ଓଡିଶା

odisha

ETV Bharat / state

ଧାର୍ଯ୍ୟ ସମୟ ପୂର୍ବରୁ ଶେଷ ହେଲା ଶୀତ ଅଧିବେଶନ

ନିର୍ଦ୍ଧାରିତ ସମୟର 20 ଦିନ ପୂର୍ବରୁ ସରିଲା ବିଧାନସଭା ଶୀତ ଅଧିବେଶନ । 16 କାର୍ଯ୍ୟ ଦିବସ ପୂର୍ବରୁ ବନ୍ଦ ହେଲା ଗୃହ ।

ODISHA ASSEMBLY
ODISHA ASSEMBLY (ETV Bharat Odisha)

By ETV Bharat Odisha Team

Published : 7 hours ago

ଭୁବନେଶ୍ବର: ସରିଲା ବିଧାନସଭାର ଶୀତ ଅଧିବେଶନ । ଡିସେମ୍ବର 31 ଯାଏଁ ଗୃହ ଚାଲିଥାନ୍ତା । ହେଲେ ଏହାର 20 ଦିନ ପୂର୍ବରୁ ଅନିଦ୍ଦିଷ୍ଟ କାଳ ପାଇଁ ଗୃହକୁ ମୁତଲବୀ ଘୋଷଣା କରିଛନ୍ତି ବାଚସ୍ପତି ସୁରମା ପାଢୀ । ଏଥର 12ଟି କାର୍ଯ୍ୟ ଦିବସ ଅନୁଷ୍ଠିତ ହୋଇଛି । ଏଥର ଅତିରିକ୍ତ ବଜେଟ ପାସ ହୋଇଥିଲା । 2ଟି ସରକାରୀ ସହ 12ଟି ବେସରକାରୀ ବିଲ ଆଗତ ହୋଇଛି ।

ଧାର୍ଯ୍ୟ ସମୟ ପୂର୍ବରୁ ଶେଷ ହେଲା ବିଧାନସଭାର ଶୀତକାଳୀନ ଅଧିବେଶନ:
ଶେଷ ହେଲା ଶୀତ ଅଧିବେଶନ । ୧୬ଟି କାର୍ଯ୍ୟ ଦିବସ ପୂର୍ବରୁ ବନ୍ଦ ହେଲା ଗୃହ। ଅନିର୍ଦ୍ଦିଷ୍ଟ କାର୍ଯ୍ୟକାଳ ପାଇଁ ଗୃହ ମୁଲତବୀ । ଏହି ଅଧିବେଶନରେ ୧୨ଟି କାର୍ଯ ଦିବସ ଅନୁଷ୍ଠିତ ହୋଇଛି। ଅତିରିକ୍ତ ବଜେଟ ପାରିତ ହୋଇଛି । ଡିସେମ୍ବର 30 ପର୍ଯ୍ୟନ୍ତ ଚାଲିବାର ଥିଲା ,ଏବେ ଆଉ କୌଣସି ସରକାରୀ ଆଲୋଚନା ନଥିବାରୁ ଗୃହକୁ ବନ୍ଦ କଲେ ସରକାର।

ଝଡ଼ ସୃଷ୍ଟି କଲା ଚାକିରି ବିକ୍ରି ପ୍ରସଙ୍ଗ:

ପରୀକ୍ଷା ବିଭ୍ରାଟକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୃହରେ ଉଠାଇ ଥିଲେ । 30 ଲକ୍ଷ ଟଙ୍କାରେ ଚାକିରି ବିକ୍ରି ହେଉଥିଲା ଯାହାକୁ ନେଇ ଗୃହରେ ଝଡ଼ ସୃଷ୍ଟି ହୋଇଥିଲା । ବିଶ୍ୱବିଦ୍ୟାଳୟ ଆଇନ ଆସିବାର ଥିଲା । ହେଲେ ଆସି ପାରିଲା ନାହିଁ । ବିଜେଡି ବିଧାୟକ ରାଜା ସ୍ୱାଇଁ ଆଜି ଗୃହରେ ନିଜର ଅସନ୍ତୋଷ,କ୍ଷୋଭ ପ୍ରକାଶ କରି କକ୍ଷ ତ୍ୟାଗ କରିଥିଲେ ।

