ହାଇଦ୍ରାବାଦ:ଓଡ଼ିଶାର ପାରମ୍ପରିକ ଖାଦ୍ୟ ପଖାଳ... ଏହା କେବଳ ଏକ ନିତିଦିନିଆ ଖାଦ୍ୟ ନୁହେଁ, ଓଡ଼ିଆ ଘରର ପରିଚୟ । ଧନୀ ହେଉକି ଗରୀବ ଖଟିଖିଆ, ପ୍ରତି ଓଡ଼ିଆର ପ୍ରିୟ ଖାଦ୍ୟ । କଂସାଏ ପଖାଳରେ ଓଡ଼ିଆକୁ ଯେଉଁ ତୃପ୍ତି ମିଳେ, ତାହା କେଉଁଠୁ ମିଳେନି । ପଖାଳ ଭାତ, ତା' ସାଙ୍ଗକୁ ଶାଗ ଭଜା, ବଡି ଚୂରା, ଖଣ୍ଡେ ପିଆଜ ନହେଲେ ବାଇଗଣ ଆଳୁ ଭର୍ତ୍ତାକୁ ଶୁଖୁଆ ପୋଡ଼ା । ଆହାଃ କି ଆନନ୍ଦ । ଖରା, ବର୍ଷା ହେଉକି ଶୀତ...ଓଡ଼ିଆ ଘରେ ପଖାଳ ହେବାଟା ଥୟ । ବିଶେଷକରି ଖରାଦିନ ଆସିଲେ ବେଶୀ ଖୋଜା ପଡେ ପଖାଳ କଂସା । ଓଡ଼ିଆଙ୍କ ଏହି ପ୍ରିୟଖାଦ୍ୟର ପ୍ରଚାର ପ୍ରସାର ପାଇଁ ପ୍ରତିବର୍ଷ ମାର୍ଚ୍ଚ ୨୦ ତାରିଖକୁ 'ପଖାଳ ଦିବସ' ଭାବରେ ପାଳନ କରାଯାଉଛି ।
ଓଡ଼ିଆର ଆରାଧ୍ୟ ଦେବତା ମହାପ୍ରଭୁ ଜଗନ୍ନାଥଙ୍କ ପ୍ରିୟ ଖାଦ୍ୟ ମଧ୍ୟ ପଖାଳ । ଅନେକ ପ୍ରକାରର ପଖାଳ ମହାପ୍ରଭୁଙ୍କ ପାଖରେ ଲାଗି ହୋଇଥାଏ । ମହାପ୍ରଭୁଙ୍କ ବିଭିନ୍ନ ପଖାଳ ମଧ୍ୟରୁ ଅନ୍ୟତମ ହେଉଛି ସୁବାସ ପଖାଳ । ପ୍ରଥମେ କୁଡୁଆରେ ଅନ୍ନ ରନ୍ଧା ହୋଇ ସାରିବା ପରେ ସେଥିରେ ପାଣି ମିଶାଯାଏ । ଏଥିରେ ସ୍ବାଦ ଅନୁଯାୟୀ ଲୁହ ମିଶାଇ କଟା ଅଦା, ଭଜା ଜିରା ପକାଇ ପ୍ରସାଦ ଭାବେ ଲାଗି କରାଯାଏ । ଏହି ଅନ୍ନର ବାସ୍ନା ବେଶ ସୁଗନ୍ଧିତ ହୋଇଥିବାରୁ ଏହାକୁ ସୁବାସ ପଖାଳ କୁହାଯାଏ । ଷାଠିଏ ପଉଟିରେ ସ୍ଥାନ ପାଇଥିବା ପଖାଳ ଏବେ ଗାଁ ଠାରୁ ପଞ୍ଚତାରକା ହୋଟେଲରେ ସ୍ଥାନ ପାଇଛି ।