଚାଲିଛି କସରତ । ଦୁଇ ଦୁଇ ଥର ଏଠାରୁ ବିଜେଡ଼ିର ସୁଶାନ୍ତ ବେହେରା ବାଜିମାତ କରିଥିବା ବେଳେ ଚଳିତ ନିର୍ବାଚନ ଉପରେ ସମସ୍ତଙ୍କ ନଜର ।
ସୁଶାନ୍ତ ରିପିଟ ହେବା ପାଇଁ ନିଜର ଆପ୍ରାଣ ଚେଷ୍ଟା କରୁଥିବା ବେଳେ ଦଳୀୟ କନ୍ଦଳ ବାଟ ଓଗାଲୁଥିବା ଚର୍ଚ୍ଚା ହେଉଛି । ସେହିପରି ବିଧାୟକଙ୍କ ସହ ସମାନ୍ତରଳ ସଂଗଠନ କରୁଛନ୍ତି ଦଳର ଜଳଧର ସେଠୀ ଏବଂ ରାଜକିଶୋର ନାଏକ । କିନ୍ତୁ ଦଳରେ କୌଣସି ପ୍ରତିଦ୍ବନ୍ଦୀ ନଥିବା କହିଛନ୍ତି ବିଧାୟକ ସୁଶାନ୍ତ ବେହେରା । ଶାସକ ଦଳରେ ସର୍ବାଧିକ ଆଶାୟୀଙ୍କ ଧାଡ଼ି ଲାଗିଥିବା ବେଳେ ବିଜେଡ଼ି କାହା ଉପରେ ଭରସା କରୁଛି, ତାହା ଦେଖିବାକୁ ବାକି ରହିଲା ।
ସେପଟେ ବିରୋଧୀ ମଧ୍ୟ ନିଜର ସ୍ବତନ୍ତ୍ର ରଣନୀତି ପ୍ରସ୍ତୁତ କରିଛନ୍ତି । ବିଜେଡ଼ିର ଗଡ଼କୁ ଭାଙ୍ଗିବା ପାଇଁ ରାତି ଦିନ ଏକ କରିଛନ୍ତି ।ଏଥର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମ୍ବଲପୁର ଲୋକସଭା ନିର୍ବାଚନ ମଣ୍ଡଳୀରୁ ପ୍ରତିଦ୍ବନ୍ଦିତା କରିବା ନେଇ ଚର୍ଚ୍ଚା ଜୋର ଧରିଛି । ଯାହାକି ବିଜେପି କର୍ମୀଙ୍କ ମନରେ ଅନେକ ଆଶା ସଞ୍ଚାର କରିଛି । ଗତ ନିର୍ବାଚନରେ କଂଗ୍ରେସରୁ ଆମଦାନୀ ହୋଇ ବିଜେପିର ପ୍ରାର୍ଥୀ ହୋଇଥିବା ଅଗସ୍ତି ବେହେରା ପୁଣି ଟିକେଟ ଆଶାରେ ରହିଛନ୍ତି । ଏଥର ଦଳ ନିଶ୍ଚୟ ବିୟଜୀ ହେବ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି । ସେହିପରି କଂଗ୍ରେସ ମଧ୍ୟ ପଛରେ ପଡିନାହିଁ । ବିଜେଡ଼ି-ବିଜେପି ମେଣ୍ଟକୁ ମୁଦ୍ଦା କରି ଲୋକଙ୍କ ନିକଟତର ହେଉଛି ଦଳ । ବିଜେପିରୁ ଆମଦାନୀ ହୋଇଥିବା ନେତା ଗୋବିନ୍ଦ ନାଏକ କଂଗ୍ରେସ ଟିକେଟ ଦୌଡରେ ରହିଥିବା ଜଣାପଡ଼ିଛି ।