ଶେଷ ଦିନରେ କେଉଁ ପ୍ରସଙ୍ଗ ଉଠିଲା ଗୃହରେ:

୨୩ଟି ଶିଳ୍ପ ସଂସ୍ଥା ଦେଇନାହାନ୍ତି ବକେୟା ବିଜୁଳି ବିଲ:

ରାଜ୍ୟର ୨୩ଟି ପ୍ରମୁଖ ଶିଳ୍ପ ସଂସ୍ଥା ଉପରେ ୧୦୯୬ କୋଟି ଟଙ୍କା ବକେୟା ରହିଛି । ୧୦ ବର୍ଷ ମଧ୍ୟରେ ୧୪ ଟି ଶିଳ୍ପ ସଂସ୍ଥା କୁ ୪୦୯୭ କୋଟି ବକେୟା ବିଲ ଛାଡ଼ କରାଯାଇଛି । ଜିନ୍ଦଲ ୨୮୫ କୋଟି ଟଙ୍କା ବାକି ରଖିଥିବା ବେଳେ ଭିସା ଷ୍ଟିଲ ଯାଜପୁର ର ୨୪୬ କୋଟି, ଜିଏମ ଆର କମଳାଙ୍ଗ ଏନର୍ଜି ୧୭୯ କୋଟି, ମାଇଥାନ ଇସ୍ପାତ ନିଗମ ଲିମିଟେଡ଼ ୮୫ କୋଟି ଟଙ୍କା ବକେୟା ରଖିଛନ୍ତି । ସେହିପରି ୧୦ ବର୍ଷ ମଧ୍ୟରେ ବେଦାନ୍ତ ଲିମିଟେଡ଼କୁ ୩୫୯୯ କୋଟିର ବିକେୟା ବିଜୁଳି ବିଲ ଛାଡ଼ କରାଯାଇଛି, ଜିନ୍ଦଲ ଷ୍ଟିଲ କୁ ୧୦୩ କୋଟି ଛାଡ଼ କରାଯାଇଛି, ଜେଜେ ପେପର ମିଲକୁ ମଧ୍ୟ ୨୬ କୋଟିର ବକେୟା ବିଲ ଛାଡ଼ କରାଯାଇଛି । ବିଧାନସଭାରେ ଲିଖିତ ଉତ୍ତର ରଖିଲେ ଉପ ମୁଖ୍ୟମନ୍ତ୍ରୀ କେଭି ସିଂଦେଓ ।

ପୂର୍ବତଟ ରେଲୱେ ସ୍ଥାନାନ୍ତରିତ ପ୍ରସଙ୍ଗ:

ଶୂନ୍ୟକାଳରେ ଉଠିଲା ପୂର୍ବତଟ ରେଲୱେ ସ୍ଥାନାନ୍ତରିତ ପ୍ରସଙ୍ଗ । ବିଧାନସଭାରେ ଶୂନ୍ୟକାଳରେ ଉପମୁଖ୍ୟମନ୍ତ୍ରୀ କେଭି ସିଂଦେଓ ଓ ବିଜେଡି ବରିଷ୍ଠ ବିଧାୟକ ରାଜା ସ୍ୱାଇଁ ମୁହାଁମୁହିଁ ହୋଇଥିଲେ । ୱାଲଟିଅର ଡିଭିଜନ ବିଜୟୱାଡ଼ାକୁ ନେଇଯିବାକୁ ଷଡ଼ଯନ୍ତ୍ର କରାଯାଉଛି । ୱାଲଟିଅର ଡିଭିଜନରୁ ୨୦ ହଜାର କୋଟି ଟଙ୍କା ରାଜସ୍ଵ ମିଳୁଛି। କିନ୍ତୁ ବର୍ତ୍ତମାନ୍ ଏହାକୁ ଦକ୍ଷିଣ କେନ୍ଦ୍ର ଡିଭିଜନ ସହ ମିଶେଇବାକୁ ଉଦ୍ୟମ କରାଯାଉଛି। ୱାଲଟିଅର ଡିଭିଜନ ଉଠିଗଲେ ଓଡ଼ିଶା ୨୦ ହଜାର କୋଟି ଟଙ୍କା କ୍ଷତି ସହିବ । ଓଡ଼ିଶା ସ୍ୱାର୍ଥ ଦୃଷ୍ଟିକୋଣରୁ ପଦକ୍ଷେପ ନିଆଯାଉ । ଆମେ ଭୋଟ ଦେଇ କେନ୍ଦ୍ରମନ୍ତ୍ରୀଙ୍କୁ ରାଜ୍ୟସଭାକୁ ପଠାଇଥିଲୁ ଏବେ ଲାଜ ଲାଗୁଛି । ରେଳମନ୍ତ୍ରୀ ଓଡ଼ିଶାରୁ ଯାଇଛନ୍ତି କିନ୍ତୁ ଓଡ଼ିଶା ପ୍ରୀତି ନାହିଁ। ଓଡ଼ିଶା ବିରୁଦ୍ଧରେ ଷଡ଼ଯନ୍ତ୍ର କରାଯାଉଛି ଏହି ଷଡ଼ଯନ୍ତ୍ରକୁ ବରଦାସ୍ତ କରାଯିବନାହିଁ ବୋଲି ଗୃହରେ କହିଥିଲେ ବରିଷ୍ଠ ବିଜେଡି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁ ।

ଜବାବରେ ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓକହିଥିଲେ, ଓଡ଼ିଶାରୁ ଇଞ୍ଚେ ବି ରେଳ ଲାଇନ ଅନ୍ୟ ରାଜ୍ୟକୁ ଯିବନି। ଓଡ଼ିଶାରେ ରେଳ ବିକାଶ ପାଇଁ ୨୩ ହଜାର କୋଟି ଟଙ୍କା ମଞ୍ଜୁର ହୋଇଛି। ରାୟଗଡାରେ ସ୍ବତନ୍ତ୍ର ଡିଭିଜନ ପ୍ରତିଷ୍ଠା ପାଇଁ ୧୦୭ କୋଟି ଟଙ୍କା ଟେଣ୍ଡର ହୋଇଛି । କିନ୍ତୁ ଉପା ସରକାର ସମୟରେ ସାଉଥ ଡିଭିଜନ ପ୍ରତିଷ୍ଠା ହେଲା କଣ ପାଇଁ ବିଜେଡି ସାଂସଦ ଚୁପ୍ ରହିଥିଲେ । ବିରୋଧ କଲେ ନାହିଁ କାହିଁକି ବୋଲି ପ୍ରଶ୍ନ ପଚାରିଥିଲେ ।

କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ କହିଛନ୍ତି, ‘ୱାଲଟିଅର ଡିଭିଜନ ପାଇଁ ଓଡ଼ିଶାକୁ ୧୦ ହଜାର କୋଟି ଟଙ୍କା ରାଜସ୍ଵ ମିଳୁଛି । ଓଡ଼ିଶାରୁ ଯାଇଥିଲେ ବି ଓଡ଼ିଶାର ସ୍ବାର୍ଥକୁ ଦେଖୁନାହାନ୍ତି ରେଳମନ୍ତ୍ରୀ । ଓଡ଼ିଶାର ଖଣି ଲୁଣ୍ଠନ ପାଇଁ କେନ୍ଦ୍ର ସରକାର ଯୋଜନା କରୁଛନ୍ତି । କେନ୍ଦ୍ରମନ୍ତ୍ରୀ ଏ ସଂକ୍ରାନ୍ତରେ ଦୃଷ୍ଟି ଦିଅନ୍ତୁ ନଚେତ ବରଦାସ୍ତ୍ କରାଯିବ ନାହିଁ।’

ମୁଲତବୀ ଆଲୋଚନାରେ ମନ୍ତ୍ରୀଙ୍କ ଉତ୍ତର:

ଆଜି ଗୃହରେ ମିଶନ ଶକ୍ତିକୁ ନେଇ ମୁତଲବୀ ପ୍ରସ୍ତାବ ଉପରେ ଆଲୋଚନା ହୋଇଥିଲା । ମହିଳା ସଶକ୍ତିକରଣ ପାଇଁ ରାଜ୍ୟ ସରକାରଙ୍କ ଆନ୍ତରିକତା ନାହିଁ । ଶୀର୍ଷକରେ ବିଜେଡ଼ି ଦେଇଥିବା ମୁଲତବୀ ପ୍ରସ୍ତାବ ଉପରେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ଉତ୍ତର ରଖିଛନ୍ତି । ଉପମୁଖ୍ୟମନ୍ତ୍ରୀ କହିଥିଲେ, ‘ସରକାର ମୁକ ହୋଇ ବସିବା ପୂରା ମିଛ କଥା । ବିଭାଗ ସଚିବ, ରାଜ୍ୟ କମିଶନ ସମସ୍ତେ ପ୍ରତିନିଧି ଦଳକୁ ଭେଟିଛନ୍ତି । ଆନ୍ଦୋଳନରୁ ଉଠିଯିବେ ବୋଲି କହିଲେ, କିନ୍ତୁ ଉଠିଲେ ନାହିଁ । ମହିଳାଙ୍କୁ କେହି ବିଭ୍ରାନ୍ତ କରନ୍ତୁ ନାହିଁ। କାହା କଥାରେ ବିଭ୍ରାନ୍ତ ହୁଅନ୍ତୁ ନାହିଁ । ସରକାର ପଦକ୍ଷେପ ନେବ, କାହା କଥାରେ ରାସ୍ତାରେ ଗଡନ୍ତୁ ନାହିଁ ବୋଲି କହିଥିଲି ।


ଉପମୁଖ୍ୟମନ୍ତ୍ରୀ ଆହୁରି କହିଥିଲେ, ‘ଯେଉଁ ମାନେ ଆନ୍ଦୋଳନରେ ବସିଛନ୍ତି, ସେମାନେ ମିଶନ ଶକ୍ତି ମହିଳା ନୁହନ୍ତି, ସେମାନେ ମିଶନ ଶକ୍ତିର କମ୍ୟୁନିଟି ଷ୍ଟାଫ । ଯେଉଁ ମାନଙ୍କର 5 ବର୍ଷ ଅବଧି ପୂରି ଯାଇଛି । ସେମାନେ ଦରମା ପାଇ ସାରିଛନ୍ତି । ଆଉ ଯେଉଁ ମାନଙ୍କର 5 ବର୍ଷ ଅବଧି ପୁରି ନାହିଁ, ସେମାନଙ୍କୁ ଦରମା ଦେବା ପାଇଁ ସରକାର 4 ନଭେମ୍ବର 2024ରେ ନିର୍ଦ୍ଦେଶ ଦେଇ ସାରିଛନ୍ତି । ପୂର୍ବ ସରକାରରେ ମିଶନ ଶକ୍ତି ଫେଲ । ହୀନ ରାଜନୈତିକ ଉଦ୍ଦେଶ୍ୟ ପାଇଁ ବିରୋଧୀ ମାଆ ମାନଙ୍କର ସାମଗ୍ରିକ ବିକାଶ ଚାହୁଁନାହାଁନ୍ତି । ମାଆ ମାନଙ୍କୁ ଭୋଟ ବ୍ୟାଙ୍କ ପାଇଁ ବ୍ୟବହାର କରୁଥିଲା ବିଜେଡ଼ି । ମହିଳାଙ୍କ ସଶକ୍ତିକରଣ ପାଇଁ ଡିଣ୍ଡିମ ପିଟୁଥିବା ପୂର୍ବତନ ସରକାର ହିଁ ଭଣ୍ଡୁର କରିଛନ୍ତି । କମ୍ୟୁନିଟି ଷ୍ଟାଫ ମାନଙ୍କର ଜୀବନ ଜୀବିକା ପ୍ରତି ସରକାର ସଚେତନ ଅଛନ୍ତି ଏବଂ ସେ ଦିଗରେ କାର୍ଯ୍ୟ କରୁଛନ୍ତି ।