୨୦୦୯ ନିର୍ବାଚନ ଫଳାଫଳ:୨୦୦୯ରେ ଛେଣ୍ଡିପଦା ବିଧାନସଭା ନିର୍ବାଚନ ମଣ୍ଡଳୀରେ ଦେଖିବାକୁ ମିଳିଥିଲା ତ୍ରିମୁଖୀ ଲଢେଇ । ବିଜେଡ଼ି ଖଗେଶ୍ବର ବେହେରାଙ୍କୁ ଭରସା କରିଥିବା ବେଳେ କଂଗ୍ରେସରୁ ଅଗସ୍ତି ବେହେରା ଏବଂ ବିଜେପିରୁ ସଞ୍ଜକ କୁମାର ନାଏକଙ୍କୁ ଟିକେଟ ମିଳିଥିଲା । ଏଠାରେ ବିଜେଡ଼ି 70,975 ଖଣ୍ଡ ଭୋଟ ପାଇ ବିଜୟୀ ହୋଇଥବା ବେଳେ କଂଗ୍ରେସ 49,482 ଖଣ୍ଡ ଭୋଟ ପାଇ ଦ୍ବିତୀୟରେ ସ୍ଥାନରେ ରହିଥିଲା । ସେହିପରି ବିଜେପିର ନୈରାସ୍ୟ ଜନକ ପ୍ରଦର୍ଶନ ଦେଖିବାକୁ ମିଳିଥିଲା । ବିଜେପି ମାତ୍ର 6,904ଟି ଭୋଟ ପାଇଥିଲା ।
ଏହା ମଧ୍ୟ ପଢନ୍ତୁ ......କାକଟପୁର ନିର୍ବାଚନ ମଣ୍ଡଳୀ: ପୁଣି ମନ୍ତ୍ରୀ ତୁଷାରକାନ୍ତି, ନା ଆଉ କିଏ ?
୨୦୧୪ ନିର୍ବାଚନ ଫଳାଫଳ: ସେହିପରି ଆମେ ଯଦି ୨୦୧୪ ଉପରେ ନଜର ପକାଇବା ତେବେ ବିଜେଡି ନିଜର ପ୍ରାର୍ଥୀ ପରିବର୍ତ୍ତନ କରିଥିଲା । ଏହି ବର୍ଷ ବିଜେଡ଼ି ସୁଶାନ୍ତ କୁମାର ବେହେରାଙ୍କୁ ଟିକେଟ ଦେଇଥିଲା । ସେପଟେ କଂଗ୍ରେସରୁ ପୁଣି ଅଗସ୍ତି ବେହେରା ଟିକେଟ ପାଇଥିଲେ ଏବଂ ବିଜେପିରୁ ସନ୍ତୋଷ କୁମାର ନାଏକଙ୍କୁ ଟିକେଟ ମିଳିଥିଲା । ତେବେ ପୂର୍ବପରି ପୁଣି ବିଜେଡି ନିଜର ସ୍ଥିତି ବଜାୟୀ ରଖିଥିଲା । ବିଜେଡ଼ି ପ୍ରାର୍ଥୀ ସୁଶାନ୍ତ କୁମାର ବେହେରା 62,035 ଖଣ୍ଡ ଭୋଟ ପାଇଥିବା ବେଳେ କଂଗ୍ରେସ 52,228 ଏବଂ ବିଜେପି 15,791 ଭୋଟ ପାଇଥିଲେ ।
୨୦୧୯ ନିର୍ବାଚନ ଫଳାଫଳ: ଗତ ନିର୍ବଚନରେ ବିଜେଡି ପୁଣି ସୁଶାନ୍ତ କୁମାର ବେହେରାଙ୍କ ଉପରେ ଭରସା କରିଥିଲା । ହେଲେ କଂଗ୍ରେସରୁ ବିଜେପିକୁ ଡିଆଁ ମରିଥିଲେ ଅଗସ୍ତି ବେହେରା । ବିଜେପି ଟିକେଟରୁ ଅଗସ୍ତି ମଇଦାନକୁ ଓହଲ୍ଲାଇ ଥିବାବେଳେ କଂଗ୍ରେସ ସସ୍ମିତା ବେହେରାଙ୍କୁ ଟିକେଟ ପ୍ରଦାନ କରିଥିଲା । ଏଥର ମଧ୍ୟ ବିଜେଡି ବାଜିମାତ କରିଥିବାବେଳେ ବିରୋଧୀଙ୍କୁ ନିରାଶ ହେବାକୁ ପଡ଼ିଥିଲା । ବିଜେଡିକୁ 74,911 ଖଣ୍ଡ ଭୋଟ ମିଳିଥିବା ବେଳେ ବିଜେପି 68,117 ଏବଂ କଂଗ୍ରେସକୁ 16,588 ଖଣ୍ଡ ଭୋଟ ମିଳିଥିଲା ।