ବିରୋଧୀ ଦଳ ନେତା କହିଥିଲେ, ବିଜେପି ଷଡ଼ଯନ୍ତ୍ର କରୁଛି । ଯିଏ ଏପରି କହୁଛନ୍ତି, ସେ ନିଜେ ମହିଳାଙ୍କୁ ଷଡ଼ଯନ୍ତ୍ର ପାହାଡ ଉପରେ ବସାଇ ଦେଇ ଝୁଲାଇ ଦେଇଛନ୍ତି । ମିଶନ ଶକ୍ତିକୁ ପୋଲିଓ ଶିଶୁ ଭାବେ ପରିଣତ କରିଥିଲା ବିଜେଡ଼ି ସରକାର । 2019 ଏପ୍ରିଲ 1ରେ ମିଶନ ଶକ୍ତି ସପୋର୍ଟିଂ ଷ୍ଟାଫ ପାଇଁ ଠିକ୍ ନିର୍ବାଚନ ପୂର୍ବରୁ 34 ହଜାରରୁ ଊର୍ଦ୍ଧ୍ବ ସ୍ବୟଂ ସହାୟିକା ଗୋଷ୍ଠୀ ତିଆରି କଲେ । ପୁଣି ଥରେ ପୁନଃ ନିଯୁକ୍ତି ପାଇ ଯିବେ, ସେଥିପାଇଁ ପ୍ରଥମେ ଦଶମ ଠାରୁ କମ୍ ଯୋଗ୍ୟତା ରଖିଥିବା ବେଳେ 2022ରେ ଯୋଗ୍ୟତାକୁ ଯୁକ୍ତ ଦୁଇ ପାସ କରିଦେଲେ । ପୂର୍ବ ସରକାର ଚାହିଁଥିଲେ, ନିର୍ବାଚନ ଆଚରଣ ବିଧି ଲାଗୁ ହେବା ପୂର୍ବରୁ ଚୁକ୍ତି ନବୀକରଣ କରିପାରିଥାନ୍ତେ ।

ବିଜେଡି ବିଧାୟକ ଅରୁଣ ସାହୁଙ୍କ ବକ୍ତବ୍ୟ:

ସବୁ ଦୋଷ ପୂର୍ବ ସରକାର କହିବା ଟ୍ୟାଗଲାଇନ୍ ସୃଷ୍ଟି କରୁଛନ୍ତି ସରକାର । ଯିଏ ସତ୍ତାକୁ ଆସିବ ତାର ସବୁ ଦାୟିତ୍ଵ । ମହିଳା ଶକ୍ତିକୁ ଯଦି କିଏ ଶକ୍ତି ହୀନ କରିଛି, ତାହା ପୂର୍ବ ସରକାର ବୋଲି କହିଲେ ଉପ ମୁଖ୍ୟମନ୍ତ୍ରୀ । ଶୀତ କାକରରେ ହଜାର ହଜାର ମାଆ ମାନେ ରାଜରାସ୍ତାରେ ଅଛନ୍ତି । ସେଠାରେ ରାତ୍ରି ବି ଯାପନ କରୁଛନ୍ତି କିନ୍ତୁ ସରକାର ନୀରବ ଦ୍ରଷ୍ଟା । ତାଙ୍କୁ ଡାକି ଆଣି କହୁଛନ୍ତି ତାଙ୍କୁ ଗଡାଇବା ଭାରି କଷ୍ଟ ଦେଉଛି । ମହିଳା ମାନେ ପରିବାର ଗୁଜୁରାଣ ମେଣ୍ଟାଇବା ଓ ଭବିଷ୍ୟତ ପାଇଁ ଆସିଛନ୍ତି । କିନ୍ତୁ ଏହାକୁ ଗୁରୁତ୍ୱ ନଦେଇ ଅନେକ ଟିକା ଟିପ୍ପଣୀ ରଖିବା ସରକାର ପାଖରେ ଶୋଭା ପାଉନାହିଁ । ଆପଣ ନୂଆ ପ୍ରଥା ଆରମ୍ଭ କରିଛନ୍ତି କି କାହାକୁ ଦିଆ ଯିବନାହିଁ । ସରକାର ଆସିବ, ସରକାର ଯିବ । ମାଆ ମାନଙ୍କ ସହ ଛିଡା ହୋଇଛୁ ବୋଲି ଆଗରୁ କହିଥିଲେ, କିନ୍ତୁ ଏବେ କରୁ ନାହାନ୍ତି । ବର୍ତ୍ତମାନ ଯେଉଁ ମାଆ ମାନେ ରାଜରାସ୍ତାରେ ବସିଛନ୍ତି। ନଚେତ ତାଙ୍କ ଅଭିଶାପ ପଡ଼ିବ ବୋଲି ଗୃହରେ କହିଥିଲେ ବିଜେଡିର ବିଧାୟକ ଅରୁଣ ସାହୁ ।

ମୁଲତବୀ ଆଲୋଚନାରେ କଂଗ୍ରେସ ବିଧାୟିକା ସୋଫିଆ ଫିର୍ଦ୍ଦୋସଙ୍କ ବକ୍ତବ୍ୟ:

ଏନେଇ କଂଗ୍ରେସ ବିଧାୟିକା ସୋଫିଆ କହିଥିଲେ, ମିଶନ ଶକ୍ତି ମହିଳାଙ୍କୁ ନେଇ ପରସ୍ପରକୁ କେବଳ ଦୋଷାରୋପ କରାଯାଉଛି । କାହାର ଭୁଲ ହୋଇଛି, କିଏ ଭୁଲ କରିଛି, ତା ଉପରେ କେବଳ ଆଲୋଚନା କରାଯାଉଛି । ଭୁଲ ଚକରରେ ଫଳାଫଳ ଶୂନ । ମିଶନ ଶକ୍ତି ମହିଳା ମାନେ ସଶକ୍ତ ହେବାର ସ୍ଵପ୍ନ ଦେଖିଛନ୍ତି । ସ୍କୁଟି ଋଣ ନେଇଛନ୍ତି । ଏବେ ସ୍କୁଟି ଋଣ କେମିତି ସୁଝିବେ ଚିନ୍ତାରେ ପଡ଼ିଛନ୍ତି । ସ୍କୁଟି ଋଣ ଶୁଝି ପାରୁନାହାନ୍ତି । ଫାଇନାନ୍ସ ସଂସ୍ଥା ମାନେ ସ୍କୁଟି ଋଣ ଶୁଝିବା ପାଇଁ ମହିଳା ମାନଙ୍କ ଉପରେ ଚାପ ପକାଉଛନ୍ତି । ସେମାନେ ଚାରି ଆଡୁ ଚାପରେ ଅଛନ୍ତି । ସେମାନଙ୍କର କଣ ଭୁଲ ଅଛି । ଏଗ୍ରିମେଣ୍ଟ କଥା କଣ ସେମାନେ ଜାଣି ନାହାନ୍ତି । ସେମାନେ ଏବେ ପୀଡିତ ଅଛନ୍ତି । ରାଜରାସ୍ତାରେ ମହିଳା ମାନେ ବସିବା ଅସମ୍ମାନ ।