'ବିଜେଡିରେ କେହି ପ୍ରତିଦ୍ବନ୍ଦୀ ନାହାନ୍ତି ': ଚଳିତ ବର୍ଷ ବିଜେଡ଼ିରେ ଟିକେଟ ଆଶାୟୀଙ୍କ ଲମ୍ବା ଲାଇନ ଲାଗିଥିବା ବେଳେ ବିଧାୟକ ସୁଶାନ୍ତ କୁମାର ବେହେରା ପୁଣି ଟିକେଟ ଆଶାରେ ରହିଛନ୍ତି । ତେବେ ଦଳରେ କିଛି ନେତା ସମାନ୍ତରଳ ସଂଗଠନ କରୁଥିବା ବେଳେ ବିଜେଡିରେ କେହି ପ୍ରତିଦ୍ବନ୍ଦୀ ନଥିବା ସେ କହିଛନ୍ତି । ଗାଁ ଗାଁରେ ମୁଖ୍ୟମନ୍ତ୍ରୀଙ୍କ ବିକାଶ ବାର୍ତ୍ତା ପହଞ୍ଚାଉଛୁ ପୁଣି ବିଜେଡ଼ି ଏଠାରେ ବିପୁଳ ସଂଖ୍ୟାରେ ବିଜୟୀ ହେବ ବୋଲି ସୁଶାନ୍ତ କହିଛନ୍ତି ।
'ଏଥର ପରିବର୍ତ୍ତନ': ଚଳିତ ନିର୍ବାଚନ ପାଇଁ ସ୍ବତନ୍ତ୍ର ରଣନୀତି ପ୍ରସ୍ତୁତ କରିଛି ବିଜେପି । ଏଥର ବିଜେପି ସରକାର ଗଢିବ ନେଇ ଦୃଢୋକ୍ତି ପ୍ରକାଶ କରିଛନ୍ତି ପୂର୍ବତନ ବିଧାୟକ ପ୍ରାର୍ଥୀ ଅଗସ୍ତି ବେହେରା । ସେ କହିଛନ୍ତି ଯେ, ଏଥର ନିଶ୍ଚିତ ପରିବର୍ତ୍ତନ । ଏହି ଲୋକସଭା ଆସନରୁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଲଢିବେ ବୋଲି ସେ ଆଶା ରଖିଛନ୍ତି । ତେଣୁ ଏଥର ନିଶ୍ଚିତ ୭ଟି ବିଧାନସଭା ଆସାନରେ ବିଜେପି ପ୍ରର୍ଥୀ ଜିତିବେ ବୋଲି ସେ କହିଛନ୍ତି ।
'ବିଜେପି ବିଜେଡି ଏକ': କଂଗ୍ରେସ ମଧ୍ୟ ପଛରେ ପଡ଼ି ନାହିଁ । କଂଗ୍ରେସ ନେତା ଗୋବିନ୍ଦ ନାଏକ କହିଛନ୍ତି ଯେ, ବିଜେଡି ଏବଂ ବିଜେପି ଭିତରେ ରହିଥିବା ସମ୍ପର୍କକୁ ନେଇ ଆମେ ଲୋକଙ୍କ ପାଖକୁ ଯିବୁ । ଆଗାମୀ ଦିନରେ କଂଗ୍ରେସକୁ ବଞ୍ଚାଇ ରଖିବା ପାଇଁ ଲୋକଙ୍କୁ ନିବେଦନ କରିବୁ । ତେବେ ଦେଖିବାକୁ ବାକି ରହିଲା କେଉଁ ଦଳ କାହାକୁ ଟିକେଟ ଦେଉଛି । ଛେଣ୍ଡିପଦା ବିଧାନସଭା ନିର୍ବାଚନ ମଣ୍ଡଳୀରେ କିଏ ବାଜିମାତ କରୁଛି ।
ଇଟିଭି ଭାରତ, ଭୁବନେଶ୍ବର