ସେ ଆହୁରି କହିଥିଲେ, ସେମାନେ ଏବେ ଅସହାୟ, ହତାଶ ଓ ଲାଚାର । ମାସକୁ ଯେତିକି ଦରମା ପାଉଥିଲେ, ସେଥିରେ ତାଙ୍କର ଘର ଚଳୁଥିଲା । ସେମାନେ ତିନି ଦିନ ହେଲା ବସିଲେଣି, ହେଲେ ପାଣି ଟୋପେ ବି କେହି ଦେଇ ନାହାନ୍ତି । ଶୌଚାଳୟ ବ୍ୟବସ୍ଥା ନାହିଁ । ପାଣି ବିନା ଅନେକ ମହିଳା ବେହୋଶ ହୋଇଯାଇଛନ୍ତି, ଥଣ୍ଡା ଜ୍ବର ବି ହୋଇଛି । କ୍ୟାପିଟାଲ ହସ୍ପିଟାଲରେ ଆଡ଼ମିଶନ ହୋଇଛନ୍ତି । ସେମାନଙ୍କ ପ୍ରତି ଆମର କର୍ତ୍ତବ୍ୟ ପାଳନ କରିବାର ଅଛି । ସେମାନେ ପରିବର୍ତ୍ତନ କରିଛନ୍ତି । ପୂର୍ବ ସରକାର କି ବର୍ତ୍ତମାନ ସରକାର ସେମାନେ ଜାଣିନାହାନ୍ତି । ତାଙ୍କ ଦାବି ପୂରଣ ପାଇଁ ସେମାନେ ବସିଛନ୍ତି । ସରକାର ତାଙ୍କ ଦାବି ପୂରଣ କରନ୍ତୁ । ବୁଝା ପଡୁନାହିଁ, ସେମାନଙ୍କ ଦାବି ପୂରଣ କରିବା ପାଇଁ ରାଜ୍ୟ ସରକାରଙ୍କୁ କିଏ ଅଟକାଉଛି । ସେମାନେ ମିଶନ ଶକ୍ତି ଅଫିସକୁ ଗଲେ କୁହା ଯାଉଛି, କେତେବେଳେ କେନ୍ଦ୍ର ସରକାରଙ୍କୁ ଚିଠି ଲେଖି କହୁଛନ୍ତି, ତ କେତେବେଳେ ରାଜ୍ୟ ସରକାରଙ୍କୁ ଚିଠି ଲେଖିବା କଥା କୁହାଯାଉଛି । ଏପରିକି ମିଶନ ଶକ୍ତିର ହେଲ୍ପ ଲାଇନ ନମ୍ବର ବି କାମ କରୁନି । ସୁଭଦ୍ରା ଯୋଜନାରେ ବି ଏହି ମହିଳା ମାନେ କାମରେ ଲାଗିଛନ୍ତି । ସରକାର ବଦଳିଛି, କିନ୍ତୁ ବ୍ୟବସ୍ଥା କାହିଁକି ବଦଳିନି । ତେଣୁ ସରକାର ସେମାନଙ୍କର ଦାବି ତୁରନ୍ତ ପୂରଣ କରନ୍ତୁ ଏବଂ ଧାରଣା ସ୍ଥଳକୁ ପାଣି ପଠାନ୍ତୁ ।

ସାମ୍ବାଦିକ ପେନସନ ଓ ସୁରକ୍ଷା ପ୍ରସଙ୍ଗ:

ଆଜି ଶେଷ ଦିନରେ ବିଜେଡି ବିଧାୟକ ଗୌତମ ବୁଦ୍ଧ ଦାସ ସାମ୍ବାଦିକଙ୍କ ସୁରକ୍ଷା ପ୍ରସଙ୍ଗ ଗୃହରେ ଉଠାଇଥିଲେ । ସାମ୍ବାଦିକଙ୍କୁ ପେନସନ ଓ ପିତାମାତାଙ୍କ ପାଇଁ ବୀମା, ସୁରକ୍ଷା ପାଇଁ ଆଇନ, ଲୋକସେବା ଭବନରେ ପ୍ରବେଶ ନେଇ ଦାବି କରିଥିଲେ ।

ଏହା ମଧ୍ୟ ପଢନ୍ତୁ:

ଗୃହରେ ଉଠିଲା ସାମ୍ବାଦିକଙ୍କ ସମସ୍ୟା ପ୍ରସଙ୍ଗ, 'ମିଳୁ ପେନସନ ଓ ସୁରକ୍ଷା'

ଦାଦନ ଓ ନିଯୁକ୍ତି ସମସ୍ୟା ନେଇ ଗୃହ ହୁଲସ୍ତୁଲ, ସରକାର-ବିରୋଧୀ ମୁହାଁମୁହିଁ

ଗ୍ରାହକଙ୍କୁ ଆଶ୍ବସ୍ତି: 'ଆହୁରି କମିବ ଆଳୁ ଦର, ନାସିକରୁ ଆସିବ ପିଆଜ'

70 ଲକ୍ଷ ମିଶନଶକ୍ତି ମହିଳାଙ୍କ ଦରମା ବନ୍ଦ ଷଡଯନ୍ତ୍ର କରିଛି ବିଜେପି ସରକାର: ନବୀନ

ସରକାରୀ କ୍ୱାର୍ଟର୍ସ ଛାଡ଼ୁନାହାନ୍ତି ୧୪ ପୂର୍ବତନ ବିଧାୟକ

ଶୀତଳ ଭଣ୍ଡାର ପ୍ରସଙ୍ଗ:

ଶେଷ ଦିନରେ ଗୃହରେ ଉଠିଲା ଶୀତଳ ଭଣ୍ଡାର ପ୍ରସଙ୍ଗ । ବିଜୁଳି ଦର ଅଧିକ ଥିବାରୁ ଶୀତଳ ଭଣ୍ଡାର ବନ୍ଦ ପଡିଥିବାରୁ ଗୃହରେ ଉଦବେଗ ପ୍ରକାଶ କରିଥିଲେ ବିଜେଡି ବିଧାୟକ ଗଣେଶ୍ୱର ବେହେରା । ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ କହିଥିଲେ, ବିଦ୍ୟୁତ ଦର ଯୋଗୁଁ ଏହା ବନ୍ଦ ହୋଇ ନଥିଲା । ଅର୍ଥ ତତ୍ତ୍ବ ପରି ଚିଟଫଣ୍ଡ ସଂସ୍ଥାକୁ ତାହା ଦିଆଗଲା । ସେମାନେ ଏହାକୁ ବନ୍ଧକ ରଖିବାରୁ, ଶୀତଳ ଭଣ୍ଡାର ବନ୍ଦ ରହିଲା । ବିକଳ୍ପ ଚାଷ ବିବିଧିକରଣ କରିବାକୁ ବିଚାର କରାଯିବ । ଯେଉଁ 58 ଶୀତଳ ଭଣ୍ଡାର ନିର୍ମାଣ ହେବ, ଏହା ପିପିପି ମୋଡ଼ରେ ହାଇବ୍ରିଡ଼ ଢାଞ୍ଚାରେ ନିର୍ମାଣ ହେବ । ଯାହା ଉଭୟ ବିଦ୍ୟୁତ ଓ ସୌରଚାଳିତ ହେବ ବୋଲି ଉପ ମୁଖ୍ୟମନ୍ତ୍ରୀ ଗୃହକୁ ସୂଚନା ଦେଇଛନ୍ତି । ଆଳୁ ବ୍ୟବହାର କ୍ଷେତ୍ରରେ ରାଜ୍ୟକୁ ସ୍ୱାବଲମ୍ବୀ କରିବା ପାଇଁ ଆଳୁର ବିକଳ୍ପ ପରିବା କଣ ଚିନ୍ତା କରିଛନ୍ତି । ବିଜୁଳି ଦର ଅଧିକ ଥିବାରୁ ଶୀତଳ ଭଣ୍ଡାର କାର୍ଯ୍ୟକ୍ଷମ ହୋଇପାରିଲାନାହିଁ ଗୃହରେ ଜଣାଇଛନ୍ତି ମନ୍ତ୍ରୀ ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details